Unknown

 

 

 

 

 

 

 

 

 

 

ଆଶ୍ରିତ

ଶ୍ରୀ କମଳାକାନ୍ତ ଦାଶ

 

ଉତ୍ସର୍ଗ

 

ମା ଜନନୀ ! ଦେବି !

 

ଅଧମ ସନ୍ତାନର ଯତ୍‌କିଞ୍ଚିତ୍‌ ଗ୍ରହଣ କରିବୁ । ତୋର ଚରଣ ତଳେ ଅର୍ପଣ କରିବାଲାଗି ମୋର ହୋଇ କିଛି ନାହିଁ । ଯାହା କିଛି ଅଛି, ସବୁ ତୋରି ଦାନ । ତୋରି ଆଶା ଓ ତୋରି ଭାଷା ଘେନି ଏ କ୍ଷୁଦ୍ର ଜୀବନ—ତରୀ ଖଣ୍ଡିକ ଭାସି ଭାସି ଅନ୍ତିମର ଅନନ୍ତ ଅସୀମତା ମଧ୍ୟରେ ମିଶିଯାଉ, ଏତିକି ମାତ୍ର ଆଶୀର୍ବଚନ ଶୁଣିବା ଲାଗି ତୋର ଚରଣ ତଳେ ମାଗୁଛି ମା, ବଞ୍ଚିତ କରିବୁ ନାହିଁ ।

 

ଅଧମ ସନ୍ତାନ

କମଳାକାନ୍ତ

Image

 

ଆଭାସ

 

ଯେଉଁ ବିଷୟଟିକୁ ଉପଲକ୍ଷ୍ୟ କରି ଉପନ୍ୟାସ ଖଣ୍ଡିକ ଲିଖିତ ହେଇଛି, ତାହା ବୋଧହୁଏ ସାଧାରଣଙ୍କ ମନକୁ ଘେନିବ ନାହିଁ । ଅବଶ୍ୟ କେତେକ ନାଶିକ କୁଞ୍ଚନ କରିବେ, କେତେକ ମୃଦୁ ଗୁଞ୍ଜନ ରଟିବେ, କେତେକ ମଧ୍ୟ ଦାଣ୍ଡ ଘାଟରେ କଟୁ—ରୁକ୍ଷ—କ୍ଷାର—କକ୍ଷାୟ ଶବ୍ଦାବଳୀ ମୁଞ୍ଚନ କରିବେ । ସେହିମାନଙ୍କ ପ୍ରତି ମୋର ଏତିକି ମାତ୍ର କହିବାର କଥା ଯେ, ଯେଉଁମାନେ ପଳିତଚର୍ମ, ଗଳିତ ଦନ୍ତ ଓ ବଳିତ ଧବଳ ଜଟାଜୂଟ ଘେନି ଦିନ କେତୁଟା ଲାଗି ପତ୍ନୀ ବିୟୋଗ ସହି ନ ପାରି ବାଳିକା ବଧୂର ଅଧର ମଧୁ ଆସ୍ଵାଦନ ଲାଳସାରେ ବ୍ୟାକୁଳ ହୋଇ ଉଠନ୍ତି, ସେମାନେ କେଉଁ ନୈତିକ ବଳ ଓ ସାହସ ଘେନି ଅତି—ଦୁର୍ବଳ, ମତି—ଦୁର୍ବଳ, ଗତି—ଦୁର୍ବଳ, କୋମଳ ତରଳ ସରଳ ଚଞ୍ଚଳ ବାଳିକା ଗୁଡ଼ିଙ୍କୁ ବାଧ୍ୟତାମୂଳକ ସଂଯମ ଶିକ୍ଷା ଦିଅନ୍ତି; ଖାଲି ଶିକ୍ଷା ନୁହେଁ ବାଧ୍ୟ କରନ୍ତି ସଂଯତ ହେବାକୁ ?

 

ଏ ବାଧ୍ୟତାମୂଳକ ସ୍ଵାର୍ଥ ଜଡ଼ିତ ସଂଯମର ପରିଣାମ କିଭଳି ମହାକାଳ ଫଳର ରୂପ ଧାରଣ କରେ, ତାହା ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତିଙ୍କୁ ଗୋଚର । ବିଶେଷ ଲେଖିବା ବାହୁଲ୍ୟ ମାତ୍ର–

 

ଲେଖକ

Image

 

(ଏକ)

 

ଝଙ୍କାଳିଆ ଆମ୍ବମୂଳେ, ଛୋଟ ଘର ଖଣ୍ଡିଏ । ଆଗରେ ଛୋଟ ଚଉରା । ଏଣେ ତେଣେ ମଥା ଟେକି ଛିଡ଼ା ହୋଇଛି କେତୋଟି ନଡ଼ିଆ ଗଛ । ଦୁଆର ମୁହଁରେ ଭଙ୍ଗା ପଥରର ଭଙ୍ଗା ପାହାଚ । ଚାଳରେ କେରିଏ କୁଶ ଓ ଗୋଟିଏ ମହାପ୍ରସାଦ କୁଡ଼ୁଆ ଝୁଲୁଚି । ଦାଣ୍ଡ କବାଟ ଖଣ୍ଡିକ ପୋକ ଝିଞ୍ଜାରି ପକାଇଛନ୍ତି । ଭଙ୍ଗା ଘର ଖଣ୍ଡିକରେ ଭଙ୍ଗା ଦଦରା ଖଣ୍ଡିଏ ପାଚେରି । ପାଚେରି ଉପରେ ଲାଉଲତା । ବାରିଆଡ଼େ ଦୁଇ ଚାରି ଗଛ ଆମ୍ବ ପଣସ । ଖଣ୍ଡିଏ ଭାଡ଼ି ଉପରେ ଜହ୍ନି କାକୁଡ଼ି ଲଟା, ତା ପାଖକୁ ଭେଣ୍ଡି ବୁଦା କେତୋଟି ।

 

ଥରେ ଆଖି ବୁଲାଇ ନେଲେ କ୍ଷୁଦ୍ର ପରିବାରର କ୍ଷୁଦ୍ରତ୍ଵ ହାହାକାର କରି ଉଠେ ।

 

ଆଠ ଦିନ ତଳେ ଏଇ ଛୋଟ ପରିବାରଟି ସମସ୍ତ ଅଭାବ ଅଭିଯୋଗକୁ ପରିହାସ କରି ହସୁଥିଲା । ଚାରିଆଡ଼ ଦିଶୁଥିଲା ସଫାସୁତୁରା, କୁଟା ଖଣ୍ଡିକ ଏଣେ ତେଣେ ପଡ଼ି ନ ଥିଲା । କିନ୍ତୁ ଆଠୋଟି ବୋଲି ଦିନ—ତାହାରି ଉପରେ ଦାଣ୍ଡ ଅଗଣାରେ ଆଣ୍ଠିଏ ଝାଟୁଆ, ଚଉରା ମୂଳେ ଅରମାବଣ, ଦୁଆର ଘରେ ପହଁରା ମୁଠା ବାଜି ନାହିଁ, ଏରୁଣ୍ଡି ମୁହଁରେ ଗୋବରକନା ବୁଲିନାହିଁ, ଦିଅଁଙ୍କ ଦୁଆରେ କୁଡ଼େ ଗୋବର, ଗୋରୁ ଗାଈ ଚାଳ ଓଲାରି ପକାଉଛନ୍ତି ।

 

ଆଠୋଟି ଦିନ ଭିତରେ ସବୁ ଅଡ଼ୁଆ ତଡ଼ୁଆ ହୋଇ ଯାଇଛି । ଦଦରା ଘର ଖଣ୍ଡିକର ମେରୁଦଣ୍ଡ ଭାଙ୍ଗି ପଡ଼ିଛି । ହରଶ୍ରୀ ପରିବାରଟି ବଡ଼ ଅସୁନ୍ଦର ଦିଶୁଛି । ଆଠ ଦିନ ତଳେ ଛବି ଭଳି ସବୁ ହସୁଥିଲା; କିନ୍ତୁ ଆଜି କୁଳଲକ୍ଷ୍ମୀଙ୍କୁ ହରାଇ ହାହାକାର କରି କାନ୍ଦୁଛି ।

 

ବିବର୍ଣ୍ଣ ବିଶୀର୍ଣ୍ଣ ପରିବାରଟିର ସବୁ ସୁଖ ଶରଧା ଭାଙ୍ଗି ରୁଜି ଛିନଛତର କରି ଫିଙ୍ଗିଦେଇ କୁଳରାଣୀ ଦଅଣୀ ଚିରଦିନ ପାଇଁ ଆଖିବୁଜି ଦେଇଛନ୍ତି । ଆଠଟି ଦିନ ତଳେ ସେ ଥିଲେ, ଚାରିଆଡ଼େ ତାଙ୍କର କର୍ମମୟ ନିରଳସ କରକମଳ ଖେଳି ଯାଉଥିଲା, କିନ୍ତୁ ଆଜି ସେ କୁଆଡ଼େ ଉଭେଇ ଯାଇଛନ୍ତି । ଲୀଳାକମଳ ଝାଉଁଳି ପଡ଼ିଛି ।

ଆରାଧ୍ୟ ଦେବତା ସ୍ଵାମୀ ବୃନ୍ଦାବନ ଓ ନୟନର ମଣି ଏକମାତ୍ର ତନୟ ପରମାନନ୍ଦଟିକୁ ଛାଡ଼ି ଯିବାକୁ ଦିଅଣୀଙ୍କର ମୋଟେ ମନ ନଥିଲା, କିନ୍ତୁ ନିର୍ମମ ନିୟୁତି ତାଙ୍କର ସେ ଅନିଚ୍ଛା ପ୍ରତି ଭ୍ରୂକ୍ଷେପ କରନ୍ତା କାହିଁକି ? ଗୋଟିକୁ ଘେନିଗଲେ ଯେ ପରିବାର ଛାରଖାର ହୋଇଯିବ, ସେ କଥା ସେ ଭାବି ଦେଖନ୍ତା କାହିଁକି ? ତାର ହୃଦୟ ବଡ଼ କଠୋର, କୁଠାର ତାର ବଡ଼ ନିଷ୍ଠୁର ।

ଦଅଣୀଙ୍କୁ ବିଦାୟ ଦେବାଲାଗି ବୃନ୍ଦାବନ କାନ୍ଦିଲେ, ପରମାନନ୍ଦ କାନ୍ଦିଲେ, ଏଘରର ଦ୍ଵାର, ଗଛପତ୍ର କାନ୍ଦିଲେ, କିନ୍ତୁ ଶୁଣିଲା ନାହିଁ ନିୟତି । ନଈ ସୁଅରେ ଭାସି ଆସୁଁ ଆସୁଁ କାଠି କେତେ ଖଣ୍ଡ ଏକାଠି ହୋଇଥିଲେ, ପାଣି ଝଲକା ପୁଣି ତାଙ୍କୁ ପୃଥକ୍‌ କରିଦେଲା । ଦଅଣୀ ଭିନ୍ନ ଦିଗରେ କୁଆଡ଼େ ଭାସିଗଲେ । ପଛକୁ ଫେରି ଚାହିଁବାର ଅବସର ପାଇଲେ ନାହିଁ ।

ଦଅଣୀଙ୍କୁ ପାଇକା ପାଣିରେ ଛାଡ଼ି ଆସିବାର ଚାରିଟିଦିନ ପରେ ଛୋଟ ସଂସାରର ଫଟା କଲିଜା ଉପରେ ପୁଣି ଚୋଟ ପଡ଼ିଲା । ଗୃହସ୍ଵାମୀ ବୃନ୍ଦାବନ ମିଶ୍ରେ ବିଛଣା ଧରିଲେ । ପରମାନନ୍ଦଟି ପିଲା, ବଡ଼ ହତାଶ ହୋଇ ପଡ଼ିଲା । ବୃନ୍ଦାବନ କହିଲେ—‘‘ବାପରେ, ବୋଉ ତୋର ଚାଲିଗଲା, ମୁଁ ବି ତା ପଛେ ପଛେ ଚାଲିଲି, ଚୋର ଉପାୟ କଅଣ ?” କିଛି ଗୋଟାଏ ଭଲ କରି ଭାବିଚିନ୍ତି ଉତ୍ତର ଦେବାର ବୟସ ପରମାନନ୍ଦର ଆସି ନଥାଏ, ସେ ଖାଲି କାନ୍ଦି କହିଲା—“ବାପା ଏମିତି କୁହନା, ମତେ କାନ୍ଦ ମାଡ଼ୁଛି ।’’

ବେଳେ ବେଳେ ବୃନ୍ଦାବନ ପ୍ରବୋଧ ଦେଇ କହନ୍ତି, “ବାପା, କାନ୍ଦୁଛୁ କିରେ ? ନାଇଁମ, ମୁଁ ନିଶ୍ଚେ ଭଲ ହୋଇଯିବି । ମୋର ଝାଡ଼ା ଭଲ ହୋଇଯିବ ।” କିନ୍ତୁ ହଜାର ଆଶା ଦେଲେ ସୁଦ୍ଧା ତାଙ୍କର ଅବସ୍ଥା ବଦଳେ ନାହିଁ । ହଇଜା ମଳୁ, ଅବସ୍ଥା ବରଂ କ୍ରମେ ଖରାପ ଦିଗକୁ ଚାଲିଲା । ଭଲ ଦିନେ କିଏ କେତେ ଆସି ଏଇ ଦୁଆରେ କେତେ ଦୁଃଖ ସୁଖ ହୋଇ ଯାଉଥିଲେ, କିନ୍ତୁ ଆଜି ଆଉ କାହାର ଟିକେ ଦର୍ଶନ ମିଲିଳା ନାହିଁ ।

 

ବୋଝ ଉପରେ ନଳିତା ବିଡ଼ା ଭଳି ବୋଉର କ୍ରିୟା—ଉପରେ ବାପାଙ୍କର ଅକ୍ଳାନ୍ତ ସେବା ପରମାନନ୍ଦକୁ ବଡ଼ ବାଧିଲା । ବୃନ୍ଦାବନ ବେଳେ ବେଳେ କହନ୍ତି, ‘‘ପରୁ, ବାପା ମୋର, ତୋ ଦିହପାକୁ ଜଗି ଚଳ । କେହି ଟିକେ ମୋ ଦୁଆରେ ଗୋଡ଼ ଦେଲେନାହିଁ—ନ ଦିଅନ୍ତୁ । ମୋର ଯାହା ହେବାର ହେଉଛି, ତୁ ହୁସିଆରରେ ଚଳ ।” କିନ୍ତୁ ପରମାନନ୍ଦ ଆଉ ହୁସିଆରରେ ଚଳିବ କେମିତି ? ରାତି ଉଜାଗର ହୋଇ ସେବା ନକଲେ ନଚଳେ । ସେ ବାପାଙ୍କୁ କହେ—“ବାପା, ବୋଉତ ଗଲା, ତୁମଦିହ ଏମିତି, ମୁଁ ଆଉ ହୁସିଆରେ ଚଳିବି କାହିଁକି ?” ବୃନ୍ଦାବନଙ୍କ ହୃଦୟ ହାହାକାର କରିଉଠେ ।

 

ସେଦିନ ବଡ଼ ଏକାଦଶୀ । ଚାରିଟା ବେଳେ ଦାଣ୍ଡ ଦୁଆର ବାରଣ୍ଡା ଉପରେ ମୁଣ୍ଡରେ ହାତ ଦେଇ ପରମାନନ୍ଦ ବସି ରହିଛି । ମୁହଁରେ ଭାଷା ନାହିଁ, ଆଖିରେ ପଲକ ନାହିଁ, ଝର ଝର ଲୁହ ଝରି ପଡ଼ୁଛି ।

 

ଏଣେ ଅଣଶୁଦ୍ଧିଆ ଘର, ତେଣେ ଘରେ କୁଳଦେବତା ଶାଳଗ୍ରାମ ଶିଳା । ବ୍ରାହ୍ମଣ ଘର କଥା । ଶାଳଗ୍ରାମ ନ ଗାଧୋଇଲେ ତୁଣ୍ଡରେ ଜଳ ଛୁଇଁବାର ନୁହେଁ । ଗାଆଁର ମୃତ୍ୟୁଞ୍ଜୟ ପଣ୍ଡାଙ୍କୁ କେତେ ନେହୁରା ହୋଇ କହିବାରୁ ସେ ବିଚରା ଉଛୁର ହେଉ ବା ସଅଳ ହେଉ ରୋଜ ଆସି ଶାଳଗ୍ରାମ ଶିଳା ଉପରେ ମୃନ୍ଦିଏ ଜଳ ତୁଳସୀ ଦେଇ ଯାଆନ୍ତି ।

 

ପରମାନନ୍ଦ ସେଦିନ ମୁଣ୍ଡରେ ହାତ ଦେଇ ବସିଛି । ମୃତ୍ୟୁଞ୍ଜୟ ତୁଳସୀ ମୂଳେ ଅଧଢାଳେ ପାଣି ଓଜାଡ଼ି ଦେଇ ପଚାରିଲେ, ‘‘କିରେ ପରୁ, ବାପା ତୋର କେମିତି ଅଛି ଆଜି ?” ପରୁ ଦୀର୍ଘଶ୍ଵାସ ଛାଡ଼ି ତାଙ୍କ ଆଡ଼କୁ ଚାହିଁଲା । ଚିନ୍ତାଧାରା ତାର ପ୍ରତିବନ୍ଧକ ପାଇଲା । ଆଖି ଛଳ ଛଳ ହୋଇ ଆସିଲା । ମୃତ୍ୟୁଞ୍ଜୟ ପୁଣି ଥରେ ପଚାରିଲେ—ସେଇ ପୂର୍ବ ପ୍ରଶ୍ନ । ପରମାନନ୍ଦ ଉତ୍ତର ଦେଲା ଏଥର—“ତାଙ୍କ କଥା କୁହନା ଦଦେଇ, ସକାଳ ପହରୁ ଥକି ଗଲିଣି, ଔଷଧ ପାନେ କି ବାଲିଟିକେ ଖୋଇ ପାରିଲି ନାହିଁ । କେମ୍ପରଡ଼ାଇନ୍ ପାଣି ସାଙ୍ଗରେ ଗୋଳେଇ ପେଇ ଦେଉଥିଲି ଯେ, ବୁଝିପାରି ବାନ୍ତି କରିଦେଲେ ।”

 

ମୃତ୍ୟୁଞ୍ଜୟ ପଚାରିଲେ—‘‘କିରେ, କାହିଁକି ?”

 

ପରମାନନ୍ଦ କହିଲା—‘‘ଆଜି କୁଆଡ଼େ ଛେନାଗୁଡ଼ ବଡ଼ ଏକାଦଶୀ ଯେ, ସେଇଥିପାଇଁ-। ମୋର କପାଳ ଦଦେଇ, ମୁଁ କଅଣ କରିବି ?” ପରମାନନ୍ଦ କଇଁ କଇଁ ହୋଇ କାନ୍ଦି ଉଠିଲା-

 

ତୁଳସୀ ଦୁଇଟା ଛିଣ୍ଡାଇ ମୃତ୍ୟୁଞ୍ଜୟ ଧୀରେ ଧୀରେ ପାହାଚ ଉପରକୁ ଉଠିଲେ । ବୃନ୍ଦାବନ ଦାଣ୍ଡଘରେ ପଡ଼ିଥିଲେ । ଏରୁଣ୍ଡି ଏପାଖେ ଠିଆହୋଇ ମୃତ୍ୟୁଞ୍ଜୟ ଡାକିଲେ—‘‘କିରେ ବୃନ୍ଦାବନ, ବୃନ୍ଦାବନ, ଏସବୁ ତୋର କି ଗୁଣରେ ? ପିଲାଟାକୁ ଏତେ ଦହଗଞ୍ଜ କରୁଛୁ କାହିଁକି ?”

 

ଧୀରେ ଧୀରେ କଡ଼ ଲେଉଟାଇ ବୃନ୍ଦାବନ ଅନାଇଲେ । ମୃତ୍ୟୁଞ୍ଜୟ ପୁଣି ପଚାରିଲେ–‘‘କିରେ, ଔଷଧ ଖାଉନୁ କିଆଁ ? ରୋଗ ବଇରାଗ ବେଳେ ଏକାଦଶୀ କଅଣରେ ?”

 

ଧୀରେ ଧୀରେ ବୃନ୍ଦାବନ ପଚାରିଲେ “କିଏ, ମୃତ୍ୟୁଞ୍ଜୟ—ନନା ?” ମୃତ୍ୟୁଞ୍ଜୟ ଉତ୍ତର ଦେଲେ ‘ହଁ, ମୁଁ ।’

 

କ୍ଷୀଣ ସ୍ଵରକୁ କ୍ଷୀଣତର କରି ବୃନ୍ଦାବନ କହିଲେ, “ଆଉ—କାହିଁକି ନନା ? ତୁମେ କଅଣ ବୁଝିପାରୁନ ? ଶେଷ ମୁହୂର୍ତ୍ତରେ ମିଛଟାରେ କାହିଁକି ଆଉ କାୟାଟାକୁ ମାରା କରିବି ? ଆଉ ବେଶି ବେଳ ନାହିଁ ନନା ।”

 

ଦୀର୍ଘ ନିଃଶ୍ଵାସଟିଏ ପକାଇ ମୃତ୍ୟୁଞ୍ଜୟ ଧୀରେ ଧୀରେ ପାହାଚ ତଳକୁ ଓହ୍ଲାଇ ଆସିଲେ-

 

ବେକରେ କାନି ପକାଇ ଦାନ୍ତରେ କୁଟା ଧରି ପରମାନନ୍ଦ ଦିଅଁଙ୍କ ଦୁଆରେ ଢୁଢୁକରି ମୁଣ୍ଡବାଡ଼େଇ ଦେଲା । କାନ୍ଦି କାନ୍ଦି କହିଲା—‘‘ରାଧାଗୋବିନ୍ଦ ! ସତେ କଅଣ ତୁ ମୋତେ ଅନାସ୍ତକଲୁ ? ବୋଉଙ୍କୁ ନେଇ ତୋର ମନବୋଧ ହେଲାନାହିଁ ? କାହିଁକି ତୁ ମୋପ୍ରତି ଏଡ଼େ ନିର୍ଦ୍ଦୟ ?”

 

ମୃତ୍ୟୁଞ୍ଜୟ ପଥର ବାସନଟାରେ ଶାଳଗ୍ରାମ ଗାଧେଇ ଦେଇ ପାଦୁକ ତୁଳସୀ ପରମାନନ୍ଦ ହାତରେ ଦେଲେ । କହିଲେ,‘ବାପରେ, ନେଇଯା ବାପାକୁ ଦବୁ । ପାଦୁକ ପାଉ, ଦେହ ଭଲ ହୋଇଯିବ ।” ପରମାନନ୍ଦ ପାଦୁକ ଘେନି ବାପାଙ୍କ ତୁଣ୍ଡରେ ଦେଲା ।

 

ମୃତ୍ୟୁଞ୍ଜୟ ଉଖୁଡ଼ା ଦୁଇଟା ଭୋଗ ଦେଇ ଘଣ୍ଟ ବଜାଇଲେ । ଧୀର ସ୍ଵରରେ ବୃନ୍ଦାବନ ପରମାନନ୍ଦକୁ ଡାକି କହିଲେ,“ବାପରେ ! ମୃତ୍ୟୁଞ୍ଜୟ ନନାଙ୍କୁ କହ, ଟିକେ ରସାନନ୍ଦକୁ ଡାକି ଦେଇ ଯିବେ । ଶେଷ ମୁହୂର୍ତ୍ତରେ ସେ ଯେମିତିକି ସବୁ କଥାପାଶୋରି ପକାଇ ଥରେ ମୋ କତିକି ଆସେ-।” ପରମାନନ୍ଦ ପାହାଚ ତଳକୁ ଓଲ୍ଲାଇ ଆସି କହିଲା—‘‘ଦଦେଇ । କକେଇଙ୍କୁ ଟିକେ ଡାକି ଦେଇଯିବ । ନିଶ୍ଚେ ଆସିବେ, ବାପା ଡାକିଛନ୍ତି । ମୋରାଣ ।”

 

ଖଡ଼ମ ଠକ୍‌ ଠକ୍ କରି ମୃତ୍ୟୁଞ୍ଜୟ ଲେଉଟି ଗଲେ ।

 

ସାତ ବର୍ଷ ପରେ ରସାନନ୍ଦ ଏଇ ପ୍ରଥମ ତାଙ୍କର ଭାଇ ବୃନ୍ଦାବନଙ୍କ ବିଛଣା କଡ଼ରେ ଆସି ବସିଲେ । ଆଖି ଛଳ ଛଳ କରି ପରମାନନ୍ଦ କକେଇଙ୍କ ମୁହଁ କୁ ଚାହିଁ ରହିଲା । କଡ଼ ଲେଉଟାଇ ବୃନ୍ଦାବନ ସେ ଆଡ଼କୁ ଚାହିଁଲେ । ଡାକିଲେ—‘‘ରସରେ ! ଠିକ୍‌ ବେଳେ ପହଞ୍ଚିଛୁ ଭାଇ-। ସୂର୍ଯ୍ୟାୟଣ ହେଲାଣି, ଆଉ ମୋର ବିଳମ୍ବ ନାହିଁ । ବେଶୀ ଆଉ କଅଣ କହିବି ତୋତେ ? ପରମାନନ୍ଦଟି ଲାଗିଲା । ବାପ ମା ଛେଉଣ୍ଡ ପିଲାଟା, ତୋରି ପୁଅ ନୁହଁ କି ?”

 

ରସାନନ୍ଦ ତଳକୁ ଆଖି ବୁଲାଇ ଲୁହ ଢାଳିଲେ । ପରମାନନ୍ଦ ବାପାଙ୍କ ପାଦ ଉପରେ ମୁହଁପୋତି କାନ୍ଦିଉଠିଲା—‘‘ବାପା, ଏମିତି କୁହନା ।” କିନ୍ତୁ ବୃନ୍ଦାବନ ଶୁଣିଲେ ନାହିଁ । ବାଁକଡ଼ ମାଡ଼ି ଶୋଇଲେ । ଦୁଇବିନ୍ଦୁ ଲୁହ ଗଡ଼ାଇ ସଂସାରର ସମସ୍ତଙ୍କ ମାୟାବନ୍ଧନ ଠାରୁ ବିଦାୟ ନେଲେ । କୁଳଦେବତା ରାଧାଗୋବିନ୍ଦଙ୍କର ପାଦୁକ ପାଟିରେ ମାଈଲେ । ଆଖିର ତାରା ଉପରକୁ ଓଲଟାଇ ଦେଲେ ।

 

ପରମାନନ୍ଦ ଭୋ’କିନି ଉଠିଲା—‘‘ବାପା, ମୋ ବାପା, କୁଆଡ଼େ ଗଲ !” ରସାନନ୍ଦ କାନ୍ଦି ପକାଇଲେ, ‘‘ନନା, ନନା କୁଆଡ଼େ ଛାଡ଼ିଗଲ !” କିନ୍ତୁ ବୃନ୍ଦାବନ ଆଉକିଛି ଶୁଣିଲେ ନାହିଁ କି ଫେରି ଚାହିଁଲେ ନାହିଁ ।

 

(ଦୁଇ)

 

ଯିଏ ଥରେ ବନ୍ଧନ ଛିଡ଼ାଇ ଚାଲିଯାଏ, ସେ ଆଉ ଫେରି ଚାହେଁ ନାହିଁ । ‘‘ମୋର ପୁଅ ଝିଅ, ମୋର ଘର ଦ୍ଵାର, ମୋର ସଂସାର’’—ଏଇଥିପାଇଁ ଏତେ କନ୍ଦାକଟା, ଏତେ ମୋହ ମାୟା, କିନ୍ତୁ ଥରେ ସେ ପାରିରେ ପାଦ ଦେଲେ ସବୁ ମିଛ, ସବୁ ଭ୍ରମ, ସବୁ ଭୁଲ୍‌ । ପଛ ଡାକ ଆଉ ଶୁଭେ ନାହିଁ !

 

ବୃନ୍ଦାବନ ଚାଲିଗଲେ । ଦଅଣୀ ଆଖି ବୁଜିଲେ । କିନ୍ତୁ କେହି କାହିଁ ଦିନେ ହେଲେତ ଜୀବନର ସର୍ବସ୍ଵ ନିରାଶ୍ରୟ ପରମାନନ୍ଦଟି ଆଡ଼କୁ ଲେଉଟି ଚାହିଁଲେ ନାହିଁ !!

 

ମିଛ ମାୟା ସଂସାର

କେହି ନୁହେଁ କାହାର ।

 

ପରମାନନ୍ଦ କିନ୍ତୁ ସବୁବେଳେ ବାପା ବୋଉଙ୍କ କଥା ଭାବେ, ଅନେକ ଥର ସ୍ଵପ୍ନ ଦେଖେ । କାନ୍ଦୁ କାନ୍ଦୁ ସେମାନଙ୍କ ଧୂଆଁଳିଆ ରୂପ ଆଖି ଆଗରେ ନାଚିଯାଏ । ପରମାନନ୍ଦ ଡାକେ–“ବାପା ! ବୋଉ !” କିନ୍ତୁ କେହି ପାଖକୁ ଆସନ୍ତି ନାହିଁ । ପରମାନନ୍ଦ ଭାବେ—ସବୁ ଭୁଲ୍‌ । ବାପା ବୋଉ ଥରୁଟିଏ ଯାଇଛନ୍ତି, ଆଉ ଫେରିବେ ନାହିଁ । ତାକୁ ଏକା ଛାଡ଼ି ଯାଇଛନ୍ତି—ଦୁଃଖ ସହିବାକୁ—ବାର ଅଭାବରେ ଘାଣ୍ଟି ହେବାକୁ ।

 

ବାପା ବୋଉଙ୍କୁ କଅଣ ପରମାନନ୍ଦ ଭୁଲି ପାରନ୍ତା ନାହିଁ ? ବେଶ୍ ପାରନ୍ତା । ଚିର ଭୁଲା-। ସଂସାରରେ ମନୁଷ୍ୟ ସବୁ ପଛ କଥା ଭୁଲି ଯିବାର ଭୋଳା ମନ ଘେନି ଜନ୍ମ ପାଇଚି । ହେଲେ, ପରମାନନ୍ଦ ବାପା ବୋଉଙ୍କ କଥା ଭୁଲିପାରେ ନାହିଁ । ତାର କାରଣ କକେଇ, ଖୁଡ଼ିଙ୍କର ଦୁର୍ବ୍ୟବହାର । ରସାନନ୍ଦ ତାର ଆପଣାର କକେଇ, ବାପାଙ୍କର ଆପଣାର ଭାଇ, ଲବଣୀ ତାର ଆପଣାର ଖୁଡ଼ି । ହେଲେ, ସେମାନେ ପରମାନନ୍ଦକୁ ଆପଣାର କରି ପାରନ୍ତି ନାହିଁ, କାହିଁକ ନା ସେ ଶତ୍ରୁର ସନ୍ତାନ ।

 

କକେଇ ତାର ଆପଣାର ସିନା, ଖୁଡ଼ି ତ ତାର ଆପଣାର ନୁହଁ । ଭାଇରେ ଭାଇରେ କେତୁଟା ଘର ଭାଙ୍ଗେ କି ? ଘର ଭାଙ୍ଗେ ପର ଘରୁ ଝିଅ ଆସିଲେ ।

 

ବୃନ୍ଦାବନ ଓ ରସାନନ୍ଦ—ଦିଓଟି ଭାଇ । ବାପ ମାଆଙ୍କର ବଡ଼ ଆଦରର ଧନ ଥିଲେ । ଦିହିଁଙ୍କି ସମାନ ଚକ୍ଷୁରେ ଦେଖି ବାପା ମାଆ ଆଖି ବୁଜିଥିଲେ । ବୃନ୍ଦାବନ ବଡ଼ ଓ ରସାନନ୍ଦ ସାନ । ବୃନ୍ଦାବନ ରସାନନ୍ଦକୁ ପୁତ୍ରତୂଲ୍ୟ ଦେଖନ୍ତି । ବୃନ୍ଦାବନଙ୍କ ସ୍ତ୍ରୀ ଦଅଣୀ ଆସିଲେ । ରସାନନ୍ଦଙ୍କୁ ଆପଣାର ସାନ ଭାଇଟି ପରି ସେ ଦେଖନ୍ତି । ରସାନନ୍ଦ ନନାଙ୍କ ଆଗରେ ସଳଖ ହୋଇ ଛିଡ଼ା ହେବାର ଦିନେ କେହି ଦେଖି ନାହିଁ । କ୍ରମେ ରସାନନ୍ଦଙ୍କର ବୟସ ହେଲା । ଖରା ନାହିଁ, ତରା ନାହିଁ, ବୁଲି ବୁଲି ବୃନ୍ଦାବନ କୁଳଥଳ ଦେଖି ବନ୍ଧୁ ବାନ୍ଧିଲେ । ଭାଇବୋହୂଟିକୁ ଘରକୁ ଆଣି ଦଅଣୀଙ୍କୁ କହିଲେ, “ବୁଝିଲ, ଏଉଟି ତମର ସାନ ଭଉଣୀ, ତମର ବହୁ, ତମର ଝିଅ, ତମର ସବୁ, ଏକୁ ପର କରିବ ନାହିଁ ।” ଦଅଣୀ ଲବଣୀଙ୍କୁ ଆପଣାର ପେଟର ଛୁଆପରି ସ୍ନେହ କରନ୍ତି । ସବୁ କାମ ପାଇଟି ଆପେ କରି ଲବଣୀଙ୍କୁ ଗେଲ ବସରରେ ବଢ଼ାନ୍ତି—କାହିଁକି ନା ସେ ପରର ଝିଅ । କାଳେ ତାଙ୍କ ମନରେ ଦୁଃଖ ହୁଏ, କାଳେ ସେ କହି ପକାନ୍ତି—‘ଦେଖ ବଡ଼ଯା’ ହୀନଅବସ୍ଥା କଲେ ।’

 

କିନ୍ତୁ ଦଅଣୀଙ୍କର ଶତ ଚେଷ୍ଟା ବ୍ୟର୍ଥ ହୋଇଗଲା । ସଂସାରର ଶତକଡ଼ା ଅନେଶୋତଟା ଘରେ ଯାହା ନିତିପ୍ରତି ଘଟିଥାଏ, ତାହାହିଁ ଘଟିଲା । ଯେତେ ଆପଣାର କଲେ ସୁଦ୍ଧା ଲବଣୀ ଦଅଣୀଙ୍କୁ ଆପଣାର କରି ପାରିଲେ ନାହିଁ । ପ୍ରତି କଥାରେ ଲବଣୀଙ୍କ ତୁଣ୍ଡ ବାଜିଲା । ଲବଣୀ ସବୁବେଳେ ଭାବିଲେ, ବଡ଼ ଯା ତାଙ୍କୁ ସବୁଥିରେ ପ୍ରତାରିତ କରୁଛନ୍ତି, ସୁତରାଂ ତାଙ୍କ ହାଉଆରେ ରହିବା ଉଚିତ ନୁହେଁ । ଖାଲି ସେତିକି ନୁହଁ, ରସାନନ୍ଦଙ୍କ କାନରେ ଏମିତି ମନ୍ତ୍ର ଫୁଙ୍କିଲେ ଯେ, ସେ ଠିକ୍ ବୁଝିଲେ—ବାସ୍ତବିକ୍ ଭାଇ ଭାଉଜଙ୍କୁ ଏତେଦୂର ବିଶ୍ଵାସ କରିବା ମୋଟେ ଠିକ୍ ନୁହେଁ । ସବୁବେଳେ କାନ ପାଖରେ ଫୁସୁର୍‌ ଫାସର୍‌ ହେଲେ ଋଷିମନ ଟଳିଯାଏ; ରସାନନ୍ଦ କିବା ଛାର ! ଲବଣୀ ଗୋଟିଏ ଛୋଟ ଦୃଷ୍ଟାନ୍ତ ଦେଇ ବୁଝାଇଦେଲେ—‘‘ଦେଖ, ପରମାନନ୍ଦଟା ତ ପଢ଼ୁଛି । ଆଚ୍ଛା, ତାର ପଢ଼ାପଢ଼ି ଖର୍ଚ୍ଚ, ତା ପଇତାଘରକୁ ଖର୍ଚ୍ଚ, ଏ ସବୁ କାହିଁରୁ ହେଉଛି ? ପିତୃ ଅର୍ଜିତ ସମ୍ପତ୍ତିରୁ ତମର ଅଧକୁ ତାଙ୍କର ଅଧେ । ତାଙ୍କ ଅଧିକରୁ ଯାହା ସେ କରିବାର କରୁ ଥାଆନ୍ତୁ-। ଆମ ଅଧକରେ ହାତ ଦେଉଛନ୍ତି କିଆଁ ? ଆମକୁ ତ ପୁଣି ବିଧାତା ପିଲା ବାଳକ ଦିଖଣ୍ଡ ଦେଇ ପାରନ୍ତି । ସେତେବେଳକୁ ?” ରସାନନ୍ଦ ଠିକ୍ ଠଉରେଇ ନେଲେ । ଆଉ ବିଶେଷ ବ୍ୟାଖ୍ୟା କରିବାକୁ ପଡ଼ିଲା ନାହିଁ ।

 

ଷୋଡ଼ଶ ଉପଚାରରେ ପୂଜା କଲେ ସୁଦ୍ଧା ଲବଣୀଙ୍କର ଅଶାନ୍ତି । ସେ ଦିନ ସେ ରସାନନ୍ଦଙ୍କୁ କହିଲେ—‘‘ଦେଖ, ଏତେ, ଯଦି ଭାଇ ଭାଉଜଙ୍କୁ ଡର, ତେବେ ମତେ ମୋ ବାପଘରେ ଛାଡ଼ି ଦେଇ ଆସ । ଆଖି ଥାଉଁ ଥାଉଁ ଏ ଗୁଡ଼ାକ ମୁଁ ଦେଖି ପାରିବି ନାହିଁ । ସେମାନେ ସବୁ ବସିଚନ୍ତି କେମିତି ପର ଧନରେ ପୁଞ୍ଜି ପାଣ୍ଠି ସାଇତିବେ, ଆଉ ତମେ ସୁନାପୁଅ ପରି ତାଙ୍କର ମାୟା କୁହୁକରେ ବୁଡ଼ି ରହିଚ । ସବୁ ତ ସେ ଭୋଗ କରିବେ, ତୁମେ କଅଣ କୁଆଡ଼େ ଭାସି ଆସିଥିଲ କି ? ତାଙ୍କର ସିନା ନେ—ନେଞ୍ଜରା, ତମର କଅଣ ଅଛି ଯେ ଏତେ ଭକ୍ତି ? କଥାରେ କହନ୍ତି ‘ଅତି ଭକ୍ତି ଚୋରଙ୍କ ଲକ୍ଷଣ ।’ କିହୋ କାହିଁକି ? ତମେ କହି ଦଉନ—ଯେତେ ଦିନ ମନ ମିଳିଲା ସେତକ ଦିନ, ଆଉ ଏଣିକି ଚଳିବ ନାହିଁ । ଆମକୁ ଆମ ରାହା କରି ଦିଅନ୍ତୁ—ଆମ କର୍ମରେ ଥିଲେ ଆମେ ଭିକ ମାଗୁଁ ବା ମୂଲ ଲାଗୁଁ, ତାଙ୍କର ସେ ରଜ ମହାରଜା ହେଇ ବସନ୍ତୁ ।”

 

ସେ ଆଜକୁ ସାତ ଆଠ ବର୍ଷ ତଳର କଥା । ସେଦିନ ରସାନନ୍ଦ ଭ୍ରାଭୃଭକ୍ତିରେ ଜଳାଞ୍ଜଳି ଦେଇ ଦାଣ୍ଡ ଦୁଆରେ ବଡ଼ ଗମ୍ଭୀର ହୋଇ ବସି ରହିଲେ—ନନାଙ୍କୁ ସଫା ସଫା କହିଦେବେ ‘‘ଯେତେ ଦିନ ଚଳିବାର ଚଳିଲା, ଆଉ ଏଣିକି ଦଣ୍ଡେ ଚଳିବ ନାହିଁ ।”

 

କହିବେ କହିବେ ବୋଲି ରସାନନ୍ଦ ଅନେକ ଥର ସ୍ଥିର କରି ସଙ୍କୁଚିତ ବୋଧ କରି ଛେପ ଗିଳିଲେ; କିନ୍ତୁ ତୁଣ୍ଡ ଫଟାଇ ନନାଙ୍କୁ କିଛି କହି ପାରିଲେ ନାହିଁ । ଲଜ୍ଜାରେ ଘର ଭିତରକୁ ପଳାଇଗଲେ ।

 

ତେତେବେଳକୁ ଛାଇ ଲେଉଟିଲାଣି । କେତେବେଳୁ ପରମାନନ୍ଦ ଇସ୍କୁଲକୁ ଚାଲିଗଲାଣି-। ପୂଜାପୂଜି ଖିଆପିଆ ସାରି ବୃନ୍ଦାବନ ଦିଅଁଙ୍କ ପିଣ୍ଡାରେ ଖଣ୍ଡିଏ ନଡ଼ିଆ ଚାଞ୍ଚ ଉପରେ ବସି ନୃସିଂହ ପୂରାଣ ପଢୁଛନ୍ତି, ଦଅଣୀ ଆସି କହିଲେ, “ଶୁଣିଲଣି, ରସ ଏତେବେଳ ଯାକେ ଗାଧେଇ ନାହନ୍ତି । ଡାକିଲେ କିଛି କହୁ ନାହାନ୍ତି । ଗାଉଁ ଗାଉଁ ହୋଇ ସାନବୋହୂ, ଏଣୁ ତେଣୁ ଗୁଡ଼ାଏ କଅଣ ବକି ଯାଉଛି ।” ବୃନ୍ଦାବନ ପଚାରିଲେ ‘‘କିହୋ, କଥା କଅଣ ? ରସ କାହିଁକି ଗାଧୋଇ ନାହିଁ ? ସାନବହୂ, କଅଣ କହୁଛନ୍ତି ?” ଦଅଣୀ ମୁହଁ ଆଡ଼େଇ ଦେଇ ଚାଲି ଯାଉଁ ଯାଉଁ କହିଲେ ‘‘ସେ ଗୁଡ଼ାକ ମୁଁ କହି ପାରିବି ନାହିଁ । ଶୁଣୁନ, ତମର କଅଣ କାନ ନାହିଁକି ? ଭଲ ଥାନ ଦେଖି ବହୂଟିଏ ଆଣିଚ, ଶୁଣ ଶୁଣ । ତମେ ଯେମିତି, ତମର ସବୁ କାମ ସେମିତି ।”

ବୃନ୍ଦାବନ ଆଖି ଦି’ଟାକୁ ତରାଟି ଦେଇ ଖାଲି ଅନାଇ ରହିଲେ । ଦଅଣୀ କିଛି ନ କହି ଚାଲିଗଲେ । ବୃନ୍ଦାବନ କିଛି ରହସ୍ୟ ଭେଦ କରି ନପାରି ଡାକିଲେ ‘‘ରସ କିରେ, ଆରେ ରସାନନ୍ଦ-।” କିନ୍ତୁ ରସାନନ୍ଦ ଉତ୍ତର ଦେଲେ ନାହିଁ । ତୁଣ୍ଡ ଶୁଭିଲା—ସାନ ବହୂଙ୍କର ‘‘ଭିତରେ ତ ଅନ୍ତକଟା ଚାଲିଚି, ଉପରେ ଏତେ କଅଁଳ ଡାକ କିଆଁ ?” ବୃନ୍ଦାବନ ମୁଣ୍ଡରେ ହାତ ଦେଇ ଭକୁଆଙ୍କ ଭଳି ବସି ରହିଲେ । ତୁଣ୍ଡରୁ ପଦୁଟିଏ କଥା ବାହାରିଲା ନାହିଁ । ହାତରୁ ନୃସିଂହପୂରାଣ ଖସିପଡ଼ିଲା, ବୃନ୍ଦାବନ ଭାବିଲେ ‘‘କି କାଳ ହେଲା !”

 

ପଡ଼ିଶାଘର ସାନ ଖୁଡ଼ି ଓରଫ୍ ଦୁଇ ସମ୍ପର୍କୀୟ ଦାମ କକେଇଙ୍କ ବିଧବା ସ୍ତ୍ରୀ ବାହାରି ପଡ଼ି କହିଲେ “କାହିଁକିରେ ବୃନ୍ଦାବନ ! ସଂସାର ଯାକତ ଲାଗିଚି—

 

ଯେତେ ଭାଇ ତେତେ ଘର

ଯେତେ କନ୍ୟା ତେତେ ବର ।

 

ମିଛଟାରେ ଫଟା କାନ୍ଥରେ ମଧ୍ୟ ମାଟି ଗୋବର ଗେବରା ଗେବରି କରି କେତେଦିନ ଚଳିବ ? ଗୋଟାଏ ହାଣ୍ଡି ଦି’ଟା କରିବାକୁ ତାଙ୍କୁ ଯେବେ ସୁଖ ଲାଗିଲା, ତୋର ସେଥିରେ ହାନି କଅଣ ?”

 

ଖୁଡ଼ି ଆପଣ କାମରେ ଲାଗିଯାଇ ଏ କଥା କହିଗଲେ । ବୃନ୍ଦାବନ ପଥର ପରି ବସିଲା ଠାଆରେ ର୍ନିବାକ୍ ନିସ୍ପନ୍ଦ ହୋଇ ଶୁଣିଗଲେ । ତାଙ୍କୁ ଲାଗିଲା, ଯେମିତିକି ଆକାଶର ସବୁଯାକ ବଜ୍ର ଏକାଥରକେ ତାଙ୍କର ମୁଣ୍ଡ ଉପରକୁ ଛିଡି ପଡ଼ିଲା । ସେ ଧୀରେ ଧୀରେ ପଚାରିଲେ, ‘‘ସାନ ଖୁଡ଼ି, ତୁ କଅଣ କହୁଚୁ ? କି କଥା ତୁ ମତେ ଆଜି ଶୁଣେଇଲୁ ଖୁଡ଼ି ?” ଖୁଡ଼ି କହିଲେ—‘‘ମୁଁ ଯାହା କହୁଚି, ସେଇ କଥା ସାର । ଯେତେଦିନ ଏକାଠି ଚାଲିଗଲା ସେଦିନ ଦିନ । ଆଉ ଏଣିକି ଦଣ୍ଡେ ଚଳିବ ନାହିଁ ।”

 

ବୃନ୍ଦାବନ କଅଣ କହିବେ, କଅଣ କରିବେ, କିଛି ସ୍ଥିର କରି ପାରିଲେ ନାହିଁ । ମନ ହେଲା, ରସାନନ୍ଦଙ୍କୁ ଡାକି କଥା କଅଣ ପଚାରିବେ, ମାତ୍ର ଜିଭ ଲେଉଟିଲା ନାହିଁ ।

 

ସେଇଦିନଠାରୁ ବୃନ୍ଦାବନ ହଜାର ଚେଷ୍ଟା କଲେ ସୁଦ୍ଧା ରସାନନ୍ଦଙ୍କ ଭ୍ରମ ତୁଟିଲା ନାହିଁ । ରସାନନ୍ଦ ବେଳ ସରିକି ନନାଙ୍କୁ ଜବାବ ଦେଇ ଦେଲେ—ଯେତେ ଭୁଲାଇଲେ ସେ ଆଉ ଭୁଲିବେ ନାହିଁ । ବୃଥା କଥାରୁ କି ମିଳିବ ? ଯାହା ନୋହିବାର ସେ କଥାରେ ଚେଷ୍ଟା କରିବା ବୃଥା । ଶେଷକୁ ସାନବହୂ ନିଜେ ଭିନେ ହାଣ୍ଡି କରି ରାନ୍ଧିଲେ । ଦଅଣୀ ଯେତେ ନେହୁରା ହୋଇ ବୁଝାଇଲେ ସୁଦ୍ଧା ସେ ଶୁଣିଲେ ନାହିଁ ।

 

ଶେଷକୁ ବୃନ୍ଦାବନ ଦଅଣୀ ଓ ପରମାନନ୍ଦର ହାତ ଧରି ଘରୁ ଗୋଡ଼ କାଢ଼ିଲେ । କହିଲେ, “ରସରେ, ଘର ବୋଲି ଅରିଏ ସେଥିରେ ଦିଟା ହାଣ୍ଡି କିମିତ ବସିବ ? ମୁଁ ତେବେ ବିଦା ହୋଇ ଯାଉଚି, ତୁମେ ଥାଅ । ଭଗବାନ ତୁମକୁ ସୁଖରେ ରଖନ୍ତୁ ।”

 

ବୃନ୍ଦାବନଙ୍କର ସେଇ ଶେଷ ବିଦାୟ । ରସାନନ୍ଦ ଥରକ ଲାଗି କହିଲେ ନାହିଁ, ‘‘ନନା, ଲେଉଟି ଆସ ।” ସେଇ ଦିନଠାରୁ ଦୁଇ ଭାଇଙ୍କର ବିଚ୍ଛେଦ । ପୈତୃକ ସମ୍ପତ୍ତିର ସମସ୍ତ ମୋହ ମାୟା ଛିଡ଼ାଇ ବୃନ୍ଦାବନ ଚାଲି ଆସିଲେ । ଗାଁ ଲୋକେ ଢେର ଶିକ୍ଷା ଦେଲେ, ‘‘ବୃନ୍ଦାବନ, ପିତୃ ଅର୍ଜିତ ସମ୍ପତ୍ତିରେ ତମର ଅଧା ଭାଗ ଅଛି ।” କିନ୍ତୁ ସେ କଥାରେ ସେ କାନ ଦେଲେନାହିଁ । ରସାନନ୍ଦ ତାଙ୍କର ସାନ ଭାଇ, ତାଙ୍କର ଜନ୍ମକଲା ପରମାନନ୍ଦଠୁଁ ବଳି ସେ । ଆଜି ସେ ଗେଟାଏ ଭୁଲ କରି ବସିଚି, କାଲି ସକାଳୁ ନିଶ୍ଚେ ବୁଝି ପାରିବ । ସେଇଦିନୁଁ ବୃନ୍ଦାବନ ଗାଁ ଜମିଦାର କରୁଣାକର ମହାପାତ୍ରଙ୍କ ସାହାଯ୍ୟରେ ଖଣ୍ଡିଏ ପୁରୁଣା ଭିଟା ଉପରେ କୁଡ଼ିଆ ତୋଳି ଆପଣାର ନୂଆ ସଂସାର ଗଢ଼ିଲେ । ଉଦଯୋଗୀ ଲୋକଙ୍କ ପଛେ ପଛେ ଲକ୍ଷ୍ମୀ ଗୋଡ଼ାନ୍ତି । ତିନିଟି ବର୍ଷ ମଧ୍ୟରେ ବୃନ୍ଦାବନ ତିନିମାଣ ଧାନଜମି ଓ ଘରବାଡ଼ି ଡିହ ଅରିକ କିଣିନେଲେ । କେତୋଟି ଆମ୍ବ ନଡ଼ିଆ ଗଛ ଆଗରୁ ଥିଲା । ବୃନ୍ଦାବନ ବି କେତୋଟି ଲଗାଇ ଦେଲେ । ଦଅଣୀ ପୂର୍ବ ସୁଖ-ଶାନ୍ତି ଭୁଲିଯାଇ ନୂଆ ଘରଟିକୁ ସୁନ୍ଦରରୂପେ ସଜାଇ ନେଲେ-

 

ଲବଣୀ ରସାନନ୍ଦଙ୍କୁ ଦେଖାଇ କହିଲେ, “ଦେଖିଲ, ଏ ସବୁ କୋଉ ଧନରେ ହେଉଛି ? ସେଇ ପୁଞ୍ଜିପାଣ୍ଠି ।” ରସାନନ୍ଦ ଆପଣାର ନିର୍ବୁଦ୍ଧିତାକୁ ନିନ୍ଦା ନ କରି ରହି ପାରିଲେ ନାହିଁ ।

 

ସାତ ଆଠ ବର୍ଷ ତଳର କଥା । ବାଟରେ ଘାଟରେ ଦେଖା ହେଲେ ବୃନ୍ଦାବନଙ୍କର ରସାନନ୍ଦ ସହିତ କଥା କହିବାକୁ ମନ ହୁଏ, ମାତ୍ର ରସାନନ୍ଦ ମୁହଁ ବୁଲାଇ ଚାଲି ଯାଆନ୍ତି । ବୃନ୍ଦାବନ ଭାବୁଥିଲେ ‘‘ରସ ନିଶ୍ଚେ ତାର ଭୁଲ ବୁଝିପାରିବ ।” ମାତ୍ର ଶେଷ ନିଦ୍ରା ପର୍ଯ୍ୟନ୍ତ ସେ ବୁଝିଲେ—ସେ ଆଶା ନାହିଁ । ଦଅଣୀ ବିଦାୟ ନେଇ ଚାଲିଗଲେ । ମାତ୍ର ରସାନନ୍ଦ ଥରୁଟିଏ ଦେଖିବାକୁ ଆସିଲେ ନାହିଁ । କିନ୍ତୁ କି ଭାଗ୍ୟବଳରୁ କେଜାଣି ସେଦିନ ମୃତ୍ୟୁଞ୍ଜୟଙ୍କ ମୁହଁରୁ ଶେଷ ଅନୁରୋଧ ଶୁଣି ଏଡ଼ିଦେବାକୁ ତାଙ୍କର ସାହସ ହେଲା ନାହିଁ । ବୃନ୍ଦାବନଙ୍କ ସହିତ ଦେଖା କରିବାକୁ ଆସି ବିଛଣା କଡ଼ରେ ବସିଲେ । ସାତ ଆଠ ବର୍ଷ ପରେ ଦି’ଭାଇଙ୍କର ସେଇ ପ୍ରଥମ ଓ ଶେଷ ଦେଖା ।

 

ସାତ ଆଠ ବର୍ଷ ପରେ ପରମାନନ୍ଦ ବାପଙ୍କର ମୁଖଗ୍ନି ଦେଇ ଏଇ ପ୍ରଥମ କକେଇଙ୍କ ଘରେ ଗୋଡ଼ ଦେଲା । ଦେଖିଲା, ତିନୋଟି ଅଭ୍ୟାଗତ ସେଠାରେ ଆସି ପହଞ୍ଚିଛନ୍ତି—ଗୋଟିଏ ପୁଅ ଓ ଦୁଇଟି ଝିଅ । ବଡ଼ଝିଅ ଯତନୀ, ପୁଅ ରତନି ଓ ତା’ ତଳକୁ ଝିଅଟିର ନାଁ ପତନୀ । ଲବଣୀ ରତ୍ନାକରକୁ କାଖରେ ଧରି ମୁହଁ ମୋଡ଼ି ଦେଇ ଚାଲିଗଲେ । ରସାନନ୍ଦ ଶୁଣିଲେ, ସେ କହୁଛନ୍ତି—ଶେଷକୁ କାଳକଣ୍ଟକଟାଏ ଆଣି ହାଜର କଲେ ।

 

ପରମାନନ୍ଦ ବି ସେ କଥା ଶୁଣି ପାରିଲା । ତାର ମନେହେଲା—ଘରେ ନ ପଶୁଣୁ ତ ମୁଣ୍ଡରେ ଚାଳ ବାଜୁଛି, ଏଥିରେ ଚଳିବ କିମିତି ?

 

ଦୁଇଟି ଦିନ ପରେ ଲବଣୀ କହିଲେ—‘‘ହଇହୋ, ଏ ବୁଦ୍ଧି ତୁମକୁ କିଏ ଦେଲା ? ଟୋକାଟାକୁ ଆଣିଲ କଅଣ ଅଧେ ସମ୍ପତ୍ତି ଭାଗ ଦେବାକୁ ? ବାପ ସମ୍ପତ୍ତି ମାଗି ବସିଲେ ତମେ କଣ କରିବ ?” ରସାନନ୍ଦ ଲବଣୀଙ୍କୁ ତୁନି ତୁନି କହିଲେ, “ତମେ ମୋଟେ ବୁଝି ପାରିନ । ସେଇ ଡରେ ତ ଟୋକାଟାକୁ ହାତଛଡ଼ା କରି ପାରିଲି ନାହିଁ । ତାକୁ ହାତମୁଠା ଭିତରେ ନ ରଖିଲେ ଇଏ ଯେଉଁ ରାଇଜ, କିଏ କଅଣ ଶିଖେଇ ବୁଝେଇ ନାଲିସଟାଏ ଦାଏର କରେଇ ଦେବ ଯଦି । ତହିଁରେ ପୁଣି ନନା ତିନିମାଣ ବିଲ କିଣିଛନ୍ତି, ପାଞ୍ଚଗୁଣ୍ଠ ଘରବାଡ଼ି, କୋଡ଼ିଏ ଗଛ ନଡ଼ିଆ, ସାତ ଗଛ ଆମ୍ବ ପଣସ । ସେତକ ହାତ ପୈଠ ହୋଇ ସାରିଲେ ଯାଇ ଯଉଁ କଥା । ଟୋକାଟାକୁ ତଡ଼ି ବାହାର କରି ଦେବାକୁ କଅଣ ବେଶୀ ବେଳ ଲାଗୁଛି ? ଅଇଛା ତମେ କିଛି କୁହନା ।”

 

ଲବଣୀ ବୁଝିଲେ—ସ୍ଵାମୀଙ୍କର ସୁବୁଦ୍ଧି ଆସିଚି । ତୁନି ତୁନି ଟିକିଏ ହସିଦେଇ କହିଲେ, ‘‘ତେବେ ସେ କଥା ଏତେ ଦିନଯାକେ ମତେ କହିନ କିଆଁ ?”

 

ରସାନନ୍ଦ ହସି ଉଠିଲେ ।

 

(ତିନି)

 

କୁସୁମ ପରଶେ ପଟ ନିସ୍ତରିଲା ଭଳି ଜମି ଅରିକ ଲାଗି ପରମାନନ୍ଦ ଲବଣୀ ଓ ରସାନନ୍ଦଙ୍କର ଯାହି ଟିକେ ସ୍ନେହ ଆଦର ପାଏ । ଯେତେ ଲୁଚାଇଲେ ସୁଧା କକେଇ ଖୁଡ଼ୀଙ୍କର କୃତ୍ରିମତା ସେ ବେଶ୍ ବୁଝିପାରେ । ପିଞ୍ଜରାବଦ୍ଧ ବିହଙ୍ଗ ଭଳି ସେ ପଳାଇ ଯିବାକୁ ଛଟପଟ ହୁଏ; କିନ୍ତୁ ଅନ୍ୟ ଆଶ୍ରୟ—ତରୁ ତାର କାହିଁ ?

 

ତିନି ଚାରିଟି ମାସ ସୁଖେ ଦୁଃଖେ ବିତିଲା । ପରମାନନ୍ଦର ବିଲରୁ ପାଞ୍ଚଭରଣ ଧାନ ଆସି ରସାନନ୍ଦଙ୍କ ଅମାରରେ ପଶିଲା । ନଡ଼ିଆ ବିକ୍ରି ହୋଇ ଲବଣୀଙ୍କ ହାତକୁ ଟଙ୍କା ଗଲା । ଛୁଆଣି ଅଭାବରୁ ପରମାନନ୍ଦର ଘର ଭାଜିପଡ଼ିଲା । ପରମାନନ୍ଦର ନଡ଼ାତକ ବିକ୍ରି ହୋଇ ଲବଣୀଙ୍କ ପୁଞ୍ଜିପାଣ୍ଠି ହେଲା । ତଥାପି ପରମାନନ୍ଦ ସବୁ ଦେଖି କିଛି ଦେଖିଲା ନାହିଁ । ସବୁ ଶୁଣି କିଛି ଶୁଣିଲା ନାହିଁ । ଆପଣାର ପଢ଼ା ପଢ଼ିରେ ମନ ଭୁଲାଇ ନେଲା ।

 

କିନ୍ତୁ ସଂସାରର ଶେଷ ଅବଲମ୍ବନରେ ବାଧା ପଡ଼ିଲେ କେହି ସହିପାରେ ନାହିଁ । ପରମାନନ୍ଦ ଦେଖିଲା, ତାର ପଢ଼ାପଢ଼ିରେ ମଧ୍ୟ କ୍ରମେ ବାଧା ପଡ଼ିଲା ।

 

ମାଇନର ଶ୍ରେଣୀରେ ସେ ପଢେ, ନିତି ତାକୁ ଦେଢ଼କୋଶ ଯିବାକୁ ପଡ଼େ ଓ ଫେରିବାକୁ ପଡ଼େ । ନଅଟାବେଳୁ ନଗଲେ ଠିକ୍ ସମୟରେ ବିଦ୍ୟାଳରେ ଉପସ୍ଥିତ ହେବା ଦୁରୂହ । ଘରେ ଦଅଣୀ ରୋଜ ଆଠଟା ବେଳେ ଭାତ ଦୋଟି ରାନ୍ଧି ଦେଉଥିଲେ । ଲବଣୀ ବି ଦିନ କେତୋଟି ରାନ୍ଧିଦେଲେ । ମାତ୍ର କାଳକ୍ରମେ ବିଳମ୍ବ ହେବାକୁ ଲାଗିଲା । ଶେଷ ବେଳକୁ କୋଉ ଦିନ ପଖାଳ ଦୋଟି କୋଉ ଦିନ ମୁଢ଼ି ଦୋଟି, କୋଉଦିନ ଅବା ଖଇ ଦୋଟି ପାଟିରେ ପକାଇ ହାତ ପିଠିରେ ଲୁହ ପୋଛି ପରମାନନ୍ଦ ଅଧା ଆହାର ଓ ଅନାହାରରେ ଇ ସ୍କୁଲକୁ ଯିବାକୁ ଲାଗିଲା । କ୍ରମେ କ୍ରମେ ତାର ବଡ଼ ଅସହ୍ୟ ହେବାକୁ ଲଗିଲା ।

 

ଏମିତି କେତେ ଦିନ ଚଳିବ ? ଦିନେ ପରମାନନ୍ଦ କକେଇଙ୍କି କହିଲା—‘‘ମୁଁ ବୋଡିଙ୍ଗରେ ରହି ପଢ଼ିବି, ଏତେବାଟ ଯିବା ଆସିବା ବଡ଼ ବାଧୁଚି, ତହିଁରେ ପୁଣି ସମୟ ନଷ୍ଟ ।” ସେଥିରେ ରସାନନ୍ଦ କହିଲେ “ଆଚ୍ଛା, ତୋ ଖୁଡ଼ୀଙ୍କି କହ, ସେ କଅଣ କହୁଛନ୍ତି ଦେଖାଯାଉ ।” ଖୁଡ଼ୀଙ୍କ ଆଗରେ ପରୁ କହିଲା ;ମାତ୍ର ତାଙ୍କ କଥା ଶୁଣି ପରମାନନ୍ଦ କାନରେ ହାତ ଦେଲା–“କିଆଁରେ ପୁଅ । ତୋର ଏଠି କଅଣ ଅଡ଼ୁଆ ହଉଚିକି ? ବୋଡିଙ୍ଗରେ ରହିଲେ ଏତେ ଖର୍ଚ୍ଚ କୁଠୁ ଆସିବ ? କଲରା ମଞ୍ଜିପରି ମାସକୁ ମାସ ଦେଢ଼ଟଙ୍କା ଦରମା ତା ଉପରେ ବୋଡିଙ୍ଗ ଖର୍ଚ୍ଚ, ମୁଁ ଏତେ ଦେଇ ପାରିବି ନାହିଁ । ବାପା ମା ଯାହା ରଖି ଯାଇଚନ୍ତି ତୋ ଇଚ୍ଛା, ପଢ଼ିଲେ ପତ ନପଢ଼ିଲେ ନାଇଁ ।”

 

ପରମାନନ୍ଦ ଖୁଡ଼ୀଙ୍କ କଥା ଶୁଣିଲା । ଆଖି ଛଳ ଛଳ ହୋଇ ଆସିଲା । କକେଇ ସବୁ ଶୁଣି ସେଇ ବାଟେ ଆଡ଼େଇ ହୋଇ ଚାଲିଗଲେ । ପରମାନନ୍ଦ ତାଙ୍କଠାରୁ କିଛି ଆଶା ପାଇଲା ନାହିଁ ।

 

ସଦାବେଳେ ପରମାନନ୍ଦ ଏଣୁ ତେଣୁ ନାନା କଥା ଭାବୁଚି, ଝିଅ ଯତନୀ ଓ ପୁଅ ରତନିକୁ ତା କତିରେ ଛାଡ଼ିଦେଇ ଖୁଡ଼ୀ କହିଲେ ‘‘ପରମା, ମିଛଟାରେ ଏତେ ଗୁଡ଼ାଏ ପାଠ ପଢ଼ି କଅଣ ହେବରେ ? ଯେତିକି ପଢ଼ିଲୁଣି ସେତିକି । ବାପା କକେଇ ଯେ କିଛି ବୋଲି କିଛି ପଢ଼ି ନଥିଲେ, କୁ କଥାରେ ଊଣା ସେମାନେ ? ଏ ଦିହିଁଙ୍କି ଫଳା ବୋଲା ।’’

 

ପରମାନନ୍ଦ ଜଳ ଜଳ କରି ତାଙ୍କ ଆଡ଼କୁ ଅନାଇ ରହିଲା ।

 

ଦି ଦିନପରେ ପରମାନନ୍ଦ ତାର ଇସ୍କୁଲ ପଢ଼ା ଇଂରାଜୀ ବହି ଦିଖଣ୍ଡ ପାଇଲା ନାହିଁ । ପଚାରିଲା ‘‘ଖୁଡ଼ୀ । ମୋ ବହି ଦିଖଣ୍ଡ ଏଘରୁ କୁଆଡ଼େ ଗଲା ?” ଲବଣୀ କହିଲେ” ବହିକିତାବ ତୋର କୁଆଡ଼େ ନାଇଁ କୁଆଡ଼େ ପକାଇବୁ, ମୁଁ କଅଣ ଜଗିବସିଚି କି ?” ରାତିରେ ପରମାନନ୍ଦ ଦେଖିଲା, ଚୁହ୍ଲିରେ କାଗଜ ଜଳୁଚି । ଗନ୍ଧ ବାରି ଯାଇ ଦେଖିଲା ତାରି ବହି । ଦୌଡ଼ି ଯାଇ ବ୍ୟାକୁଳ ଭାବରେ ଜଳନ୍ତା ନିଆଁ ଭିତରୁ ଓଟାରି ଆଣିଲା । ଦେଖିଲା, ଅନୁମାନ ତାର ଠିକ୍ । ବହି ଦିଖଣ୍ଡର ଚାରି ଭାଗରୁ ତିନି ଭାଗ ଜଳିଗଲାଣି । ପରମାନନ୍ଦ କାନ୍ଦି ପକାଇଲା—“ଖୁଡ଼ୀ, ତମେ ମୋ ବହି ଜାଳି ଦଉଚ ?”

 

ତାକଥା ଶୁଣି ଲବଣୀ ଗର୍ଜି ଉଠିଲେ ‘‘ଆରେ ଏ ଟୋକାର, ବଡେଇ ଦେଖ ! ମା ବାପ–ଛେଉଣ୍ଡଟାକୁ ଆଶ୍ରା ଦେବାରୁ ସିନା ଏଡ଼େ କଥା ! ଆରେ ହେ ପରମା, ମୁହଁ ବଢ଼ି ବଢ଼ି କହନା; ମୁଁ କଅଣ ସର୍ବଜ୍ଞ ପାଠ ପଢ଼ିଚି ଯେ, ଜାଣନ୍ତି ଏଇ ତୋ ବହି ? ଦାଣ୍ଡ ଅଗଣରେ ଝାଟୁଆ ଗଦାରେ ପଡ଼ିଥିଲା, ପତର ସାଥିରେ ସାଉଁଟି ଆଣିଚି । ଜଳିଗଲାତ ମୁଁ କଣ କରିବି ? ବାଜେ କାଗଜ ଏବେ କେତେ ଜଳି ଯାଉଚି; ଏଥେରେ କଅଣ ନିରିଖ ମରା ହୋଇଚି ?”

 

ପରମାନନ୍ଦ ଆଉ କଅଣ କହିବ ? କାନ୍ଦି କାନ୍ଦି ପଳାଇ ଯାଇ ଦାଣ୍ଡ ପିଣ୍ଡାରେ ବସି ବୁହେ କାନ୍ଦିଲା । ବାପା ବୋଉ ଚାଲି ଯାଇଥିଲେ, ଏ ଦିହ ସହିଥିଲା; କିନ୍ତୁ ବହି ଦିଖଣ୍ଡକୁ ହରାଇ ସେ ବଡ଼ ଅଧୀର ହୋଇ ପଡ଼ିଲା । ବହି କିତାବ ତାର ଏକମାତ୍ର ଅବଲମ୍ବନ; ପୁଣି ପରୀକ୍ଷା ମୁଣ୍ଡ ଉପରେ । କକେଇ ଖୁଡ଼ୀଙ୍କଠୁ ବହି କିଣିବାକୁ ପାହୁଲାଟିଏ ପାଇବାର ଆଶା ନାହିଁ ।

 

କ୍ରମେ ରାତି ବେଶୀହେଲା । କୁଆଡ଼େ ଯାଇଥିଲେ, ରସାନନ୍ଦ ଫେରି ଆସିଲେ । ଲବଣୀ ତାଙ୍କ ଆଗରେ ବନେଇ ଚୁନେଇ କେତେ କଥା କହିଲେ । ଋସାନନ୍ଦ ଗର୍ଜି ଉଠି କହିଲେ–‘‘କିରେ ପରମା ? ତୋ ବ୍ୟବହାରତ ଦିନକୁ ଦିନ ଅସହ୍ୟ ହୋଇ ଉଠୁଚି । ବହି ଦିଖଣ୍ଡ କଅଣ କିଏ ଜାଣୁ ଜାଣୁ ନଷ୍ଟ କରି ଦେଲା ? ଖାଇବୁ ଯଦି ଆ, ନୋହିଲେ ସେଇଠି ବସି ସକଉଥା-। ଯୋଉ ପାଠ ପଢ଼ୁଛି କିନା, ମୁଣ୍ଡଟାକୁ ଏକାବେଳେକେ କିଣି ନେଇଚି ।”

 

ପରମାନନ୍ଦ ଦେଖିଲା, ଆଉ ଉପାୟ ନାହିଁ । ଧୀରେ ଧୀରେ ଆଖି ପୋଛି ଘର ଭିତରକୁ ଉଠି ଆସିଲା । ମାତ୍ର ପେଟ ଭିତରକୁ ଭାତ ଗଲାନାହିଁ ।

 

ତାର କିଛି ଦିନ ପରେ, ଦିନେ ଇସ୍କୁଲରୁ ଫେରି ଆସି ପରମାନନ୍ଦ କକେଇଙ୍କି କହିଲା–“କକେଇ, ଆର ମାସ ପନ୍ଦର ତାରିଖରେ ଆମର ପରୀକ୍ଷା । ମୁଁ ବୃତ୍ତି କେନ୍ଦ୍ରକୁ ପରୀକ୍ଷା ଦେବାକୁ ଯିବି, ଠିକ୍ ହୋଇଚି । ଦରମା ସାଙ୍ଗରେ ଦୁଇଟଙ୍କା ଫିସ୍ ଦେବାକୁ ହେବ ।”

 

ପରମାନନ୍ଦର କଥା ଶୁଣି ରସାନନ୍ଦ ମୁଣ୍ଡରେ ହାତ ଦେଇ ବସି ପଡ଼ିଲେ । ‘‘କିରେ, ଫିସ୍ କଅଣ ? ମୁଁ ତ ବୋପା ଦିହେକେ କେବେ ଏ କଥା ଶୁଣି ନାହିଁ ।” ଲବଣୀ ତେଣୁ ଦୌଡ଼ି ଆସି କହିଲେ, ‘‘ଗଲାତ, କୁଳ ଉଜ୍ଜଳ ହୋଇ ଯିବ ଏଥର । ଦରମା ଦେଢ଼ଟଙ୍କା, ପୁଣି ତା ସାଥିକ ଫିସ୍ ଦିଟଙ୍କା, ପଇସାଟିଏ ମୁଁ ଆଉ ଦେଇ ପାରିବି ନାହିଁ । ମନ ହୁଏତ ଖାଲି କେମିତି ପଢ଼ୁଚି ପଢୁ, ନଇଲେ ଗୋରୁ ଗାଈ ଦିଟା ଅଡ଼ଉ । କିଛି ସେଥେରେ ଜାତି ବାଧା ହୋଇଯିବ ନାହିଁ । କୋଉଠୁ ଗୋଟାଏ କାଳକଣ୍ଟକ ଆସିଚି ସେ ଜୀବନ ଶୋଷି ଖାଉଚି ।”

 

ପରମାନନ୍ଦ ଠିଆହେଲା ଥାନରେ ବସି ପଡ଼ିଲା । ଆଖି ଦି’ଟାରୁ ଠସ୍‌ଠସ୍‌ ଲୁହ ଗଡ଼ି ପଡ଼ିଲା । କିଛି ଉତ୍ତର ନ ଦେଇ ରସାନନ୍ଦ ଉଠି ଚାଲିଗଲେ । ବାର କଥା ବଡ଼ର ବଡ଼ର ହୋଇ ଲବଣୀ ଚାଲିଗଲେ–‘‘ଦିନ ରାତି ଚଉବନି ଭୋଜନ, ଚଉକସ୍, କାମ ନାହିଁ ଦାମନାହିଁ”—ଇତ୍ୟାଦି ।

 

ପରମାନନ୍ଦର ଆଖି ବୁଜି ହୋଇଗଲା । ପଢ଼ାପଢ଼ିର ଆଉ ଆଶା ନାହିଁ । ତାକୁ ଭାରି କାନ୍ଦମାଡ଼ିଲା—“ବାପା ! ବୋଉ ଗଲା, ତମେ ବି ଚାଲିଗଲ, ମୋର ଗତି କଅଣ ? କି ପନ୍ଥା ଧରିବି ? ପାଠ ପଢ଼ା ନା ଗାଈ ଜଗା ?”

 

ଫିସ୍ କଥା ଦୂରେ ଥାଉ, କକେଇ ଖୁଡ଼ୀ ଦରମା ଗଣ୍ଡାକର ଆଉ ନାଆଁ ଧରିଲେ ନାହିଁ । ପରମାନନ୍ଦ ତାଙ୍କୁ ଆଉ ମାଗିବା ଉଚିତ ମନେକଲା ନାହିଁ; କାରଣ କିଛି ଫଳର ଆଶା ନାହିଁ । ଇସ୍କୁଲରେ ବଡ଼ ଅପମାନ ପାଇଲା । ଶିକ୍ଷକମାନେ ନାଁ କାଟି ଦେବାକୁ ଧମକାଇଲେ । ଦରମା ଗଣ୍ଡାକ ଲାଗି ପରମାନନ୍ଦ ପିତୃ ବନ୍ଧୁ ଜମିଦାର କରୁଣାକର ବାବୁଙ୍କ ଦୁଆରେ ଠିଆହେଲା । ସେ ମହାଶୟ ଆପଣାର ପୂର୍ବ ଉଦାରତା ବଜାୟ ରଖି ପିଲାଟାକୁ ସାହାଯ୍ୟ କଲେ । ପରମାନନ୍ଦର ପରୀକ୍ଷାଟା ସୁଖେ ଦୁଃଖେ ଶେଷ ହେଲା ।

 

ଅତିରିକ୍ତ ପରିଶ୍ରମ ଓ ଖାଦ୍ୟ ପାନୀୟ ଅସୁବିଧା ବଶତଃ ପରମାନନ୍ଦର ସ୍ୱାସ୍ଥ୍ୟହାନି ଘଟିଲା । ଧୀରେ ଧୀରେ ତାକୁ ପ୍ରବଳ ଜ୍ଵର ଆକ୍ରମଣ କଲା । ବିଛଣା ଉପରେ ଏକ ପ୍ରକାର ହତଜ୍ଞାନ ହୋଇ ପଡ଼ି ରହି ନାନାଆଡ଼ୁ ନାନା କଥା ଭାବିବାକୁ ଲାଗିଲା । ଏ ସଂସାରରେ ତାର ଆଉ କୋଉ ଆଶା ଅଛି ? ସ୍ନେହ ଆଦର ଲେଶ ମାତ୍ର ନାହିଁ । ଏଠାରୁ ବରଂ ଚାଲିଯିବା ତାର ଉଚିତ । ଏଠାରେ ଏତେ ଯନ୍ତ୍ରଣା ଓ ଏତେ ଅପମାନ ସହିବା ଠାରୁ ଦାଣ୍ଡଘାଟରେ ଅସହାୟ ଭାବରେ ଘୂରି ବୁଲିବା ବରଂ ଶ୍ରେୟ ।

 

ଜରରେ ପଡ଼ିଥାଏ ସେ, ମାତ୍ର କେହି ଟିକେ ତା ଦେହରେ ହାତ ବୁଲାଇ ଦେବାକୁ ଆସନ୍ତି ନାହିଁ । ସେ ବିକଳରେ ଲୁହ ଗଡ଼ାଇ ବିଛଣା ଭିଜାଏ, ତକିଆ ତିନ୍ତାଏ; କିନ୍ତୁ କେହି ଟିକେ ଆଡ଼ ଆଖିରେ ସୁଦ୍ଧା ତାହା ଆଡ଼କୁ ଅନାନ୍ତି ନାହିଁ । ପରୁ ବିଛଣା ଉପରେ ଜରରେ କମ୍ପୁଥାଏ । ମୁଣ୍ଡ ବିନ୍ଧାରେ କାତର ହୋଇ ପଡ଼ୁଥାଏ; ମାତ୍ର କୁଆଭୁଆଙ୍କୁ ଦେଲାଭଳି କେହି କେତେବେଳେ ଟିକେ ଆସି ଗିନାଏ ବାଲି ସେ ଘର ଭିତରକୁ ଠେଲି ଦେଇ ଚାଲିଯାଏ ।

 

ଦିନେ ରାତିରେ ପରୁକୁ ବେଶୀ ଜର ହେଲା । ରସାନନ୍ଦ ଆସି ପଚାରିଲେ, ‘‘କେମିତି ଅଛୁ ? କଅଣ ଖାଇବୁ ?” ପରମାନନ୍ଦ କହିଲା, ‘‘ଏମିତି ଅଛି । ଖଇ ଦୁଧ ଖାଇଲେ ଭଲ ହୁଅନ୍ତା-।” ରସାନନ୍ଦ ଦୀର୍ଘ ନିଃଶ୍ଵାସ ପକାଇଲେ—ପରୁର ଦେହ ଲାଗି ନୁହେଁ, ଦୁଧ କିଣିବାକୁ ଦୁଇ ପଇସା ଖର୍ଚ୍ଚ ହେବ ବୋଲି ।

 

ପରମାନନ୍ଦ ଶୁଣିଲା ଭିତରୁ ଖୁଡ଼ୀଙ୍କ ପାଟି—‘‘ତମର ବାର ପେମ ବାହାରିବ ତ ବାହାରୁ ଥାଉ । ମୁଁ ଖଇ ଭାଜି ପାରିବି ନାହିଁ । ଅରକ୍ଷିତ ଟୋକାଟା ଯୋଗେ ମଣିଷ ଖଟି ଖଟି ମରୁଚି । ଦିନ ଭିତରେ ବାର ଫରମାସୀ ବାହାରୁଚି ।” ପରମାନନ୍ଦ ବିକଳ ହୋଇ କାନ୍ଦି ପକାଇଲା ।

 

ଗୋଟାକଯାକ ରାତି ପରମାନନ୍ଦ ଖାଇଲା ନାହିଁ । ଦେହରେ ତାତି ବଢ଼ିଲା । ମୁଣ୍ଡ ପ୍ରବଳ ଭାବରେ ବିନ୍ଧିଲା । ରାତିଟାଯାକ ଭାବିଚିନ୍ତି ସେ ସ୍ଥିର କଲା—ଇଠି ଆଉ ଦଣ୍ଡେ ରହିବ ନାହିଁ-। ବାଟ ଘାଟରେ ପଡ଼ି ମରିବ ବରଂ ସେ ଭଲ, ଏ କକେଇ ଖୁଡ଼ୀଙ୍କ ପାଖରେ ଦଣ୍ଡେ ଚଳିବ ନାହିଁ । ପୈତୃକ ଜମି ଅରିକର ମୋହ ମାୟା ଛଡ଼ାଇ ସ୍ଥିର କଲା, ଯଦି ସେ କେବେ ମଣିଷ ହୁଏ, ତେବେ ଆସି ଦାବି କରିବି, ନୋହିଲେ ନାହିଁ ।

 

ପାହାନ୍ତା ପହରକୁ ଦେହର ଉତ୍ତାପ ଟିକେ କମିଗଲା । କବାଟ ଫିଟାଇ ପରମାନନ୍ଦ ଦାଣ୍ଡ ପାହାଚ ତଳକୁ ଓହ୍ଲାଇ ଆସିଲା । ଚାରିଆଡ଼େ ପାହାନ୍ତି ଅନ୍ଧାର । ତାହାରି ଭିତରେ ସେ ଅଦୃଶ୍ୟ ହୋଇଗଲା । ଦୁର୍ବଳତାରେ ଦେହ ଥରୁଥାଏ, ପାଦରେ ପାଦ ଛନ୍ଦି ହୋଇ ଯାଉଥାଏ, ମୁଣ୍ଡ ଘୂରାଇ ଦେଉଥାଏ, ଚାରିଆଡ଼ ଘନ ଅନ୍ଧାର ଦିଶୁଥାଏ; କିନ୍ତୁ ତଥାପି ଆଗକୁ ପାଦ ପକାଇ ପରୁ ଚାଲିଲା ।

 

ଦେହରେ ଖଣ୍ଡିଏ ଲୁଗା ଓ ଖଣ୍ଡିଏ ଚାଦର । ଶୀତଦିନର ଗତି । ସମ୍ବଳ ମଧ୍ୟରେ ଶୂନ୍ୟ ହସ୍ତ ଓ ନଗ୍ନ ନିରାଶ୍ରୟତା । କୁଆଡ଼େ ଯିବ, ଜାଣେନା—କାହା ଓଳିତଳେ ଛିଡ଼ା ହେବ, ଜଣାନାହିଁ ।

 

(ଚାରି)

 

ଚାଲି ଚାଲି ପାଦ ଥକିପଡ଼େ, ଦେହ ଥରିଉଠେ, ମୁଣ୍ଡ ଭ୍ରମିଯାଏ, ଚାରିଆଡ଼ ଶୂନ୍ୟ ଦେଖାଯାଏ; ତଥାପି ପରମାନନ୍ଦ ଆଗକୁପାଦ ପକାଇ ଚାଲେ । ତିନି ଚାରି ଦିନରେ ପ୍ରବଳ ଜର ଓ ଉପବାସ ଉପରେ ପଥଶ୍ରାନ୍ତି ସହି ହୁଏନାହିଁ । ପରମାନନ୍ଦ ଗଛ ଛାଇରେ ବସିପଡ଼େ । ନିସ୍ତେଜ ହୋଇ ଭାବି ପାରେନାହିଁ କୁଆଡ଼େ ଯିବ । ଶୀତଳ ପବନ ବାଜି ଦେହ ତାତି ଉଠେ, ମୁଣ୍ଡ ବିନ୍ଧିଉଠେ, କଲିଜା କମ୍ପି ଉଠେ; କିନ୍ତୁ ସେ ଚାଲେ । କୁଆଡ଼େ ଯିବ ଜାଣେନା—କେଉଁଠି ତାର ଏ ଅଭିଯାନର ଅବସାନ, ଜାଣେନା ।

 

ଚାଲୁ ଚାଲୁ ଆଗରେ ଦେଖାଗଲା କଟକ ରେଳ ଷ୍ଟେସନ । ପରମାନନ୍ଦ ଥରୁଟିଏ ପରୀକ୍ଷା ଦେବା ଲାଗି କଟକ ଆସିଥିଲା । ରେଳ ଷ୍ଟେସନ କଅଣ ସେ ଜାଣେନା; କିନ୍ତୁ ଅନୁମାନ କରିନେଲା । ଶ୍ରାନ୍ତି ଓ କ୍ଳାନ୍ତିରେ ଆଉ ସେ ଅଗ୍ରସର ହୋଇ ପାରିଲା ନାହିଁ । ମୁସାଫେରଖାନାର ଚଟାଣ ଉପରେ ଚାଦର ଖଣ୍ଡିକ ପାରିଦେଇ ଶୋଇ ପଡ଼ିଲା । ଛାତି ଫିଟାଇ ଫଁ’ କରି ଗୋଟାଏ ନିଶ୍ଵାସ ବାହାରି ପଡ଼ିଲା ।

 

ଭୋକ ଶୋଷରେ ବୁକୁ ଫାଟିଗଲା । ଆଖି ଆଗରେ ମିଷ୍ଟାନ୍ନ ଦୋକାନରେ ଗଦା ଗଦା ମିଠେଇ ପୁରୀ; କିନ୍ତୁ ପାହୁଲାଟିଏ ହାତରେ ନାହିଁ । ମନଟା ଭାରି ବିକଳ ହେଲା । ଦୋକାନ ଆଡ଼କୁ ଅନାଇଁ ପରୁ ତତଲା ଲୁହ ଦି’ଟୋପା ଗଡ଼ାଇଲା ।

 

ଦେଖିଲା, କଳରୁ ପାଣି ପିଇବା ଲାଗି ପଇସା ପଡ଼ୁନାହିଁ । ଧୀରେ ଧୀରେ ଉଠି କଳ ପାଖକୁ ଗଲା । ହାତ ଆଞ୍ଜୁଳା କରି ପେଟପୂରାଇ ପାଣି ପିଇ ସ୍ଵପ୍ତି ରେ ଗୋଟିଏ ନିଶ୍ଵାସ ପକାଇଲା । ଚାରିଆଡ଼କୁ ଆଖି ବୁଲାଇ ଦେଖିଲା, ସମସ୍ତେ ଅପରିଚିତ ।

 

ଶୋଇଲା ଥାନରୁ ଚାଦର ଖଣ୍ଡିକ ଗୋଟାଇ ନେଇ ଧୀରେ ରେ ସେ ଉଠିଲା । ତେତିକିବେଳେ ରେଳ ଗାଡ଼ିଟିଏ ଆସି ଲାଗିଲା । ଗାଡ଼ିରୁ ଓଲ୍ଲାଇ ଲୋକେ ସହର ଆଡ଼କୁ ଚାଲିଲେ । ପରମାନନ୍ଦ ଆଖି ଦିଟାକୁ ଛଳ ଛଳ କରି ଏଣେତେଣେ ସମସ୍ତଙ୍କ ଆଡ଼କୁ ଅନାଇଲା, କିନ୍ତୁ କେହି ଟିକେ ତାର କରୁଣ ଚାହାଣୀଟି ଆଡ଼କୁ ଚାହିଁଲେ ନାହିଁ । ସେ ବୁଝିଲା, ଦୁନିଆଟାରେ ସହାନୁଭୂତି ବୋଲି କିଛି ନାହିଁ । ସମସ୍ତେ ଆପଣା ଆପଣା ସ୍ଵାର୍ଥ ଘେନି ବ୍ୟସ୍ତ ।

 

ଧୀରେ ଧୀରେ ଚାଦର ଖଣ୍ଡିକ ଦେହରେ ପକାଇ ସେ ସହର ଆଡ଼କୁ ଚାଲିଲା । ଦେଖିଲା, ଚାରିଆଡ଼େ ଘୁଘୁ, ସୁସୁ—ସାଇକେଲ ମଟର ଘୋଡ଼ାଗାଡ଼ି ଘଡ଼ ଘଡ଼ ଭଡ଼ ଭଡ଼ । କୁଆଡ଼େ ଯିବ, କେଉଁଠି ଠିଆ ହେବ, କିଛି ସ୍ଥିର କରି ନ ପାରି ସଡ଼କର ଗୋଟିଏ କଡ଼ ଧରି ଧୀରେ ଧୀରେ ଚାଲିଲା । ଚାଲୁ ଚାଲୁ ବେଳ ବୁଡ଼ିଲା । ମ୍ୟୁନିସିପାଲିଟିର ଖୁମ୍ବବତୀ ଜଳିଲା । ବଜାରଯାକ ଆଲୁଅମୟ ହୋଇଗଲା । ଘୂରି ଘୂରି ପରମାନନ୍ଦ ନିତାନ୍ତ ଦୁର୍ବଳ ହୋଇପଡ଼ିଲା । ଅଗ୍ରସର ହେବାକୁ ମୋଟେ ଆଉ ବଳ ରହିଲା ନାହିଁ । ଦେହ ତାତି ଉଠିଲା । ପରୁ ସଡ଼କ କଡ଼ର ଖଣ୍ଡିଏ ଚାଳଘର ଦେଖି ସେହି ଆଡ଼କୁ ଚାଲିଲା । ଦୂଆରମୁହଁ ପାହାଚ ତଳକୁ ପଡ଼ିଥାଏ ଭଙ୍ଗା ଖଟ । ତାହାର ଉପରେ ସେ ବସି ପଡ଼ିଲା । ବସୁ ବସୁ ଅବଶ ହୋଇ ଶୋଇ ପଡ଼ିଲା । ଦେହରେ ପ୍ରବଳ ତାତି, ଅସହ୍ୟ କମ୍ପଚାଦର ଖଣ୍ଡିକ ଦେହରେ ଘୋଡ଼ାଇ ଦେଲା ।

 

ରାତି ଗତି କଲା । ଧୀରେ ଧୀରେ ଦୋକାନ ବଜାରର ଆଲୁଅ ନିଭିଲା, ଲୋକ ଗହଳ ଭାଙ୍ଗିଲା । ପରୁ ହତଜ୍ଞାନ ହୋଇ ପଡ଼ି ରହିଲା । ପୁଷ ମାସର ଶୀତ, ଉପରୁ କାକର, ତଳୁ ହେମାଳ, ଦେହରେ ଭୀଷଣ ଜର; ମାତ୍ର ଦେହରେ ପକାଇବାଲାଗି ଖଣ୍ଡିଏ ମାତ୍ର ପତଳା ଚଦର ଛଡ଼ା ଆଉ କିଛି ନାହିଁ । ରାତି ବେଶୀ ହେଲା । ବାହାର ପାଖରୁ ଝଞ୍ଜିର ଝଣ ଝଣ କରି କିଏ ଡାକିଲା, ‘‘ରେବୀରେ, ଆରେ ରେବୀ ।” ଭିତରୁ ରେବୀ ଉତ୍ତର ଦେଲା ‘ଯାଉଚି ବାପା !” ବାହାରୁ ପୁଣି ଶୁଭିଲା—‘‘କବାଟ ଫିଟାଇଲୁ ମା ।” ଭିତରୁ ଝଣ କରି ଜଞ୍ଜିର ଫିଟାଇ ଆଲୁଅଟିଏ ଧରି ଛୋଟ ବାଳିକା ରେବୀ ବାହାରକୁ ବାହାରି ପଡ଼ିଲା ।

 

ଖଟ ଖଣ୍ଡିକ ଠିକ୍ ପାହାଚ ତଳକୁ । ରେବୀର ଆଖି ପଡ଼ିଲା ପରମାନନ୍ଦ ଉପରେ । ଆଲୁଅଟାକୁ ଉପରକୁ ଟେକି ସେ କହିଲା ‘‘ବାପା, ଏଉଟି କିଏ ?” ‘‘ରେବୀର ବାପା ନନ୍ଦକିଶୋର ଦାଶେ ତଳକୁ ଓହ୍ଲାଇ ଆସି ଖଟ କଡ଼କୁ ଠିଆହୋଇ ଡାକିଲେ, କିଏରେ ବାପା ? କିଏ ଶୋଇଚ-?” କିନ୍ତୁ ପରମାନନ୍ଦ ତେତେବେଳେ ହତଜ୍ଞାନ, ଉତ୍ତର ଦେଲା ନାହିଁ । ରେବତୀ ଆଲୁଅଟି ଧରି ଖଟ ଉପରକୁ ଉଠି ଆସିଲା । ନନ୍ଦକିଶୋର ଧୀରେ ଧୀରେ ଚାଦରଟି ଟିକିଏ ଟେକି ଦେଇ ଦେଖିଲେ ଗୋଟିଏ ବାଳକ, କାନ୍ଧରେ ପଇତା ଅଛି, ଦେହରେ ଭୟଙ୍କର ତାତି । ନନ୍ଦକିଶୋର ପୁଣି ଥରେ ପରମାନନ୍ଦକୁ ହଲାଇ ଡାକିଲେ; କିନ୍ତୁ ଉତ୍ତର ପାଇଲେ ନାହିଁ । ନନ୍ଦ କହିଲେ ‘‘ରେବୀ ଲୋ ! ବୋଉକୁ ତୋର ଡାକ ପିଲାଟିକୁ ଭାରି ଜର । ଦେଖିଲୁଣି ମଥାରେ ହାତ ଦେଇ ?” ରେବୀ ବଡ଼ ଦୟାବତୀ । ଦୌଡ଼ିଯାଇ ବୋଉକୁ ଡାକି ଆଣିଲା । ତାଙ୍କ ନାଁ ଲୀଳାବତୀ । ନିର୍ବିକାର ଚିତ୍ତରେ ସ୍ଵାମୀ ସ୍ତ୍ରୀ ଅପରିଚିତ ପିଲାଟିକୁ ଧରାଧରି କରି ଘର ଭିତରକୁ ଘେନିଗଲେ । ଖଣ୍ଡିଏ ଖଟ ଉପରେ ଶୁଆଇ କମ୍ବଳ ଖଣ୍ଡିଏ ଘୋଡ଼ାଇ ଦେଲେ । ପରମାନନ୍ଦର ଜ୍ଞାନ ଉପୁଜାଇବା ଲାଗି ଚେଷ୍ଟାରେ ଲାଗି ପଡ଼ିଲେ ।

 

ନନ୍ଦକିଶୋରଙ୍କ ଘର ଯାଜପୁର ଆଡ଼େ ଅନ୍ତପୁର ବୋଲି ଗୋଟିଏ ଗାଆଁରେ । ବଡ଼ ଅସ୍ଵଚ୍ଛଳ ତାଙ୍କ ଅବସ୍ଥା । କଟକରେ ଗୋଟିଏ ଜମିଦାରୀ ସିରସ୍ତାରେ ପେସ୍କାରୀ କରନ୍ତି । ମାସିକ ବେତନ କୋଡ଼ିଏ ଟଙ୍କା । ତହିଁରେ କଟକରେ ଖଣ୍ଡିଏ ବସାଘର କରି ଛୋଟ ପରିବାରକୁ ଘେନି ଚଳନ୍ତି । ପରିବାର ମଧ୍ୟରେ ସାତ ଆଠ ବର୍ଷର ଝିଅ ରେବତୀ ଓ ସତୀସ୍ଵାଧୀ ସ୍ତ୍ରୀ ଲୀଳାବତୀ । ଦରିଦ୍ର ପରିବାରଟିର ବଡ଼ ସୁଖ ଶାନ୍ତିରେ ଦିନ କଟିଯାଏ । ଅଧିକ ସୁଖ ଲାଗି ଲାଳସା ନାହିଁ ବା ଦୁଃଖମୟ ଜୀବନ ମଧ୍ୟରେ ଅଶାନ୍ତି ନାହିଁ । ସେଇଥିପାଇଁ ନନ୍ଦକିଶୋର ଶତ ଅଭାବ ଅଭିଯୋଗ ପ୍ରତି ଭ୍ରୂକ୍ଷେପ ନ କରି ସ୍ଵର୍ଗସୁଖ ଉପଭୋଗ କରନ୍ତି ।

 

ଦିନରେ ବହୁତ ସମୟ ତାଙ୍କର କର୍ମକ୍ଷେତ୍ରରେ କଟିଯାଏ । ଦଶଟାବେଳୁଁ, କଚିରିକୁ ଯାଇ ଫେରୁ ଫେରୁ ରାତି ଦଶଟା ଏଗାରଟା ବାଜିଯାଏ । ଲୀଳା ଗୃହକର୍ମ ଶେଷ କରି ଛୋଟ ଝିଅ ରେବତୀ ସାଥିରେ ଗପସପ ପଢ଼ାପଢ଼ି କରୁଥାଆନ୍ତି । କେବେ କେବେ ଅବା ସାହି ପଡ଼ିଶା କେହି ଆସିଲେ ଦୁଃଖ ସୁଖ ହୁଅନ୍ତି । ଏହି ସବୁ ଘେନି ତାଙ୍କର ଦିନ କଟିଯାଏ ।

 

ପରମାନନ୍ଦର ଯେତେବେଳେ ଜ୍ଞାନ ଫେରି ଆସିଲା, ତେତେବେଳେ ସେ ଚାରିଆଡ଼କୁ ହିଁ ଦେଖିଲା, ଗୋଟିଏ ଛୋଟ କୋଠରୀ ଭିତରେ ଖଣ୍ଡିଏ ଖଟ ଉପରେ ସେ ଶୋଇଚି । ଆଗରେ ଗୋଟିଏ ଲଣ୍ଠନ ଜଳୁଚି । କିଏ ଗୋଟିଏ ନାରୀ ମୁଣ୍ଡ ଉପରେ ବସି କପାଳରେ ତାର ଜଳପଟି ଦେଉଛନ୍ତି । କଡ଼କୁ ଜଣେ ପ୍ରୌଢ଼ ବସିଛନ୍ତି, ହାତରେ ତାଙ୍କର ଥର୍ମୋମିଟର—ଉତ୍ତାପ ପରିମାପକ ଯନ୍ତ୍ର । ଆଉ, ଗୋଟିଏ ଛୋଟ ଝିଅ ଧୀରେ ଧୀରେ ତା ଦେହ ଆଉଁସି ଦଉଚି ।

 

ପରମାନନ୍ଦ ଚାରିଆଡ଼କୁ ଭଲକରି ଅନାଇଲା । ଆଖିରୁ ଠସ୍ ଠସ୍ ଲୁହ ଲୁହ ଗଡ଼ି ପଡ଼ିଲା । ହାୟରେ, ଏ ସଂସାରରେ ଏତେ ଦୟା କଅଣ ସମ୍ଭବ ? ଏ ନିର୍ମମ ମରୁପ୍ରାନ୍ତରରେ ତାହାରି ଭଳି ହତଭାଗ୍ୟ ଲାଗି ସତେ କଅଣ ଦୟାର ଉତ୍ସ ଏହିଭଳି ଭାବରେ ଉନ୍ମୁକ୍ତ ଅଛି ? ତିନୋଟିଙ୍କ ମୁହଁକୁ କଟମଟ କରି ସେ ଅନାଇ ରହିଲା । କେତେ କଅଣ ସେ ଭାବିଲା । କରୁଣ ଦୃଷ୍ଟି ପକାଇ ହୃଦୟର କୃତଜ୍ଞତା ଜଣାଇଲା । ଲୀଳା ଦେଖିଲେ, ପିଲାଟି କାନ୍ଦୁଚି । ପଣରରେ ଆଖି ପୋଛି ଦେଲେ । ସେତେବେଳେ ପଦୁଟିଏ କଥା କହିବାକୁ ପରମାନନ୍ଦର ଶକ୍ତି ନଥାଏ । ତଥାପି ଶବ୍ଦରର ଅବଶିଷ୍ଟ ସାମର୍ଥ ବକ୍ଷସ୍ଥଳରେ କେନ୍ଦ୍ରୀଭୂତ କରି ଲୀଳାଙ୍କ ଆଡ଼କୁ ଅନାଇ ସେ କହିଲା, ‘‘ମା, ତୁମେ କିଏ ? ମଣିଷ ନା ଦେବତା ?” ଲୀଳାଙ୍କର ବକ୍ଷ ବିଦାର ଆଖିପତା ତଳେ ଦୁଇଟି ଲୋତକ ବିନ୍ଦୁ ଢଳୁ ଢଳୁ ହେଲା ।

 

ଲୀଳା ବୁଝି ପାରିଲେ, ପରମାନନ୍ଦଙ୍କର ତଣ୍ଟି ଶୁଖି ଯାଉଚି । ରେବୀକୁ ଡାକି କହିଲେ, ‘ଯାଆତ ମା, ଉଷୁମ ଦୁଧ ଟିକିଏ ଘିତି ଆସିବୁ ।” ରେବୀ ଉଠିଗଲା । ପରମାନନ୍ଦ ଛୋଟ ଝିଅଟିର ଗତିଆଡ଼କୁ ଚାହିଁ ରହିଲା ।

 

ଦୂରରୁ ଜେଲଖାନାର ଘଣ୍ଟା ଶୁଭିଲା ଠଂ ଠଂ ଠଂ। ପରମାନନ୍ଦ ବୁଝିଲା, ରାତି ତିନିଟା । ଏତିକିବେଳକୁ ରେବୀ କାଚ ଗିଲାସରେ ଗରମ ଦୁଧ ଘେନି ଆସିଲା । ପରମାନନ୍ଦ ଭାବିଲା–“ହାୟରେ, କେହି ମୋର ଆପଣାର ନୁହଁ, ନିତାନ୍ତ ପର । କିନ୍ତୁ ଛୋଟ ପିଲା ପର୍ଯ୍ୟନ୍ତ ମୋରି ପାଇଁ ରାତି ତିନିଟାଯାକେ ଜାଗି ବସିଚି ! ଧନ୍ୟ ଏମାନଙ୍କ ସ୍ନେହ । ଧନ୍ୟ ଏମାନଙ୍କର ନିଃସ୍ୱାର୍ଥ ସେବା !!”

 

ଲୀଳା ଚାମଚରେ ଦୁଧ ପିଆଇ ଦେଲେ । ପରମାନନ୍ଦ ଆଖିରୁ ଲୁହ ଗଡ଼ାଇ ଭାବିଲା–କାହିଁ ଅଜଣା ସ୍ଥାନରେ ଅଜଣା ଅଶୁଣା ନିତାନ୍ତ ପର, ଆଉ କାହିଁ ଆପଣାର କକେଇ ଖୁଡ଼ୀ ! ଧନ୍ୟରେ ବିଚିତ୍ର ସଂସାର !

 

ତହିଁ ପରଦିନ ସକାଳେ ସେଇ ତିନୋଟି ପ୍ରାଣୀ ପରମାନନ୍ଦର ମୁହଁକୁ ଚାହିଁ ରହିଛନ୍ତି ‘‘ଏଉଟି କିଏ ?” ତେତେବେଳେ ପରମାନନ୍ଦ ସୁସ୍ଥ । ଆପଣା ଜୀବନର ସବୁ ଇତିହାସ ସେ ଗୋଟି ଗୋଟି କରି ତାଙ୍କ ଆଗରେ କହିଲା—ବାପା ବୋଉ କେମିତି ମଲେ, କକେଇ ଖୁଡ଼ୀ କଅଣ କଲେ-। ଲୀଳାଙ୍କ ଆଖି ତିନ୍ତିଗଲା । ନନ୍ଦଙ୍କ ହୃଦୟ ତରଳି ଗଲା । ରେବତୀ ହାଁକରି ପରମାନନ୍ଦ ମୁହଁ ଆଡ଼କୁ ଅନାଇ ରହିଲା । ନନ୍ଦକିଶୋର କହିଲେ ‘‘ରେବୀବୋଉ ! ପରୁ ଆମରି ଛୁଆ ହେ ! ନୋହିଲେ ତାକୁ ଏମିତି ଆଣି ବିଧାତା ଜୁଟାନ୍ତା କିଆଁ ? ତା ପାଇଁ ଏତେ ମାୟା କିଆଁ ଲାଗି ଯାଆନ୍ତା ଆମର ? ରେବୀଲୋ, ପରୁଟି ତୋରି ନନା ।”

 

ଲୀଳା କହିଲେ ‘‘ସେଉଟି ମୋ ବାପା ।”

 

(ପାଞ୍ଚ)

 

ଦୁଇ ଚାରି ଦିନ ଭିତରେ ପରମାନନ୍ଦ ଏ ଘରର ପିଲାଟିଏ ହୋଇ ଗଲାଣି । ଲୀଳାବତୀ, ନନ୍ଦକିଶୋର ବା ରେବୀର ତାହା ନିକଟରେ ଆଉ ମୋଟେ ସଙ୍କୋଚ ନାହିଁ । ପ୍ରାଣରେ ସୌହାର୍ଦ୍ରରେ ବାହାରର ବୃଥା ପାର୍ଥକ୍ୟ ଅଳ୍ପକ୍ଷଣ ମଧ୍ୟରେ କୁଆଡ଼େ ଅପସାରିତ ହୋଇଯାଏ ।

 

ସେଦିନ ସକାଳେ ଛୋଟ ବଢ଼ାଟିରେ ସରୁ ଚାଉଳ ଦୁଇଟି ବସାଇ ଦେଇ ପରମାନନ୍ଦର ପଥିଲାଗି ବନ୍ତଳ କଦଳୀଟିଏ ଲୀଳା କାଟୁଛନ୍ତି । ରୋଷେଇ ଘର ଚାଳ ଫୁଟାଇ ଆକାଶରେ ଧୂଆଁ ଗୁଡ଼ାଇ ହୋଇ ଯାଇଛି । ଲୀଳା ସେଦିନ ଗୁରୁବାର ବୋଲି ସକାଳୁ ମୁଣ୍ଡ ବୁଡ଼ାଇ ଗାଧୋଇ ପଡ଼ିଛନ୍ତି । ଓଦା ବାଳ ଗୁଡ଼ିକ ଏଣେ ତେଣେ ଲମ୍ବି ପଡ଼ିଚି । ପୁଷମାସିଆ ଶୀତରେ ଦେହ ଥରି ଉଠୁଚି । ନନ୍ଦକିଶୋର ସକାଳୁ ଉଠି ଗାମୁଛା ଖଣ୍ଡିକ କାନ୍ଧରେ ପକାଇ ଢାଳଟିଏ ଧରି କାଠଯୋଡ଼ିକୁ ଗାଧୋଇ ଯାଇଛନ୍ତି । ପରମାନନ୍ଦ ଆପଣା ବିଛଣା ଉପରେ ଦୁର୍ବଳ ଶରୀରକୁ ଉଠାଇ ବସିଛି । ଦେହରେ ଖଣ୍ଡିଏ ମୋଟା ଚଦର ।

 

ରେବତୀ ଲଜ୍ଜା ମିଶା ହସ ହସି ଆପଣା କାମରେ ଲାଗିଗଲା ।

 

ଓଦା ଲୁଗାଟାକୁ ଶୁଖାଇ ଦଉଁ ଦଉଁ ଲୀଳାଙ୍କୁ ଲକ୍ଷ କରି ନନ୍ଦକିଶୋର କହିଲେ “କି ଲୋ ରେବୀ ! ବୋଉଙ୍କର ତମର ଏତେ ବେଳେ ଯାକେ ତ ଗଣ୍ଡାଏ ବଢ଼ା ଭାତ ରନ୍ଧା ସାରିଲା ନାହିଁ ଯେ-! ପିଲାଟା ପରା ଛଅ ସାତ ଦିନ ହେଲା କିଛି ପଥି କରି ନାହିଁ । ପର ପିଲା ବୋଲି ସିନା ଏତେ ଅବହେଳା ।”

 

ପରମାନନ୍ଦ ଆପଣାକୁ ଶତ ଧିକ୍‌କାର ଦେଲା—“ଛି, ମୋରି ଲାଗି ଏମାନେ ଏତେ ଲାଗି ପଡ଼ିଛନ୍ତି; ତଥାପି ଏତେ କଥା ମୋରି ପାଇଁ ସେମାନଙ୍କୁ ଶୁଣିବାକୁ ପଡ଼ୁଚି ।” ନନ୍ଦକିଶୋରଙ୍କୁ ଲକ୍ଷ୍ୟ କରି ସେ କହିଲା, ‘‘ଆପଣ ଅନ୍ୟାୟ କରୁଚନ୍ତି । ବିନା ଦୋଷରେ ସେମାନଙ୍କୁ ଦୋଷ ଦେଉଚନ୍ତି ।”

 

ନନ୍ଦକିଶୋର କହିଲେ—‘‘ଆରେ ବାବୁ, ‘‘ବେଳ ଆସି ଆଠଟା ବାଜିଲାଣି । ପଥି ଦିଟା କଅଣ ଏତେ ବେଳ ଯାକେ ହୋଇ ପାରୁନାହିଁ ? କଥା କଅଣ କି, ଆକାଶରେ ସେତେବେଳେ ଅଳସୁଆ ରାଶିରେ ଠାପୁଆ ନକ୍ଷତ୍ର ଉଇଁଥିଲେ, ତେତିକିବେଳେ ତାଙ୍କର ଜନ୍ମ । ତାଙ୍କର ଦୋଷ କିଛି ନୁହେଁ ରେ ବାପା । ଯାହା କିଛି ସେ ରାଶି ନକ୍ଷତ୍ରର ।”

 

ପରମାନନ୍ଦର ଶୁଷ୍କ ମୁଖରେ ମଧ୍ୟ ହସ ଦେଖାଗଲା । ସେ ଲଜ୍ଜିତ ହୋଇ ଘର ଭିତରକୁ ଧୀରେ ଧୀରେ ପଳାଇଗଲା ।

 

ଦୁଇଟା ବେଳକୁ ଦେହ ତାତି ଆସିଲାରୁ ପରମାନନ୍ଦ ଚାଦର ଖଣ୍ଡିକ ଦେହରେ ପକାଇ ଶୋଇ ପଡ଼ିଲା । ମୁଣ୍ଡଟା ବିନ୍ଧିବାରୁ ଦୁଇ ହାତରେ ଚିପିବାକୁ ଲାଗିଲା । ଆପଣାରେ ବୋଉଙ୍କ ପାଖରେ ବସି ରେବତୀ କଅଣ କରୁଥିଲା, ତାର ନଜର ପଡ଼ିଗଲା । କିରି କିରି ହୋଇ ହସି ଉଠି ସେ ବୋଉକୁ ଦେଖାଇ କହିଲା—‘‘ଦେଖିଲୁଣି ବୋଉ ! ମୁଣ୍ଡ ବଥଉଚି ବୋଲି କେମିତି ହାତେ ହାତେ ଚିପୁଚନ୍ତି । ଫୁଙ୍କିଦେଲେ ଉଡ଼ିଯିବେ, ସେଥିରେ ପୁଣି ହାତେ ହାତେ ମୁଣ୍ଡ ଚିପା ହଉଚି । ଆମେ ତେବେ ଆଉ ଅଛୁଁ କାହିଁକି ? ବାପା ଦେଖିଥିଲେ ମୋ ମୁଣ୍ଡ ରଖନ୍ତେଟି ?”

 

ଏହା ବୋଲି ରେବତୀ ଖଟ ଉପରକୁ ଉଠି ଆସିଲା । ପରମାନନ୍ଦର ହାତ ଦିଟାକୁ ଓଟାରି ପକାଇ ଆପଣାର ଦୁର୍ବଳ ଆଙ୍ଗୁଠି ଗୁଡ଼ିକରେ ପରୁର ମୁଣ୍ଡ ଚିପି ଦେବାକୁ ଲାଗିଲା । ଲୀଳା ସେ ଘର ଭିତରକୁ ଉଠି ଆସି ପରୁ ଦେହରେ ହାତ ବୁଲାଇ କହିଲେ, “ନାଇଁ, ବେଶୀ ଜର ନୁହେଁ ସାମାନ୍ୟ ଟିକେ । ତେବେ କଷ୍ଟ ହଉଚି କି ବାପା ?”

 

ପରମାନନ୍ଦ ଆପଣାର ସବୁ ବେଦନା ଲୁଚାଇ କହିଲା—“ନା, କିଛି ନୁହେଁ, ମୋ ଦିହ କିଛି ହଉନାହିଁ ।”

 

ରେବତୀ ଧମକ ଦେଇ କହିଲା, “ମିଛ କହୁଛ କିଆ ?” ଦିହ ଖରାପ ଲାଗୁନଥିଲେ ଶୋଇ ପଡ଼ନ୍ତ କାହିଁକି ? ମୁଣ୍ଡଟା ଢେଙ୍କି ପରି ଦୁଲୁକୁଚି ।”

 

ତୃପ୍ତିରେ ପରମାନନ୍ଦ ଅନ୍ତର ପୂରିଗଲା । ସେ ରେବୀ କଥାରେ ବାଧା ଦେଇ କହିଲା–‘‘ଦୁର ହ ହୁଣ୍ଡି, କିଛି ନଜାଣି ବଇଦଗିରି ଦେଖାଇ ହଉଚି ?” ରେବୀ ଟିକେ ଅପ୍ରତିଭ ହୋଇ କହିଲା—‘‘ନହେଲା ନାଇଁ ତମେ ସିନା ଇସ୍କୁଲରେ ପଢ଼ିଚ, ସବୁ ଜାଣ, ବଇଦ ହବ, ଡାକ୍ତର ହବ, ଆମେତ କିଛି କୁ’ଠିକି ପଢ଼ିବାକୁ ଯାଉନୁ ।”

 

ଆଜି ନୁହେଁ, ଆଜକୁ ଚାରୋଟି ଦିନ ରହଣି ଭିତରେ ପରମାନନ୍ଦ ଦେଖୁଚି, ରେବତୀ ଭାରୀ ମେଳାପୀ । ଭାରି ସ୍ନେହତାର, ଭାରି ସରଳ ତାର ପ୍ରାଣ । ନିତାନ୍ତ ପରଟା ସହିତ ସେ ଯଦି କଥା ଭାଷା ହୁଏ, ତେବେ କେହି ଜାଣି ପାରିବ ନାହିଁ ଆଜି ଏଇ ପ୍ରଥମ ଦେଖା ବୋଲି । ଶତ୍ରୁଟା ହେଲେ ସୁଦ୍ଧା ମୃହୂର୍ତ୍ତକ ଭିତରେ ତାକୁ ଆପଣାର ନକରି ରହି ପାରିବ ନାହିଁ ।

 

ତାର ଦୁଷ୍ଟାମିରେ ମୁଗ୍‌ଧ ହୋଇ ପରମାନନ୍ଦ ତାକୁ ଉପହାର ଦେଲା—ଗୋଟିଏ ଚାପୁଡ଼ା । ରେବୀ ତାମୁହଁକୁ ଅନାଇ ଟିକିଏ ହସିଦେଲା । ତାର ହାତଟିଏ ଧରି କହିଲା—‘‘ଏଇ ହାତରେ ମତେ ମାଇଲା, ମୁଁ ଏକୁ ମୋଡ଼ି ଭାଙ୍ଗି ଦେବି ।”

 

ଲୀଳା କୃତ୍ରିମକୋପ ପ୍ରକାଶ କରି କହିଲେ, ‘‘ଆରେ, ଏ ଚଗଲା ଟୋକିର ବଡ଼େଇ ଦେଖମ ! ସେ ପରା ପର, ତୋର ନନାଲୋ, ତା ହାତ ମୋଡ଼ି ଦଉଚୁ ।”

 

ବୋଉଙ୍କ ଆଡ଼କୁ ଅନାଇଁ ରେବୀ କହିଲା—“ବୋଉ, ତୁ ଭଲା କଅଣ ବୁଝ୍‌ ବୋଲି ମୋ କଥାରେ ମୁରବି ପଣିଆ ଦେଖାଇ ହଉ, ମୁଁ କଅଣ ସତେ ମୋଡ଼ି ଦଉଚି ?”

 

ଲୀଳା ହସି ଉଠିଲେ—“ସତ କଥା ମା, ତୋକଥା ମୁଁ କାହୁଁ ବୁଝିବି ?”

 

ସବୁ ଦୁଃଖ ପାଶୋରି ପକାଇ ପରୁ ରେବତୀର ସରଳ ଚପଳତାରେ ହସି ପକାଇଲେ-। କିନ୍ତୁ ପ୍ରାଣଟା ତାର ହାହାକାର କରି ଉଠିଲା—ଏହିଭଳି ସଂସାରରେ ତାର ଜନ୍ମ ହୋଇ ଥାଆନ୍ତା କି-!

 

ଲୀଳା ଆପଣା କାମରେ ଚାଲିଗଲେ । ରେବତୀ ଖଟ ଉପରେ ବସି କେତେଭଳି ଦୁଷ୍ଟାମି କରି ପରମାନନ୍ଦର ସବୁ ଦୁଃଖ, ସବୁ ବେଦନା ଭୁଲାଇ ଦେଲା ।

 

(ଛଅ)

 

ସଉପ ଖଣ୍ଡିକ ଉପରେ ସିଲଟଟି ଧରି ରେବୀ ଖଣ୍ଡେ କି ଅଙ୍କ କଷୁଥାଏ । ଆସୁ ନଥାଏ ବୋଲି ପେନ୍‌ସିଲ ଖଣ୍ଡକ କାମୁଡ଼ି ନିବିଷ୍ଟ ଚିତ୍ତରେ ସିଲଟ ଆଡ଼କୁ ଚାହିଁ ରହିଥାଏ । ଆଗରେ ବସିଥାଏ ପରମାନନ୍ଦ, ହାତରେ ବେତ ନଥାଏ ସତ; କିନ୍ତୁ ଗାମ୍ଭୀର୍ଯ୍ୟରୁ ଜଣା ପଡ଼ୁଥାଏ ଯେମିତି କି ଗୋଟାଏ ପକ୍‌କା ଅବଧାନ ।

 

ସେଦିନ ଗୋଟାଏ କଅଣ ଛୁଟି ଥାଏ ଯେ ନନ୍ଦକିଶୋର ସକାଳୁ କୁଆଡ଼େ ବୁଲି ଯାଇ ଥାଆନ୍ତି । ଫେରିଆସି ଚଟି ଦୁଇପଟ ଯଥାସ୍ଥାନରେ ଥୋଇ ଦେଇ ଢାଳଟି ଧରି କୂଅମୂଳକୁ ବାହାରିଲେ ଗୋଡ଼ଦିଟା ଧୋଇବାକୁ । ଅଗଣା ଭିତରେ କୂଅ । ଖଣ୍ଡିଏ ପଥର ପଡ଼ିଚି । ତାରି ପାଖରେ ନଳା । ଏଇ ନଳାବାଟେ ଅଗଣା ପାଣି ବାହାରକୁ ଚାଲିଯାଏ ।

 

କଅଣ ଗୋଟାଏ ନେବା ପାଇଁ ଲୀଳା ପରମାନନ୍ଦ ଯେଉଁ ଘରେ ବସିଥିଲା, ସେଇ ଘର ଭିତରକୁ ପଶି ଆସିଲେ । ପରମାନନ୍ଦ ତାଙ୍କ ଆଡ଼କୁ ଅନାଇ କହିଲା—‘ମାଉସୀ, ପଚାରିଲ ମୋ କଥା । କଅଣ ବୁଝିଲେ ମଉସା ?” ଲୀଳା କହିଲେ, “ତୁ ବାପ, ଏତେ ଉଚ୍ଛନ୍ନ କାହିଁକି ? ତାଙ୍କୁ ତ ମୁଁ ଥରେ କହିଚି । ତୋର କାହିଁକି ଏତେ ଚିନ୍ତା ? କଅଣ କୋଉଠି ଅପନ୍ତରା ଭିତରେ ପଡ଼ିଚୁ କି ?”

 

ପରମାନନ୍ଦର କାହିଁକି ଏତେ ଚିନ୍ତା, ସେ କଥା ଲୀଳା ବୁଝିବେ କିମିତି ? ଦରିଦ୍ରର ସଂସାର, ନନ୍ଦଙ୍କ ଦରମା ଗଣ୍ଡାକ କଟକ ସହରରେ ତିନୋଟି ପ୍ରାଣୀଙ୍କର ଏକମାତ୍ର ସମ୍ବଳ । ତା’ ଉପରେ ପରମାନନ୍ଦ ପୁଣି ଗୋଟିଏ ଚଳଗ୍ରହ ହୋଇ ରହିବ, ସେ କଥା ତାକୁ ବଡ଼ ଅଡୁଆ ଲାଗୁଥାଏ । ନନ୍ଦ ଓ ଲୀଳା ଭାରି ଭଦ୍ର, କିନ୍ତୁ ହେଲେ କଣ ହେଲା ସେମାନେ ଦରିଦ୍ର ତ ।

 

ପାଣି ଢାଳେ କାଢ଼ି ନନ୍ଦକିଶୋର ଗୋଟିଏ ପାଦ ଧୋଇ ଆଉ ପାଦଟି ପଥର ଉପରେ ଥୋଇଛନ୍ତି, ପଛରୁ ଲୀଳା ପଚାରିଲେ—‘‘ପରୁ ଖୁବ୍ ଲଗେଇଚି, ତା କଥା କଅଣ ବୁଝିଲ ?” ପଛକୁ ଫେରିପଡ଼ି ନନ୍ଦକିଶୋର କହିଲେ—“ହଁ, ଭୁଲି ଯାଇ ଥିଲି । ତିନିଠାରେ ଯୋଗାଡ଼ କରିଚି । ତେବେ ସେମାନେ ଚାହାନ୍ତି ମାଇନର ପାସ୍‌ ।”

 

ପରମାନନ୍ଦ ଉତ୍ସୁକ ଭାବରେ ଉପରକୁ ଦୌଡ଼ିଯାଇ କହିଲା—‘‘ମୁଁ ମାଇନର ପାସ କରିଚି ।”

 

ନନ୍ଦଙ୍କର ହୃଦୟ ଆନନ୍ଦରେ ଫୁଲି ଉଠିଲା । ପାଦ ଗୋଟାକ ପଥର ଉପରେ ସେମିତି ଅଧୁଆ ରହିଲା । ପରୁର ସବୁ ଇତିହାସ ସେ ଏଥି ଆଗରୁ ଶୁଣିଛନ୍ତି । ତାଙ୍କୁ ବେଶୀ ଆଚମ୍ବିତ ଲାଗିଲା—ଏତେ ଦୂରରେ ଥାଇ ପରୁ ପାସ୍ ଖବର କେମିତି ପାଇଲା I ସେଇ ପରୀକ୍ଷା ଦେଇ ଚାଲି ଆସିଥିଲା, ଫଳ ବାହାରି ନ ଥିଲା । ପରୁ ତେବେ କଅଣ ମିଛ କହୁଚି ? ସେ ପଚାରିଲେ,“କେମିତି ତୁ ଜାଣିଲୁ ପାସ୍ କରିଚୁ ବୋଲି ?”

 

ପରୁ କହିଲା, ‘‘ଆଜି ସକାଳେ ସାଙ୍ଗପିଲା ଗୋଟିକ ସାଥିରେ ଦୈବାତ୍ ମୋର ଦେଖା ହେଲା । ସେ ନାଆଁ ଲେଖାଇବାକୁ ଆସିଚି । ସେ କହିଲା, ମୁଁ ପାସ୍ କରିଚି ।”

 

ନନ୍ଦକିଶୋର ପଚାରିଲେ, “ତୁ କି ସ୍ଥାନ ଅଧିକାର କରିଛୁ ?”

 

ପରୁ ତଳକୁ ମୁହଁ ପୋତି ବିନମ୍ର ଭାବରେ କହିଲା “ମୁଁ ବୃତ୍ତି ପରୀକ୍ଷାକୁ ଆସିଥିଲି । ମାସିକ ପାଞ୍ଚ ଟଙ୍କାର ବୃତ୍ତି ଖଣ୍ଡିଏ ପାଇଚି ।’’

 

ପରୁ ସହିତ ନନ୍ଦକିଶୋର ବା ଲୀଳାଙ୍କର କିଛି ସମ୍ପର୍କ ନାହିଁ; ମାତ୍ର କାହିଁକି କେଜାଣି ସେ ଦୁଇଟି ପ୍ରାଣୀକର ଏ ଖବର ଶୁଣି ଆନନ୍ଦର ସୀମା ରହିଲା ନାହିଁ । ନନ୍ଦକିଶୋରଙ୍କର ପାଦ ଗୋଟାକ ପୂର୍ବବତ୍‌ ଅଧୁଆ ରହିଲା । ଶୋଇଲା ଘର ଭିତରକୁ ଦୌଡ଼ି ଆସି ଆପଣା ପକେଟରୁ ଗୋଟାଏ ଖବର କାଗଜ ଟାଣି ଆଣି କହିଲେ—“ଏଇଥିରେ ତ ମାଇନର ପରୀକ୍ଷା ଫଳ ବାହାରିଚି, ଆଚ୍ଛା ଦେଖେଁ ।”

 

କାଗଜ ଖଣ୍ଡିକ ଉପରେ ଲୀଳା ଉହୁଙ୍କି ପଡ଼ିଲେ। ରେବୀ ଶିଲଟ ଖଣ୍ଡିକ ଫିଙ୍ଗି ଦେଇ ବାପାଙ୍କ କାନ୍ଧ ଉପରୁ ଉହୁଙ୍କି ପଡ଼ି ଖବରକାଗଜ ଆଡ଼କୁ ଗୁହିଁ ରହିଲା । ଚଞ୍ଚଳ ଚଞ୍ଚଳ କାଗଜ ଓଲଟାଇ ନନ୍ଦକିଶୋର ଦେଖିଲେ, ବୃତ୍ତିଧାରୀ ଛାତ୍ରମାନଙ୍କ ମଧ୍ୟରେ ପରମାନନ୍ଦ ମିଶ୍ରର ନାମ ଶୀର୍ଷ ସ୍ଥାନ ଅଧିକାର କରିଛି ।

 

ପରମାନନ୍ଦ ଆନନ୍ଦରେ ଅଧୀର ହେଲାନାହିଁ । ମୁଖରେ ତାର ଲେଶମାତ୍ର ପରିବର୍ତ୍ତନ ଦେଖାଗଲା ନାହିଁ । ଖବର କାଗଜ ଦେଖିବାକୁ ସେ ଉତ୍ସୁକ ହେଲାନାହିଁ । ବିନମ୍ର ବଦନ ଢଳି ଖୁମ୍ବଟିକୁ ଆଉଜି ଠିଆ ହୋଇ ରହିଲା ।

 

ଭାଗ୍ୟଚକ୍ର କାହାକୁ କେଉଁଠି ଘେନି ଫିଙ୍ଗିଦିଏ, ତାର ଠିକଣା ନାହିଁ । ପିଲାଦିନେ ଅନେକଙ୍କ ସାଥିରେ ନନ୍ଦକିଶୋରଙ୍କର ବନ୍ଧୁତ୍ଵ ଥିଲା । ପଢ଼ା ସାଙ୍ଗ ମଧ୍ୟରୁ ଦୀନବନ୍ଧୁ, ଆଦିକନ୍ଦ, ହୃଷିକେଶ, ମାଧବ ଆଦି କେତେ ସବୁ ଏଙ୍କୁ ନ ଦେଖିଲେ ଦିନୁଟାଏ ଚଳି ପାରୁ ନଥିଲେ, କ୍ଷୀର ନୀର ପରି ଏକ ଆତ୍ମା, କିନ୍ତୁ ସମୟ କାହାକୁ କୁଆଡ଼େ ଛିଞ୍ଚାଡ଼ି ଦେଇଛି । ଦୀନବନ୍ଧୁ ଡିପୋଟି କିଲଟର, ଆଦିକନ୍ଦ ସରକାରୀ ଓକିଲ, ହୃଷିକେଶ ପାଟଣା ସେକ୍ରେଟେରୀ ଅଫିସରେ ଜଣେ ବଡ଼ ଅମଲା । କର୍ମ କାହାକୁ କେଉଁଠି ନେଇ ଥୋଇ ଦେଇଚି, କିନ୍ତୁ ନନ୍ଦକିଶୋର ସାମାନ୍ୟ ଜମିଦାରୀ ସିରସ୍ତାର ପେସ୍କାର । ନନ୍ଦକିଶୋରକୁ ଆପଣାର ଦୁଃଖ ଅବସ୍ଥା ଭାବି କଷ୍ଟ ଲାଗେ ନାହିଁ—କଷ୍ଟ ଲାଗେ ବନ୍ଧୁ ମାନଙ୍କର ବ୍ୟବହାର ଦେଖି । ଦୁଃଖ ସୁଖ କଥା ପଦଟିଏ ଛଡ଼ା ବନ୍ଧୁ ମାନଙ୍କ ଠାରୁ ସେ କିଛି ମାତ୍ର ପ୍ରତ୍ୟାଶା କରନ୍ତି ନାହିଁ; ମାତ୍ର ବନ୍ଧୁ ମାନେ ପ୍ରାୟ ସମସ୍ତେ ତାଙ୍କୁ ପାଶୋରି ପକାଇଛନ୍ତି–ଦେଖାହେଲେ ଆଢ଼େଇ ହୋଇ ଯାଆନ୍ତି ।

 

ନନ୍ଦକିଶୋର ଭାବନ୍ତି, ଯଦି ଭାଗ୍ୟକ୍ରମେ ତାଙ୍କ ହାତରେ ଦୁଇ ପଇସା ହୁଅନ୍ତା, ତେବେ ସେଇ ଅପରିଚିତ ବନ୍ଧୁମାନେ ଛଡ଼ି ହଲାଇ ନମସ୍କାରଟାଏ କରି କହନ୍ତେ “କି ନନ୍ଦବାବୁ ! ବହୁତ ଦିନ ପରେ ଦେଖା ଭାଇ ! ଆମ କୁଡ଼ିଆରେ ଆଉ ପାଦ ଧୂଳି ପଡ଼ିଲା ନାହିଁ ? ହଉ, ଆପଣ ସିନା ବଡ଼ଲୋକ, ମୁଁ କାଲି ସକାଳୁ ଆପଣଙ୍କ ଘରକୁ ଯିବି । ବନ୍ଧୁପତ୍ନୀଙ୍କୁ କହିଥିବେ, ଜଳଖିଆଟା ଯେମିତି ତାତ୍ପର୍ଯ୍ୟ ରୂପେ ହୁଏ ।”

 

ଦୁନିଆଟା ଏହିଭଳି । ନନ୍ଦ ଯେ ଭୁଲ୍‌କିଛି ଭାବନ୍ତି, ତାହା ନୁହେଁ ।

 

ତେବେ ନନ୍ଦକିଶୋର ଭଗବାନଙ୍କ ନିକଟରେ ଏତିକି ମାତ୍ର କୃତଜ୍ଞ ଯେ, ଯେଉଁମାନଙ୍କ ସହିତ ପଠଦ୍ଦଶାରେ ଭଲ ଆଳାପ ନ ଥିଲା, ସେହିମାନଙ୍କ ମଧ୍ୟରୁ ଦୁଇ ତିନି ଜଣ ତାଙ୍କୁ ଭୁଲି ନାହାନ୍ତି । ପୀତବାସ ଆଶ୍ଚର୍ଯ୍ୟ—କଟକର ନାମଜାଦା ଡାକ୍ତର, ଯୁଧିଷ୍ଠିର ପଟ୍ଟନାୟକ—ଜଣେ ଗଣ୍ୟମାନ୍ୟ ଡିପୋଟି, କୃପାସିନ୍ଧୁ ରାଉତ—ଗୋଟିଏ ହାତସ୍କୁଲର ପ୍ରଧାନ ଶିକ୍ଷକ, ଏମାନେ ମାସରେ ଥରେ ଦୁଇଥର ନନ୍ଦବାବୁଙ୍କର କୁଡ଼ିଆରେ ପହଞ୍ଚି ଦୁଃଖ ସୁଖ ସମାଚାର ବୁଝି ଯାଆନ୍ତି । ଏମାନଙ୍କଠାରୁ ନନ୍ଦକିଶୋର ବନ୍ଧୁତ୍ଵ ଛଡ଼ା ଆଉକିଛି ଆଶା କରନ୍ତି ନାହିଁ ବା ଦାରିଦ୍ର୍ୟର ତାଡ଼ନାରେ କୌଣସି ଦିନ କିଛି ସାହାଯ୍ୟ ଲାଗି ସେମାନଙ୍କ ନିକଟରେ ହାତ ପତାଇ ନାହାନ୍ତି ।

 

ଯେଉଁ ତିନି ଚାରି ସ୍ଥାନରେ ନନ୍ଦକିଶୋର ପରମାନନ୍ଦ ଲାଗି ବନ୍ଦୋବସ୍ତ କରିଥିଲେ, ତାହା ଉପରେ ପୀତବାସ ଆଶ୍ଚର୍ଯ୍ୟ ଓ କୃପାସିନ୍ଧୁ ରାଉତଙ୍କ ଘର ବାଦେ ଅପରିଚିତ ଦୁଇ ତିନି ସ୍ଥାନ ମଧ୍ୟ ଥିଲା । ନନ୍ଦକିଶୋର ନାଁଟି ଦେଖି ଭାରି ଖୁସି ହେଲେ । ପରମାନନ୍ଦକୁ କହିଲେ—‘‘ଆଚ୍ଛା ବାପା ! ବେଶ୍ କଥା, ଆଜି ମୁଁ ଗଣ୍ଡାଏ ଖାଇସାରି ତୋରି ପାଇଁ ବାହାରିବି । ଆଜି ଦିନ ଭିତରେ ଯେଉଁଠି ହେଉ ଠିକଣା କରି ଆସିବି ।”

 

ଦିନ ଗୋଟାକ ବେଳକୁ ଲୀଳା ଜୁଲମ କଲେ “ଉଠ’’ । ନନ୍ଦକିଶୋର ଉଠିଲେ । ଦେହରେ ଖଣ୍ଡିଏ ଧୋତି, ଖଣ୍ଡିଏ ସାଧା ପଞ୍ଜାବୀ ଓ ଖଣ୍ଡିଏ ସଫା ଚାଦର । “ମା ଦୁର୍ଗା’’ କହି ଦକ୍ଷିଣ ପୁଡ଼ାରେ ନିଶ୍ଵାସ ବହିବାର ପରୀକ୍ଷା କରି ପ୍ରଥମେ ଦକ୍ଷିଣ ପାଦଟି ଆଗକୁ ବଢ଼ାଇ ପାହାଚ ତଳକୁ ଓଲ୍ଲାଇ ପଡ଼ିଲେ । ପରମାନନ୍ଦ ବଡ଼ ଉଦ୍‌ବିଘ୍ନ ଭାବରେ ତାଙ୍କ ପ୍ରତ୍ୟାଗମନ ପ୍ରତୀକ୍ଷାରେ ରହିଲା ।

 

ରାତି ସାତଟାବେଳେ ବାହାର ପାହାଚ ଉପରେ ଚଟି ଶବ୍ଦ ଶୁଭିବା ମାତ୍ରେ ପରମାନନ୍ଦ କବାଟ ଫିଟାଇ ଦେବାକୁ ଦୌଡ଼ିଗଲା । ପାଖରେ ତାର ବସିଥିଲା ରେବତୀ । କିରି କିରି ହୋଇ ସେ ହସି ଉଠିଲା—‘‘ଭାରି ଉଚ୍ଛନ୍ନ ହେଲଣିତ ତମେ ପରୁନନା । ପଳେଇ ଯିବାକୁ ଏତେ ତରବର କିଆଁ ? ତମେ ଚାଲିଗଲେ ମତେ ସାଥିରେ ନବଟିକି ? ନଇଲେ ବାଡ଼ି ଦୁଆରେ ବସି ଦିନ ରାତି କାନ୍ଦିବି ଏକା ।”

 

ପରୁ ହସି ଦେଇ ଦୌଡ଼ିଗଲ । ଭାବି ଭାବି ଗଲା—‘‘ପିଲାଟାର ଭାରି ମାୟା, ଭାରି ସ୍ନେହରଙ୍କୁଣୀ ସେ ।”

 

ଛତା ଓ ଚାଦରଟି ଅଲଗୁଣୀରେ ଥୋଇ ଦେବାଲାଗି ନନ୍ଦବାବୁ ହାତ ବଢ଼ାଇଲେ । ପରୁ ଛତା ଖଣ୍ଡିକ ପାଇଁ ହାତ ବଢ଼ାଇ ଦେଲାକ୍ଷଣି ରେବୀ କହିଲା ‘‘ନାଇଁ ନାଇଁ ବାପା, ତାଙ୍କୁ କିଛି ଦିଅନା-। ସେ ପଳେଇ ଯିବାକୁ ତର ତର ହେଲେଣି ।” ନନ୍ଦକିଶୋର କନ୍ୟାର ଚପଳତା ଦେଖି ହସି ଉଠିଲେ ଏବଂ ଚାଦର ଖଣ୍ଡିକ ତାହା ହାତକୁ ବଢ଼ାଇ ଦେଇ ପରୁ ହାତକୁ ଛତା ଖଣ୍ଡିକ ଦେଲେ । କହିଲେ ‘‘ମାଆ ଆଗେ ରଖି ଦେଇ ଆସ, ତା’ପରେ ଦିଜଣଯାକ ବସି କଳି କରିବା ।”

 

ଚାଦର ଖଣ୍ଡକ ଧରି ରେବତୀ କହିଲା ‘‘ଆଚ୍ଛା ଭଲଲୋକୀ କରିବତ ତମେ ବାପା ! ତାଙ୍କ ସାଥିରେ ମୁଁ କଅଣ କଳି କରି ପାରିବି ? ସେ ବଡ଼, ମୁଁ ଛୋଟ, ସେ କେତେ କଅଣ ସବୁ ପଢ଼ିଚନ୍ତି, କେତେ ରାଇଜ ବୁଲିଚନ୍ତି, ଆଲ୍‌, ବୋଲି ଚାଲ୍ ବତେଇବେ—ମୁଁ କଅଣ ତାଙ୍କ ମୁହଁରେ କଥା କହି ପାରିବି ?”

 

ଲୀଳା ମଝିରେ ଉପସ୍ଥିତ ହୋଇ ପ୍ରଗ୍‌ଳଭା ରେବୀର ଦୁଷ୍ଟାମି ଭାଙ୍ଗି ଦେଲେ—“ଉଠ ଉଠ୍, ଭାରି ବକ୍‌ବଜାରୀ ହେଲୁଣି । ଶାଶୁ ଘରେ ଯଦି ଠେଙ୍ଗଣୀମାନ ନ ଖାଉ, ତେବେ ମୋ ନାଁ ନୁହେଁ । ସେତେବେଳେ ମନେକରୁଥିବୁ ବୁଢୀଟା ଯାହା କହୁଥିଲା ସତ ଏକା !

 

ରେବୀ ଚୁପ୍ ହୋଇଗଲା ସତ; ମାତ୍ର ଦୌଡ଼ି ଆସି ଖପ୍‌କରି ବୋଉଙ୍କ ବେକରେ ଝୁଲିପଡ଼ି କହିଲା—‘‘ବୋଉ ତୁ କିଆଁ ବୁଢୀ ହବୁ ଲୋ ? ମୋ ବୋଉ ବୁଢ଼ୀ ନୁହଁ, ତୋ ବୋଉ ବୁଢ଼ୀ ହଉ, ତା ବୋଉ ବୁଢ଼ୀ ହଉ ।”

 

ଲୀଳା ଢାଳେ ପାଣି ଆଣି ଦେଲେ । ପଥର ଉପରେ ଗୋଡ଼ ଦୁଇଟା ଧୋଉଁ ଧୋଉଁ ନନ୍ଦକିଶୋର କହିଲେ, “ହଁ, କୁ’ଠା ଭଲ ହବ କହିଲ ? ତେମେତ ସମସ୍ତଙ୍କୁ ଜାଣ । କୃପାସିନ୍ଧୁ ବାବୁଙ୍କ ଘର ନା, ପୀତବାସ ବାବୁଙ୍କ ଘର ? ଯୋଉଠିକି ତମେ କହିବ ସେଠିକି ପରୁକୁ ଘେନିଯିବ-। ଗୋଟିଏ ଲେଖାଁ ପିଲାକୁ ପଢ଼ାଇବାକୁ ହେବ । ପରୁର ପଢ଼ା ଇତ୍ୟାଦି ଖର୍ଚ୍ଚ ଯୋଗାଇବାକୁ ଉଭୟେ ରାଜି ।”

 

ଲୀଳା । ସ୍ଵାମୀଙ୍କ ଉପରେ ନିର୍ଭର ଦେଇ କହିଲେ, “ମୁଁ ମାଇପିଟା କଅଣ ଜାଣେ, କଅଣ କହିବି ? ଯୁଠା ତମକୁ ଭଲ ବୋଧ ହେଉଚି, ସିଇଠିକି ଘେନି ଯାଅ ।”

 

ନନ୍ଦକିଶୋର କହିଲେ ‘‘ତେବେ ସ୍ୱଜାତି ଘରେ ରହିବା ଭଲ । ପୀତବାସ ବାବୁଙ୍କ ଘରେ ଛାଡ଼ି ଆସୁଚି ?”

 

ସେଇକଥା ସ୍ଥିର ହେଲା ।

 

(ସାତ)

 

ପୀତବାସ ବାବୁ ନିଜେ ଠିଆହୋଇ ମାଷ୍ଟ୍ରଙ୍କ ଘରଟି ସଜେଇ ଦେଲେ । ଛୋଟ ବଖରାଟିଏ । ଭିତରେ ଖଣ୍ଡିଏ ଛୋଟ ଖଟ, ଖଣ୍ଡିଏ ଟେବୁଲ, ଦୁଇଖଣ୍ଡ ଚୌକି, ଆଉ ଲୁଗାପଟା ରଖିବାଲାଗି ଖଣ୍ଡିଏ ରେକ୍ । ଆପଣା ଟ୍ରଙ୍କରୁ କାଢ଼ି ତିନୋଟି ନୂଆ ଲୁଗା ସେ ରେକ୍ ଉପରେ ସଜାଇ ଦେଲେ ।

 

ପରମାନନ୍ଦକୁ ଘେନି ଯଥା ସମୟରେ ନନ୍ଦ ପହଞ୍ଚିଲେ । ପୀତବାସ ବାବୁଙ୍କୁ ଠଉରାଇ ନେଇ ବିନୀତ ଭାବରେ ପରମାନନ୍ଦ ନମସ୍କାର କଲା । ପୀତବାସ ବୁଝିପାଇଲେ—ଏଇ ପିଲାଟି । ଡାକିଲେ “ଆରେ ବସୁ ! ବସୁରେ ।” ଆଠ ବର୍ଷର ଗେଲବସର ପୁଅ ବସନ୍ତକୁମାର ଅଗଣା ଭିତରୁ ଦୌଡ଼ି ଆସିଲା—‘‘ବାପା କାହିଁକି ଡାକିଲ ?” ବସନ୍ତ ଦେହରେ ଖଣ୍ଡିଏ ପିନ୍ଧା ଲୁଗା ଓ ବେକରେ ଖଣ୍ଡିଏ ସୁନାର ଗୋପ—ମଝିରେ ଡେଉଁରିଆ ଛଡ଼ା ଆଉ କିଛି ନାହିଁ । ବସୁ ବାପାଙ୍କ କୋଳକୁ ଉହୁଙ୍କି ପଡ଼ିଲା ।

 

ପୀତବାସ ବାବୁ ପରମାନନ୍ଦକୁ ଦେଖାଇ କହିଲେ, “ଏଇରେ ବସୁ, ତୋ ମାଷ୍ଟର ବାବୁ । ଏଙ୍କୁ ଓଳକୀ ହ ।” ବାପ ଯେମିତି ପୁଅ ବି ସେମିତି ନମ୍ର । ଭୂଇଁରେ ମୁଣ୍ଡ ଲଗାଇ ସେ ପରମାନନ୍ଦକୁ ଦଣ୍ଡବତ ହେଲା । ପରମାନନ୍ଦ ଏତେ ଚଞ୍ଚଳ ଏତେ ଗୁଡ଼ାଏ ଆଶା କରି ନ ଥିଲା, ସୁତରାଂ ଟିକେ ଅପ୍ରତିଭ ହୋଇପଡ଼ି ବସନ୍ତକୁ ତଳୁ ଉଠାଇ ନେଲା ।
 

ମେଲା ଘରେ ଗୋଟାଏ କିଛି ନୂଆ ଚିଜ ଆସିଚି ଠଉରେଇ ଚାରି ପାଞ୍ଚ ବର୍ଷର ଛୋଟ ଝିଅ ହେମନ୍ତକୁମାରୀ ଦୌଡ଼ି ଆସିଲା । ବାପାଙ୍କ ଚୌକି ପାଖରେ ଆଉଜି ଠିଆହୋଇ ଗୋଟାଏ ହାତର ଦୁଇଟା ଆଙ୍ଗୁଠି ପାଟିରେ ପୂରାଇ ନବାଗତ ଦୁଇଟି ପ୍ରାଣୀଙ୍କ ମୁହଁ ଆଡ଼କୁ ବଲ ବଲ କରି ଅନାଇ ରହିଲା । କିଛି ବେଳ ପରେ ବାପାଙ୍କ ଉପରେ ଜୁଲମ୍ କଲା, “ବାପା, ବାପା, ବାପା ହୋ ! ଏ ସବୁ କିଏ ?”

 

ପୀତବାସ ବାବୁ ଦେଖିଲେ, ଆଗେ ହେମୀର ଉତ୍ତର ନଦେଲେ ଚଳିବ ନାହିଁ । ତେଣୁ ତାହା ଆଡ଼କୁ ଅନାଇ କହିଲେ—‘‘ସେ ପରା ତୋ ମଉସା ଲୋ ହୁଣ୍ଡି ! ଏ ବାବୁ ପରା ତୋ ନନାର ମାଷ୍ଟର । ହେମା, ମାଷ୍ଟର ବାବୁଙ୍କୁ ଆଉ ତୋ ମଉସାଙ୍କୁ ଦଣ୍ଡବତ ହ ।” ହେମୀ ନନ୍ଦକିଶୋରଙ୍କୁ ନମସ୍କାର ହୋଇ ଠିଆ ହେଲା । କହିଲା, ‘‘ନନାଙ୍କ ମାଷ୍ଟର, ନନା ନମସ୍କାର କରନ୍ତୁ । ମୁଁ କିଆଁ ଆଗେ ବଳି ପଡ଼ି କରିବି ?”

 

ସମସ୍ତେ ପିଲାର ବୃଦ୍ଧି ଓ ଚପଳତା ଦେଖି ହସି ଉଠିଲେ ।

 

ପୀତବାସ ବାବୁଙ୍କ ସଂସାରରେ ଏଇ ଛୋଟ ପିଲା ଯୋଡ଼ିକ ଛଡ଼ା ଆପଣାର ବୋଲି ଆଉ କେହି ନାହିଁ । ବିବାହର ଷୋଳ ବର୍ଷ ପରେ ବସନ୍ତର ଜନ୍ମ, ତାର ତିନିବର୍ଷ ପରେ ହେମୀ । ତାର ଠିକ୍ ବର୍ଷ ଗୋଟିକ ପରେ ଗୃହଲକ୍ଷ୍ମୀ ନୀଳାମ୍ବରୀଙ୍କ ଅନ୍ତର୍ଦ୍ଧାନ । ତେତେବେଳେ ପୀତବାସ ବାବୁଙ୍କୁ ମୋଟେ ଚାଳିଶ ବର୍ଷ । କୋଳରେ ଦୁଇଟି ପିଲା, ଗୋଟିଏ ଚାରିବର୍ଷର ଓ ଆରଟି ବର୍ଷକର-। ବନ୍ଧୁ ବାନ୍ଧବ ଉପଦେଶ ଦେଲେ—‘‘ପୀତବାସ ! ତମ ବୟସର କାହାରି କାହାରି ହାତରେ କୁଶବଟୁ ବନ୍ଧା ହୋଇ ନାହିଁ । ବିଧାତା ତମକୁ କୁ’କଥାରେ ଊଣା କରିଛନ୍ତି ? ତମକୁ କିଛି କରିବାକୁ ହେବନାହିଁ । ଆମେ କନ୍ୟା ଠିକଣା କରି ଦେବୁଁ । ନହିଲେ ପିଲା ଦିଟାଙ୍କୁ ମଣିଷ କରିବ କିଏ ?” ମାତ୍ର ଆଖିରୁ ଲୁହ ଗଡ଼ାଇ ପୀତବାସ ବାବୁ ହସିଲେ—‘‘ଆରେ ବାବୁ ! ଯେତେ କଲେ ସେ ଆଉ କଅଣ ବସୁ ହେମୀର ବୋଉ ହୋଇ ଆସିବ ? କୁ’ଗଛର ବକଳା କୁ’ ଗଛରେ ଲାଗିଲାଣି ଭଲା ?”

 

ମନ ଭାରି ଚଞ୍ଚଳ ହେଲା । ପୀତବାସ ବାବୁ ନୀଳାମ୍ବରୀଙ୍କ ତୈଳଚିତ୍ର ଗୋଟାଏ ଅଙ୍କାଇ ଶୋଇଲା ଘରେ ହାତ ପାଆନ୍ତାରେ ଟାଙ୍ଗୀ ଦେଲେ । ଖଣ୍ଡେ ସୁନେଲି କାଳିରେ ଲେଖା ତାହା ତଳକୁ ଝୁଲାଇ ଦେଲେ—

 

‘‘ଏକା ଭାର୍ଯ୍ୟା ସୁନ୍ଦରୀ ବାନ୍ଦରୀ ବା ।” ରୋଜ ସକାଳୁ ଉଠି ଆପଣା ହାତରେ ମାଳେ ଫୁଲ ଗୁନ୍ଥି ଗାଧୋଇ ଆସି କିଛି କ୍ଷଣ ସେଇ ଛବି ଆଡ଼କୁ ଅନାଇଁ ରହନ୍ତି । ଫୁଲ ମାଳଟି ଛବି ଉପରେ ଝୁଲାଇ ଦେଇ କର୍ମ କ୍ଷେତ୍ରକୁ ଚାଲି ଯାଆନ୍ତି । ବସୁ ହେମୀକୁ ଦେଖାଇ କହନ୍ତି “ଇଏ କିଏ କହିଲ ?” ବସୁ କହେ ‘‘ବୋଉ ପରା’’, ହେମୀ କହେ “ବାପା ! ବୋଉ କଥା କହୁନି କିଆଁ ?” ପୀତବାସବାବୁ ଆଖିରୁ ବିଦୁ ବିଦୁ ଲୋତକ ପୋଛି କହନ୍ତି, “ବୋଉ ଆଉ କଥା କହିବେ କିମିତି ? ସେ ପରା ଠାକୁର ହୋଇଚନ୍ତିଲୋ ! ଠାକୁରେ କଅଣ କଥା କହନ୍ତି ? ଦେଖୁନୁ ବଡ଼ ଜଗନ୍ନାଥ, ସେ କଅଣ କାହାରି ସାଥିରେ କଥାଭାଷା ହୁଅନ୍ତି ?” ହେମୀ କିଛି ବୁଝିପାରେ ନାହିଁ । ପଚାରେ ‘‘ବାପା ! ବୋଉଟା କଅଣ ?” ପୀତବାସବାବୁଙ୍କ ହୃଦୟ ହାହାକାର କରି ଉଠେ । ବର୍ଷକର ପିଲାଦିନୁ ବୋଉକୁ ହରାଇଚି, ସେ କାହୁଁ ଜାଣିବ ବୋଉ କଅଣ ? କହନ୍ତି—‘‘ବୋଉ ପରା ଦିଅଁ ଲୋ ମା, ତାଙ୍କୁ ପୂଜା କରିବୁ ।”

 

ବସନ୍ତ କିଛି ପଚାରେ ନାହିଁ । ସାମାନ୍ୟ ଟିକେ ଟିକେ ସେ ବୋଉଙ୍କୁ ଜାଣିଥିଲା, ମନ ଭୁଲି ଗଲାଣି । ପୀତବାସ ବାବୁଙ୍କଭଳି ବାପା ଯାହାର, ସେ ବୋଉଙ୍କ ଅଭାବ ଜାଣି ପାରିବ ନାହିଁ । ପୀତବାବୁ ପିଲାଙ୍କ ସାଥିରେ ଖେଳନ୍ତି । ତାଙ୍କୁ ଗାଳି ଦିଅନ୍ତି, ଗାଳି ଖାଆନ୍ତି, ଠିକ୍ ମାଆ ଭଳି ଗେଲ କରନ୍ତି, ଠିକ୍‌ମାଆ ଭଳି କଥା କହନ୍ତି । କୋଳରେ ବସାଇ ଖୁଆନ୍ତି, ଆପଣା କୋଳରେ ଘେନି ଶୁଆନ୍ତି ।

 

ଡାକ୍ତରଖାନାର ବିଖ୍ୟାତ ଡାକ୍ତର ପୀତବାସ ବାବୁ ଘରେ ଘରଣୀ, ବସୁ ହେମୀର ବାପା, ବୋଉ ସବୁ । ସେଥିପାଇଁ ପିଲାଏ ଜାଣନ୍ତି—ବୋଉ ଗୋଟାଏ ଦିଅଁ, ଗୋଟାଏ ଠାକୁର । ଘରେ ଦାସୀ ଚାକର ଅଛନ୍ତି । ମାତ୍ର ପୀତବାସ ବାବୁ ଆପେ ସବୁ ବୁଝନ୍ତି, ସବୁ ଦେଖନ୍ତି । କୁ’ ଦିନ କୁ’ ଚିଜଟିରେ ପିଲାଙ୍କର ଅଭିରୁଚି, ସେଇ ଚିଜଟି ଯେମିତି ସେଇଦିନ ସେମାନେ ପାଆନ୍ତି, ସେ ବିଷୟରେ ପୀତବାସ ବାବୁ ତଡ଼ ତତ୍‌ପର । ଏଇସବୁ ଘେନି ପୀତବାବୁ ନୀଳାମ୍ବରୀଙ୍କୁ ଏକାବେଳେକେ ଭୁଲି ଯାଇଛନ୍ତି ।

 

ପୀତବାସ ବାବୁ ପଚାରିଲେ—“ମାଷ୍ଟର ବାବୁ, ତମ ନାଆଁ କଅଣ କିହେ ?” ପରମାନନ୍ଦ ଉତ୍ତର ଦେଲା—‘‘ପରମାନନ୍ଦ ମିଶ୍ର ।” ପୀତବାବୁ ହସି ଦେଇ ପୁଣି ପଚାରିଲେ–“ଏଡ଼େ ବଡ଼ ନାଆଁ ଟା, ଏହାର ସଂକ୍ଷିପ୍ତ ସଂସ୍କରଣ କଣ କିଛି ନାହିଁ ?” ନନ୍ଦକିଶୋର ବୁଲିପଡ଼ି କହିଲେ, ‘‘ଅଛି ଅଛି ‘ପରୁ’ ।” ପୀତବାସ ବାବୁ କହିଲେ, “ବେଶ୍ ସେଇ ‘ପରୁ’ରେ ଆମର ଚଳିବ ।”

 

ପୀତବାବୁ ଉଠିଲେ, ନନ୍ଦବାବୁଙ୍କୁ ଡାକିଲେ, “ଆସିଲ ଭାଇ, ଆସ ପରୁ ।” ସମସ୍ତେ ଅନୁଗମନ କଲେ । ପୀତବାବୁ ମାଷ୍ଟ୍ରଙ୍କ ଲାଗି ସଜାଇ ଦେଇଥିବା ଘରଟି ଖୋଲି କହିଲେ, “ଦେଖିଲ, ଏଇଘର ହବ ? ଅସୁବିଧା କିଛି ହବ ନାଇଁତ ?”

 

ନନ୍ଦକିଶୋର କହିଲେ “କାହିଁକି ପଚାରୁଚ ? ତମେତ ଗୋଟିଏ ପକ୍‌କା ଗୃହିଣୀ ।” ପୀତବାବୁ କହିଲେ ‘‘ପରୁ, ତେବେ ତମେ ଏଇ ଘରେ ରୁହ ।” ପରୁ ଘର ଭିତରକୁ ଗଲା ।

 

ଚାକର ବାକରଙ୍କୁ ଡାକି ପୀତବାବୁ କହିଲେ—ଦେଖ, ଏ ବାବୁ ବସୁର ମାଷ୍ଟର, ଗାଧୁଆ ପାଧୁଆ କରି ନାହାନ୍ତି, ଯୋଗାଡ଼ କରିଦିଅ ।”

 

ସଞ୍ଜ ବେଳକୁ ଦରଜି ଆସି ପରୁର ଦେହ ମାପ ଘେନିଗଲା—ଦିଖଣ୍ଡ କାମିଜ ପାଇଁ । ଟିକକ ବାଦ୍‌ ଲିଙ୍ଗା ମୋଚି ଆସି ହାଜର—ବାବୁଙ୍କ ବରାଦ, ମାଷ୍ଟରଙ୍କ ପାଇଁ ଯୋଡ଼େ ଯୋତା । କିନ୍ତୁ ପରୁ ଏକାବେଳକେ ନାରାଜ, “ମୋର ଯୋତା କଅଣ ହେବ ? ଗରିବଟାଏ, ବଡ଼ଲୋକୀରେ ଆଜି ଚଳିବି ସତ, କାଲିସକାଳୁତ ଭିକ ମାଗି ବୁଲିବି ।” ବସୁ କହେ “ନା ମାଷ୍ଟର ବାବୁ, ସଭିଙ୍କର ଯୋତା ଅଛି, ଆପଣଙ୍କର ବି ଯୋଡ଼େ ଆସିବ” । ପୀତବାସ ବାବୁ କହନ୍ତି—“ପରୁ, ତମର ଯୋତା କୁର୍ତ୍ତା ନହେଲେ ବସୁ ମାନିବ କାହିଁକି ?” ବସୁ ବାପାଙ୍କ ମୁହଁରେ ହାତଦେଇ କହେ, “ଆଉ କଅଣ-? ଯୋତା କୁର୍ତ୍ତା ନ ମଡ଼େଇଲେ ମୁଁ ମାଷ୍ଟର ବାବୁଙ୍କୁ ମାନିବି ନାହିଁ ନା ?” ପୀତବାସ ବାବୁ ହସି କହନ୍ତି, “ତେବେ ତୋରି କଥା ହେଉ, ମାଷ୍ଟରଙ୍କର ଯୋତା ନ ଆସୁ । ଲିଙ୍ଗା ଫେରି ଯାଉ । ବସୁ ବାପାଙ୍କ ବେକରେ ଝୁଲିପଡ଼ି କହେ, “ବାପା, ତମେ ଭାରି ଚାଲାକ୍, ମୁଁ କଅଣ ସେ କଥା କହିଲି ? ନା, ନା, ସେ କଥା ହବ ନାହିଁ, ମାଷ୍ଟର ବାବୁଙ୍କର ନିଶ୍ଚେ ଯୋତା ଆସିବ । ମୁଁ ବି ମାନିବି-।’’

 

ଶେଷକୁ ସେଇ କଥା ହେଲା । ମାଷ୍ଟର ବାବୁଙ୍କର ଯୋଡ଼େ ଜୋତା ବି ଆସିଲା, ବସୁ ବି ମାନିଲା ।

 

ପୀତବାବୁ ନିଜେ ଯାଇ ଏକାଡେମୀ ଇସ୍କୁଲରେ ପରୁର ନାମ ଲେଖାଇ ଦେଇ ଆସିଲେ-। ହେଡ଼୍‌ମାଷ୍ଟ୍ରେ ଥାଆନ୍ତି ନିମେଇ ବାବୁ । ଭାରି ଉତ୍ତମ ଲୋକ । ପିଲମାନଙ୍କୁ ଆପଣା ପେଟର ଛୁଆ ଭଳି ଦେଖନ୍ତି । ଏତେବଡ଼ ଅନୁଷ୍ଠାନଟିର ପ୍ରତ୍ୟେକ ବିଷୟ ଆପେ ଦେଖନ୍ତି । ତାଙ୍କ ଭଳି ସୁଦକ୍ଷ ଲୋକ ଖୁବ୍ ବିରଳ । ଆଜି ସେ ମହାପୁରୁଷ ନାହାନ୍ତି । ସେଇଥିପାଇଁ ବାର ଗୋଳମାଳ । ବାରଶହ ବିଦ୍ଵେଷଭାବ, ବାର ହଜାର ପ୍ରକାରର ସଂକୀର୍ଣ୍ଣତା ଏକାଡେମୀରେ ପ୍ରବେଶ କରିଛି । କୁକୁର ମାଙ୍କଡ଼ଙ୍କ ଭିତରେ ବରଂ ଏଭଳି କାମୁଡ଼ା କାମୁଡ଼ି ଶୋଭା ପାଏ । ମହାତ୍ମା ପିଆରିମୋହନଙ୍କ ପ୍ରତିଷ୍ଠାନଟି ଶେଷକୁ କି ଆଦର୍ଶ ଦେଖାଉଚି, ଦେଖାଯାଉ ।

 

ନିମେଇ ବାବୁ ପୀତବାସ ବାବୁଙ୍କ ସାଙ୍ଗ । ପରୁକୁ ତାଙ୍କ ଜିମା ଦେଇ ବହୁତ ବହୁତ କରି କହି ପୀତବାବୁ ଡାକ୍ତରଖାନା ଚାଲିଗଲେ । ବହି ତାଲିକା ଅନୁସାରେ ସାରେ ନୂଆ ବହି ପରୁ ପାଇଁ କିଣି ଆଣିଲେ ।

 

ପରମାନନ୍ଦ ଆପେ ପଢେ, ବସନ୍ତକୁ ପଢ଼ାଏ । ପୀତବାସ ବାବୁ କେତେ ଥର ମାତ୍ର ପରମାନନ୍ଦର ପଢ଼ାଇବାର ପ୍ରଣାଳୀ ଦେଖି ପଛକୁ ବସନ୍ତର ପଢ଼ାପଢ଼ି ବିଷୟରେ ନିଶ୍ଚିନ୍ତ ହେଲେ । ବରଂ ସେ ପରୁର ପଢ଼ାପଢ଼ି ବିଷୟରେ ବେଳେ ବେଳେ କିଛି କିଛି ପ୍ରଶ୍ନ କରନ୍ତି । ସେ ପ୍ରାୟ ସବୁବେଳେ ପଚାରନ୍ତି ‘‘ପରୁ ! ତମର ଅସୁବିଧା ହେଉଚି ? ମତେ ପରିଷ୍କାର ଭାବରେ ନକହିଲେ ମୁଁ ଜାଣିବା କେମିତି ?”

 

ଧୀରେ ଧୀରେ ଘରର ଅନେକ ଗୁଡ଼ିଏ ଭାର ପରୁ ଉପରେ ପଡ଼ିଲା । ଦିନେ ପରୁ ଆଡ଼କୁ ଭଣ୍ଡାର ଘର, ଟଙ୍କା କଉଡ଼ି ବାକ୍ସର ଚାବି ଫିଙ୍ଗି ଦେଇ ପୀତବାସ ବାବୁ କହିଲେ ‘‘ପରୁ, ତମର ଏ ଘରଦ୍ୱାର, ପିଲା କବଲା, ମୁଁ ମିଛୁଟାରେ କିଆଁ ଏତେ ଦହଗଞ୍ଜ ହଉଚି ଭଲ କହିଲ ?”

 

ପରୁ ହସିଦେଇ ଚାବି ଫେରାଇ ଦେଲା ‘‘ନା, ନା ଆପଣଙ୍କ ପାଖରେ ଥାଉ, ମୁଁ ଦରକାର ବେଳେ ନେଇ ଆସୁଥିବି ।” ମାତ୍ର ପୀତବାସ ବାବୁ ପୁଣି ଥରେ ଚାବିଟାକୁ ପରୁ ହାତକୁ ଧରାଇଦେଇ କହିଲେ ‘‘ନାଇଁ, ନାଇଁ ସେସବୁ ଅଡ଼ୁଆ ଭିତରକୁ କାହିଁକି ମତେ ଆଉ ପକାଉଚ ? ମୁଁ ଆଉ ପାରିବି ନାହିଁ ।”

 

ମାସ ଶେଷ ହେଲାକ୍ଷଣି ତିନିଶ ପଚାଶ ଟଙ୍କାର ତୋଡ଼ାଏ ନୋଟ ଆଣି ପୀତବାସ ବାରୁ ପରୁ କତିରେ ଫିଙ୍ଗି ଦିଅନ୍ତି । ପରୁ ବେଙ୍କରେ ଟଙ୍କା ଜମାକରେ, ଘର ଖର୍ଚ୍ଚ ଚଳାଏ, ବଜାରକୁ ଯାଇ ଯାହାର ଯେଉଁ ଦରବଟି ଲେଡ଼ା କିଣି ଆଣେ, ଭିନ୍ନ ଭିନ୍ନ କରି ସବୁ ଖର୍ଚ୍ଚ ଗୁଡ଼ିକର ହିସାବ ଲେଖେ; ମାତ୍ର ଦିନେ ହେଲେ ପୀତବାସ ବାବୁ ପଚାରନ୍ତି ନାହିଁ ‘‘ପରୁ, କଅଣ କଅଣ ଖର୍ଚ୍ଚ କଲ କହିବଟି ।” ପରୁ ହିସାବ ଖାତା ନେଇ ଥରେ ଦୁଇଥର ତାଙ୍କ ପାଖରେ ଠିଆ ହୁଏ; ମାତ୍ର ପୀତବାସ ବାବୁ କୃତ୍ରିମ କୋପ ପ୍ରକାଶ କରି କହନ୍ତି “ବଡ଼ ବିରକ୍ତ କର ତମେ ପରୁ, ବେଳ କାହିଁ ମୋର ? ମୁଁ କଅଣ ଆଉ ଚାରିଫଡ଼ା ହୋଇଯିବି ? ମୁଠାଏ ଖାଇବା ଲୋକ ମୁଁ, ସେ ସବୁ ହିସାବ କିତାବ ଉପରେ ମୁଁ ପଶି ପାରିବି ନାହିଁ ।”

 

ପିଲେ ଧୀରେ ଧୀରେ ବାପାଙ୍କୁ ଏକରକମ ଭୁଲିଲେଣି—“ମାଷ୍ଟର ବାବୁ ଭାରି ଭଲ ।”

 

ପରୁ ଆପଣାର ପଛ ଜୀବନ, ବାପା ବୋଉ, କକେଇ ଖୁଡ଼ୀ ସବୁ ଏକାବେଳକେ ପାସୋରି ପକାଇଲାଣି । ବସୁ ଆଉ ହେମୀ ଏବଂ ଏ ସଂସାରଟା ତାର ସବୁ । ଏଠି ଆଉ ତାର ସଙ୍କୋଚ ନାହିଁ । ଏ ଘରର ସେ ମାଲିକ । ବେଳେ ବେଳେ ପୀତବାସ ବାବୁଙ୍କ ଉପରେ ସେ ମୁରବିପଣିଆ ବିସ୍ତାର କଲାଣି “ଆପଣ କିଛି ବୁଝି ନାହାନ୍ତି କି କିଛି କରୁ ନାହାନ୍ତି, ଏମିତି ଫୁଙ୍ଗୁଳା ହେଲେ ଚଳିବ କିମିତି ? ମୁଁ ଏତେ ଦେଖି ପାରିବି ନାହିଁ କି ଏତେ ଖଟି ପାରିବି ନାହିଁ ।” ପୀତବାବୁ ହସନ୍ତି । ପରୁ ମୁହଁଟାକୁ ଗମ୍ଭୀର କରି ତାଙ୍କ ଆଗରୁ ଚାଲିଆସେ । ପୀତବାସ ବାବୁ ଚୋରଙ୍କଭଳି ଆସି ତା ଦୁଆର ମୁହଁରେ ଠିଆ ହୁଅନ୍ତି । ପଚାରନ୍ତି ‘‘ପରୁ ! ମୁଁ ବୁଝି ପାରୁଚି, ତମର ଭାରି ଅସୁବିଧା ହଉଚି । ବହୁତ ସମୟ ବି ନଷ୍ଟ ହଉଚି । ଏ ସବୁ ଅତ୍ୟାଚାର ମୋର, ତମେ ସହିବ କାହିଁକି ? ମୁଁ ତମର କିଏ କି"

 

ପରୁ ଚମକି ପଡ଼େ । ବାସ୍ତବିକ ପୀତବାବୁ କଅଣ ତାର କିଛି ନୁହନ୍ତି ? ତେବେ ଏତେ ମାୟା ଲାଗିଲା କାହିଁକି ? ନା, ନା, ସେ ତାର ସବୁ । ସେ ତାର ପର ନୁହନ୍ତି—ନିତାନ୍ତ ଆପଣାର ।

 

ପୀତବାସ ବାବୁ ପଚାରନ୍ତି—‘‘ଆଚ୍ଛା, ପିଲାଙ୍କ ପଢ଼ାପଢ଼ି ଲାଗି ଗୋଟାଏ ମାଷ୍ଟର ମୁକରର କରୁନା କାହିଁକି ? ମୁଇଁ କଲେ ହବ ନଇଲେ ନାଇଁ ?”

 

ପରୁ ବିରକ୍ତ ହୋଇ ଜବାବ ଦିଏ ‘‘ଆପଣ ଆସିଲେ କଅଣ ମୋତେ ବେଶୀ ବିରକ୍ତ କରିବାକୁ ? ମୁଁ କିଛି ଉତ୍ତର ଦେଇ ପାରିବି ନାହିଁ । ଏତେକିଛି ଟଙ୍କା ବଳେଇ ପଡ଼ୁନାହିଁ ଯେ ଗୋଟାଏ ପିଲା ପାଇଁ ପାଞ୍ଚ ପାଞ୍ଚ ମାଷ୍ଟର ଖଞ୍ଜାହେବେ । ଯୋଉ ଗୁଣବନ୍ତ ପିଲା ନା, ଯୋଉ ପାଠ ପଢ଼ୁଚିକିନା, ମିଛଟାରେ ଖାଲି ଅର୍ଥଶ୍ରାଦ୍ଧ ସାର ହେଉଚି ଯାହା ।”

 

ପୀତବାସ ବାବୁ ଧୀରେ ଧୀରେ ଉପର ମହଲାକୁ ଉଠି ଯାଆନ୍ତି । ହେମୀ କୁଆଡ଼ୁ ଦୌଡି ଆସି ପରୁର ଗୋଡ଼ ଜାବୁଡ଼ି ଧରି କାନ୍ଦି କାନ୍ଦି କହେ “ମାଷ୍ଟର ବାବୁ ! ମୋର ଅମୁକ ଖେଳନାଟା ନନା ଭାଙ୍ଗି ଦେଲା ।” ପରୁ କହେ, “ଆଚ୍ଛା, ଆଚ୍ଛା, ସେ କଥା ବୁଝିବା—ଆଗ ଗୋଟାଏ ଠିକ୍ ସେମିତିଆ ଖେଳନା ଆଣିଦିଏ ତତେ ।”

 

ପରୁ ଡାକେ—‘‘ଆରେ ସନିଆ’’

 

ସନିଆ ଚାକର ଆସି ହାଜର ।

 

ପରୁ ଟ୍ରଙ୍କ ଖୋଲି ତା ଆଡ଼କୁ ପଇସା ପକେଇ ଦେଇ କହେ, “ଯା ଦୁର୍ଲ୍ଲଭ ଦୋକାନରୁ ଅମୁକ ଜିନିଷଟା କିଣି ଆଣିବୁ ।”

 

(ଆଠ)

 

ଜଗନ୍ନାଥ ମନ୍ଦିରକୁ କୁଡ଼ୁଆ ବିକିବାକୁ କୁମ୍ଭାର ରୋଜ ଯାଏ, ଫେରିଲା ବେଳକୁ ମନେପଡ଼େ “ଆରେ, ଦର୍ଶନ ଟିକେ କରି ଆସି ପାରିଲି ନାହିଁ । ଆଚ୍ଛା, କାଲି ନିଶ୍ଚେ ଦର୍ଶନ କରି ଆସିବି ।” ଠିକ୍ ସେହିପରି ପରମାନନ୍ଦ ରୋଜ ଭାବେ, ଟିକେ ନନ୍ଦବାବୁଙ୍କ ଘରଆଡ଼େ ବୁଲି ଆସିବ, ମାତ୍ର ବେଳ ପାଏ ନାହିଁ । କହେ ‘‘ଆଚ୍ଛା, କାଲି ଯିବି ।” ଏମିତି ଏମିତି ବର୍ଷଟିଏ ବିତିଗଲା ।

ସେଦିନ ଇସ୍କୁଲରୁ ଫେରି ପରମାନନ୍ଦ ସଳଖେ ସଳଖେ ନନ୍ଦକିଶୋରଙ୍କ ଘରକୁ ଗଲା । କବାଟ ଶିକୁଳା ଖୋଲି ଦେଇ ରେବୀ ଗୋଟାଏ କଡ଼କୁ ଆଉଁଜି ଗଲା । କହିଲା ‘‘ପରୁନନା ! ତେମେ କି ? କୁ’ ଭାଗ୍ୟ ଆଜି ଆମର କେଜାଣି ।” ଦରବିକଶିତ ମୁଖରେ ପରମାନନ୍ଦ ଆଡ଼କୁ ଟିକିଏ ଚାହିଁ ତଳକୁ ଆଖି ଲେଉଟାଇ ନେଇ ରେବତୀ ପୁଣି କଥା ଆରମ୍ଭ କଲା । କଥା ନୁହଁତ ଖାଲି ଗୁଡ଼େ ଅଭିମାନ—‘‘ପରୁନନା, ତେମେ ବଡ଼ଲୋକ । ଗରିବ ନିକୁଚ୍ଛ ଗୁଡ଼ାକୁ ଆଉ ତେମେ ପଚାରିବ କିଆଁ ?”

ରେବୀର ମଥାରେ ସ୍ନେହ ଆଦରର ଗୋଟିଏ ଚାପୁଡ଼ା ବସାଇ ଦେଇ ପରୁ କହିଲା–“କଣଗୁଡ଼େ ବକି ଯାଉଛୁ କିଲୋ ? ମୁଁ କି ବଡ଼ଲୋକ ? ଚାକର ବାକର ପରି ପେଟ ଚାଖଣ୍ଡକ ପାଇଁ ପଡ଼ି ରହିଛି । ଖଟି ଖାଟି ଦିନରାତି ଯାକ ପଢ଼ିବାକୁ ଟିକିଏ ତର ମିଳୁନାହିଁ । ସେଇଥିରେ ତୁ କହୁଚୁ ମୁଁ ବଡ଼ଲୋକ ! ଦଣ୍ଡେ ଯଦି ମୋ ଦୁଃଖ ଦେଖନ୍ତୁ, ତେବେ ବୁଝନ୍ତୁ ।”

ରେବୀ ଏଥର ମୁଣ୍ଡ ଟେକି ପରୁଆଡ଼କୁ ଚାହିଁଲା, ଛୋଟ ମୁହଁଟି ତା ଆଷାଢ଼ର ଭରା ମେଘ ଭଳି ଗମ୍ଭୀର । ଆଖି ଯୋଡ଼ିକ ଭାଦ୍ରମାସର ସରସୀ ପରି ଛଳ ଛଳ । ସେ ପଚାରିଲା ‘‘ପରୁନନା, ସତ କହୁଚ ? ମୋ ଆଡ଼କୁ ଭଲମେତି ଚାହିଁ କହିଲ, ସତେ ତମେ ଆମ ଏଠିକି ଆସିବାକୁ ଦଣ୍ଡେ ଫୁରୁସତ୍‌ ପାଅନା ?”

ପରୁର ମୁଣ୍ଡ ଲଇଁ ପଡ଼ିଲା । ସେ ଭାବିଲା—‘‘ସତେ କଅଣ ଏଇବାଟେ ଥରେ ଅଧେ ଚାଲିଯିବାକୁ ବେଳ ପାଇନାହିଁ ? ନା, ନା, ସେ ପୀତବାସ ବାବୁଙ୍କର ଏତେ ବଡ଼ ସଂସାରଟା ଘେନି ଏ ଛୋଟ ପରିବାରକୁ ଏକାବେଳକେ ପାସୋରି ପକାଇଚି । ବେଳ ତାର ନାହିଁ ସତ, କିନ୍ତୁ ଏମିତି କଅଣ ଟିକିଏ ମାତ୍ର ସମୟ ସେ କରି ପାରି ନଥାନ୍ତା ?” ପରୁ ଭାବିଲା—ନା, ନା, ସେ ବାସ୍ତବିକ ବଡ଼ ଅକୃତଜ୍ଞ ।

ପରମାନନ୍ଦ ଭାବିଚିନ୍ତି ମନେକଲା ମିଛର ଆଶ୍ରୟ ନେବ । କହିଲା “ରେବୀ, ଏମିତି ଦୋଷୁଚୁ କାହିଁକି କହିଲୁ ? ମୁଁ କଅଣ ମୋଟେ ଆସି ନାହିଁ ? ତୁ ନ ଥାଉ, ଏଣେତେଣେ ବୁଲୁଥାଉ-। ମୁଁ କଅଣ ଆଉ ତୋତେ ଖୋଜି ଖୋଜି ସାହି ସାହି ବୁଲୁଥାଆନ୍ତି ?”

ଆଖି ଦିଟାକୁ ଆହୁରି ଛଳ ଛଳ କରି ରେବୀ ପଚାରିଲା—‘‘ମୁଁ ନ ଥାଏଁ ପରୁନନା ? କୁଆଡ଼େ ଯାଏଁ ମୁଁ ?”

ପରୁ ଭାବିଲା ମିଛ କହି ଠିକ୍ କରିନାହିଁ । ବାସ୍ତବିକ ରେବତୀ ପ୍ରାୟ କୁଆଡ଼େ ଯାଏନା ।

ରେବତୀର ଭାରାକ୍ରାନ୍ତ ଆଖି ଦୁଇଟାରୁ ମୁକ୍ତାଫଳ ପରି ଦୁଇଟି ବିନ୍ଦୁ ଅଶ୍ରୁ ଝରିପଡ଼ିଲା । ପରମାନନ୍ଦ ଚମକି ପଡ଼ିଲା, ‘‘ରେବୀ ରେବୀ ! ମୋର ଏବେ ଖୁବ୍ ଅପରାଧ ହେଲା, ମୁଁ ତମକୁ ସବୁ ଏକାବେଳକେ ଭୁଲିଗଲି । ମୋଟେ ଆସିଲି ନାହିଁ, ଏବେ ତ ଆସିଚି, ମୋ କାନ ମୋଡ଼ି ଦେବାକୁ ମନହେଲେ ମୋଡ଼ି ଦେ । ଏଥିପାଇଁ କାନ୍ଦୁଚୁ କିଆଁ ? ଛିଃ ଛିଃ ।”

‘‘ଏକ କଅଣ ମୁଇଁ କାନ୍ଦୁଚି ପରୁନନା ? ତେମେ ତେବେ କାନ୍ଦୁଚ କିଆଁ ?”

ପରୁ ଚମକିପଡ଼ି ଆପଣା ଆଖିରେ ହାତ ମାରିଲା । ଦେଖିଲା, ତାର ଅଜ୍ଞାତସାରରେ ଆଖିରୁ ତାର ଲୁହ ଝରିପଡ଼ିଚି । ଭାବିଲା, “ଆରେ ! ସତେ ତ ! କାହିଁକି ? କୁ’ କଥାକୁ ?”

ରେବତୀ ଆଉ କୈଫିୟତ ମାଗିଲା ନାହିଁ । ପରୁ ବି ଆଉ ମିଛ ସତ କରି ଉତ୍ତର ଦେବାକୁ ସାହସ କଲା ନାହିଁ । ଦାଣ୍ଡ ଘରେ କିଏ ବୋଲି ଲୀଳାବତୀ କବାଟ ଫାଙ୍କରେ ଅନାଇଲେ-। ଦେଖିଲେ, ପରମାନନ୍ଦ ଅନେକ ଦିନ ପରେ । ପର ପିଲାଟି ସେ, ହେଲେ କାହିଁକି କେଜାଣି ମନ ଭିତରଟା ଆନନ୍ଦ ଓ ଆବେଗରେ ଫୁଲି ଉଠିଲା । କବାଟ ମେଲି ଦେଇ ମେଲାଘର ଭିତରକୁ ପଶି ଆସିଲେ । କହିଲେ, “ଆରେ ମୋ ବାପାଟା ଆଇଚି, ମୁଁ ଚଣ୍ଡାଳୁଣୀ ଲାଜ କରୁଚି ? ଏମିତି ବାଳୁଙ୍ଗା ଛୁଆ ? ଝିଅଟାକୁ ଏକାବେଳକେ ପାସୋରି ପକାଇଲା ?”

 

ଲଜ୍ଜାରେ ପରମାନନ୍ଦର ମୁହଁ ଲଇଁପଡ଼ିଲା । ସେ ଦୌଡ଼ିଯାଇ ଲୀଳାବତୀଙ୍କ ପାଦତଳେ ମୁଣ୍ଡ ଲଗାଇ ଦେଲା ।

 

ଛୋଟ ଓଢ଼ଣାଟି ତଳେ ରେବୀ ଜିଭଟାକୁ କାମୁଡ଼ି ପକାଇଲା । ‘‘ଆରେ ମୁଁ ଚାଣ୍ଡାଳୁଣୀ କି କଥା ନକଲି । ଦଣ୍ଡବତଟାଏ ହୋଇ ପାରିଲି ନାହିଁ !” ଦୌଡ଼ିଯାଇ ପରୁର ପଛଆଡ଼ୁ ଦଣ୍ଡବତ ହୋଇ ପାଦଧୂଳି ନେଲା । ପରୁ ଚମକିପଡ଼ି ପଛକୁ ଚାହିଁ ହସି ପକାଇଲା । ଲୀଳା ହସି ଦେଲେ, “ଆରେ, ଏ ଝିଅଟା କୁଆଡ଼ର ମାନଥାନ ଶିଖିଚିମ ? ଏତେବେଳ ଯାକେ ଏତେ କଥା ଭାଷା, ଦଣ୍ଡବତଟାଏ କରିବାକୁ ମନେ ନାହିଁ ?”

 

ରେବୀ ବୋଉଙ୍କ ଆଡ଼କୁ ହସି ଦେଇ ଅନାଇଲା । ପୁଣି ଲଜ୍ଜିତ ହୋଇ ପର ମୂହୁର୍ତ୍ତରେ ପଳାଇଗଲା ।

 

ରେବୀ ଭାରି ବକବଜାରୀ । ଲାଜକରି ପଳାଇଗଲା ସତ; କିନ୍ତୁ ଭିତର ବାରଣ୍ଡା ଉପରେ ଖଣ୍ଡିଏ ମସିଣା ପାତି ଢାଳେ ପାଣି ଧରି ଡାକିଲା ‘‘ବୋଉ ! ବାହାରଟାରେ କଅଣ ଏତେ କଥାବାର୍ତ୍ତା ହଉଚମ, ଭିତରକୁ ଆସୁନ ?”

 

ଲୀଳାବତୀ ଘରକୁ ଡାକିଲେ “ଆ ପୁଅ, ଭିତରକୁ । ମଲା ଯା ! ଚକୁଳି ଖଣ୍ଡେ ପଲମରେ ପକେଇ ଦେଇ ଆସିଚି । ଆଲୋ ରେବୀ, ଦୌଡ଼ି ଯିବୁଟି ମା, ରୋଷେଇ ଘରକୁ, ପିଠା ଖଣ୍ଡକ କୁହୁଳି ଗଲା ପରା ।”

 

ରେବତୀ କିନ୍ତୁ ଢାଳଟା ଧରି ଠିଆହୋଇ ରହିଲା । ଜବାବ ଦେଲା, ‘ଯାଉଚି ମୋର ଗରଜ ସରୁନାହିଁ ?”

 

ପରମାନନ୍ଦ ଲୀଳାବତୀ କେତେଆଡ଼ୁ, ଦୁଃଖ ସୁଖ ହୋଇ ଅଗଣା ଭିତରକୁ ଆସିଲେ । ରେବତୀ ବାରଣ୍ଡା ତଳେ ଛିଡ଼ାହୋଇ ପାଣି ଢାଳଟା ଧରି ଆଗପଛ ଦୋହଲଉ ଥାଏ ଏବଂ କ୍ରୀଡ଼ାଭଙ୍ଗୀରେ ଟିକେ ଟିକେ ପାଣି ଇଡ଼ି ଦଉଥାଏ । ଲୀଳା ବୁଝିଲେ, ଝିଅ ଖେଳୁଚି ।

 

ପରୁ ସଉପ ଖଣ୍ଡିକ ଉପରେ ବସି ପଢ଼ୁଥିଲା; ମାତ୍ର ରେବୀ ବାଧା ଦେଇ କହିଲା, ‘‘ଦାଣ୍ଡ ଘାଟରେ ବୁଲିବାଲି ଅଇଲ, ଗୋଡ଼ଧୁଆ ନାଇଁ, ବିଛଣା ଉପରେ ବସି ପଡ଼ୁଚ ? ଅଂରିଜୀ ପାଠପଢ଼ି କଅଣ ବାଛବିଚାର କିଛି ରଖୁନ ?”

 

ପରୁ ଲଜ୍ଜିତ ହୋଇ ଉଠି ଆସିଲା । ତାହା ଆଗରେ ରେବୀ ଢାଳଟି ଥୋଇ ଦେଲା ।

 

ଲୀଳା ପିଠା ଓଲଟାଇ ଦେବା ପାଇଁ ରୋଷେଇ ଶାଳକୁ ଚାଲି ଯାଇଥିଲେ

 

ଛେଁ କରି ଆଉ ଖଣ୍ଡି ଏ ଚକୁଳି ଢାଳି ଦେଇ କହିଲେ, ‘‘ରେବୀରେ, ମାଆଟା ପରା, ତୋ ନନା ସାଥିରେ କଥାଭାଷା କରୁଥା କି, ମୁଁ ପିଠା ଦିଖଣ୍ଡ ଉତାରି ଦେଇ ଯାଉଚି । ଚୁହ୍ଲିଟା ଲିଭି ଯାଉଚି, ପରୁ, ବାପାଟା ପରା, କିଛି ମନେକରନା ।”

 

ପ୍ରଗଳ୍‌ଭା ରେବତୀ କେତେଆଡ଼ୁ କେତେ କଥା ଆଣି ପକାଇଲା—“ତୁମେତ ଏ ଦୁଆର ମାଡ଼ିଲ ନାହିଁ ପରୁନନା । ବାପାଙ୍କୁ ଥରେ ଜର ହେଲା ଯେ ସେ ଭାରି ବକାବକି କଲେ । ମୁଁ ମନେକଲି ବାପା ନିଶ୍ଚେ ବାତୁଳ ହେଲେ । ବୋଉ କହିଲା ‘ନାଇଁ, ପିତ୍ତରୁ ସେ ସେମିତି ବକୁଚନ୍ତି । ଓଷଦ ନାଇଁ, ପଥି ନାଇଁ, ଭାରି ଦୁଃଖ । ତାଙ୍କ ପାଖରେ ବସି ବୋଉ ଖାଲି କାନ୍ଦୁଥାଏ । ମୁଁ କେତେ ବୁଝେଇଲି “ବୋଉ ଏମିତି ହଉଚୁ କିଆଁ ? ବାପା କାଲି ଭଲ ହୋଇ ଯିବେ ।” ବୋଉ ଜିରା ପୋଟଳପତ୍ର ବାଟି ପେଇବାରୁ ବାପା ଭଲ ହେଲେ । ତା ପଛକୁ ବୋଉର ହେଲା ଝାଡ଼ା । ତାର ଚେତା ବୁଡ଼ିଲା । ବିଛଣା ଉପରେ ସେ ଝାଡ଼ା ଫେରିଲା । ମୁଁ କାଢ଼ି ଫିଙ୍ଗି ଦେଲି । ପରୁନନା, ମତେ ଏକା କାହିଁକି କେଜାଣି ଭାରି ବିକଳ ଲାଗୁଥାଏ । ବେଳେ ବେଳେ ବାପା ମୁଣ୍ଡରେ ହାତଦେଇ ବସି ପଡ଼ନ୍ତି । ବୋଉ ଭଲହୋଇ ଗଲାତ ଆରମ୍ଭ ହେଲା ମୋର ମୁଣ୍ଡବିନ୍ଧା । ତମ ଉପରେ ଭାରି ମୋର ରାଗ ହେଲା—ଦେଖ, ପରୁନନା ଟିକେ ମତେ ଦେଖିବାକୁ ଅଇଲେ ନାହିଁ, ଏମିତ ନିର୍ଦ୍ଦୟ ଲୋକନା ସେ ! ବାପାଙ୍କୁ କହିଲି ତୁମକୁ ଡାକି ଦେବାକୁ, କିନ୍ତୁ ସେ କହିଲେ, ତାର ବେଳନାହିଁ, ଆସି ପାରିବ ନାହିଁ । ସେ କଅଣ ରୋଗ ବଇରାଗ କାଢ଼ିନେବ ? ମିଛଟାରେ ପିଲାଟାକୁ ଦହଗଞ୍ଜ କରିବି କିଆଁ-? ‘‘ଖାଲି ମୁଁ କହିଲି । ତମକୁ ଦେଖିବାଲାଗି ମନଟା ଗୋଳେଇ ଘାଣ୍ଟି ହେଲା । ପରୁନନା, ସତ କହୁଚି, ମନେ ହେଲା ସତେ କଅଣ ମୁଁ ଆଉ ମରିଯିବି କି? ପରୁନନାକୁ ଆଉ ଦେଖି ପାରିବି ନାଇଁ-?”

 

ପରମାନନ୍ଦ କହିଲା—‘‘ବାୟାଣୀଟାଏ କିଲୋ ତୁ ! କଅଣ ଗୁଡ଼େ ବକି ଯାଉଚୁ ?” ସରଳ ଓ ସହଜ ଭାବରେ ପରମାନନ୍ଦ ପାଖକୁ ଆସି ରେବୀ କହିଲା “ମିଛ ନାଇଁ ନନା, ବୋଉକୁ ପଚାରୁନ ? ତାକୁ ମୁଁ କେତେଥର ପଚାରିଚି—ପରୁନନା ଆସୁନି କିଆଁ ?”

 

ରେବତୀ ଯେ କେତେ କଥା ଆଣି ପକାଇଲା, ତାର ଠିକ୍ ଠିକଣା ନାହିଁ । ତାର କଥା ଅସରନ୍ତି । ନିତି ପ୍ରତି କେତେ ଘଟଣା ଘଟି ଯାଉଚି କିନ୍ତୁ ରେବୀ ତାକୁ ସବୁ ଯେମିତିକି ଗୋଟିଏ ମୁଣିରେ ପୂରାଇ ଗିଳିଥିଲା । ପରମାନନ୍ଦ ଆଗରେ ସବୁଗୁଡ଼ାକୁ ଏକା ନିଃଶ୍ଵାସକେ ଓଜାଡ଼ି ପକାଇବାକୁ ତାର ମନ ।

 

ହଠାତ୍ ତା କଥାସ୍ରୋତରେ ବାଧା ଦେଲେ ଲୀଳା । ଗୋଟାଏ ଥାଳୀରେ ପିଠା କେତେଖଣ୍ଡ ଓ ବାଇଗଣ ଭଜା ଦିଖଣ୍ଡ ଆଣି ଥୋଇଦେଇ କହିଲେ, “ସବୁତ କହି ଯାଉଚୁ ମା, ଗୋଟିଏ କଥା ବାକି ପଡ଼ି ଯାଉଚି କିଆଁ ?”

 

ରେବୀ ପଚାରିଲା—‘କୁ’ କଥା କି ?”

 

ଲୀଳା ହସିଲେ, କହିଲେ, “ସେଇ ତୋରି ଶାଶୁଘର କଥାମ ! ସେଇ ଯୋଉ ତୋର ଶ୍ୱଶୁର ବୁଢାଟା ଆସିଥିଲା, ପାକୁଆ ପାଟି ପାକଲା ଦାଢି ।”

 

ରେବୀର ସବୁ କଥା ବନ୍ଦ ହୋଇଗଲା । ରୂଢ଼ ଚକ୍ଷୁରେ ସେ ଲୀଳାଙ୍କ ଆଡ଼କୁ ଚାହିଁ କହିଲା ‘ତୋ ମୁଣ୍ଡ ଗଣ୍ଡି ! ସେଇଟା କିଆଁ ମୋ ଶ୍ୱଶୁର ହବ, ସେଉଟା ତୋ ଶ୍ୱଶୁର । ଗାତ ଚୁହ୍ଲି, ନଈବାଲି ।”

 

ପରୁ ହସିଉଠି କହିଲା, ‘‘ରାଗିଗଲୁ କି ରେବୀ ? କାହିଁକି କହି ଯାଉନୁ ସବୁ କଥା ।”

 

ସତକୁ ସତ ରେବୀ ଭାରି ରାଗିଗଲା । ପରୁ ଆଡ଼କୁ କଟମଟ କରି ଅନାଇଲା । ଶେଷକୁ ସେ ସ୍ଥାନ ଛାଡ଼ି ଘର ଭିତରକୁ ସେ ପଳାଇଗଲା ।

 

ପରମାନନ୍ଦ ଉତ୍ସୁକ ହୋଇ ପଚାରିଲା, ‘‘ମାଉସୀ, କୁ’କଥା କହିବଟି, ରେବୀ ପଳେଇ ଗଲା କିଆଁ ?”

 

ଲୀଳା କହିଲେ—‘ଗୋଟାଏ ଜାଗାରେ ରେବୀର ବାହାଘର କଥା ପଡ଼ିଚି ଯେ, ସେଇଥିପାଇଁ ସେ ଚିଡ଼ୁଚି । ଆରେ ବାପ, କିଆଁ ଚିଡ଼ିବ ? ମାଇପି ଝିଅ, ଆଜି ହଉ କାଲି ହଉ । ପରଘରକୁ ତ ଯିବ, ତେବେ କଥା କଅଣ କି ଯିଏ ୟାର ଶ୍ୱଶୁର ହେବେ, ସେଇ ଆସିଥିଲେ ଏକୁ ଦେଖିବାକୁ ।’

 

ପରୁ ବୁଝିଲା, ରେବୀର ବାହାଘର ହେବ । ମନ ଭିତରଟା ତାର କାହିଁକି କେଜାଣି ଘାଣ୍ଟି ଚକଟି ହୋଇଇଲା । ମୁହଁର ହରଷ ଲିଭିଗଲା । ମନ ଭିତରେ କେତେ ଚିନ୍ତା ଆସି ଉପସ୍ଥିତ ହେଲା-। କିନ୍ତୁ ସେ ପୁଣି ଭାବିଲା—‘‘କୁ’ ଗୁଣକୁ ରେବୀର ମୁଁ ସମକକ୍ଷ ?”

 

ପରମାନନ୍ଦ ଆପଣାକୁ ସମ୍ଭାଳି ନେଇ କହିଲା’ ‘‘ମାଉସୀ, ଝିଅ ବୋଲି ବକଟେ, ବାହା ଦବାଲାଗି ଏତେ ତରବର ହଉଚ କାହିଁକ ? ଯାଉ ଦିନକେତେ ।”

 

ମାଉସୀ କହିଲେ, ‘‘ନାଇଁରେ ବାପ, ଏ ରାଇଜ କଥା ତୁ ଜାଣୁନା; ଏଇଦିନୁ କିଏ କେତେ ଖୁଣିଲେଣି । ଆମେ ଗରିବ ଲୋକ, ଆମର ଉପରେ ସଭିଙ୍କ ଆଖି । ମଉସା ତୋର ଜିଗର ଲଗେଇଚି, ଯେମିତି ହଉ ଏଇବର୍ଷ ।”

 

ଲୀଳା କହିଲେ, “ଦେ ବାପ, ପିଠା ଦିଖଣ୍ଡ ଖାଇଦେ ।” ପରୁ ଡାକିଲା ‘‘ଆ ଲୋ ରେବୀ, ପିଠା ଖାଇବୁ ।” କିନ୍ତୁ କବାଟ କଣରୁ ରେବୀ ଜବାବ ଦେଲା, ‘‘ମୁଁ ଖାଇଚି, ତମେ ଖାଅ ।”

 

ପରୁ ଆଉ ତାକୁ ବଳେଇଲା ନାହିଁ । ଅନ୍ୟ ସମୟ ହୋଇଥିଲେ ଦୌଡ଼ିଯାଇ କବାଟ କଣରୁ ତାକୁ ଭିଡ଼ି ଆଣିଥାନ୍ତା; କିନ୍ତୁ ଆଜି ତା ଉପରେ ପରୁର କି ଅଧିକାର ଅଛି ? ରେବତୀ ଆଜି ପରର ହେବାକୁ ଚାଲିଲାଣି । ଭାଇ ଆଉ ସେ କେହି ନୁହଁ ।

 

Unknown

(ନଅ)

 

‘‘ମାଷ୍ଟର ବାବୁ, ଖୁବ୍ ଶାସ୍ତି ହେଲାଣି । କବାଟ କଣରେ ଝାଳ ଲାଳରେ ଆଣ୍ଟି ଏ ହେଲାଣି ।”

 

“ସେତିକି ଥାଉ ଆପଣଙ୍କ ଗେଲବସର । ପିଲାଗୁଡ଼ାଙ୍କୁ ମୁହଁଦେଇ ଏକାବେଳକେ ମାଟି କରି ଦେଲେଣି ଆପଣ । ମାଙ୍କଡ଼ ଛୁଆ ଖଣ୍ଡିକ ତାର ଗୁଣ ଦେଖ । ଆଜି ଏକୁ ମାରୁଛି ତ କାଲି ତାକୁ ଧରୁଚି । ଦାଣ୍ଡଆଡ଼େ ଥରେ ବୁଲି ଆସିଲେ ସତର ଫୌଜଦାରୀ ଲଗେଇ ଦେଇ ଆସୁଚି । ଆପଣ ଉପରକୁ ଯାଆନ୍ତୁ । ମୁଁ ଆପଣଙ୍କ କଥା ରଖି ପାରିବି ନାହିଁ ।” ହିମାଳୟ ଭଳି ଗମ୍ଭୀର ହୋଇ ପରମାନନ୍ଦ ଚୌକି ଖଣ୍ଡକ ଉପରେ ବସି ରହିଲା । ବସନ୍ତ ବହି ଖଣ୍ଡକ ଧରି ଭୀତତ୍ରସ୍ତ ହୃଦୟରେ ପାଠରେ ମନ ଦେଲା । ମାତ୍ର ତାର ଅଜ୍ଞାତସାରରେ ବେଳେ ବେଳେ ଆଖି ଦୁଇଟା ତାର କବାଟ କଣର ହେମୀଆଡ଼େ ଓ ଏରୁଣ୍ଡିବନ୍ଧ ଉପରେ ଠିଆ ହୋଇଥିବା ବାପାଙ୍କ ଉପରେ ବୁଲି ଆସୁଥାଏ ।

 

ହେମୀ ସଁ ସଁ ହୋଇ ବାପାଙ୍କ ଆଡ଼କୁ କଣେଇ କଣେଇ ଅନଉଥାଏ; କିନ୍ତୁ ପଳାଇ ଯିବାର ଉପାୟ ନାହିଁ । ଅବଶ୍ୟ ହାତ ଦେଇ କେହି ତାର ବାଟ ଓଗାଳି ନଥାନ୍ତି । ପୀତବାସ ବାବୁ ହେମୀ ଆଡ଼କୁ ଚାହିଁଲେ । ହେମୀ ପେଟ ଭିତରର ଉଚ୍ଛ୍ୱା ସ ସମ୍ଭାଳି ପାରିଲା ନାହିଁ, ଭେଁକରି କାନ୍ଦି ଉଠିଲା । ପୀତବାବୁଙ୍କ ଆଖିରୁ ଠସ୍ ଠସ୍ ଲୁହ ଗଡ଼ିପଡ଼ିଲା । ଘର ଭିତରକୁ ପଶି ଆସି ସେ ଦୁଇ ହାତ ବଢ଼ାଇଲେ; ମାତ୍ର ହେମୀ ବଡ଼ କରୁଣ ଭାବରେ ମାଷ୍ଟର ବାବୁଙ୍କ ଆଡ଼କୁ ଅନାଇଲା ।

 

ପରମାନନ୍ଦ ବଡ଼ କଠୋର ଶାସକ । କହିଲା ‘‘ଆଉଦିନେ କାହାର ସାଥିରେ କଳିଗୋଳ କରିବୁ ନାଇଁ ?”

 

ହେମୀ କାନ୍ଦୁ କାନ୍ଦୁ କହିଲା “ନାଇଁ !”

 

“ବିଡ଼ି ଖାଇବୁ ନାଇଁ ?”

 

‘‘ନାଇଁ !”

 

“ମୋଡ଼ କାନ ।”

 

ହେମୀ କାନ ମୋଡ଼ିଲା ।

 

‘‘ଖା ଚାପୁଡ଼ା ।”

 

ହେମୀ ଚାପୁଡ଼ା ଖାଇଲା ।

 

“ଯା, ତେବେ ଯା, ପଳା ।”

 

ହେମୀ ଭୋ’କିନା କାନ୍ଦିଉଠି ବାପାଙ୍କ କୋଳକୁ ଡେଇଁ ପଡ଼ିଲା । ପୀତବାସ ବାବୁ ଜୋରରେ ଗୋଟାଏ ନିଶ୍ଵାସ ଛାଡ଼ି ମାଷ୍ଟରବେଶୀ ପରମାନନ୍ଦ ଆଡ଼କୁ ଚାହିଁ ରହିଲେ—କେଡ଼େ ନିର୍ଦ୍ଦୟରେ ତୁ ପରୁ !

 

ଏତେ ଶାସ୍ତି, ଏତେ ଦଣ୍ଡ; କିନ୍ତୁ ଘଡ଼ିକ ବାଦେ ଯେଉଁ କଥାକୁ ସେଇ କଥା । ଉପରୁ ବାପାଙ୍କ ପାଖରୁ ଦୌଡ଼ି ଆସି ହେମୀ ପରମାନନ୍ଦର ଚୌକି ପଛରେ ଠିଆହେଲା । ଛୋଟ ଆଙ୍ଗୁଠି ଗୁଡ଼ିକ ବଢ଼ାଇ ପରୁର ମୁଣ୍ଡ ସୁଲୁ ସୁଲୁ କଲା । ଏଥିରେ ପରମାନନ୍ଦ ମୋଟେ ବିଚଳିତ ହେଲାନାହିଁ; ବରଂ ଟିକେ ବେଶୀ ଗମ୍ଭୀର ହୋଇ ବସିଲା, ଯେମିତିକି ସେ କିଛି ବୁଝି ପାରିନାହିଁ । ହେମୀ ଦେଖିଲା, ଔଷଧ କାଫିଲା ନାହିଁ । ଆଗ ପାଖକୁ ବୁଲିପଡ଼ି ପରୁର କୋଳ ଉପରକୁ ଉହୁଙ୍କି ପଡ଼ିଲା-। ପରୁ କହିଲା, “କିଲୋ, ଅଇଛା ପରା ଏତେ ଗାଳି ଖାଇଗଲୁ, ଏଡ଼େ ବେଗି ଭୁଲିଗଲୁ କେମିତି ମ-?”

 

ହେମୀ ହସି ଉଠିଲା । କୋଳ ଉପରକୁ ଉଠାଇ ନେଇ ପରୁ କହିଲା “ଟୋକୀଟା ଭାରୀ ଦୁଷ୍ଟ । ଗୁଡ଼େ ମାଡ଼ ନ ଖାଇଲେ ଜବତ ହେବ ନାହିଁ । ଦିନେ ଗୋଡ଼ରୁ ମୁଣ୍ଡଯାକେ ଟାଙ୍କେ ଛେଚିବି ଯେ ଆଉ ମୋ ପାଖ ମାଡ଼ିବ ନାହିଁ ।”

 

ହେମୀ ହସି ପକାଇଲା, କହିଲା—‘‘ସତ କହୁଚ ମାଷ୍ଟର ବାବୁ, ମତେ ମାରିବ ? ତମ ହାତ ଚଳିବ ? ରୋଜ ତ କହୁଚ ଦିନେ ଛେଚିବି ବୋଲି, କାହିଁ କେବେ ତ ମୋ ଦିହରେ ହାତ ଦେଇ ପାରୁନା ?”

 

ପରୁ କହିଲା, “ଆରେ ଏଇଟାର ମୁହଁ ବଢ଼ି ଯାଉଚି ତ ! ବସନ୍ତ, ଆଣିବୁଟି ଖଣ୍ଡେ ବେତ, ଦିଏଁ ଦି ପାହାର ।”

 

ବସନ୍ତ ହସି ହସି କୁଠୁଁ ବେତ ଖଣ୍ଡେ ଘିତି ଆସିଲା; ମାତ୍ର ମାଡ଼ ବସିଲା ତାରି ଉପରେ । ହେମୀ ଖୁବ୍ ଜୋରରେ ହସି ପକାଇଲା, “ବେଶ୍ ହୋଇଛି, ବେଶ୍ ହୋଇଛି—ଯିଏ ପାଞ୍ଚେ ପରର ମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ।” ପରୁ ଲଜ୍ଜିତ ହୋଇ ପଡ଼ିଲା । ପରମାନନ୍ଦକୁ ଲକ୍ଷ୍ୟକରି ହେମୀ କହିଲା, ‘‘କାଇଁ ମାଷ୍ଟର ବାବୁ, ପାରିଲ ତ ନାଇଁ ?”

 

ପରୁ ତାକୁ ଆପଣାର ବକ୍ଷ ଉପରକୁ ଉଠାଇ ନେଇ ଭିଡ଼ି ଧରିଲା । ତାର ଛୋଟ ଗଣ୍ଡ ଉପରେ ଗୋଟିଏ ସ୍ନେହବୋଳା ଚୁମ୍ବନ ଆଙ୍କିଦେଲା ।

 

ଚାକର ନାଥିଆ ଆସି ତେଲ ଗିନାଏ ଧରି କହିଲା, ‘‘ଗାଧୋଇ ଯାଆନ୍ତୁ ମାଷ୍ଟରବାବୁ, ବେଳ ହୋଇ ଗଲାଣି ।” ବସନ୍ତ ପରମାନନ୍ଦ ଆଡ଼କୁ ଚାହିଁଲା । ପରମାନନ୍ଦ ବହି କିତାପ ବନ୍ଦ କରିବାକୁ ଇଙ୍ଗିତ କଲା ।

 

ଦି’ହାତ ନେଡ଼ିରେ ତେଲ ଘଷି ପରମାନନ୍ଦ ମୁଣ୍ଡରେ ବୋଳିଲା । ଚୌକି ଛାଡ଼ି ପରମାନନ୍ଦ ତା ଆଡ଼କୁ ଚାହିଁ କହିଲା “ଦୂର୍‌ହୁଣ୍ଡି, ଏଇଥି ପାଇଁ ମୁଁ ତତେ ଏତେ ଗାଳିଦିଏ !” ହେମୀ ହସି ହସି ଦୂରକୁ ପଳାଇ ଗଲା ।

 

ପରମାନନ୍ଦ ସେଦିନ ଇସ୍କୁଲରୁ ଫେରି ଆସି ଦେଖିଲା, ନାଲି ରଙ୍ଗର ଖଣ୍ଡେ କାର୍ଡଡ଼ ଧରି ହେମୀ ହସୁଚି । କହୁଚି—“ଦେଖିଲ ମାଷ୍ଟର ବାବୁ, ତମରି ଚିଠି ।” ପରମାନନ୍ଦ ଚମକି ପଡ଼ିଲା, ତାର ଚିଠି କାହୁଁ ଅଇଲା ?

 

ହେମୀ ପରମାନନ୍ଦକୁ କେତେବେଳେ ତମେ କହି ପକାଏ କେତେବେଳେ ବା ଆପଣ–ସ୍ନେହର ଆଧିକ୍ୟ ଯେଉଁଠି, ସେଠି ଏ ସବୁ ଦିଗରେ ଦୃଷ୍ଟି ରହେନାହିଁ ।

 

ପରୁ ଚିଠି ଖଣ୍ଡିକ ଲାଗି ଚଞ୍ଚଳ ହୋଇ ପଡ଼ିଲା, ମାତ୍ର ଦୁଷ୍ଟ ହେମୀ ସେ ଖଣ୍ଡକ ଧରି ଉପର ମହଲକୁ ପଳାଇ ଯାଇ ବାପାଙ୍କ ଖଟ ତଳେ ଲୁଚିଲା । ପରମାନନ୍ଦ ତା ପଛେ ପଛେ ଦୌଡ଼ିଲା, ମାତ୍ର ତାକୁ ନ ପାଇ ଡାକିଲା, ‘‘ହେମୀ, ହେମା, ମୋ ଚିଠି ଆଣ । ନଇଲେ ଅଇଛା, ଦେଖିବୁ ।” ହେମୀ ଖଟ ତଳୁ ଜବାବ ଦେଲା—‘‘ବାଗ ପଡ଼ିଚି ଅଇଚ୍ଛା ସେଦିନୁ ମତେ କହୁଚ ଅଂରିଜୀ ବହି ଆଣିଦବ ଦବ ବୋଲି, କାହିଁ ? ମୁଁ ଏ ଚିଠି ଦେବିନାଇଁ, ଟିକି ଟିକି କରି ଚିରିଦେବି ।” ଝାଟୁଆ ଗଦାରେ ଫିଙ୍ଗି ଦେବି ।’’

 

ପରୁ ନରମି ଗଲା, କହିଲା, “ସୁନାଟା ପରା, ମୁଁ ତୋ ବହି କଥା ଏକାବେଳକେ ଭୁଲି ଯାଇଥିଲି । ଆଜି ନିଶ୍ଚେ ଆଣିଦେବି । ଚିଠିଟା ଦେ ।”

 

ତମ କଥାରେ ଠିକଣା ନାଇଁ । ଚିଠି ଖଣ୍ଡକ ହାତପୈଠ ହେଲେ ତମେ କିଏ ଆଉ ମୁଁ କିଏ ?”

 

ନାଇଁ ଲୋ ହେମୀ, ମୁଁ ଭୁଲି ଯାଇଚି, ଆଜି ନିଶ୍ଚେ ଆଣିଦେବି ।”

 

“ଭୁଲି ଯାଇଚ? ତେବେ ତମର କାଇଲ ହେଲା ମାନ ।”

 

“ମାନିଲି ମୋର କାଇଲ ।”

 

“ଖାଲି ମାନିଲେ କଅଣ ହେଲା?”

 

‘‘ଆଉ କଅଣ କାନ ମୋଡ଼ି ହେବି ? ଚାପୁଡ଼ା ଖାଇହେବି ?”

 

ପଦ୍ମତୋଳା ବୋଲିଲେ ସାପ ଯେମିତି ଗାତରୁ ବାହାରି ପଡ଼େ, ଏ କଥା ଶୁଣି ହେମୀ ସେମିତି ଖଟତଳୁ ବାହାରି ଆସିଲା । ଆଖି ଦିଟା ଛଳ ଛଳ କରି ପରମାନନ୍ଦ ଆଡ଼କୁ ଚାହିଁ କହିଲା, “ମାଷ୍ଟରବାବୁ, ଭାରି ତମର ମୁହଁ ବଢ଼ି ଯାଉଚି ! ଏମିତି କଥା ମୋ କତିରେ କୁହ କିଆଁ ? ମତେ ବେଶୀ ଚିଡ଼େଇବାକୁ ନା ? ମୁଁ କଣ କହିଲି କାନ ମୋଡ଼ି ଚାପୁଡ଼ା ଖାଅ ?”

 

ପରୁ ବୁଝିଲା କଥାଟା ହେମୀକୁ ଖୁବ୍ ବାଧିଲା । ଛୋଟ ପିଲାଟିଏ ହେଲେ କଣ ହେଲା, ସବୁ କଥା ସେ ବୁଝିଲାଣି ।

 

ହେମୀ ତଳକୁ ଓହ୍ଲାଇ ଆସିଲା କହିଲା ‘‘ଏମିତି କଥାକୁ ଚିଠିଟା ଯୋଉଠୁ ଆଣିଚି, ସେଇଠି ରଖିଦେଲେ ? ଆଜିଠୁ କାନ ନାକ ମୋଡ଼ି ହଉଚି, ଆଉଦିନେ ଆପଣଙ୍କ ଚିଜ କିଛି ଛୁଇଁବି ନାଇଁ ।

 

ପରୁ ଅଧୀର ହୋଇ ତା ପଛେ ପଛେ ତଳକୁ ଓହ୍ଲେଇ ଆସିଲା । ହେମୀ ସତକୁ ସତ ଚିଠି ଖଣ୍ଡିକ ମେଜ ଉପରେ ଥୋଇଦେଲା । ପରୁ ଉଠାଇ ନେଇ ଦେଖିଲା, ସଭାଉପରେ ଲେଖାଅଛି ଶ୍ରୀ ପ୍ରଜାପତୟେ ନମଃ ।” ଏମିତିଆ ଚିଠି ତାହା ନିକଟରେ ଏଇ ପ୍ରଥମ । ପଢ଼ି ଦେଖିଲା, କେତେ କଅଣ ଲେଖା ହୋଇଚି । ସାର କଥା ସେଇ ମାସ ତିନିଦିନ ଦିନ ରେବତୀର ବାହାଘର, ଦୁଇରେ ମଙ୍ଗନ । ବର ଘର ଭୁଷଣ୍ଡପୁର, ବୟସ ପନ୍ଦର !

 

ଚିଠି ଖଣ୍ଡିକ ଥରେ, ଦୁଇଥର ପଢ଼ିଲା । ଗୋଟିଏ ପାଚିଲା ଦାଢ଼ିଆ ପାକୁଆ ପାଟିରୁ ଗାଁର ରୂପ କଳ୍ପନାକଲା । ସେଉଟି ରେବୀର ଶ୍ଵଶୁର । ପରୁର ଚିନ୍ତା ଭାରାକ୍ରାନ୍ତ ବକ୍ଷ ବିଦୀର୍ଣ୍ଣ କରି ଗୋଟିଏ ବିଷଣ୍ଣ ଦୀର୍ଘ ନିଃଶ୍ଵାସ ବାହାରି ଆସିଲା—‘‘ରେବୀ ତେବେ ସତକୁ ସତ ଆଉ ଜଣଙ୍କର ଘର ସଂସାର ଗଢ଼ିବାକୁ ଚାଲିଲା’’ ହାତରୁ ଚିଠି ଖଣ୍ଡକ ତାର ଖସି ପଡ଼ିଲା । ଗୋଟାଏ ଦିଗକୁ ସେ ଚାହିଁ ରହିଲା, ଯେମିତି କି ଖଣ୍ଡେ ପଥର । ହେମୀ ସବୁ ମାନ ଅଭିମାନ ଭୁଲିଗଲା । ପରୁର ମୁହଁକୁ ଅନାଇଦେଇ କଅଣ ଗୋଟିଏ ଠଉରାଇ ନେଲା । ସହାନୁଭୂତିରେ ଛୋଟ ପ୍ରାଣ ତାର କାନ୍ଦି ଉଠିଲା-। ଚିଠି ଖଣ୍ଡିକ ଉଠାଇ ନେଇ ସେ ପଢ଼ିବାକୁ ଚେଷ୍ଟାକଲା । ବିଦ୍ୟାତାର ଅଳ୍ପ । ଦେଖିଲା ଅବୋଧ ଭାଷାରେ କେତେ କଅଣ ଲେଖା ହୋଇଚି । ଦେଖିଲା, ଦୁଇ ତିନି ଜଣଙ୍କ ନାଆଁ ଲେଖାଅଛି-। ଭାବିଲା, ବାହାଘର ହେଲେ ଏମିତିଆ ନାଲି ଚିଠି ଆସେ । ବାହାଘର ତେବେ କାହାର, ଦେଖିଲା ଗୋଟିଏ ଝିଅର ନାଁ—ରେବତୀ ଦେବୀ ।

 

ପରୁ ଅନ୍ୟମନସ୍କ ଭାବରେ ଖଟ ଉପରେ ମୁହଁ ମାଡ଼ି ଶୋଇ ପଡ଼ିଲା, ମୁହଁ ତଳେ ତକିଆଟାଏ । ହେମୀ ଧୀରେ ଧୀରେ ଖଟକଡ଼କୁ ଯାଇ ଠିଆ ହେଲା । ପରମାନନ୍ଦର ପିଠିରେ ଧୀରେ ଧୀରେ ହାତ ବୁଲାଇଲା । ବୁଲିପଡ଼ି ପରୁ ଅନ୍ୟମନସ୍କ ଭାବରେ ହେମୀର ମୁଣ୍ଡ ଆଉଁସିଲା ।

 

ହେମୀ ଧୀର ସ୍ଵରରେ ପଚାରିଲା;‘‘ମାଷ୍ଟର ବାବୁ । ରେବତୀ ଦେବୀ କିଏ ?”

 

ପରମାନନ୍ଦର ମନ ଭିତରେ ପ୍ରତିଧ୍ଵନି ଉଠିଲା—ରେବତୀ ଦେବୀ କିଏ ? ସେ ପରୁର କଅଣ ? କାହିଁକି ପରୁ ଆଜି ତା କଥା ଏତେ ଭାବୁଚି ?

 

ଏହି ସମୟରେ ନନ୍ଦକିଶୋର ସେ ଘର ଭିତରକୁ ପଶି ଆସିଲେ । କହିଲେ,‘‘ବାପାରେ ପରୁ,ଦି’ଥର ମୁଁ ଖୋଜି ଗଲିଣି ।” ପରୁ ଧଡ଼ ପଡ଼ ହୋଇ ଓହ୍ଲାଇ ଆସି ତାଙ୍କ ପାଦତଳେ ମୁଣ୍ଡ ଲଗାଇଲା । ନନ୍ଦକିଶୋର ଆଶୀର୍ବାଦ କଲେ,‘‘ବୁଢାଟିଏ ହୋଇ ଥା ବାପ ।”

 

ଚୌକି ଉପରେ ବସି ପଡ଼ି ନନ୍ଦକିଶୋର ପଚାରିଲେ, ‘‘ଚିଠି ଖଣ୍ଡକ ପାଇଚୁ ?”

 

ପରମାନନ୍ଦ ଉତ୍ତର ଦେଲା, ‘ହଁ ପାଇଚି’ ।

 

‘ତେବେ ନିଶ୍ଚେ ଯିବୁ, ତୋ ସାନ ଭଉଣୀଟା ସେ । ତୋ ଘର, କାଲି ସକାଳେ ନିଶ୍ଚେ ଯିବୁ । ମାଉସୀ ତୋର ଚାତକ ପରି ଚାହିଁବସିଚି । ପୀତବାସ ବାବୁଙ୍କୁ କହି ଯିବୁ । ସେଠି ତୋତେ ଦୁଇ ଚାରିଦିନ ରହିବାକୁ ପଡ଼ିବ ।”

 

‘ନା, ନା ସେ ସବୁ କଥା ଚଳିବ ନାହିଁ । ପରୁ ଗଲେ ଦଣ୍ଡେ ଚଳିବ ନାହିଁ ।”

 

ନନ୍ଦକିଶୋର ପଛକୁ ଫେରି ଦେଖିଲେ । ପୀତବାସ ବାବୁ ଏରୁଣ୍ଡି ବନ୍ଧ ଉପରେ ପାଦଦେଇ ଏସବୁ କହିଗଲେ—‘ତା ଘରର କେମିତି କଅଣ ସେ ବ୍ୟବସ୍ଥା କରି ଯାଉଚି ଯାଉ, ମୋର କଅଣ ଅଛି ?’

 

(ଦଶ)

 

ହେମୀ ଟେବୁଲକୁ ଧରି ଠିଆ ହୋଇ ପଚାରିଲା ‘ମାଷ୍ଟର ବାବୁ, ସେ ଦିନ କାହା ବାହାଘରକୁ ଯାଇଥିଲ କି ?”

ଟିକିଏ ବିରକ୍ତ ହୋଇ ପରମାନନ୍ଦ କହିଲା ‘ଜାଣି ଶୁଣି ଏତେ ଫଟେଇ ହଉ କିଆଁ ?”

ହେମୀ ଟିକେ ହସି, ପକାଇ କହିଲା—‘ରେବତୀ ଦେବୀ ବାହାଘରକୁ ?”

“ହଁରେ ବାବୁ ହଁ ତାରି ବାହାଘରକୁ’ ।

‘କାହିଁକି ଯାଇଥିଲେ’ ?

‘ଯାଇଥିଲି ଖାଇବାକୁ, ଆଉ ବର ଦେଖିବାକୁ’ ।

‘ମତେ ସାଥିରେ ନେଲ ନାଇଁ କିଆଁ ? ମୁ କଣ ତମର ଅଡ଼ୁଆ ହଉଥିଲି ?

ପରମାନନ୍ଦ ତାହା ଆଡ଼କୁ ଖାଲି ଅନାଇ ରହିଲା ।

‘ମୁ କଅଣ ତମ ଖାଇବା ଚିଜ ଛଡ଼େଇ ନଉଥିଲି ? ନା ବରକୁ ନୁଚେଇ ଦେଉଥିଲି’ ?

ପରମାନନ୍ଦ କଅଣ ଉତ୍ତର ଦେବ ସ୍ଥିର କରି ପାରିଲା ନାହିଁ, କହିଲା, ‘ଦୂର୍‌ହୁଣ୍ଡି ।’

କିନ୍ତୁ ହେମୀ ଦୂର ହେଲା ନାହିଁ, ସେଇଠାରେ ଠିଆ ହୋଇ ପଚାରିଲା, ‘ଆଚ୍ଛା ମାଷ୍ଟର ବାବୁ, ରେବତୀଟା କିଏ ?”

‘ଆଲୋ, ତୋ ନନ୍ଦ ମଉସାଙ୍କ ଝିଅ’ ।

ସେ କଥା କଅଣ ମୁଁ’ ଜାଣେନା’ ?

ତେବେ ଆଉ କଅଣ ପଚାରୁଚୁ ?”

“ପଚାରୁଚି କଅଣକି—ସେ ତମର କଅଣ ହୁଏ—ତମେ ତାକୁ କାହିଁକି ଏତେ ସୁଖ ପାଅ ?”

ପରମାନନ୍ଦ ତଳକୁ ମୁହଁ ପୋତିଲା । ଭାବିଲା—ବାସ୍ତବିକ ରେବତୀ ତାର କଣହୁଏ ? କାହିଁକି ସେ ତାକୁ ଏତେ ସୁଖପାଏ ? ସେ ତ ଆଜି ପରର । ତାକୁ ଆଉ ସୁଖପାଇ ଫଳ କଅଣ ? ତାକୁ ସୁଖ ପାଇଲେ ମନଭିତରେ ଖାଲି ଦୁଃଖର ନିଆଁ ଜାଳିବାକୁ ହେବସିନା !

ହେମୀ ପରୁର କୋଳ ଉପରକୁ ଉହୁଙ୍କି ପଡ଼ି ତାର ଅନ୍ୟମନସ୍କତା ଭଙ୍ଗକରିବା ଲାଗି ପଚାରିଲା, ‘‘ଆଚ୍ଛା ମାଷ୍ଟର ବାବୁ । ରେବତୀକି ତମେ ବେଶୀ ସୁଖପାଅ କାହିଁକି ?”

ପରମାନନ୍ଦ ଚମକି ପଡ଼ିଲା । ନିର୍ବାକ ଭାବରେ ହେମୀ ଆଡ଼କୁ ଅନାଇ ରହିଲା । ହେମୀ ତାହା ମୁହଁକୁ ଅନାଇ ପୁଣି ପଚାରିଲା, ‘‘ଆଚ୍ଛା, ମୋଠୁ, ବଳି ସେ ଟୋକୀକୁ କାହିଁକି ତମେ ବେଶୀ ସୁଖ ପାଅ ? ତମକୁ କଣ ମୁଁ ସୁଖ ପାଏନା ? ମୁଁ କଅଣ ତମ କଥା ମାନେନା ? ମୁଁ କଅଣ ତମକୁ ଚିଡ଼ାଏ ?”

ହେମୀ ଅଭିମାନରେ ପରମାନନ୍ଦ କୋଳଛାଡ଼ି ଦୂରରେ ଠିଆ ହେଲା—ଆଖି ଦିଟା ତାର ଛଳ ଛଳ ହୋଇ ଆସିଲା । ପରମାନନ୍ଦ କଅଣ ଉତ୍ତର ଦେବ, ଖୋଜି ପାଇଲା ନାହିଁ । ଛୋଟ ପିଲାଟିଏ ହେମୀ, ଏତେ ତାର ସ୍ନେହ ! ଅଭିମାନରେ ଫୁଲି ଉଠି କାନ୍ଦୁଚି ସେ ଆଜି କାହିଁକି ? କଣ ସେ ଜାଣେ ? ପରୁ ଆଉ ସମ୍ଭାଳି ପାରିଲା ନାହିଁ । ଦୁଇ ହାତରେ ହେମୀକୁ ଆପଣାର ବକ୍ଷ ଉପରକୁ ଟେକି ନେଇ ତାର ଉଜ୍ଜଳ କପାଳରେ ଅତି ସ୍ନେହରେ ଗୋଟିଏ ଚୁମ୍ବନ ଦେଲା । କହିଲା–‘‘ହେମୀ ଲୋ, ତତେ ମୁଁ ଭାରି ଭଲପାଏ ।”

 

ହେମୀ କିନ୍ତୁ ସେ କଥା ସ୍ଵୀକାର କରିବାକୁ ନାରାଜ—“ନାଇଁ ମାଷ୍ଟରବାବୁ, ତମେ ଆଉ ମୋ ସାଥିରେ କଥାଭାଷା ହବନାହିଁ । ତମେ ଏଣିକି ଭାରି ମିଛ କହିଲଣି । ସେ ଦିନ ମତେ ସାଥିରେ ନନେଇ ତା ବାହାଘରକୁ ଚାଲିଗଲ । ସେଦିନ ସେ ଟୋକୀଟାର ବାହାଘର ଚିଠି ପାଇ କାନ୍ଦିପକାଇଲ । ଛୋଟିଆ ପିଲା ବୋଲି ମୋତେ ତମେ ଭୁଲେଇ ଦେଉଚ । ଛାଡ଼ ମତେ, ମୁଁ ଯାଏ-। ମୁଁ ଆଉ ତମ ସାଥିରେ କଥା କହିବି ନାହିଁ ।”

 

ପରୁ କିନ୍ତୁ ତାକୁ ଛାଡ଼ିଲା ନାହିଁ । ଛାତି ଉପରେ ଜାବୁଡ଼ି ଧରି ଭାବିବାକୁ ଲାଗିଲା—ଛୋଟ ପିଲାଟିର ଛୋଟ ହୃଦୟ କାହିଁକି ରେବତୀର ପ୍ରତିଦ୍ଵନ୍ଦୀ ହୋଇ ଉଠିଲା ?

 

ତେବେ, ସ୍ନେହ ଆଦରର ଆଧାରରେ ଆଉ ଜଣେ ଆସନ ପାତିବାର ଦେଖିଲେ ପିଲାଙ୍କ ମନ ହିଂସାରେ ଜଳିଉଠେ । ଜନନୀ କୋଳରେ ଅନ୍ୟ କାହାରିକୁ ଆସୀନ ଦେଖିଲେ ସନ୍ତାନର ପ୍ରାଣ ଅଭିମାନ ଓ ହିଂସାରେ ବିଦ୍ରୋହୀ ହୋଇଉଠେ କାହିଁକି ?

 

ଦିନ କଟିଯାଏ, ମାସ ବିତିଯାଏ; କିନ୍ତୁ ହେମୀ ମନରୁ ରେବତୀ କଥାଟା ପାସୋରି ହୁଏ ନାହିଁ । ବାରଆଡ଼ୁ ବାରଭଳି ଭୁଲାଇ ପରୁକୁ ସେ ପଚାରେ—ସେଇ ରେବତୀ ବିଷୟରେ ।

 

ସେଦିନ ପରୁର ସ୍କୁଲରୁ ଫେରୁ ଫେରୁ ଟିକେ ବିଳମ୍ବ ହେଲା । ଦୁଆର ମୁହଁରେ ହେମୀ ହସିକହିଲା—‘‘ଜାଣେ ମୁଁ ମାଷ୍ଟରବାବୁ, ତେମେ ରେବତୀ ଘରକୁ ଯାଇଥିଲେ । ନଇଲେ ଏତେ ବିଳମ୍ବ ହୁଅନ୍ତା କାହିଁକି ?” ପରୁ ବଡ଼ ବ୍ୟସ୍ତ ହୋଇ କହିଲା ‘‘ନାଇଁ ଲୋ ଓଲମି, ମୁଁ ତାଙ୍କ ଘରକୁ କିଆଁ ଯିବି ?” କିନ୍ତୁ ହେମୀ ମାନିଲା ନାହିଁ, କହିଲା, “ହଁ, ନିଶ୍ଚେ ତମେ ମତେ ଠକୁଚ ।’’

 

ପରୁ କହିଲା—“ଆଲୋ ହୁଣ୍ଡି, ଠକିଲି କଅଣ ? ହଉ ଏବେ ତୋରି କଥା ହେଲା, ତାଙ୍କ ଘରକୁ ଟିକେଗଲି, ଦୋଷକଅଣ ହେଲା ?”

 

ହେମୀ ଏଥରକ ଖୁବ୍ ରାଗିଉଠିଲା । କହିଲା—“କାହିଁକି ଯିବ ? ସେଠି କି କାମ ଅଛି-? ତେବେ ତମ ସାଙ୍ଗରେ ମୁଁ ଆଉ ମୋଟେ ବୁଲି ଯିବି ନାହିଁ । ତମେ ଠକ, ମିଛୁଆ ।”

 

“ଆଉ ତେବେ କାହା ସାଙ୍ଗରେ ବୁଲିଯିବୁ ? ବାପା କଅଣ ନେବେ ଯେ ?”

 

“ନ ନେଲେ ନାଇଁ । ମୁଁ ଜମାରୁ ବୁଲିଯିବିନାଇଁ । ଗାଧୁଆ କବାଟ କିଳି କାନ୍ଦିବି । ଓପାସ କରିବି, କିଛି ଖାଇବି ନାଇଁ । କବାଟ ମୋଟେ ଫିଟେଇବି ନାଇଁ—ସେଇଥି ଭିତରେ ଶୁଖି ଶୁଖି ମରିବି ।”

 

ପରୁ ଆଉ ସହି ପାରିଲା ନାହିଁ, କାନ୍ଦି ପକାଇଲା । କହିଲା—ଆଚ୍ଛା, ତୁ କିଆଁ ବାଦ ସାଧୁଛୁ ? ରେବୀକି ଏବେ ଟିକେ ମୁଁ ସୁଖ ପାଇଲି, ସେଥିରେ ତୋର ହାନି କଅଣ ?”

 

ହେମୀ ରାଗି ଉଠିଲା, କହିଲା, ‘‘କାହିଁକି ତମେ ସେ ଟୋକିଟାକୁ ସୁଖ ପାଇବ ? ସେଇଟା ପୋଡ଼ାମୁହୀଁ । ସେ କଣ ଏତେ ଭଲ ? ମୋଠୁଁ ଭଲ ? ମୋଠୁଁ ସୁନ୍ଦର ?”

 

ଛୋଟ ପିଲାଟିଏ ହେମୀ । ଏଇକି ପ୍ରଶ୍ନରେ ବାବା ! ପରମାନନ୍ଦ ଚମକି ପଡ଼ିଲା,କହିଲା–ନାଇଁ ନାଇଁ ହେମୀ, ମୁଁ ଆଉ ତାଦୁଆର ମାଡ଼ିବି ନାଇଁ । ସେଇଟା .ଭାରି ଅସନା, ତୁ ଭାରି ଭଲ, ଭାରି ସୁନ୍ଦର ।

 

‘‘ତମେ ମାଷ୍ଟର ବାବୁ ମତେ ଭୁଲେଇ ଦଉଚ । ଆଚ୍ଛା ଚାଲିଲ ଭଲା ଦିନେ ଦିନେ ତାଙ୍କ ଘରକୁ, ଦେଖିବା କେମିତିଆ ସେ । ମୁଁ ସତ କହୁଚି ମାଷ୍ଟର ବାବୁ, ତମ ରେବତୀର କାନ ଦିଟାକୁ ମୁଁ ଯେବେ ମୋଡ଼ି ଛିଣ୍ଡେଇ ନଦେଇଚି, ତେବେ ମୋ ନାଁ ନୁହଁ ।”

 

ପରୁ ଉତ୍ତର ଦେଲା—“ହଉ, ତେବେ ଦିନେ ତା ଘରକୁ ଯିବା ।”

 

ସେଇକଥା ସ୍ଥିର ହେଲା । ହେମୀ ରୋଜ ଜିଗର ଧରେ । ଦିନେ ବାଇସ୍କୋପ ଦେଖିବା ଲାଗି ପିଲାଙ୍କୁ ମଟରରେ ବସାଇ ପରୁ ବାହାରିଲା । ନନ୍ଦକିଶୋର ବାବୁଙ୍କ ଦୁଆରେ ମଟରେ ଛିଡ଼ାକରାଇ ହେମୀର ହାତଧରି ପରମ ନନ୍ଦ ଘର ଭିତରକୁ ପଶିଗଲା । ତେତେବେଳେ ଅଣ୍ଟାରେ ଲୁଗାଭିଡ଼ି ରେବତୀ ନଳା ମୁହଁରେ ବାସନ ମାଜୁଥିଲା । ପରୁ ଡାକିଲା, ‘କିଲୋ ରେବୀ ।’ ରେବତୀ ଲେଉଟି ଅନାଇଲା । ହେମୀ ପରମାନନ୍ଦଙ୍କୁ ନୁଆଇଁ ପକାଇ କାନ ପାଖରେ ପଚାରିଲା, “ମାଷ୍ଟରବାବୁ ! ଏଇ ଝିଅଟା ନା ରେବତୀ ?” ପରୁ ଟିକିଏ ହସିଦେଇ ଉତ୍ତର ଦେଲା ‘ହଁ–ହଁ–ହଁ-।’

 

ହେମୀ ତୁନି ତୁନି କହିଲା—‘ମାଷ୍ଟରବାବୁ, ଏଇଟା ଭାରି ନାସନା ?”

 

ପରମାନନ୍ଦ ଉତ୍ତର ଦେଲା—‘ମୁଁ ତ ସେଇକଥା କହୁଥିଲି ।’ ହାତ ଦିଟା ଧୋଇ ପକାଇ ରେବତୀ ପଚାରିଲା— “ପରୁନନା । ଏଇଟି କିଏ ?”

 

ପରମାନନ୍ଦ—‘‘ଏଇଟି ପରା ହେମୀ ଲୋ, ପୁରା ନାଁ ହେମନ୍ତ କୁମାରୀ ।”

 

“ଇଆରି ନା ହେମୀ,” କହି ରେବତୀ ପଣତରେ ହାତ ପୋଛି ହେମୀକି ଅତି ଆଦରରେ କୋଳ ଆଡ଼କୁ ଟାଣିନେଲା । ଅନିଚ୍ଛାସତ୍ତ୍ୱେ ହେମୀ ତା କୋଳକୁ ଯାଇ ବଲ ବଲ କରି ତାହାରି ମୁହଁ ଆଡ଼କୁ ଅନାଇ ରହିଲା ।

 

ପରମାନନ୍ଦ ରେବତୀ ବାଇସ୍କୋପ ଦେଖି ଯିବାକୁ ଡାକିଲା । ରେବତୀର ସ୍ନେହ ଆଦରରେ ହେମୀର ସବୁହିଂସା ଉଭେଇଗଲା । ବୟସରେ ଦୁହେଁ ଅଳ୍ପ ସାନବଡ଼ । ହେମୀ ଡାକିଲା, “ରେବୀ, ଆସ ଯିବା ।”

 

ଲୀଳାବତୀ ହେମୀକୁ କୋଳକୁ ଉଠାଇ ନେଇ ତାର ଛୋଟ ଗଣ୍ଡରେ ଗୋଟିଏ ଚୁମ୍ବନ ଦେଇ ବଡ଼ ଆଦରରେ କହିଲେ—“ମୋ ମାଆଟାକୁ ଆଜିଯାକେ ଦେଖି ନଥିଲିରେ ।” ତାପରେ ରେବତୀକି ଡାକି କହିଲେ, “ଯାଆ ଲୋ ରେବ, ମୋ ଝିଅ ଆସିଚି, ତା ସାଥ୍‌ରେ ଯାଆ ।”

 

ପରୁ ଚିହ୍ନେଇ ଦେଲା । ‘ହେମୀଲୋ, ତୋ ମାଉସୀ ଏଇ—ରେବୀର ବୋଉ ।’

 

ହେମୀ ତାଙ୍କ ଗୋଡ଼ତଳେ ଦଣ୍ଡବତ ହେଲା । କହିଲା—‘ମାଉସୀ, ମୁଁ ଜାଣିନଥିଲି, ମତେ କ୍ଷମା କର ।’ ଲୀଳାବତୀ ହସିଉଠି ହେମୀକି ପୁଣିଥରେ ଆପଣା ବକ୍ଷ ଉପରେ ଜାବୁଡ଼ି ଧରିଲେ । ସେଇଦିନ ହେମୀ ଲୀଳାବତୀଙ୍କ କୋଳରେ ଥାଇ ବୁଝିଲା ବୋଉ କିଭଳି ଚିଜ ।

 

ସମସ୍ତେ ମଟରରେ ବସି ବାଇସ୍କୋପ ଦେଖିଗଲେ । ବାଟରେ ବହୁତ କଥାଭାଷା, ବହୁତ ଦୁଃଖସୁଖ । ଫେରିଲାବେଳକୁ ହେମୀ ହିଂସା ଦ୍ଵେଷ ପାସୋରି ପକାଇ ରେବତୀକି କହିଲା–‘‘ମୁଁ ଆସିବି ନିଶ୍ଚେ, ତୁ ଆମ ଘରକୁ ଯିବୁନା ରେବ ?”

 

ମାଉସୀ ହେମୀକି କୋଳକୁ ଘେନି କହିଲେ—‘ଝିଅ, ଆସିବୁଟିକି ପୁଣି ?”

 

ହେମୀ କହିଲା—‘ହଁ ଲୋ ମାଉସୀ, ନିଶ୍ଚୟ ଆସିବି । ମତେ ସେମିତି ମିଛ କହି ଆସେନା ।’

 

ମାଉସୀଙ୍କି ଦଣ୍ଡବତ କରି ହେମୀ ଓ ପରମାନନ୍ଦ ଫେରି ଆସିଲେ ।

 

(ଏଗାର)

 

ହେମୀ ଆସେ, ରେବୀ ଯାଏ । ସ୍ନେହମାୟା ବିଦାୟ ବେଳେ କନ୍ଦାଇ ଦିଏ । ହେମୀ ଚାକର ଟିଏ ପଠାଇ ଦେଲେ ରେବୀ ଦିପା’ବାଟ ଚାଲିଯାଏ । ହେମୀ ବି ଚାକରଟିଏ ସାଙ୍ଗରେ ଘେନି ଚାଲି ଆସେ । ସ୍ନେହର ବନ୍ଧନ ଓଟାରି ଆଣେ, ଓଟାରି ନିଏ ।

 

ଲୀଳାବତୀଙ୍କି ହେମୀ ଆଉ ପର ବୋଲି ଭାବେନା । ବୋଉ କଅଣ ସେ ଜାଣିନଥିଲା, ଜାଣିଲାକ୍ଷଣି ତାର ଅନ୍ତରରେ ମାତୃସ୍ନେହ ଭକ୍ତିର ଉତ୍ସ ଗୋଟିଏ ଖୋଲିଗଲା ।

 

ହେମୀ ଭାବେ ନା ବଡ଼ ଲୋକର ଝିଅ । ରେବୀ ଜାଣେନା ଗରିବ ଘରର ପିଲା ବୋଲି-। ରେବୀର ଅସନା ମସନାକୁ ଓଟାରି ନେଇ ହେମୀ ମାଜି ପକାଏ, ଆସୁ ନଆସୁ ପହଁରା ମୁଠାଏ ଧରି ଘର ବାହାର ଓଳାଇ ପକାଏ । ଲୀଳା ମନାକରନ୍ତି । ସେ ମାନେନା, ରେବୀ ଗାଳିଦିଏ, ସେ ଶୁଣେନା । ମଉସା କହନ୍ତି, ‘ଝିଅଲୋ ! ତୁ ଆଉ ଆମ ଘରକୁ ଆସିବୁ ନାହିଁ ।” ସେ ହସରେ ଉଡ଼େଇ ଦିଏ ।

 

ଠିକ୍‌ ସେମିତି ରେବୀ ବି ହେମୀର ବାର ପାଇଟି କରିଦିଏ, ତା ଟେବୁଲ୍ ଝାଡ଼ିଦିଏ, ତା ବହି କିତାପ ସଜେଇ ଦିଏ, ଇତ୍ୟାଦି ଇତ୍ୟାଦି । ହେମୀ ମନା କଲେ ସେ ମାନେନା, କି ବସନ୍ତ କଥା କାନକୁ ନିଏନା ।

 

ଛୋଟ ପିଲାଟିଏ ହେଲେ କ’ଣ ହେଲା, ଏଥରକ ହେମୀ ବୁଝି ପାରିଲା, କାହିଁକି ମାଷ୍ଟର ବାବୁ ରେବତୀକି ଏତେ ସୁଖ ପାଆନ୍ତି । ତା ମନ ଭିତରେ ହିଂସାନଳ ଆଉ ଜଲିଳା ନାହିଁ । କିଛିଦିନ ପରେ ସେ ଦିନେ ଫେରିଆସି ପରମାନନ୍ଦକୁ କହିଲା, ‘‘ମାଷ୍ଟର ବାବୁ, ରେବୀଟି ଭାରି ଭଲ ମ ? ମତେ ସେ ଭାରି ସୁଖ ଲାଗେ ।”

 

ପରୁ ହସି ଉଠିଲା । ଆନନ୍ଦରେ ପ୍ରାଣ ତାର ଫୁଲିଉଠିଲା । ମାତ୍ର ସେ କିଛି ଉତ୍ତର ଦେଲା ନାହିଁ । ତାର ରେବୀ । କିନ୍ତୁ...ତା’ର ହୋଇ ସେ କଅଣ ଆଜି ଆଉ ଅଛି ?

 

ତାର କିଛିଦିନ ପରେ । ଆନନ୍ଦିତ ଚିତ୍ତରେ ପରମାନନ୍ଦ “ସମାଜ”’ ଖଣ୍ଡିଏ ଖୋଲି ପଢ଼ୁଛି, ମେଟ୍ରିକ୍ୟୁଲେସନ ପରୀଷାଫଳ ବାହାରିଚି । ସେ ପ୍ରଥମ ବିଭାଗରେ ପାସ୍‌ କରିଛି । ଖବରକାଗଜ ଖଣ୍ଡିକ ଥରେ ପଢ଼ି ସାରି ଆଉଥରେ ସେ ପଢ଼ୁଛି । ଅନ୍ୟ କୌଣସି ଅଂଶ ପ୍ରତି ତାର ଲକ୍ଷ୍ୟ ନାହିଁ । ବିହାର ଭୂମିକମ୍ପ ବର୍ତ୍ତମାନ ସୁଦ୍ଧା ଚାଲିଛି, ବନ୍ୟା ଅଞ୍ଚଳର ଲୋକେ ଖାଇବାକୁ ପାଉ ନାହାନ୍ତି ଇତ୍ୟାଦି ଇତ୍ୟାଦି ନାନା ବିଷୟ ଲେଖା ଅଛି । ମାତ୍ର ସେ ଆଡ଼କୁ ତାର ନଜର ପଡ଼ୁନାହି । ଅନ୍ୟାନ୍ୟ ଛାତ୍ରମାନଙ୍କ ନାମ ସେ ପଢ଼ିଯାଉଛି । ଯେଉଁମାନଙ୍କ ନାମ ତାଲିକାରେ ନ ମିଳୁଛି, ସେମାନଙ୍କ ଲାଗି ସହାନୁଭୂତି ଓ ଦୁଃଖ ହେଉଛି ।

 

ଠିକ୍ ଏତିକିବେଳେ ରେବତୀ ଘରୁ ଲେଉଟି ଆସି ହେମୀ ତାହାରି ଆଗରେ ଠିଆହେଲା-। ମୁହଁ ତାର ଶୁଖି ଯାଇଚି, ଆଖି ଦି’ଟାରୁ ଲୁହ ଗଡ଼ୁଚି, ମୁହଁରେ ପଦୁଟିଏ କଥା ନାହିଁ-

 

ଖବର କାଗଜ ଖଣ୍ଡକ ଧରି ହେମୀଆଡ଼କୁ ଚାହିଁ ପରମାନନ୍ଦ ପଚାରିଲା—

 

‘‘ରେବୀ ଘରକୁ ଯାଇଥିଲୁ ?”

 

ଅଳ୍ପକେ ହେମୀ ଉତ୍ତର ଦେଲା “ହୁଁ ।”

 

ପରମାନନ୍ଦ ପୁଣି ପଚାରିଲା—କିଏ କଅଣ ତତେ କିଛି କହିଲା କିଲୋ ? ତୋ ମୁହଁ ଶୁଖିଯାଇଛି କାହିଁକି ?

 

ତଳକୁ ଚାହିଁ ହେମୀ କହିଲା—ରେବୀ କାନ୍ଦୁଚି । ଚମକି ପଡ଼ି ପରମାନନ୍ଦ ପଚାରିଲା—କାହିଁକି ?

 

ହେମୀ—କାହିଁକି କେଜାଣି ? ମୁଣ୍ଡଟାକୁ ପିଟିଦେଇଛି ଯେ ନୋହୁ ନୁହାଣ । ମାଉସୀ ବିକଳ ହୋଇ କାନ୍ଦୁଚି । ମଉସା ମୁଣ୍ଡ ବାଡ଼ାଉଚନ୍ତି । ତାଙ୍କ ଘରକୁ କିଏ ଜଣେ କୁଣିଆ ଆସିଚନ୍ତି । ମୁଁ ପଚାରିଲି । କେହି କିଛି କହିଲେ ନାହିଁ । ମତେ ଭାରି ବିକଳ ମାଡ଼ିଲା; ପଳେଇ ଆସିଲି ।

 

ବିଜୁଳିବତୀର ସୁଇଚ୍ ଟିପି ଦଉ ଦଉ କମ୍ପ ଲାଗିଲେ ମଣିଷ ଯେମିତି ହଠାତ୍‌ କମ୍ପି ଉଠେ, ପରୁ ସେମିତି କମ୍ପି ଉଠିଲା, । ଯେମିତି କି ବିନା ମେଘରେ ହଠାତ୍ ଗୋଟାଏ ବଜ୍ର ସେଇ ଘର ଛିଡ଼ି ପଡ଼ିଲା I ଯେମିତି କି ହଠାତ୍ ଭୂମିକମ୍ପ ହୋଇ ଘରଦ୍ଵାର’ ଉପରେ ଗଛପତ୍ର, କୋଠାବାଡ଼ି ସବୁଯାକ ଏକାବେଳକେ ଭାଙ୍ଗି ପଡ଼ିଲା । ଆଖି ଦିଟା ତରାଟି ଦେଇ ପରମାନନ୍ଦ ହେମୀ ଆଡ଼କୁ ଅନାଇ ରହିଲା ଖାଲି ।

 

ଚାକର ପିଲାଟି ଆସି କହିଲା “ମାଷ୍ଟର ବାବୁ । ନନ୍ଦ ବାବୁଙ୍କର ଭାରି ବିପଦ’’ ।

 

ପରୁ ଭୀତ ଓ ଚକିତ ଭାବରେ ପଚାରିଲା—‘କି ବିପଦ’ ? ମାତ୍ର ଉତ୍ତର ଦେବାକୁ ଅପେକ୍ଷା ନ କରି ସେ ଚାଲିଗଲା । ପରମାନନ୍ଦ ତାହାରି ଗତି ଆଡ଼କୁ ଭକୁଆଙ୍କ ଭଳି ଅନାଇ ରହିଲା । ପାସ କରିଥିବାର ସବୁ ଆନନ୍ଦ କୁଆଡ଼େ ଉଭେଇଗଲା, ଖବର କାଗଜ ଖଣ୍ଡକ ତଳେ ପଡ଼ିଗଲା । ପରୁ କଅଣ କରିବ, କି ବିପଦ ତାଙ୍କର, କିଛି ବୁଝି ପାରିଲା ନାହିଁ । ବିଛଣା ଉପରେ ଚିତ୍‌ ହୋଇ ପଡ଼ି ଏଣୁ ତେଣୁ ନାନା କଥା ଭାବିବାକୁ ଲାଗିଲା ।

 

କିନ୍ତୁ ବିଳମ୍ବ ଆଉ ସହି ହେଲା ନାହିଁ । ପାଗଳ ଭଳି ଉଠିପଡ଼ି ନନ୍ଦବାବୁଙ୍କ ଘର ଆଡ଼କୁ ଦୌଡ଼ିଲା । ଆଗକୁ ଦୃଷ୍ଟି ନାହିଁକି ପଛକୁ ଦୃଷ୍ଟି ନାହିଁ । ଦୈବାତ୍ ସାଇକେଲଟିଏ ଆସି ତାହାର ଦେହରେ ବାଜିଲା । ଚିତ୍ ହୋଇ ସେ ଲେଉଟି ପଡ଼ିଲା । ଦେହର କେତେ ଠାଆରୁ ରକ୍ତ ବୋହିଁଲା–କିନ୍ତୁ ସେଥିପ୍ରତି ଭ୍ରୂକ୍ଷେପ ନ କରି ସେ ଉଠିପଡ଼ି ଚାଲିଲା । ....ରେବୀ ମୁଣ୍ଡ ପିଟି ବିକଳ ହୋଇ କାନ୍ଦୁଚି ।

 

‘କୈସା ମାଫିକ ଉଲ୍ଲୁ ହୈ ତୁମ?’ ପରୁ ଚମକି ପଡ଼ି ପଛକୁ ଅନାଇ ଦେଖିଲା, ଗୋଟାଏ ମସ୍ତବଡ଼ ମଟର ଲରି ରାକ୍ଷାସ ଭଳି ଠିକ୍‌ ତାରି ପଛରେ ଘୁ—ଉଁ, ଶବ୍ଦକରି ଅଟକି ଗଲା । ପରୁ ଓଲଟି ପଡ଼ିଲା ।

 

ଚାଲୁ ଚାଲୁ ଦେଖିଲା ଆଗରେ ଚାନ୍ଦନୀଚଉକ । ଚେତା ହେଲା, ଭାବିଲା ‘ଆରେ ! ବାତୁଳ ନା କଅଣ ମୁଁ ବୃଥାଟାରେ ଏତେ ବାଟ ଭୁଲି ଅଇଲି, ଫେରି ପଡ଼ି ପୁଣି ସେ ଚାଲିଲା ।

 

ନନ୍ଦକିଶୋରଙ୍କ ଦୁଆର ମୁହଁରେ ପହଞ୍ଚିଲା କ୍ଷଣି ପରମାନନ୍ଦର ଛାତି ଦୁଲୁକି ଉଠିଲା—ଭିତରୁ ଲୀଳାବତୀଙ୍କର କରୁଣ କାନ୍ଦଣା ଶୁଭୁଛି, ‘ମୋ ରେବଲୋ, ମୋ ସୁନାଲୋ, ତୋରି କର୍ମରେ ବିଧାତା ଏହିତା ଲେଖିଥିଲା ଲୋ, ତୋର କପାଳରେ ଚଡ଼କ ପଡ଼ିଲା ଲୋ,ଏକଥା ଶୁଣିବା ଆଗରୁ ମତେ ମରଣ ହେଲା ନାଇଁ ଲୋ ।”

 

ଏରୁଣ୍ଡି ବନ୍ଧ ଡେଇଁବାକୁ ପରୁର ପାଦ ଚଳିଲା ନାହିଁ । ମେଲାଘରେ ନନ୍ଦବାବୁ ମୁଣ୍ଡରେ ହାତ ଦେଇ ବସିଚନ୍ତି । ଆଖି ଦି’ଟାରୁ ଲୁହ ଝରଝର ବହି ଯାଉଚି । କପାଳ ପିଟି ପିଟି ଫୁଲି ଗଲାଣି । ଅନେକ ବେଳଯାକେ ସେ ବାହାର ଆଡ଼କୁ ଅନାଇ ରହିବା ପରେ ପରମାନନ୍ଦକୁ ଚିହ୍ନି ପାରିଲେ । ଉନ୍ମତ୍ତ ପରି ସେ ଉଠିଆସି ପରୁକୁ କୁଣ୍ଢେଇ ପକାଇଲେ, ‘‘ବାପାରେ, ମୋର ସବୁ ସରିଗଲା । ମୋ ଭେଳା ବୁଡ଼ିଗଲା’’ ।

 

କଅଣ ପ୍ରଶ୍ନ କରିବ, ପରୁ କିଛି ସ୍ଥିର କରି ପାରିଲା ନାହିଁ, କିନ୍ତୁ ସେ ଭୋ ଭୋ କାନ୍ଦି ଉଠିଲା । ମାତ୍ର କାହିଁକି ସେ କାନ୍ଦୁଚି ଜାଣେନା ।

 

‘ସମୁଦି, ଆଉ କାହିଁକି’?

 

ହଠାତ୍‌କାନ ମୁଣ୍ଡାରେ ବାଟୁଳି ମାଡ଼ ବସିଲେ ଯେମିତି ଅକସ୍ମାତ ମୁଣ୍ଡ ଘୂରିଯାଏ, ପରମାନନ୍ଦ ଠିକ୍ ସେହିଭଳି ଅନୁଭବ କଲା । ଚାହିଁ ଦେଖିଲା—ଜଣେ ଅପରିଚିତ ତାହାରି ଆଗରେ ଦଣ୍ଡାୟମାନ ।

 

‘‘ଆଉ କାହିଁକି ବିଳମ୍ବ କରୁଚ ସମୁଦି’’?

 

ନନ୍ଦକିଶୋରଙ୍କ ହାତ ଶିଥିଳ ହୋଇଗଲା । ପରୁ ଘୁଞ୍ଚି ଆସିଲା ଭକୁଆଙ୍କ ଭଳି ସେ ସେହି ଆଡ଼କୁ ଅନାଇ ରହିଲ ।

 

“ଜନ୍ମ କରିଚେ ବୋଲି ସେମାନଙ୍କ କର୍ମ କଥା ତ ଆମ ହାତରେ ନାହିଁ । ବିଧାତା ଲିଖନ ଆନ କରିବ କିଏ”?

 

ତିନିଥର ଧକା ଖାଇ ନନ୍ଦକିଶୋର କ୍ଷୀଣ ସ୍ୱରରେ ପଚାରିଲେ, ‘କଅଣ ତୁମେ କହୁଚ ସମୁଦି, କଅଣ କହୁଚ’ ?

 

ପରୁ ଗୋଟିଏ ଦୀର୍ଘ ନିଶ୍ଵାସ ପକାଇ ଜଳଜଳ କରି ଉଭୟଙ୍କ ମୁହଁକୁ ଅନାଇ ରହିଲା । ଆଗନ୍ତୁକ ଭଦ୍ରଲୋକଟି ନନ୍ଦକିଶୋରଙ୍କ ସମୁଦୀଙ୍କର ସମ୍ପର୍କୀୟ ଭାଇ । ଆସିଛନ୍ତି ସୁସମ୍ବାଦ ଦେବାକୁ—ରେବତୀ ବିଧବା ହୋଇଛି ! ନାଆଁଟି ତାଙ୍କର କୃପାସିନ୍ଧୁ ରଥ ।

 

ରଥେ ନନ୍ଦଙ୍କୁ ଅପେକ୍ଷା ନ କରି ଅଗଣା ଭିତରକୁ ଚାଲିଲେ ଯେଉଁଠାରେ ରେବତୀକୁ ଧରି ଲୀଳା ବିକଳ ହୋଇ କାନ୍ଦୁଥିଲେ, ସେହିଠାରେ ଯାଇ ଠିଆ ହେଲେ, କହିଲେ—‘‘ସମୁଦୁଣି ! ଆଉ ବିଳମ୍ବ କରୁଚ କାହିଁକି, ଆମରତ ସର୍ବନାଶ ହୋଇଚି, ତମେମାନେ ଆଉ କଟା ଘାଆରେ ଚୂନଛିଟା ଦଉଚ କାହିଁକି ? ଉଠିଯାଅ ସମୁଦୁଣି ଝିଅକୁ ଛାଡ଼ିଯାଅ’’ ।

 

ଲୀଳା ରଥଙ୍କ ଗୋଡ଼ତଳେ ମୁଣ୍ଡ ପିଟିଦେଲେ । ରେବତୀ ନିର୍ଜୀବ ହୋଇ ତାଙ୍କ କୋଳରୁ ଖସି ପଡ଼ିଲା । ଜଳଜଳ କରି ରଥଙ୍କ ଆଡ଼କୁ ସେ ଅନାଇ ରହିଲା । ରଥେ ତରବର ହୋଇ ହାତଟିକୁ ତାର ଧରି ଟାଣି ନେଲେ । ଲୀଳା ଚିତ୍‌ପିତୁଳା ଭଳି ନିର୍ବାକ ନିସ୍ପନ୍ଦ ହୋଇ ଚାହିଁ ରହିଲେ । ଆଖିର ଲୁହଧାର ସହିତ କପାଳର ରକ୍ତଧାର ମିଶି ଝରି ପଡ଼ିଲା । ରଥେ ରେବୀ ମୁଣ୍ଡରୁ ସିନ୍ଦୂର ଲିଭେଇ ଦେଲେ, ହାତର କାଚ ପିଟି ଦେଲେ, ରୂପାଚୂଡ଼ି ଦି’ପଟି କାଢ଼ି ଫିଙ୍ଗି ଦେଲେ ।

 

ରେବୀ ସମ୍ଭାଳି ପାରିଲା ନାହିଁ—‘‘ବୋଉଲୋ ! ବାପାହୋ ! ତେମେ ସବୁ ଏତିକି ନିର୍ଦ୍ଦୟ ହୋ ! ବୋଉଲୋ ! କେମିତି ଚାହିଁ ରହିଚୁଲୋ ! କେମିତି ତୋ ଛାତି ସହୁଚିଲୋ” ବୋଲି ବିକଳ ହୋଇ କାନ୍ଦି ଉଠିଲା । ହାତ ଛଡ଼ାଇ ନେବାକୁ ଭିଡ଼ି ଓଟାରି ହେଲା, ମାତ୍ର ରଥଙ୍କର ନିର୍ମମ ହୃଦୟ ଲେଶ ମାତ୍ର ତରଳିଲା ନାହିଁ ।

 

ରେବତୀ ତଳେ ପଡ଼ିଲା । ଲୀଳା ହତଜ୍ଞାନ ହୋଇ ପଡ଼ିରହିଲେ । ନନ୍ଦକିଶୋର ତେଣେ ଦାଣ୍ଡଘରେ ପଡ଼ିରହିଲେ । ପରମାନନ୍ଦ ଅଗଣା ଭିତରେ ପିଣ୍ଡା ଉପରର ଗୋଟିଏ ଖୁମ୍ବକୁ ଆଉଜି ଠିଆହୋଇ ରହିଲା । ହୃଦୟ ଭିତରେ ଯେମିତି କି କିଏ ଗୋଟାଏ ତ୍ରୀଶୂଳ ଭୁଷିଦେଲା । ତାର ମନେ ହେଲା, ଅର୍ଗଳୀ ଭିତରେ ରେବର ବେକ ପୂରାଇ ଖଣ୍ଡାରେ ଚୋଟେ ପକାଇ ଥିଲେ ବୋଧହୁଏ ସେ ଏତେ ବିକଳ ହୋଇ ନଥାନ୍ତା ।

 

ରଥେ ଆପଣାର ଛତା ବାଡ଼ି ଦିଖଣ୍ଡି ସଂଗ୍ରହ କରି ଦାଣ୍ଡ ସଡ଼କ ଉପରକୁ ପାଦ ପକାଇଲେ ଏବଂ ଜନତା ମଧ୍ୟରେ ଅଦୃଶ୍ୟ ହୋଇଗଲେ ।

 

କେତେବେଳେ ଲୀଳାବତୀଙ୍କର ଜ୍ଞାନ ଆସିଲା । ସେ ଦେଖିଲେ ଖୁମ୍ବଟାକୁ ଆଉଜି ଠିଆହୋଇଚି ପରମାନନ୍ଦ—ଆଖି ପତା ପଡ଼ୁନାହିଁ, ଟୋପା ଟୋପା ଲୁହ ଗଡ଼ିପଡ଼ୁଚି । ଭରା ନଈର ବନ୍ଧ ହଠାତ୍ ଭାଙ୍ଗିଗଲେ ଯେମିତି ଭୁସ୍ କିନା ପାଣି ମାଡ଼ି ଆସେ, ଠିକ୍‌ ସେମିତି ପରୁକୁ ଦେଖି ଲୀଳା ଭୋକରି କାନ୍ଦି ଉଠିଲେ, ‘‘ମୋ ବାପରେ, ମୋ ଧନରେ, ରେବର ସବୁ ସରିଗଲା ! ମୋ ଆଖି ଫୁଟି ଗଲାରେ, ବାପା, ମୋ ମଣି ହଜିଗଲା ।”

 

ରେବତୀ ବସି ପରମାନନ୍ଦ ଆଡ଼କୁ ଅନାଇ ଭୋକରି କାନ୍ଦି ଉଠିଲା । ନନ୍ଦକିଶୋର ତେଣୁ ଦୌଡ଼ିଆସି ତଳେ ମୁଣ୍ଡ ପିଟି ଦେଲେ, ‘‘ପରୁରେ ସବୁ ମୋର ସରିଗଲା ।”

 

କାନ୍ଦକଟାରେ ଘଡ଼ିଏ କାଳ ବିତିଗଲା । ପରମାନନ୍ଦର ଦୁର୍ବଳ ମନଭିତରେ ସାହସ ଓ ଦମ୍ଭ ଦେଖାଗଲା । ସେ ଧୀରେ ଧୀରେ ଆସି ରେବର ହାତଦିଓଟି ଧରି ତଳେ ପଡ଼ିଥିବା ରୂପା ଚୁଡ଼ି ଦିଓଟି ଗୋଟାଇ ନେଇ ପିନ୍ଧାଇ ଦେଲା । ଘର ଅଲଗୁଣିରୁ ମାଉସୀଙ୍କ ସିନ୍ଦୂର ପେଡ଼ି ଫିଟାଇ ଆଣି ଚାରିପଟ କାଚ ଓ ସିନ୍ଦୂର ଫରୁଆ ବାହାରକଲା । ରେବତୀ ହାତରେ କାଚ ପିନ୍ଧାଇ ଦେଇ ତା ମୁଣ୍ଡରେ ସିନ୍ଦୂର ଟୋପାଟିଏ ନାଇଦେଲା । ଲୀଳା ଓ ନନ୍ଦକିଶୋର ଦୁଇଟି ପଥର ମୂର୍ତ୍ତି ପରି ଠିଆ ହୋଇ ଏସବୁ ଦେଖୁ ଥାନ୍ତି, ମାତ୍ର ପରମାନନ୍ଦର କୌଣସି କାର୍ଯ୍ୟରେ ବାଧା ଦେଇ ପାରିଲେ ନାହିଁ ।

 

କେତେବେଳେକେ ଲୀଳା ଉଚ୍ଛ୍ଵସିତ କଣ୍ଠରେ କହିଲେ— “କଅଣ କରୁଚୁରେ ବାପା ? ସେ ପରା ବିଧବା !”

 

ପରମାନନ୍ଦ କହିଲା—“ଯାହା କରୁଛି, ଠିକ୍‌ କରୁଛି । ତାର ବର ମରିନାହିଁ’ ।

 

ନନ୍ଦକିଶୋର ପରୁକୁ କୁଣ୍ଢାଇ ଧରି କହିଲେ, “କାହିଁକି ଆଉ ତା ହାତରେ କାଚ ଦଉଚୁ ବାପ’’ ?

 

ଧୀର ଓ ଗମ୍ଭୀର ସ୍ଵରରେ ପରମାନନ୍ଦ କହିଲା ମଉସା, ରେବ ବିଧବା ହୋଇନାହିଁ । ଏ ବିଭାଘର ଲାଗି ସେ ଦାୟୀନୁହେଁ । ପ୍ରକୃତରେ ତାର ବିଭାଘର ହୋଇନାହିଁ, ହେବ ।

 

ରେବତୀ ପରମାନନ୍ଦର ଗୋଡ଼ ଦୁଇଟା ଉପରେ ମୁଣ୍ଡ ଥୋଇ କାନ୍ଦି ଉଠିଲା—‘‘ପରୁ ନନା’’ !

 

ରେବତୀ କପାଳର ସିନ୍ଦୂର ରାଗ ପରମାନନ୍ଦର ଚରଣ ରଞ୍ଜିତ କଲା ।

 

(ବାର)

 

“କଅଣ ସ୍ଥିର କଲ ପରୁ”?

 

“କେଉଁ କଥା” ?

 

“ଏଇ ତମର ପଢ଼ାପଢ଼ି ବିଷୟରେ’’ ।

 

“ଆଉ କଣ ସ୍ଥିର କରିବି ? ପୋଥିରେ ଡୋରି ଦେଇ ଯେଉଁ ଆଡ଼କୁ ଆଖି ପାଏ, ସେଇ ଆଡ଼କୁ ଚାଲିବା ଛଡ଼ା ଉପାୟ କଅଣ ଅଛି ଆଉ’’ ?

 

ଭାତ ଥାଳରେ ହାତ ରଖି ପୀତବାସ ବାବୁ ହସି ଉଠିଲେ । ହେମୀ ଭାତ ଗୁଣ୍ଡା ପାଟିରେ ରଖି ହସି ଉଠିଲାରୁ ତଣ୍ଟିରେ ଭାତ ଲାଗିଗଲା । ବସନ୍ତ ହସି ଉଠି ହେମୀ ତାଳୁରେ ଥାପୁଡ଼ା ମାରି କହିଲା, ‘‘ହାଁ ,ହାଁ, ହୁସିଆର’’।

 

ପରୁ କହିଲା “ହସିବାର କଥା ଏଥିରେ ଅଛି କଣ ? ଆପଣଙ୍କ ଦୟାରୁ କୌଣସି ପ୍ରକାରେ ଏତେ ଦୂର ଚଳିଲା । ଆଉ ଏଣିକି ଚଳିବ କିମିତି ?”

 

ବସନ୍ତ କହିଲା—“ତେବେ ଆଉ କଅଣ କରିବେ ?”

 

ହେମୀ ବଳିପଡ଼ି କହିଲା—‘‘ବାବାଜୀ ହୋଇ ବଣକୁ ଯିବେ ତପ କରିବାକୁ ?”

 

ବସନ୍ତ କିରି କିରି ହୋଇ ହସି ଉଠିଲା ।

 

ଅପ୍ରତିଭ ହୋଇ ପରମାନନ୍ଦ କହିଲା—‘‘କାହିଁକି ତୁ ହସୁଚୁ କିରେ ବସନ୍ତ ?”

 

ପୀତବାସ ବାବୁ ବସନ୍ତ ଲାଗି ଉତ୍ତର ଦେଲେ, ‘‘ତାର ହସିବାର ଯଥେଷ୍ଟ କାରଣ ଅଛି । ତା କଥା କଅଣ ? ତୁମ କଥା ଶୁଣି ମତେ ତ ହସ ମାଡ଼ୁଛି ।”

 

ତଳକୁ ମୁହଁ ପୋତି ପରମାନନ୍ଦ ପଚାରିଲା ‘‘କାହିଁକି କହିଲେ ?”

 

ପୀତବାସ ବାବୁ କହିଲେ—କାହିଁକ ଆଉ କଅଣ ? ଏତେ ଦିନଯାକେ ତୁମେ ଆମ୍ଭମାନଙ୍କୁ ପର ଭାବିଛ । ଆଚ୍ଛା ପରମାନନ୍ଦ, ତମେ କଅଣ ଏ ଘରର ଗୋଟିଏ ପିଲା ନୁହଁ ? ବସନ୍ତ ଆଉ ହେମୀ କଅଣ ମୋର ପିଲା, ଆଉ ତମେ ନୁହଁ ?”

 

ପରୁ ଥରେ ମୁଣ୍ଡ ଟେକି ପୀତବାସ ବାବୁଙ୍କ ଆଡ଼କୁ ଅନାଇଲା, କିନ୍ତୁ ପରକ୍ଷଣରେ ଲାଜରେ ଆଖି ଦିଟା ତାର ତଳକୁ ନଇଁ ପଡ଼ିଲା ।

 

ପୀତବାସ ବାବୁ କହିଲେ—‘‘ପରମାନନ୍ଦ, ତମେ ଡାକ୍ତରୀ ପଢ ।”

 

ପରମାନନ୍ଦ ଭାବିଲା, କହିବ—ଖର୍ଚ୍ଚବାର୍ଚ୍ଚ କିଏ ଦେବ ? ମାତ୍ର ମୁହଁ ଖୋଲି ପଚାରି ପାରିଲା ନାହିଁ । ତଳକୁ ମୁହଁ ପୋତି ସେ ଖାଲି ଏତିକି କହିଲା, ‘‘କିନ୍ତୁ....” ।

 

ପୀତବାସ ବାବୁ କହିଲେ, “ମୁଁ ସେ ‘କିନ୍ତୁ’ର ଅର୍ଥ ବୁଝିଚି ପରୁ ! କିନ୍ତୁ ଫନ୍ତୁ ମୋ ପାଖରେ ଚଳିବ ନାହିଁ । ଏ ଘର ଦ୍ଵାର, ଏ ପଇସା କଉଡ଼ି, ସବୁ ତୁମର । ତୁମରି ତିନଜଣକ ପାଇଁ ମୋର ଚାକିରୀ । ତମ ତିନିଜଣ ଛଡ଼ା ମୋରି ଆଉ ଏ ସଂସାରରେ ଅଛି କିଏ ? ତମେ କଅଣ ଆଜିଯାକେ ମୋତେ ବୁଝି ପାରିଲ ନାହିଁ ?”

 

ପରୁର ଅନ୍ତର କୃତଜ୍ଞତାରେ ଫୁଲି ଉଠିଲା । ମନ ହେଲା—ପୀତବାବୁଙ୍କ ପାଦ ଦୁଇଟାରେ ମୁଣ୍ଡ ଥୋଇ କହିବ—ଆପଣ ଦେବତା ।

 

ପୀତବାସ ବାବୁଙ୍କ କଥା ରହିଲା । ପରମାନନ୍ଦର ପୋଥିରେ ଡୋର ବନ୍ଧା ହେଲା ନାହିଁ-। ତେବେ ପୋଥି ସହିତ ସାଥିହେଲେ ଛୁରୀ, କତୁରୀ, ହାଡ଼ ମାଉଁସ ଇତ୍ୟାଦି । ହେମୀ ହସିଲା, ବସନ୍ତ ହସିଲା, ‘‘କଅଣ ହେଲା ମାଷ୍ଟରବାବୁ ବାବାଜୀ ହଉଥିଲେ ପରା ? ତକିଆ ତଳେ, ଶେଜ ଉପରେ ଏ ହାଡ଼ ମୁଣ୍ଡ ଗୁଡ଼ାକ ଗୋଟାଇ ରଖୁଚନ୍ତି କାହିଁକି ? କଅଣ ବେତାଳ ସାଧନା କରୁଚନ୍ତି କି-? ନା, ହାଡ଼ବାଇ ସାଧନା ?”

 

ପରୁ ହସିପକାଇ କହେ—‘‘ହୁଁ, ହାଡ଼ବାଇ ସାଧନ କରୁଚି ।”

 

କିଛିଦିନ ପରେ ପୀତବାସ ବାବୁ ପଚାରିଲେ—‘‘କେମିତି ଲାଗୁଛି ପରୁ ?”

 

ପରୁ ଉତ୍ତର ଦେଲା । “ଆଉ ଲାଗନ୍ତା କେମିତି କଅଣ ? ପଢ଼ିବା କଥା ପଢୁଚି । ତେବେ, କଲେଜରେ ପଢ଼ିଥିଲେ ଏତେ ଆନନ୍ଦ ପାଇ ନ ଥାନ୍ତି । ଏଥିରେ ଜୀବନ ଓ ଶରୀର ବିଜ୍ଞାନର ରହସ୍ୟ ଗୁଡ଼ିକ ବଡ଼ କୌତୁକର ଲାଗୁଛି ।”

 

ପୀତବାସବାବୁ କହିଲେ—“ଭଲ କଥା, ଡାକ୍ତର ଘରର ପିଲା, ଡାକ୍ତର ନ ହୋଇ ହୁଅନ୍ତା ଆଉ କଅଣ ?”

 

ପରୁ ଭାବିଲା ସତେ କଅଣ ସେ ଡାକ୍ତର ଘର ପିଲା ? ହଁ ସତେ ନୁହଁ ଆଉ କଅଣ ? ପୀତବାବୁ କଅଣ କୌଣସି କଥାରେ ତାକୁ ପର କରିଛନ୍ତି ? ବଡ଼ ଉଦାର ଲୋକ ସେ, ବଡ଼ ସ୍ନେହୀ, ଆତ୍ମପର ଭେଦ ନାହିଁ । ନୋହିଲେ କି ଦେଶଟା ତାଙ୍କର ଧନ୍ୟ ଧନ୍ୟ ପଡ଼ିଥାଆନ୍ତା ।

 

ନନ୍ଦକିଶୋର ପରମାନନ୍ଦର ପାସ୍ କରିବା ଓ ଡାକ୍ତରୀ ପରିବା ସମ୍ବାଦରେ ଖୁବ୍ ଖୁସି ହେଲେ । ମାତ୍ର ତାଙ୍କ ଜୀବନରେ ଆଉ ଆଗପରି ସ୍ପୃହା ନାହିଁ । ଜୀବନର ଗୋଟିଏ ବୋଲି ସଙ୍ଖାଳି ରେବତୀର ଯେଉଁ ସର୍ବନାଶ ଘଟିଯାଇଛି, ସେକଥା ଭାବିଲେ କେଉଁ ବାପ ମାଆର ମନ ସରସ ରହିବ ? ନନ୍ଦକିଶୋର ଏଇଥି ଭିତରେ ଗୋଟାଏ କେମିତି କିମ୍ବୁତକିମାକାର ପାଲଟି ଯାଇଛନ୍ତି । ଦିନ ଚାଲି ଯିବାର କଥା, ଚାଲି ଯାଉଛି ଏବଂ ତରି ସାଥିରେ ତାଙ୍କର ବି ଜୀବନ ଚାଲି ଯାଉଛି ।

 

ଲୀଳାବତୀ ପରୁର ଉନ୍ନତି ଶୁଣି ବଡ଼ ଆନନ୍ଦିତ ହୁଅନ୍ତି ଏବଂ ପୀତବାସ ବାବୁଙ୍କୁ ଧନ୍ୟ ଧନ୍ୟ କରନ୍ତି । ମାତ୍ର ମନଟି ତାଙ୍କର ସବୁବେଳେ ମରି ଯାଇଥାଏ, ରେବଟିକି ଚାହିଁଦେଲା କ୍ଷଣି ଲୋତକରେ ଆଖି ଭାସିଯାଏ । ଗୋଟାଏ ଦିଗକୁ ସେ ଚାହିଁ ରହିଛନ୍ତି, ତ ରହିଛନ୍ତି । ମୁଣ୍ଡରେ ହାତ ଦେଇ ବସିଛନ୍ତି ତ ବସିଛନ୍ତି, ଢାଳଟା ଧରି କୂଅମୂଳରେ ଠିଆ ହୋଇଛନ୍ତି ତ ହୋଇଛନ୍ତି । ସବୁବେଳେ ଗୋଟାଏ ଚିନ୍ତା—‘‘ହାୟ, ରେବଟିର କଅଣ ହେଲା ।”

 

ପରମାନନ୍ଦ ଆସି ଏ ସବୁ ଦେଖି କେତେ ବୁଝାଏ, କେତେ ସାନ୍ତ୍ୱାନା ଦିଏ, କିନ୍ତୁ ଲୀଳା ବୁଝନ୍ତି ନାହିଁ । ବେଳେ ବେଳେ ତାରି ଆଗରେ ମୁଣ୍ଡ ପିଟି ଦେଇ କାନ୍ଦି ଉଠନ୍ତି ।

 

ଦିନେ ଦିନେ ଘର ଭିତରକୁ ପଶି ଆସି ପରମାନନ୍ଦ ଡାକେ—‘‘ଆଲୋ ରେବ, କଅଣ କରୁଚୁ ?” ରେବତୀ ପରୁ ଆଡ଼କୁ ଅନାଇ କହେ “ମାଷ୍ଟର ବାବୁ, ଆସିଗଲ ? କିନ୍ତୁ ତୁମେ ତ ଆଉ ମାଷ୍ଟର ବାବୁ ନୁହଁ, ତୁମେ ଡାକ୍ତର ବାବୁ । ତୁମକୁ ଛୁଇଁକରି ନାହିଁ, କୁ’ଠି ମୁରୁଦାର ଘାଣ୍ଟି ଚକଟି ଆସିଥିବ । ମତେ ଛୁଅଁ ନା ଛୁଅଁ ନା ।” ପରୁ କିନ୍ତୁ ତା କଥା ମାନେନା, ଦୁଗୁଣେଇ ହୋଇ ତାକୁ ଛୁଇଁଦିଏ ।

 

ଲୀଳାବତୀ ଓ ନନ୍ଦକିଶୋରଙ୍କ ମନରେ ସବୁବେଳେ ଦୁଃଖ ମାତ୍ର ରେବତୀ ମନରେ ଦୁଃଖ ନାହିଁ । ବିବାହ ତାର ହୋଇଥିଲା, ସତ, ମାତ୍ର ତାହା ଯେ କଅଣ ଏବଂ ସେ ବରର ମୃତ୍ୟୁ ସହିତ ତାର ଯେ କି ସମ୍ବନ୍ଧ, ସେକଥା ତାର ଜ୍ଞାନଗୋଚର ଭିତରରୁ ନୁହେଁ । ଛୋଟ ବାଳିକାଟିଏ ସେ । ସେଦିନ ବାପା ବୋଉଙ୍କୁ ଦେଖି କାନ୍ଦି ପକାଇଥିଲା, ଏବଂ ଅଳଙ୍କାର ହରାଇ ବିକଳ ହୋଇ ଉଠିଥିଲା, ମାତ୍ର ପରମାନନ୍ଦ ପୁଣି ତାକୁ ପିନ୍ଧାଇ ଦେଇ ଯାଇଛି । ସେଇଦିନୁ ପରମାନନ୍ଦକୁ କାହିଁକି କେଜାଣି ସେ ଯେମିତି କି ନିତାନ୍ତ ନିକଟତମ କରି ନେବାକୁ ବସିଛି । ପରୁ ଆସିଲେ ଆନନ୍ଦରେ ହୃଦୟ ତାର ଫୁଲିଉଠେ, ପରୁର ସୁଖ ଖବର ଶୁଣିଲେ ମନରେ ତାର ଗର୍ବ ଜାତ ହୁଏ । ସାଙ୍ଗ ସାଥିମାନଙ୍କ ନିକଟରେ ପରୁର ଗୁଣ ଗାଇବାକୁ ସେ ପ୍ରଗ୍‌ଳଭା ହୋଇଉଠେ । ପରୁ ନିକଟରେ ବସି ହସି ଖେଳ ଗଳ୍ପ ଲହରୀ ମେଲି ଦେବାକୁ ସେ ଭାରୀ ସୁଖ ପାଏ ।

 

ନନ୍ଦକିଶୋର ଓ ଲୀଳା ଶତ ଦୁଃଖ ସତ୍ତ୍ୱେ ସାନ୍ତ୍ଵନା ପାଅନ୍ତି । ପରୁଟିକୁ ବଡ଼ ରହସ୍ୟମୟ ମଣନ୍ତି । ଧୀରେ ଧୀରେ ପରୁ ପ୍ରତି ସ୍ନେହ ଆଦର ତାଙ୍କର ବଢ଼ିଯାଏ ।

 

କିଛିଦିନ ପରେ, ସନ୍ଧ୍ୟା ଆଉ ବିଳମ୍ବ ନାହିଁ । କିଛି ଦୂରରେ ସହରର କୋଠାବାଡ଼ି ଉପରକୁ ମୁଣ୍ଡ ଟେକି ଛିଡ଼ା ହୋଇଚି—କଳା କଳା ଦେବଦାରୁ ଗଛ । ତା ପଛପଟେ କଳା ବଉଦ ଦେହରେ ନାନା ବର୍ଣ୍ଣର ବିଚିତ୍ର ଚିତ୍ର ଫୁଟିଛି । ଆଲୁଅ ଯାଇନାହିଁ ବା ଅନ୍ଧାଇ ଆସି ନାହିଁ । ପରମାନନ୍ଦ ଆସି ଦାଣ୍ଡ ଦୁଆରେ ସାଇକେଲ ଘଣ୍ଟି ବଜାଇଲା । ମାତ୍ର ସେଦିନ କେହି କବାଟ ଫିଟାଇଲେ ନାହିଁ । ପରମାନନ୍ଦ କବାଟରେ ହାତ ମାରିଲା । କବାଟ ମୁକୁଳା ଥିଲା ଖୋଲିଗଲା । ଘର ଭିତରକୁ ପଶିଯାଇ କାହାରିକୁ ଦେଖିଲା ନାହିଁ । ତାକୁ ଭାରି ଶୂନ୍ୟ ବୋଧ ହେଲା, ଅଗଣା ଭିତରକୁ ପଶିଯାଇ ଦେଖିଲା ଲୀଳା ଖୁମ୍ଭକୁ ଆଉଜି ଛିଡ଼ା ହୋଇ ରହିଛନ୍ତି । ଅଗଣା ଭିତରେ ରେବତୀ ନାହିଁ ।

 

ଚାରିଆଡ଼େ ଆଖି ବୁଲାଇ ପରୁ ରେବତୀକି ପାଇଲା ନାହିଁ । ମନହେଲା ଲୀଳାଙ୍କୁ ପଚାରିବ, ମାତ୍ର ତାଙ୍କ ଧ୍ୟାନ ଭଙ୍ଗ କରିବାକୁ ସାହସ ହେଲା ନାହିଁ । ଧୀରେ ଧୀରେ ବାଡ଼ି ଦୁଆର ଆଡ଼କୁ ଯାଇଁ ଦେଖିଲା ଡାଳିମ୍ବ ଗଛକୁ ଆଉଜି ରେବତୀ କାନ୍ଦୁଚି । ଧୀରେ ଧୀରେ ତାହା ନିକଟକୁ ଯାଇ ପରୁ ତାର ହାତଟିଏ ଧରି ଡାକିଲା ‘‘ରେବ ।”

 

ରେବ ଉତ୍ତର ଦେଲା ନାହିଁ ।

 

ପୁଣି ଥରେ ପରୁ ଡାକିଲା—ରେବ !!

 

ରେବ ଆଖି ଫେରାଇ ଅନାଇଲା ।

 

ପୁଣି ଥରେ ପରୁ ଡାକିଲା—ରେବ !!!

 

ରେବତୀ, ଏତେବେଳେ ଯାକେ ଅନ୍ତରେ ଅନ୍ତରେ କାନ୍ଦୁ ଥିଲା । ଆଖିବାଟେ ଲୁହ ଗଡ଼ୁଥିଲା, କିନ୍ତୁ ସେ ଏତେବେଳଯାକେ ହୃଦୟର ଆବେଗକୁ କୌଣସି ପ୍ରକାରେ ସମ୍ଭାଳି ନେଇଥିଲା, ମାତ୍ର ଆଉ ପାରିଲା ନାହିଁ । ପରମାନନ୍ଦ ଆଡ଼କୁ ଅନାଇଁ କଇଁ କଇଁ ହୋଇ କାନ୍ଦି ଉଠିଲା । ପରମାନନ୍ଦ ମଧ୍ୟ କାନ୍ଦି ଉଠିଲା ।

 

ଧୀରେ ଧୀରେ ରେବତୀକୁ ଆପଣା ଆଡ଼କୁ ଆଣି ଆଖି ଦିଓଟି ତାର ଧୀରେ ଧୀରେ ପୋଛି ଦେଇ ପରମାନନ୍ଦ ପଚାରିଲା— ‘ଛି, ଛି ରେବ ତୁ କାନ୍ଦୁଛୁ’ ?

 

ରେବତୀ ପରମାନନ୍ଦ ଆଡ଼କୁ ଢଳି ପଡ଼ି ଉଚ୍ଛ୍ଵସିତ କଣ୍ଠରେ ପଚାରିଲା ‘ପରୁ ନନା ମୁଁ କଅଣ କରିଚି କହିଦିଅ’ ।

 

ପରୁ ପଚାରିଲା—କୁ କଥା ? କଅଣ ମୁଁ କହିଦେବି ?

 

‘କାଲି ବାପା ଗାଆଁକୁ ଯାଇଥିଲେ ସମସ୍ତେ ଆମକୁ ଘୃଣା କରୁଛନ୍ତି, ଅଟକ ରଖିଛନ୍ତି’ ।

 

‘କାହିଁକି’ ?

 

“କାହିଁକ ଆଉ କଅଣ, ତୁମେ କଅଣ ବୁଝି ପାରୁନ କିଛି ? ମୋରି ପାଇଁ ସବୁକଥା । ପରୁ ନନା, ତମେ ମତେ ଏ କାଚ ସିନ୍ଦୂର କାହିଁକି ପୁଣି ପିନ୍ଧାଇ ଦେଲ ?”

 

ପରୁ ଚମକି ପଡ଼ିଲା । ଭାବିଲା—ରେବତୀ ଆଜି ଛୋଟ ପିଲାଟିଏ ନୁହେଁ । ସାଂସାରର କିଛି କିଛି ସେ ବୁଝିଲାଣି । ସେ କଅଣ ଆଉ ପରୁର ଉଦ୍ଦେଶ୍ୟ ବୁଝି ପାରିନାହି । ନା ବୁଝିପାରି ଅପମାନିତ ବୋଧ କରିଛି ।

 

ପରମାନନ୍ଦର ହାତ ଧୀରେ ଧୀରେ ଶିଥିଳ ହୋଇ ଆସିଲା । ଧୀରେ ଧୀରେ ସେ ପଛକୁ ଘୁଞ୍ଚି ଆସି ରେବତୀ ଆଡ଼କୁ ଚାହିଁ ପଚାରିଲା—‘‘ରେବ ! ତୁ କଅଣ ଉଦ୍ଦେଶ୍ୟ ମୋର ବୁଝନୁ ? କାଚ ସିନ୍ଦୂର ପିନ୍ଧିବାକୁ ତୋର ମନ ନାହିଁ ?”

 

ରେବତୀ କଅଣ କହିବାକୁ ପରମାନନ୍ଦ ଆଡ଼କ ଅନାଇଲା, ମାତ୍ର ତଳକୁ ଆଖି ଲଇଁ ପଡ଼ିଲା । ପରମାନନ୍ଦ ଧୀରେ ଧୀରେ ତାହା ନିକଟକୁ ପୁଣି ଥରେ ଘୁଞ୍ଚି ଯାଇ ତାହାର ଗୋଟିଏ ହାତ ଧରି ଛିଡ଼ାହେଲା । । ଦେଖିଲା, ରେବତୀର ସାରା ଦେହରେ ଗୋଟାଏ କମ୍ପନ ଖେଳି ଯାଉଚି-। ରେବତୀ ସଳଖ ଭାବରେ ତାହା ମୁହଁକୁ ଚାହିଁ ପାରୁ ନାହିଁ । ଟିକିଏ ଚାହିଁ ତଳକୁ ଆଖି ପୋତି ଦେଉଛି । ପରମାନନ୍ଦ ଅନୁଭବ କଲା—ଆପଣାର ରୋମ ଟାଙ୍କୁରି ଉଠୁଛି । ଦେହରେ ଗୋଟାଏ ବୈଦ୍ୟୁତିକ କମ୍ପନ ।

 

ଘଡ଼ିଏ କାଳ ନୀରବ ଓ ନିସ୍ତବ୍‌ଧ ଭାବରେ କଟିଲା । ଧୀରେ ଧୀରେ ସେ ରେବର ହାତ ଛାଡ଼ି ଦେଇ ଅଗଣା ଭିତରକୁ ଚାଲି ଆସିଲା ।

 

ଲୀଳା ତାହା ଆଡ଼କୁ ଅନାଇଲେ । ପରମାନନ୍ଦ ପଚାରିଲା “ମାଉସୀ ! ତୁମେ କଅଣ ରେବତୀର ସୁଖ ଦେଖିପାରନା ?”

 

ଲୀଳା ନୟନ ଦୁଇଟିକୁ ପୂର୍ବାପେକ୍ଷା କରୁଣତର କରି ପରମାନନ୍ଦ ଆଡ଼କୁ ଅନାଇ ରହିଲେ ।

 

ପରମାନନ୍ଦ କହିଲା ‘ତେବେ ଏଇ ସାମାନ୍ୟ କଥାରେ ବିଚଳିର ହୋଇ ପଡ଼ିଲେ ଚଳିବ କେମିତି ? ସମାଜର ଅନ୍ଧ ମୁର୍ଖଗୁଡ଼ାକ ଯଦି ନ ବୁଝିବେ, ତେବେ ତୁମେ ବି କଣ ଜାଣିଶୁଣି ଆପଣାର ସୁଖ ଶରଧାରେ ଜଳାଞ୍ଜଳି ଦେଇ ବସିବ ନା କଅଣ ?’

 

ଲୀଲ ଉତ୍ତର ଦେଲେ—କଅଣ ତୁ କହୁଚୁ ବାପ ?

 

“କଅଣ ଆଉ ଉତ୍ତର ଦେବି? ଜାତିଭାଇ ହଜାରେ ବାଧା ଦେବେ ତ ଦିଅନ୍ତୁ, ରେବତୀର ପୁଣି ଥରେ ବିବାହ ହେବ । ଏତେ ବିଧବା ବିବାହ ହୋଇ ଯାଉଚି କଅଣ ଶୁଣୁନ ତୁମେ-?”

 

“ଶୁଣିଛ ତ । ତୋ ମଉସା ବି ତ ସେଇକଥା ଧରି ବସିଛନ୍ତି । କିନ୍ତୁ ପାତ୍ର ମିଳୁଛି କାହିଁ ? ଜାଣନ୍ତେ ଭଲା ପିଲଟାର ସୁଖଲାଗି ଅଜାତି ହେଲେଇଁ, କିନ୍ତୁ ତା ତ ହୋଇ ପାରୁନି । ଆଜିକି ଦି ବର୍ଷ ହେଲା ମଉସା ତୋର ବୁଲି ବୁଲି ଥକି ଗଲେଣି । ବରଂ ଏକଥା ଶୁଣି ଲୋକେ ତାଙ୍କୁ ଘୃଣା କରୁଛନ୍ତି । ବାର ଅପମାନ ଦେଉଛନ୍ତି । ସବୁ କଥା ଲୁଚି ପଡ଼ନ୍ତା, ଯଦି ଆମର ଧନ ସମ୍ପତ୍ତି ଥାଆନ୍ତା-। ଅକାରଣେ ଅକୁଳ ହେବା କଥା ସାର ହେଉଚି । ମୁଁ କହୁଛି, ବାପ ଯାହା ତା କପାଳରେ ଥିଲା, ତାହାର ହୋଇଗଲା । ଜନ୍ମ ଦେଇଛେଁ ବୋଲି କର୍ମତ ଦେଇନୁ ? ତା ମୁଣ୍ଡରୁ ସିନ୍ଦୂର ଲିଭେଇ ଦେଇ କାଚ ପିଟି ଦେବା ଭଲ ।’’

 

‘‘ମାଉସୀ ! ତେମେ ମୋଟେ ବିଚଳିତ ହୁଅ ନାହିଁ । ରେବର ନିଶ୍ଚେ ବାହାଘର ହେବ । ପାତ୍ର ଖୋଜିବା ଆବଶ୍ୟକ ନାହିଁ । ମୁଇଁ ବିଭା ହେବାକୁ ପ୍ରସ୍ତୁତ ଅଛି ।’’

 

ସହଜ ଓ ସରଳ ସ୍ଵରରେ ପରମାନନ୍ଦ ପୂର୍ବୋକ୍ତ କଥା କହି ପକାଇଲା । ରେବତୀ ବାଡ଼ି ଦୁଆର କବାଟ କତିରେ ଛିଡ଼ା ହୋଇ ଶୁଣିଗଲା । ଲୀଳା ଭକୁଆଙ୍କ ଭଳି ପରମାନନ୍ଦ ଆଡ଼କୁ ଅନାଇ ରହିଲେ । ସେ ମନ ଭିତରେ ଭାବିଲେ—ସେ ଯାହା ଶୁଣିଲେ ତା ସତ୍ୟ ନା ଅସତ୍ୟ । ତେବେ ସତେ କଅଣ ଅଭାଗୀ ରେବତୀଟାର ଏତେ ବଡ଼ ଭାଗ୍ୟ ହେବ ! ମୁହଁ ଫିଟାଇ ଆଖିରୁ ଲୁହ ବିନ୍ଦୁ ଗଡ଼ାଇ ଧୀର ସ୍ଵରରେ ସେ ପଚାରିଲେ, ‘‘ପରୁ ତୁ ଆଜି କଅଣ ଶୁଣାଇଲୁ ବାପ ମୋତେ-! ସତ କଥା ?”

 

ପରୁ ତଳକୁ ଚାହିଁ କହିଲା—‘ସତକଥା ମାଉସୀ ସତକଥା’ ।

 

ଲୀଳା ମନଟାକୁ ଦୃଢ଼ କରି ନେଲେ—‘ତେବେ ଛାର ଜାତିଭାଇ କଥା କଣ, ଦୁନିଆଟା ଯଦି ଅଟକ କରି ରଖେ ତେବେ ବି କ୍ଷତି ନାହିଁ ।”

 

(ତେର)

 

ଜ୍ଞାନ କହ, ବିଜ୍ଞାନ କହ, ଗୋଟାଏ କିଛି ଅଦୃଷ୍ଟ ଶକ୍ତି ନିକଟରେ ସମସ୍ତେ ପରାଜିତ । ଜ୍ଞାନ ବିଜ୍ଞାନର ଶତ ସହସ୍ର ଉଦ୍ଭାବନକୁ ପରିହାସ କରି ମୁହୂର୍ତ୍ତକ ମଧ୍ୟରେ ସେଇ ଶକ୍ତି ସବୁ ଧ୍ଵଂସ କରି ଦଉଛି । ମନୁଷ୍ୟ ଆପଣାକୁ ଯେତିକି ଶକ୍ତିଶାଳୀ ଓ ସତର୍କ ମନେ କରୁଛି ନିୟତି ପଛରେ ଥାଇ ତେତିକି ହସୁଚି—‘‘ତୁ କିଛି ଜାଣୁନା ରେ ମୁର୍ଖ, ନିର୍ବୋଧ ।’’

 

ଚିକିତ୍ସା ଶାସ୍ତ୍ରରେ ପୀତବାସ ବାବୁ ସୁଦକ୍ଷ, ବଡ଼ ଡାକ୍ତରଙ୍କର ସେ ପରମ ଆତ୍ମୀୟ । ପୁଣି କଲିକତାରୁ ଦୁଇଜଣ ବିଚକ୍ଷଣ ଡାକ୍ତର ମଧ୍ୟରେ ଆଣିଥିଲେ, ମାତ୍ର ଶତଚେଷ୍ଟା ଓ ସହସ ସାବଧାନତା ସତ୍ତ୍ୱେ ସହଧର୍ମିଣୀ ନୀଳାମ୍ବରୀଙ୍କୁ ଅଟକାଇ ପାରିଲେ ନାହିଁ । ସେଇଦିନୁ ଚିକିତ୍ସା ଶାସ୍ତ୍ରରେ ତାଙ୍କର ଅନାସ୍ଥାଭାବ ପ୍ରକାଶ ପାଇଲା । ତାଙ୍କ ମନରେ ଦୃଢ଼ ଧାରଣା ହେବାକୁ ଲାଗିଲା–ଏ ଗୁଡ଼ାକ ଖାଲି ବାଆକୁ ବତା, ଜଣକର ଯାହା ଇଚ୍ଛା ଥିବ ତାହା ହିଁ ହେବ । ଖାଲି ତେତିକି ନୁହେଁ–ଜୀବନ ଭିତରେ ସହସ୍ର ରୋଗୀ ଘଣ୍ଟି ସେ ଏତିକି ମାତ୍ର ସାର ଅଭିଜ୍ଞତା ଅନୁଭବ କଲେ ଯେ, ଯାହାର ଯିବାର ଥିବ ସେ ନିଶ୍ଚେ ଚାଲିଯିବ । କେହି ତାର ପଥ ଓଗାଳି ପାରିବ ନାହିଁ । ଅସ୍ତାଚଳରେ ବାଡ଼ ପକାଇଲେ ଅସ୍ତଗାମୀ ସୂର୍ଯ୍ୟଙ୍କୁ କେହି ବାନ୍ଧି ରଖି ପାରିବେ ନାହିଁ, ବସନ୍ତର ପଥ ବନ୍ଧିବାକୁ ଶତଚେଷ୍ଟା କଲେ ସୁଦ୍ଧା ନିଶ୍ଚୟ ସେ ନିଦାଘର ଚିତାନଳ ମଧ୍ୟକୁ ପ୍ରୟାଣ କରିବ । ତାକୁ ନିର୍ବାଣ କହ ବା ମହାପ୍ରସ୍ଥାନ କହ କିମ୍ବା ମୃତ୍ୟୁ କହ, ସେହି ଧ୍ଵଂସ ଦେବତାର କରାଳ କବଳରୁ କାହାରି ମୁକ୍ତି ନାହିଁ ।

 

ତେବେ କଥା କଅଣ କି, ଯିଏ ଚାଲିଯାଏ ସେ ଭାବେ ନାହିଁ । ଯାହାକୁ ଛାଡ଼ିଯାଏ ସେଇ ଭାବେ, ସେଇ କାନ୍ଦେ । ନୀଳାମ୍ବରୀ ଅନେକ ଦିନରୁ ଚାଲି ଯାଇଛନ୍ତି, ମାତ୍ର ପୀତବାସ ବାବୁ ଦିନ ରାତି କାନ୍ଦୁଛନ୍ତି । ସେ ଆଜକୁ ଦଶ ଏଗାର ବର୍ଷ ତଳର କଥା । ସେ ଦୁଃଖ କୌଣସି ପ୍ରକାରେ ପୀତବାବୁଙ୍କର ଦିହସୁହା ହୋଇ ଯାଇଛି ।

 

ତେତିକି ମାତ୍ର ଦୁଃଖ ବହନ କରି ପୀତବାବୁ ଯଦି ଜୀବନର ଶେଷ ଅଂଶ ଟିକକ କୌଣସି ପ୍ରକାରେ କଟାଇ ଦେଇ ପାରି—ଥାନ୍ତେ, ପିଲା ଦୁଇଟିଙ୍କୁ ଘେନି ସବୁ ଭୁଲି ଯାଇଥାନ୍ତେ । ମାତ୍ର ତାଙ୍କ ଆଖିର ଉଚ୍ଛ୍ଵଳ ତାରା ଯୋଡ଼ିକ ଭିତରୁ ଆଜକୁ ସାତଦିନ ହେବ ଗୋଟିଏ ଖସିପଡ଼ିଚି । ସଂସାରରେ ଏତେ ବଡ଼ କ୍ଷତି କେହି ସହି ପାରନ୍ତି ନାହିଁ, ସେ ବି ସହି ପାରିଲେ ନାହିଁ । ମନୁଷ୍ୟର ଧୈର୍ଯ୍ୟ ଅବା କେତେ ? ଦୁଇଟି ବୋଲି ମାଣିକ୍ୟ ତାଙ୍କ ନିଃସଙ୍ଗ ଜୀବନର ଏକମାତ୍ର ଅବଲମ୍ବନ ଥିଲେ, କିନ୍ତୁ ତହିଁ ଭିତରୁ ଆଜି କେଇଦିନ ଭିତରେ ଗୋଟିକୁ ସେ ହଜାଇ ବସିଛନ୍ତି । ଯାହାର ଆପଣାର ଅନୁଭୂତି ନାହିଁ, ସେ ବୁଝି ପାରିବ ନାହିଁ—ଆଜି କାହିଁକି ପୀତବାବୁ ପାଗଳ ଭଳି ହୋଇ ପଡ଼ିଛନ୍ତି । ସେଦିନ ପରି, ଚାରିଟାବେଳେ ଇସ୍କୁଲରୁ ଫେରିଆସି ବସନ୍ତ କହିଲା—ମାଷ୍ଟରବାବୁ । ମୋ ଦେହରେ ହାତ ମାରିଲେଣି ?

 

ପରମାନନ୍ଦ ତାହା ଦେହରେ ହାତ ମାରି ଚମକି ପଡ଼ିଲା—ଆରେ ତୋତେ ତ ଜର ।

 

ଠିକ୍ ସେଇ ମୁହୂର୍ତ୍ତରୁ ବସନ୍ତ ବିଛଣା ଧରିଲା ଯେ ଆଉ ଉଠିଲା ନାହିଁ । ପୀତବାବୁଙ୍କ ଶତଚେଷ୍ଟାକୁ ଉପହାସ କରି କ୍ରମେ ସେ ଅଜ୍ଞାନ ହୋଇ ପଡ଼ିଲା । ପୀତବାବୁ ନିତାନ୍ତ ବିଚଳତ ହୋଇ ସହକର୍ମୀମାନଙ୍କ ସାହାଯ୍ୟ ଲୋଡ଼ିଲେ; ଡାକ୍ତର ସାହେବଙ୍କ ଉପଦେଶ ଘେନିଲେ; ମାତ୍ର ସବୁ ବୃଥା ହେଲା । ବସନ୍ତର ବିଛଣାରେ ପଡ଼ିବାର ଚଉଦ ବିନ୍ ଦିନ ପୀତବାସବାବୁ ମୁଣ୍ଡରେ ହାତ ଦେଇ ବସିଲେ । ଆଖିରୁ ଅବିଶ୍ରାନ୍ତ ଅଶ୍ରୁ ଝରିଲା । ପରମାନନ୍ଦକୁ ଡାକି ସେ ଧୀର ସ୍ଵରରେ କହିଲେ...ପରୁ ! ଜୀବନ ଗୋଟାକ ଯାକ ମୁଁ ଅନ୍ଧକାର ମଧ୍ୟରେ ଘୂରି ଘୂରି ବୁଲୁଛି । ଆଜି ବୁଝୁଚି ମୋର ସମସ୍ତ ବିଦ୍ୟା ବୁଦ୍ଧି ବୃଥା । ବସୁ ମୋର ଆଉ ବଞ୍ଚିବ ନାହିଁ । ମୁଁ ବି ବଞ୍ଚିବି ନାହିଁ । ଜୀବନ ଚାଲିଗଲେ ପିଣ୍ଡଟା ବୃଥା । ପଡ଼ି ରହିବ କାହିଁକି ?

 

ପରମାନନ୍ଦର କଲିଜା ଫଟାଇ ଗୋଟିଏ ଦୀର୍ଘନିଃଶ୍ୱାସ ବାହାରି ଆସିଲା । ଆଜକୁ ସେ ତିନିବର୍ଷ ହେଲା ଡାକ୍ତରୀ ପଢ଼ୁଚି, ପୀତବାବୁଙ୍କ ସହିତ ଏହି ଭଳି କେତେ ସାନ୍ନିପାତିକ ଜ୍ୱର ରୋଗୀର ସେ ଚିକିତ୍ସା ନ କରିଛି, କିନ୍ତୁ ଏଭଳି ଲକ୍ଷଣ କାହିଁ କୌଠିତ ସେ ଦେଖି ନାହିଁ । ଏହା ରୋଗ ନୁହେଁ, ଶେଷ ଆହ୍ଵାନ । କାହାର ସାଧ୍ୟ ଅଛି ପଛକୁ ତାକୁ ଖଣି ଧରିବ ? ତଳକୁ ମୁହଁ ପୋତି ହତାଶ ଭାବରେ ପରମାନନ୍ଦ କହିଲା—‘‘ଇଞ୍ଜେକସନ୍ ଦେବେ ?”

 

ପୀତବାସ ବାବୁ ଠକ୍ ପୂର୍ବପରି ସହଜ ସ୍ଵରରେ କହିଲା—’’ଲୋଡ଼ା ନାହିଁ । ଶେଷ ମୁହୂର୍ତ୍ତରେ ବୃଥାରେ ଯନ୍ତ୍ରଣା ବଢ଼ାଇ ଫଳ କଅଣ ?”

 

ତା’ପରେ ବସନ୍ତର ଜୀର୍ଣ୍ଣ ଶୀର୍ଣ୍ଣ ବଦନ ଆଡ଼କୁ ଢଳିପଡ଼ି ଅତି ବିକଳରେ ପୀତବାବୁ ଡାକିଲେ—‘‘ବା ପରେ ମୋର, ଧନରେ ମୋର, ଥରୁଟିଏ ଚାହାଁ ମୋତେ, ପଦୁଟିଏ କଥା କହ ।”

 

ମାତ୍ର ବସନ୍ତ ଆଉ ଚାହିଁଲା ନାହିଁ, ପଦୁଟିଏ କଥା ଶୁଣାଇଲା ନାହିଁ । ପୀତବାସ ବାବୁ ଦୁଲ୍‌କିନି ଖସି ପଡ଼ିଲେ । ଦେହରେ ଜ୍ଞାନ ରହିଲା ନାହିଁ । ପରୁ କାନ୍ଦିଉଠିଲା, ହେମୀ କାନ୍ଦି ଉଠିଲା-

 

ସେଇ ମୂହୁର୍ତ୍ତରୁ ପୀତବାସବାବୁ ବିଛଣା ଧରିଛନ୍ତି । ସେଇଦିନୁ ଆହାର ଛାଡ଼ି ଦେଇଛନ୍ତି, ଏବଂ ସେଇଦିନୁ ବାତୁଳ ହୋଇ ଏଣୁ କେତେ କଣ ବକୁଛନ୍ତି । ବେଳେ ବେଳେ ‘‘ଧନ ମୋର କାହିଁ ଗଲୁରେ’’ ବୋଲ ଅତି ବିକଳରେ ଖଟ ଉପରୁ ତଳକୁ ଦୁଲ୍—କିନି ଖସି ପଡ଼ୁଛନ୍ତି । ସାଙ୍ଗ ସାଥିଏ ଏବଂ ଡାକ୍ତର ସାହେବ ନିଜେ ଆସି ତାଙ୍କୁ ବୁଝାଉଛନ୍ତି, ମାତ୍ର ସେମାନଙ୍କୁ କେତେବେଳେ ହାତ ଯୋଡ଼ି କ୍ଷମା ମାଗୁଛନ୍ତି, ‘‘ବୃଥାରେ ମୋତେ ଆଉ ଯନ୍ତ୍ରଣା ଦିଅନ୍ତୁ ନାହିଁ, ମୁଁ ଆଉ ବଞ୍ଚିବି ନାହିଁ ।” କେତେବେଳେ ଅବା ଅପମାନ ସୂଚକ ବାର କଥା ଶୁଣାଇ ଦେଉଛନ୍ତି—‘‘କି ଅହଙ୍କାର ଘେନି ତୁମେମାନେ ମୋର ଚିକିତ୍ସା କରିବାକୁ ମନ ବଳାଇଛ ? ତୁମ୍ଭେମାନେ ଜାଣ କଅଣ ? ଇଚ୍ଛାମୟଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ଦଣ୍ଡାୟମାନ ହେବାକୁ କି ଶକ୍ତି ଅଛି ତୁମର ? ଯାଅ ଯାଅ ତୁମେମାନେ, ମୁଁ ଡାକ୍ତରୀ ମାନେ ନାହିଁ । ଔଷଧରେ ମୋର ବିଶ୍ୱାସ ନାହିଁ ।”

 

ଦୀର୍ଘ ନିଃଶ୍ଵାସ ପକାଇ ସମସ୍ତେ ଲେଉଟି ଯାଆନ୍ତି ।

 

ଅନେକେ ଦେଖିବାକୁ ଆସନ୍ତି, ଫେରି ଯାଆନ୍ତି । ମାତ୍ର ବିଛଣା ଉପରୁ ଉଠନ୍ତିନାହିଁ—ପରମାନନ୍ଦ ଓ ବାର ବର୍ଷର ଝିଅ ହେମୀ । ଯେତେ କହିଲେ ଶୁଣନ୍ତି ନାହିଁ, ଗାଳିଦେଲେ କାନ ଦିଅନ୍ତି ନାହିଁ । ଦିନ ନାହିଁ ରାତି ନାହିଁ, ଭୋକ ନାହିଁ ଶୋଷ ନାହିଁ, ବିଛଣା ଉପରେ ବସି ରହି ଥାଆନ୍ତି ।

 

ଚାକର ବାକର—ଯେତେ ଯାହା କହ, ସମସ୍ତେ ପଇସାର ସାଥୀ—ସ୍ଵାର୍ଥର ଅବତାର । ସେମାନଙ୍କଠାରେ ପ୍ରକୃର ପ୍ରାଣର ପରିଚୟ ଖୁବ୍ କ୍ଵଚିତ ମିଳେ । ଯନ୍ତ୍ରଭଳି ସେମାନେ କାମ କରନ୍ତି-। ଛାୟାଚିତ୍ର ଭଳି ସେମାନଙ୍କ ଗତିବିଧି ନିର୍ଜୀବ ।

 

ବନ୍ଧୁମାନେ ଅନୁରୋଧ କରନ୍ତି—‘‘ପୀତବାବୁ ! ଏପରି ଅଧୀର ହେଲେ ଚାଲିବ କିମିତି-? ହେମୀଟି ଛୋଟ ଝିଅ, ତାକୁ ଦେଖିବ କିଏ ? ନିରାଶ୍ରୟ ପିଲାଟି କାହା କୋଳରେ ଆଶ୍ରା ନେବ-?” କିନ୍ତୁ ପୀତବାବୁ ଉପରକୁ ହାତ ଦେଖାଇ କହନ୍ତି ‘‘ମୁଁ ନୁହଁ ସେ, ଯିଏ ତାକୁ ଜନ୍ମ ଦେଇଛନ୍ତି । ସଂସାରରେ କେହି କାହାର ନୁହେଁ । ବୃଥାରେ ମୋତେ ଆଉ ଭୁଲାଅନା, ମୁଁ ଭୁଲିବି ନାହିଁ । ସର୍ବସ୍ଵ ମୁଁ ହରାଇ ବସିଛି, ଆଉ ମୋର କିଛି ନାହିଁ । ଆଜୀବନ ଅନ୍ଧ ଭାବରେ ଅଣ୍ଡାଳି ବୁଲିଛି । ପ୍ରତାରିତ ହୋଇଛି ମଧ୍ୟ । ଆଉ କିଛି ମୋର ଲୋଡ଼ା ନାହିଁ ।”

 

ସମସ୍ତ ଅନୁରୋଧ ବୃଥା ହୁଏ । ପୀତବାବୁ ଜଳ ସ୍ପର୍ଶ କରନ୍ତି ନାହିଁ ।

 

ଆଠଦିନ ଦିନ ଅବସ୍ଥା ଅତି ଶୋଚନୀୟ ହେଲା । ସହକର୍ମୀ ସୁଜନ ବାବୁ ଓ ପ୍ରିୟବନ୍ଧୁ ସନାତନ ଦାସ ଓକିଲ ଆସି ବିଛଣା ଉପରେ ବସି ରହିଲେ । ସଞ୍ଜ ହେଲା, ମାତ୍ର ଉଠିଲେ ନାହିଁ । ଉଭୟଙ୍କ ମୁଖରେ ସେଇ ଗୋଟିଏ ମାତ୍ର ଅନୁରୋଧ—‘‘ପୀତବାସ—ବାବୁ ! ବୃଥାରେ ଜୀବନଟା ବିସର୍ଜନ ଦିଅ ନାହିଁ । ପଛରେ ହେମୀଟି ପଡ଼ିରହିଛି । ତାହା ଆଡ଼କୁ ଥରେ ଫେରି ଚାହଁ ।” ମାତ୍ର ପୀତବାବୁଙ୍କର ସେଇ ଗୋଟିଏ ମାତ୍ର ଉତ୍ତର—“ଆଉ ମୁଁ ରହିବି ନାହିଁ । “

 

ସଞ୍ଜ ହେଲା । ଦୀପ ଲାଗିଲା । ଦୂର ଦେଉଳରେ ଘଣ୍ଟି ବାଜିଲା । ପୀତବାବୁ ନୀଳାମ୍ବରୀଙ୍କ ତୈଳ ଚିତ୍ର ଖଣ୍ଡିକ ଆଡ଼କୁ ଏକଧ୍ୟାନରେ ଅନାଇ ରହି ଅସ୍ପଷ୍ଟ ସ୍ଵରରେ କଅଣ ଗୁଡ଼ାଏ ବକିଲେ । ଆଖିପତା ତଳେ ଦୁଇଧାର ଲୁହ ବହିଗଲା । ମୁହଁ ଫେରାଇ ବନ୍ଧୁଦ୍ୱୟଙ୍କୁ ସେ ହାତଯୋଡ଼ି ବିଦାୟ ମାଗିଲେ “ଭାଇ ! ଆଜି ମୋର ବହୁତ କାମ ଅଛି । ଆପଣ ମାନେ ବିଦାୟ ନିଅନ୍ତୁ । ମୋତେ ଆଉ ବିଶେଷ ବିରକ୍ତ କରନ୍ତୁ ନାହିଁ । ଶେଷ ସମସ୍ତ ଟିକକ ମୋର ଶାନ୍ତିରେ କଟିଯାଉ ।”

 

ଉଠିବାକୁ ଇଚ୍ଛା ନ ଥିଲେ ସୁଦ୍ଧା ବନ୍ଧୁଦ୍ଵୟ ବିଦାୟ ଘେନି ତଳକୁ ଓହ୍ଲାଇ ଗଲେ । ପୀତବାବୁ ଆଦେଶ କଲେ—‘‘ଲଣ୍ଡନ ଉଠାଅ, ପିଲିସଜରେ ଘିଅଦୀପ ଜାଳିଦିଅ, ଧୂପାଚିରେ ଝୁଣାଗୁଗୁଳ ଚୁନା ଛିଞ୍ଚିଦିଅ” । ଆଦେଶ ପ୍ରତିପାଳିତ ହେଲା । ପୀତବାବୁ ଧୀର ସ୍ଵରରେ ଡାକିଲେ ‘ପରମାନନ୍ଦ !’ ପରମାନନ୍ଦ କଡ଼କୁ ଲାଗି ବସିଲା । ପୀତବାବୁ ତାହା ଆଡ଼କୁ ଅନାଇ ପଚାରିଲେ ‘ଆଉ କେହି ଅଛି କି ?’ ପରମାନନ୍ଦ ଟିକିକ ଆଡ଼େ ଆଖି ବୁଲାଇ ଆଣି ଉତ୍ତର ଦେଲା, ‘ନା, ଆଉ କେହି ନାହିଁ ।’ ପୀତବାସ ବାବୁ ଏକଦୃଷ୍ଟିରେ ପରମାନନ୍ଦ ଆଡ଼କୁ କିଛିକ୍ଷଣ ଅନାଇ କହିଲେ “ପରମାନନ୍ଦ, ଗୋଟିଏ କଥା ତୁମକୁ ମୁଁ ଆଜି କହିବି । ଗୋଟିଏ ସର୍ତ୍ତରେ ମୁଁ ଆଜି ଜଳସ୍ପର୍ଶ କରିବାକୁ ରାଜିଅଛି ।’’

 

ପରମାନନ୍ଦ ବଡ଼ ଉତ୍ସୁକ ହୋଇ ଉଠିଲା ।

 

‘‘ପରମାନନ୍ଦ ! ମୋର ଯେଉଁ ରତ୍ନଟି ହଜିଯାଇଚି ତାହାର ଅଭାବ ପୂରଣ କରି ପାରିବ-?’’

 

ନତ ମସ୍ତକରେ ପରମାନନ୍ଦ କହିଲା—‘‘ଆପଣ ଏଭଳି କାହିଁକି ପଚାରୁଛନ୍ତି ମୋତେ-?’’

 

ଠିକ୍ ପୂର୍ବବତ୍‌ ସ୍ଵରରେ ପୀତବାବୁ କହିଲେ ‘‘କାହିଁକି କି ପ୍ରଶ୍ନ କରୁଚି ସେ ସମ୍ପୂର୍ଣ୍ଣ ସ୍ଵତନ୍ତ୍ର କଥା । ତେବେ, ସେପାରିରୁ ମୋର ଆହ୍ଵାନ ଆସିଲାଣି । ମୁଁ ଆଉ ବେଶୀ ଦିନ ନାହିଁ । କଥା କଅଣ କି, ଯଦି ତମେ ଗୋଟିଏ ମସ୍ତବଡ଼ ତ୍ୟାଗ ସ୍ଵୀକାର ନ କର, ତେବେ ଯେତେ ଦିନ ରହିବାର କଥା ତେତୋଟି ଦିନ ରହି ପାରିବି ନାହିଁ ।’’

 

ପରମାନନ୍ଦ ବଡ଼ ବିଚଳିତ ହୋଇ ଉଠିଲା । ପଚାରିଲା ‘‘ଆପଣ କଅଣ କହୁଛନ୍ତି ?’’

 

ଆଗରେ ଜଳୁଥିବା ଦୀପ ଆଡ଼କୁ ଆଙ୍ଗୁଳି ବଢ଼ାଇ ପୀତବାବୁ ପଚାରିଲେ ‘ଇଏ କଅଣ-?’

 

ପରମାନନ୍ଦ ତାଙ୍କ କଥା କିଛି ବୁଝି ପାରିଲା ନାହିଁ । ସେ ଉତ୍ତର ଦେଲା ‘ପ୍ରଦୀପ ।’

 

‘ଏକୁ ଚାହିଁ ଶପଥ କରି ପାରିବ ପରୁ ?’

 

ମନ୍ତ୍ରଚାଳିତ ଭଳି ପରମାନନ୍ଦ ଉତ୍ତର ଦେଲା ‘ପାରିବି’ ।

 

‘ତେବେ ଶପଥ କର ।’

 

‘‘ଶପଥ କଲି ।”

 

‘କଥଣ ଶପଥ କଲ?’

 

‘ଆପଣ ଜାଣନ୍ତି ।’

 

ପୀତବାବୁ ହସିଉଠିଲେ ହା ! ହା ! ‘‘ବଡ଼ ସରଳ ତମେ ପରୁ । ଜାଣନା ଏଇ ଶପଥ ଦ୍ଵାରା କେତେ ବଡ଼ ସ୍ଵାର୍ଥରେ ତମେ କୁଠାରାଘାତ କଲ । ପରୁ, ବର୍ତ୍ତମାନ ସୁଦ୍ଧା ସମୟ ଦେଉଛି । ଭାବି ଦେଖ କଅଣ କରିବାକୁ ଯାଉଛ । ଜୀବଟା ମୋର ଜୀର୍ଣ୍ଣ ହୋଇଆସିଲାଣି । ହୁଏତ ଖୁବ୍‌ଜୋର ଦିନ କେତୁଟା ଆଉ ବଞ୍ଚି ରହିବି । ମାତ୍ର ସେଥିଲାଗି ତମେ ଏତେ ବଡ଼ ସ୍ଵାର୍ଥ ତ୍ୟାଗ କରିବ କାହିଁକ ପରୁ! ସମୟ ଦେଉଛି, ଶପଥ ପ୍ରତ୍ୟାହାର କର ।”

 

କିନ୍ତୁ ପୂର୍ବପରି ସହଜ ସ୍ଵରରେ ପରମାନନ୍ଦ ଉତ୍ତର ଦେଲା— “ଆପଣ ମୋତେ ଛଳନ୍ତୁ ନାହିଁ । ଆପଣଙ୍କ ଜୀବନ ଲାଗି ସାମାନ୍ୟ ଶପଥଟାଏ ମୁଁ କରିଛି, ବିଶେଷ କିଛି କରିନାହିଁ । କହନ୍ତୁ ଆପଣ, କଅଣ ମୋତେ କରିବାକୁ ହେବ ।”

 

ପୀତବାବୁ କହିଲେ । ‘‘ତମକୁ କରିବାକୁ ହେବ—କିଛି ନାହିଁ । ସବୁ ମୁଁ କରି ଦେଇ ଯିବି-। ତେବେ, ତମକୁ କେବଳ ସ୍ଵାର୍ଥତ୍ୟାଗ କରିବାକୁ ହେବ ।’’

 

ପରମାନନ୍ଦ ତଳକୁ ମୁହଁ ପୋତି ନିରୁତ୍ତର ରହିଲା ।

 

ପୀତବାବୁ କହିଲେ “ମୋର ସମସ୍ତ ଧନ ସମ୍ପତ୍ତି ତମ ହାତରେ ଦେଇଯିବି ।”

 

“ମୋର ସେ ସବୁ କଅଣ ହେବ ?”

 

“କଅଣ ହେବ ସେ ଭିନ୍ନ କଥା । ଶପଥ କରିଛ, ଗ୍ରହଣ କରିବାକୁ ହେବ ।”

 

ପରମାନନ୍ଦ ମନେ ମନେ ବଡ଼ ବିଚଳିତ ହୋଇ ଉଠିଲା ।

 

ପୀତବାସ ବାବୁ ଉଚ୍ଚ ସ୍ଵରରେ ଡାକିଲେ ‘‘ମାଆଲୋ ହେମୀ ।”

 

ହେମୀ ବାହାର ବରଣ୍ଡାରେ ଠିଆ ହୋଇ ଶୂନ୍ୟ ଓ ବିଷର୍ଣ୍ଣ ମନରେ ନୀଳ ଆକାଶ ଆଡ଼କୁ ଅନାଇଁ ଥିଲା । ବାପାଙ୍କ ଡାକ ଶୁଣି ଖଟ ପାଖରେ ଆସି ଛିଡ଼ା ହେଲା ।

 

ପୀତବାବୁ ଡାକିଲେ ‘‘ପରମାନନ୍ଦ ! ଶପଥ କରିଛ, ହାତ ଦେଖାଅ, ମୁଁ ଦାନ କରେ ।”

 

ପରୁ ଚମକି ପଡ଼ି ପଛକୁ ଘୁଞ୍ଚିଗଲା । ଦେଖିଲା ପୀତବାସବାବୁ ହେମୀର ହାତଟିକୁ ଧରିଛନ୍ତି ଏବଂ ପରମାନନ୍ଦକୁ ଡାକୁଛନ୍ତି । ଛାତି ତାର ଦୁଲୁକି ଉଠିଲା । ମନେ ପଡ଼ିଲା ଲୀଳାବତୀଙ୍କ ନିକଟରେ ଗୋଟିଏ ପ୍ରତିଜ୍ଞା—‘‘ପାତ୍ର ଖୋଜିବା ଲୋଡ଼ା ନାହିଁ ମାଉସୀ, ମୁଇଁ ବିଭା ହେବାକୁ ପ୍ରସ୍ତୁତ ଅଛି ।” ପରମାନନ୍ଦ ଭକୁଆଙ୍କ ଭଳି ଠିଆହୋଇ ରହିଲା । ଦେହ ଥରି ଉଠିଲା । ହୃତ୍‌ପିଣ୍ଡର ପ୍ରକ୍ରିୟା ଅବଶ ହୋଇ ଆସିଲା ।

 

ପୀତବାସ ବାବୁ ଡାକିଲେ ‘‘ପରମାନନ୍ଦ ! ଭାବିବାର ବେଳ ଥିଲା, ବର୍ତ୍ତମାନ ଆଉ ନାହିଁ-। ହାତ ବଢ଼ାଅ, ମୋର ସର୍ବସ୍ଵ ଗ୍ରହଣ କର ।”

 

ତଥାପି ପରମାନନ୍ଦ ନିର୍ବାକ ନିସ୍ପନ୍ଦ ଭାବରେ ଛିଡ଼ାହୋଇ ରହିଲା ।

 

ପୀତବାବୁ ପୁଣି ଡାକିଲେ ‘‘ପରମାନନ୍ଦ ! ମୃତ୍ୟୁ—ପଥଗାମୀର ହୃଦୟରେ ଅଧିକ ଆଉ ବ୍ୟଥା ଦିଅ ନାହିଁ । ଜୀବନ—ଦୀପ ମୋର ଲିଭି ଆସୁଛି । ଖୁବ୍ ସହିଛି, ଆଉ ସହି ପାରିବି ନାହିଁ ।”

 

ପରମାନନ୍ଦ ଦେଖିଲା, ନତମସ୍ତକରେ ହେମୀ କାନ୍ଦୁଚି । ପୀତବାସ ବାବୁଙ୍କ ଗଣ୍ଡ ବହି ଦୁଇଧାର ଲୁହ ଗଡ଼ି ପଡ଼ୁଚି । ମନ୍ତ୍ର ଚାଳିତ ପରି ସେ ଆଗକୁ ଘୁଞ୍ଚି ଆସି ହାତ ବଢ଼ାଇଲା ।

 

ପୀତବାବୁ ହେମୀର ହାତଟି ପରୁ ହାତ ଉପରେ ଥୋଇ ଦେଇ ଉଠି ବସିଲେ । କହିଲେ–‘‘ପରୁ ! ମୁଁ ଆଜି ଆଉ ମରୁ ନାହିଁ । ନିଶ୍ଚୟ ତମ ଦୁହିଁଙ୍କର ବିବାହ କାର୍ଯ୍ୟ ବଢ଼ାଇ ଦେଇ ଯିବି-। ତେବେ ବେଶୀଦିନ ନୁହେଁ । ଦିଅ, ତେବେ ଟୋପିଏ ପାଣି ଦିଅ, ମୁଁ ପିଏ, ତୃଷାରେ ଛାତି ଫାଟି ଯାଉଛି ।”

 

ପରମାନନ୍ଦ ପୀତବାସ ବାବୁଙ୍କ ପାଟିରେ ପାଣି ଦେଲା । ଆଠ ଦିନ ପରେ ସେଇ ପ୍ରଥମ ପୀତବାବୁ ଜଳସ୍ପର୍ଶ କଲେ ।

 

(ଚଉଦ)

 

ପୀତବାସ ବାବୁ ସୁସ୍ଥ ହୋଇ ଉଠି ବସିଲେ । ପରମାନନ୍ଦ ତାଙ୍କର ଆଉ ପରନୁହେଁ । ନିଜେ ଲାଗିପଡ଼ି ଯୋଗାଡ଼ କଲେ । ନିଜେ ଯାଇ ମନ ମୁତାବକ ଅଳଙ୍କାର, ଗୁଡ଼ିଏ କିଣିଲେ । ମଟରରେ ଘର ଘର ବୁଲି ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ କରି ଆସିଲେ ।

 

ହେମୀ ଲାଜରେ ଲୁଚି ଲୁଚି ବୁଲିଲା । ସେ ଆଉ ପରମାନନ୍ଦର ଛାଇ ମାଡ଼ିଲା ନାହିଁ । ତେବେ, ଏକ ଘରେ ସବୁବେଳେ ଚଳିଲେ ଜଗି ହୁଏ ନାହିଁ, ବେଳେ ବେଳେ ଆଗରେ ପଡ଼ିଗଲେ ଓଢ଼ଣା ଟାଣିଦେଇ ଚାଲି ଯାଏ ।

 

ଆଡ଼ମ୍ବର ସହିତ ବିଭାଘର ଶେଷ ହୋଇଗଲା । ନନ୍ଦକିଶୋର ନିମନ୍ତ୍ରୀତମାନଙ୍କ ମଧ୍ୟରେ ଆସିଥିଲେ । ରେବତୀ ଓ ଲୀଳାବତୀ ପୀତବାସ ବାବୁଙ୍କ ଅନୁରୋଧରେ ଉପସ୍ଥିତ ଥିଲେ-। ଲୀଳାବତୀଙ୍କ ଉପରେ ଭଣ୍ଡାର ଘରର ସମସ୍ତ ଭାର ପଡ଼ିଥିଲା ।

 

ପରମାନନ୍ଦ ମନରେ ବିବାହର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ନାନା ପ୍ରକାର ପ୍ରତିବାଦ ଉଠୁଥାଏ—ନା, ନା, ହୋଇ ପାରିବ ନାହିଁ । ହେମୀ ତାର ହୋଇ ପାରିବ ନାହିଁ । ସେ ସ୍ପଷ୍ଟ ମନା କରିଦେବ—ନା, ସେ ପୂର୍ବରୁ ପ୍ରତିଜ୍ଞାବଦ୍ଧ । ରେବତୀକୁ ସେ ଜବାବ ଦେଇଛି । ଧର୍ମତଃ ସେ ରେବତୀକୁ ବିବାହ କରି ସାରିଛି । ମାତ୍ର କାହିଁକି କେଜାଣି ତୁଣ୍ଡ ଫଟାଇ କିଛି କହିବାକୁ ସାହସ ହେଲା ନାହିଁ । ତାହାରି ଆଗବାଟେ ରେବତୀ ଘୁରି ଫେରି ବୁଲୁଥାଏ; ମାତ୍ର ତାହା ମୁହଁଆଡ଼କୁ ଅନାଇଁ ପାରିଲା ନାହିଁ । ଲୀଳାବତୀ ଅନ୍ତରାଳରେ ଥାଇ ପରମାନନ୍ଦ ଆଡ଼କୁ ଅନାଇ ଲୁହ ପୋଛୁ ଥାଆନ୍ତି । ପରୁର ମନେହେଉଥାଏ—ନା, ନା ସେ ଆଉ ସମ୍ଭାଳି ପାରିବ ନାହିଁ । ପୀତବାବୁଙ୍କ ଗୋଡ଼ ଧରି କହିବ ‘‘ମୋତେ ଆପଣ କ୍ଷମା ଦିଅନ୍ତୁ । ମୁଁ ଆପଣଙ୍କୁ ପ୍ରତାରିତ କରିଛି । ମୁଁ ଆପଣଙ୍କୁ ପ୍ରତାରିତ କରିଛି । ମୁଁ ଆପଣଙ୍କୁ କହିନାହିଁ ଯେ ଆଗରୁ ମୁଁ ପ୍ରତିଜ୍ଞା କରି ସାରିଛି ।” କିନ୍ତୁ ସାହସ ହେଲା ନାହିଁ ।

 

ବିଭାଘର ସରିଗଲା । ପ୍ରିୟାପ୍ରୀତ ଫେରିଗଲେ । ପୀତବାବୁ କର୍ମକ୍ଷେତ୍ରରୁ ବିଦାୟ ଗ୍ରହଣ କରି ଅନ୍ତିମକାଳ ଟିକକ ଶ୍ରୀକ୍ଷେତ୍ରରେ କଟାଇ ଦେବେ ବୋଲି ଘର ବାଡ଼ିର ସମସ୍ତ ଭାର ପରମାନନ୍ଦ ଉପରେ ଲଦିଦେଲେ । କହିଲେ ‘‘ପରୁ ! ଏଥର ମୁଁ ବାହାରିଲି । ଏଣିକି ତୁମ ସଂସାର ତୁମେ ଦେଖ ।”

 

ହେମୀ ଦେଖିଲା—ପାଦ ଧରି କାନ୍ଦିଲେ ସୁଦ୍ଧା ବାପା ଶୁଣିଲେ ନାହିଁ । ସଂସାରର ସମସ୍ତ ମାୟା—ବନ୍ଧନ ଛିଡ଼ାଇ ଦେଇ ସେ ପୁରୀଧାମକୁ ଚାଲିଗଲେ । ଅନୁନୟ ବିନୟ କଲେ ସୁଦ୍ଧା ସେ ସଙ୍ଗରେ ନେଲେ ନାହିଁ । ଚିରଦିନ ବଡ଼ ଚଞ୍ଚଳ ତାର ପ୍ରକୃତି । ତାର ପ୍ରଗ୍‌ଳଭତାକୁ ଖାଦ୍ୟ ଯୋଗାଇବା ନିମନ୍ତେ ଅନ୍ୟ ସୁବିଧା—ଜନକ ସହଚର ଆଉ କେହି ନାହିଁ । ସୁତରାଂ ଲାଜ ସରମ ଛାଡ଼ି ପରମାନନ୍ଦ ଆଡ଼କୁ ଦୌଡ଼ିବାକୁ ବାଧ୍ୟ ହେଲା । ପରମାନନ୍ଦ ତାର ପ୍ରାଣ ପଣେ ଚେଷ୍ଟା କଲେ ହେମୀଠାରୁ ଦୂରରେ ରହିବାକୁ, ମାତ୍ର ସବୁ ଯତ୍ନ ତାର ବୃଥା ହେଲା ।

 

ପରମାନନ୍ଦ ଅନେକ ଥର ମନକୁ ଦୃଢ଼କରି, ହେମୀକି ସବୁ କଥା ବୁଝାଇ କହିବ, “ହେମୀ ! ସେଦିନ ଯାହା କହୁଥିଲ ସତ କଥା ଏକା, ବାସ୍ତବିକ ମୁଁ ରେବତୀକି ତୁମଠୁ ବଳି ସୁଖ ପାଏଁ । ରେବତୀକି ମୁଁ ଆଗରୁ ଜବାବ ଦେଇ ସାରିଛି ।” କିନ୍ତୁ ତୁଣ୍ଡ ଫିଟାଇ କରି କହି ପାରେ ନାହିଁ-। ଏତେ ବଡ଼ ସରଳା ବାଳିକା ହେମୀଟି, ତାକୁ କେମିତି ସେ ଏତେ ବଡ଼ ନିଷ୍ଠୁର କଥାଟା କହିଦେବ-। ପରୁ କହିବ କହିବ ରୋଜ ହୁଏ, କିନ୍ତୁ କହି ପାରେ ନାହିଁ । ସ୍ଥିର କରେ—ହେମୀ ଆଜି ଛୋଟ ପିଲା । ଚିରଦିନ କିଛି ଏମିତି ସେ ଥିବ ନାହିଁ । ଦିନେ ସେ ବଳେ ସବୁ କଥା ବୁଝି ପାରିବ । ଦିନେ ନିଶ୍ଚେ ପରମାନନ୍ଦର ସୁବିଧା ଆସିବ, ହେମୀର ହାତ ଧରି କ୍ଷମା ମାଗି ନେବାକୁ ।

 

କିନ୍ତୁ ତେତେବେଳେ କ୍ଷମା ମାଗି ଫଳ ଆଉ କଅଣ ? ଏକୁଟିଆ ବସି ପରମାନନ୍ଦ ଏଇ କଥା ସବୁବେଳେ ଭାବୁଥାଏ । ଚିନ୍ତା ସ୍ରୋତରେ ଭାସି ବୁଡ଼ି ଥଳକୂଳ କିଛି ପାଏ ନାହିଁ । ସଂସାରର ଭୋଗ ବିଳାସରୁ ସେ ସମ୍ପର୍ଣ୍ଣ ରୂପେ ଦୁରଛଡ଼ା ହୋଇ ଥାଏ । କିନ୍ତୁ ତାର ସେ ଚିନ୍ତାରେ ବାଧା ଦିଏ ହେମୀ । ସଦା ସର୍ବଦା ଚପଳ ସେ । ଦୌଡ଼ି ଆସି ବିରକ୍ତ କରିପକାଏ ‘ମାଷ୍ଟର ବାବୁ ! କଅଣଗୁଡ଼େ ବସି ଭାବୁଛ ? ଇସ୍କୁଲକୁ ଆଜି ଯିବନି କି ? ମାଷ୍ଟର ବାବୁ, ତେମେ କିଛି ବୁଝିଲ ନାହିଁ, ଘର ଦ୍ଵାର କଅଣ ହେଉଚି ଦେଖିଲଣି ? ଚାକର ବାକର ମୋ କଥା କିଛି କେହି ଶୁଣୁ ନାହାନ୍ତି । ମୁଁ ବି ତାଙ୍କୁ ଗାଳି ଦେଇ ପାରୁନାହିଁ । ସେ ଗୁଡ଼ାକ ଭାରି ଦୁଷ୍ଟ । ସତିଆଟା କାଲି ବଜାର ସଉଦାରୁ ଦିଅଣା ଖାଇଚି, ମୁଁ ତାକୁ ଧରିଚି । ମାଷ୍ଟର ବାବୁ, ବାପାଙ୍କର ସେ ଚିଠି ଖଣ୍ଡକର ଆଜିଯାକେ ଉତ୍ତର ଦେଲନାଇଁ ? ତମେ ଦିନକୁଦିନ ଭାରି ଚଗଲା ହୋଇଯାଉଚ । ଆଚ୍ଛା ମାଷ୍ଟରବାବୁ ! ତମେ ଏମିତି କଳାକାଠ ପଡ଼ିଯାଉଛ କାହିଁ କି ? ବାପାଙ୍କୁ କଣ ଲେଖିବି ଆସିବାକୁ ?”

 

ଏମିତି ଏମିତି ନାନା ପ୍ରଶ୍ନ ଓ ନାନା ଅଭିଯୋଗ ଘେନି ହେମୀ ପରମାନନ୍ଦକୁ ବିରକ୍ତ କରି ପକାଏ । ମାତ୍ର ପରମାନନ୍ଦ ଶୁଣି ଶୁଣେ ନାହିଁ, ଦେଖି ଦେଖେ ନାହିଁ । ଛୋଟ ବାଳିକାଟିଏ ହେମୀ । କାହୁଁ ସେ ବୁଝିବ ପରୁର ମନ କଥା ? କାହିଁକି ପରୁ ଦିନକୁ ଦିନ କଳାକାଠ ପଡ଼ିଯାଉଚି, ସେ କଥା ସେ କେମିତି ବୁଝିବ ?

 

ଘର ଦ୍ଵାର ନ ଦେଖିଲେ ନ ଚଳେ, ଦେଖୁଁ ଦେଖୁଁ ନଷ୍ଟ ହୋଇଯିବ ଜିନିଷପତ୍ର କିଏ କୁଆଡ଼େ ବୋହି ନେବେ, କେମିତି ଦିହ ସହିବ ? ହେମୀ ବିଚାରି ସବୁ ନିଜେ ବୁଝେ, ସବୁ ନଜର କରେ ।

 

ସମୟ କାହାରିକି ଚାହିଁ ବସେନା । ସୂର୍ଯ୍ୟ ଦେବତାକୁ ଅଟକାଇ ରଖିବାର ଶକ୍ତି କାହାର ନାହିଁ । ସେଇଥିଲାଗି ଖରା ଯାଏ ବର୍ଷା ଆସେ, ବର୍ଷା ଯାଏ ଶୀତ ଆସେ, ବର୍ଷ ଘୂରିପଡ଼େ । ହେମୀ ଆଉ ଆଜି ପିଲାଏ ହୋଇ ନାହିଁ । ପରମାନନ୍ଦର ଛାତ୍ର ଜୀବନ ଶେଷ ହୋଇ ଯାଇଛି । ପୀତବାସ ବାବୁ ଥରକ ପାଇଁ ପୁରୀଧାମ ଛାଡ଼ି କଟକ ଆସିଥିଲେ । ସଂସାରର ବାକି କାମ ଟିକକ ଶେଷ କରି ଫେରି ଯାଇଛନ୍ତି । ପରମାନନ୍ଦ ବର୍ତ୍ତମାନ କଟକ ବଡ଼ ଡାକ୍ତରଖାନାର ଜଣେ ଡାକ୍ତର । ହେମୀ ଏତେ ବଡ଼ ସଂସାରର ଗୃହିଣୀ ।

 

ସେତେବେଳେ ହେମୀ ପିଲାଟିଏ ଥିଲା ଯେ, କିଛି ଭଲକରି ଅନୁଭବ କରିପାରୁ ନଥିଲା; କିନ୍ତୁ ଆଜି ସେ ପରିଷ୍କାର ରୂପେ ଜାଣି ପାରୁଛି ଯେ, ପରମାନନ୍ଦର ସ୍ନେହ ଆଦର ମଧ୍ୟରେ ଗୋଟାଏ କିଛି ପ୍ରତିବନ୍ଧକ ରହି ଯାଉଛି । ପରମାନନ୍ଦ ହେମୀକି ଖୁବ୍ ସ୍ନେହ କରେ, କିନ୍ତୁ ତାରି ଭିତରେ ଯେମିତିକି କଅଣଗୁଡ଼େ ବାକି ପଡ଼ି ଯାଉଛି । ହେମୀ ହସି ଖେଳି ଚାଲିଯାଏ, ମାତ୍ର ତାରି ଭିତରେ ସତର୍କ ଭାବରେ ଖୋଜି ବୁଲୁଥାଏ—ପରମାନନ୍ଦର ଅନ୍ତର ଭିତରଟା । କିନ୍ତୁ ଭଲକରି କିଛି ଠଉରେଇ ପାରୁ ନ ଥାଏ—କାହିଁକି ଯେ ପରମାନନ୍ଦର ସଦା ହାସ୍ୟମୟ ମୁଖରୁ ଜ୍ୟୋତି ଖସିପଡ଼ିଚି, କାହିଁକି ତାର କପାଳ ଉପରେ କୁଞ୍ଚିତ ରେଖା ଦେଖା ଦେଇଚି ?

 

କିଛିଦିନ ପରେ । ସକାଳୁ ପରମାନନ୍ଦ ତାର ଚିର ସହରର ତଳ ମହଲର ପକା ଘରଟିକୁ ଚାଲି ଆସିବାକୁ ଚଟି ଦି’ପଟି ପିନ୍ଧୁଚି, ଏରୁଣ୍ଡି ଉପରେ ଠିଆ ହୋଇ ଖଟ ଉପରକୁ ହାତ ଦେଖାଇ ହେମୀ କହିଲା, ‘‘ବସ ।” ପରମାନନ୍ଦ ଦଣ୍ଡେ ଫେରି ଚାହିଁ ଖଟ ଉପରେ ବସି ପଡ଼ିଲା । ଗୋଡ଼ ପାଖରେ ବସି ହେମୀ ପରମାନନ୍ଦର ଆଣ୍ଠୁ ଉପରେ ମୁହଁ ଥୋଇଲା ଏବଂ ତା ମୁହଁଆଡ଼କୁ ଚାହିଁ ରହିଲା । ସୁଦ୍ୟସ୍ନାତା ହେମନ୍ତ କୁମାରୀର ଓଦା ବାଳ ଗୁଡ଼ିକ ଏଣେ ତେଣେ ଝୁଲି ପଡ଼ିଥାଏ । ଦେହରେ ଅଳଙ୍କାର ବାହୁଲ୍ୟ ନାହିଁ । ଖଣ୍ଡିଏ ଶୁଷ୍କ ଶୁକ୍ଳ ବସ୍ତ୍ର । କିଛି ସମୟ ହେମୀ ଏକ ଦୃଷ୍ଟିରେ ଚାହିଁ ରହିଲା, ଆଖି ତାର ଛଳ ଛଳ ହୋଇ ଆସିଲା । ମାତ୍ର ପରମାନନ୍ଦ କିଛି କହିଲା ନାହିଁ । ହେମୀ ସ୍ଵାମୀର କୋଳରେ ମୁହଁ ଲୁଚାଇ ହୃଦୟର ଉଦବେଗରେ କଇଁ କଇଁ ହୋଇ କାନ୍ଦି ଉଠିଲ, ତଥାପି ପରମାନନ୍ଦ କିଛି ପଚାରି ପାରିଲା ନାହିଁ । ଶେଷକୁ ହେମୀ ମୁଣ୍ଡ ଟେକି ପରମାନନ୍ଦ ଆଡ଼କୁ ପୁଣିଥରେ ଅନାଇଲା, ଦୁଇ ଆଖିରୁ ଦୁଇ ଧାର ଲୁହ ଗଡ଼ି ପଡ଼ୁ ଥାଏ, ପରମାନନ୍ଦ ଆଉ ସମ୍ଭାଳି ପାରିଲା ନାହିଁ । ଚମକି ପଡ଼ିଲା—ସତେତ ! ସରଳା ବାଳିକାଟିର କି ସର୍ବନାଶ ମୁଁ ନ କଲି ।” ହାତ ଦୁଇଟି ବଢ଼ାଇ ହେମୀକୁ ଆପଣାବକ୍ଷ ଉପରକୁ ଭିଡ଼ ନେଇ ପଚାରିଲା ‘‘ହେମୀ ! କାନ୍ଦୁଛ ତମେ ?”

 

ହେମୀ ଆଖି ପୋଛି ପକାଇଲା । ମାତ୍ର ଭିତରଟା ଯାହାର କୁହୁଳି କୁହୁଳି ଜଳୁଚି, ତାର ଲୁହ ଲୁଚେ କେତେକେ ?

 

ପରମାନନ୍ଦ କହିଲା—“ତମେ ଯେବେ ଏମିତି କାନ୍ଦିବ ତେବେ ମୁଁ ଉଠୁଚି ?

 

ହେମୀ କହିଲା—‘ନା, ନା, ତେମେ ବସ ।’

 

‘କାହିଁକି କାନ୍ଦୁଚ ତମେ?’

 

“ନାଇଁ, ମୁଁ କାନ୍ଦୁନାଇଁ, ଖାଲି—’’

 

ପରମାନନ୍ଦର ଗଳାରେ ଝୁଲିପଡ଼ି ତାର ସେଇ ଶୁଷ୍କ ଶୀର୍ଣ୍ଣ ମୁଖ ଆଡ଼କୁ ହେମୀ ଅନାଇ ରହିଲା । ତାର ଇଚ୍ଛା ଏ ଗୋଟିଏ କଥା ସେ ପଚାରିଦେବ, କିନ୍ତୁ ଜିଭ ଆଗରେ କଥା ରହିଲା ।

 

ପରମାନନ୍ଦ ମନେ ମନେ ଭବିଲା—ଅପରାଧଟାକୁ ବେଶୀ ଦିନ ଲୁଚାଇ ରଖିବା ଉଚିତ ନୁହେଁ । ଛାତି ଉପରର ଭାରଟା କ୍ରମେ କ୍ରମେ ବିଶେଷ ଭାରାକ୍ରାନ୍ତ ହୋଇ ପଡ଼ୁଛି । ମନ ହେଲା ହେମୀର ହାତ ଧରି ସବୁ କଥା କହି ପକାଇବ, ମାତ୍ର ତୁଣ୍ଡ ଫେରିଲା ନାହିଁ ।

ହେମୀ ତିନିଥର ଢୋକ ଗିଳିଲା—ମନ ହେଲା ଏଇ ଥରକ ପଚାରି ଦେବ ‘‘ତେମେ ସବୁବେଳେ କଅଣ ଭାବୁଚ । ଡାକିଲା—‘ଶୁଣୁଚ ।’’

 

ପରମାନନ୍ଦ ଅପରାଧୀଟି ପରି ତାହାର ଆଡ଼କୁ ଅନାଇ ରହିଲା ପଚାରିଲା ‘‘କଅଣ ?”

 

ତଳକୁ ମୁହଁ ପୋତି ହେମୀ କହିଲା—‘‘ନାଇଁ, କିଛି ନୁହେଁ ଖାଲି ସେମିତି ଡାକିଲି ।’’

 

ପରମାନନ୍ଦ ବୁଝି ପାରିଲା—ପ୍ରକୃତରେ ହେମୀର କିଛି କହିବାକୁ ମନ ଅଛି, ମାତ୍ର କହି ପାରୁନାହିଁ । ପରୁର ମନ ଭିତରେ ସନ୍ଦେହଟା ଘନୀଭୂତ ହୋଇ ଆସିଲା । ସେ ପଚାରିଲା ‘‘ହେମୀ-! ତମେ ଏଣିକି ମିଛ କହିଲଣି ।’’

 

ଅପ୍ରତିଭ ହୋଇ କଥାଟାକୁ ହେମୀ ବୁଲାଇ ନେଲା—‘‘ନାଇଁ, କିଛି ନାଇଁ, ବାପା ଗୋଟାଏ ଚିଠି ଲେଖିଥିଲେ ଯେ ସେଇ କଥା କହୁଥିଲି । ”

 

ପରମାନନ୍ଦ ପଚାରିଲା—‘‘ବାପା କଅଣ ଲେଖିଛନ୍ତି ?’’

 

ହେମୀ କହିଲା —‘‘ଲେଖିଛନ୍ତି ବହୁତ କଥା, ତେବେ—

 

ହେମୀ କଅଣ କହିବାକୁ ଯାଉଥିଲା, ଅଟକିଗଲା । ପରୁ ଉତ୍ସୁକ ହୋଇ ପଚାରିଲା ‘‘ତେବେ କଣ ?”

 

ହେମୀ କହିଲା—‘‘ଲେଖିଛନ୍ତି କିଏ କେମିତି ଅଛି ଲେଖିବାକୁ ।’’

 

ପରୁ କହିଲା—“ଲେଖି ଦଉନ ।’’

 

ହେମୀ—‘‘କଅଣ ଲେଖିବି ? ତମକଥା କେମିତି ଲେଖିବି ?”

 

ପରମାନନ୍ଦ ଚମକି ପଡ଼ି ପଚାରିଲା “କାହିଁକି ?’’

 

ଟିକିଏ ବିରକ୍ତ ହୋଇ ହେମୀ କହିଲା ‘‘କାହିଁକି କଅଣ ? କଅଣ ଲେଖିବି ? ତମ ସେ ଆଗ ଚେହେରା କାହିଁ ? ସେ ଆଗଟି ପରି ତମେ କଅଣ ଆଉ ଅଛ ? ଦେଖିବ, ଆଣିବି ତମ ଆଗ ଫଟଟା ? ଠିଆ ହେଲ ଦର୍ପଣ ଆଗରେ ।’’

 

ହେମୀ ଉଠି ଠିଆ ହେଲା । ଅଭିମାନରେ ଆଖି ଦୁଇଟା ପୁଣି ଛଳଛଳ ହୋଇ ଆସିଲା-। ଓଠ ଥରି ଉଠିଲା ।

 

ଥରେ ସେ ଆଡ଼କୁ ଚାହିଁ ଦେଇ ପରମାନନ୍ଦ ଲଜ୍ଜା ଓ ଘୃଣାରେ ମୁହଁ ପୋତି ଦେଲା ।

 

(ପନ୍ଦର)

 

ପରମାନନ୍ଦ ଏକୁଟିଆ ବସି ଭାବେ—ବାସ୍ତବିକ ସେ ଆଉ ଆଗପରି ନାହିଁ । ଏଇ ଦିନ କେତେଟା ଭିତରେ ସେ କେମିତି କଅଣ ହୋଇ ଯାଇଛି । ହେମୀକି ସେ ପ୍ରତାରିତ କରିଛି, ରେବୀକି ମଧ୍ୟ । ଦୁଇଟି ସରଳ ବାଳିକାର ସେ ସର୍ବନାଶ କରିଛି । ଜୀବନରେ ଏ କଳଙ୍କ ଲିଭିବ ନାହିଁ ।

 

ପରମାନନ୍ଦ ଆଗରୁ ଅନେକ କଥା ଭାବୁଥିଲା । ମାତ୍ର ଏଥି ମଧ୍ୟରେ ଥରୁଟିଏ ସେ ରେବତୀର ଗୋଟିଏ ପଡ଼ିଶା ଘରକୁ ଜଣେ କାହାର ଚିକିତ୍ସା କରିବା ଲାଗି ଯାଇଥିଲା । ଯାଉ ନଥିଲା ସେ, ଡାକ୍ତର ସାହେବ ତାକୁ ବଳେଇଲେ । ରେବତୀଘର ଆଡ଼କୁ ଚାହିଁବ ନାହିଁ ବୋଲି ସେ ମନ ଦୃଢ଼ କଲା । ମାତ୍ର ପାରିଲା ନାହିଁ । ଆଖି ତାର ଓଟାରି ହୋଇଗଲା ସେ ଆଡ଼କୁ । ସେ ଦେଖିଲା ପର୍ବ—ବର୍ଣ୍ଣିତ ଡାଳିମ୍ବ ଗଛକୁ ଆଉ ଅନ୍ୟମନା ନିରଳଙ୍କାରୀ ରେବତୀ କାନ୍ଦୁଚି । ମୁଣ୍ଡରେ ତାର ସିନ୍ଦୂର ବିନ୍ଦୁଟି ପର୍ଯ୍ୟନ୍ତ ଆଉ ନାହିଁ । ସେହିଦିନୁ ପରମାନନ୍ଦର ବଡ଼ ପରିବର୍ତ୍ତନ ଘଟିଚି । ଅତି ଚଞ୍ଚଳ ତାର ଦେହ ଝଡ଼ି ଯାଉଛି । ଅତି ଚଞ୍ଚଳ ସେ ରୁଗ୍‌ଣ ହୋଇ ପଡ଼ୁଛି ଏବଂ ସେ ଦେଖୁଛି ତାହାର ଆଡ଼କୁ ସବୁବେଳେ ଅନାଇ ରହି ହେମୀ କଳାକାଠ ପଡ଼ି ଗଲାଣି । ଢଳ ଢଳ ରୂପକାନ୍ତି ତା’ର ମଉଳି ପଡ଼ିଲାଣି । ପ୍ରସ୍ଫୁଟିତ ଆନନରୁ ଚିର ସହଚର ହସ ଖଣ୍ଡକ ତାର ମିଳାଇ ଗଲାଣି । ସଦା ଚଞ୍ଚଳ ପ୍ରକୃତି ତାର ବଡ଼ ସଂଜତ ହୋଇ ପଡ଼ିଲାଣି । ସେ ଆଉ ବେଶୀ କଥା କହୁନାହିଁ, କାହାରି ସହିତ ମିଶୁନାହିଁ, ଏକୁଟିଆ ଠିଆ ହୋଇ ସବୁବେଳେ କଅଣ ଭାବୁଚି ।

 

ପରୁ ଭବେ, ଏସବୁ ଏମିତି କାହିଁକି ନ ହେଲା ? ଏସବୁ ଲାଗି ଦାୟୀ କିଏ ?

 

କିଛି ଦିନ ପରେ । ଅନେକ ଦିନର ଅଡ଼ୁଆ ବାଳ ଗୁଡ଼ାକ ଟିକେ ସଜାଡ଼ି ଦେବାପାଇଁ ହେମୀ ଖିଡ଼ିକି କଡ଼କୁ ବସି ପଡ଼ିଛି । ହାତରେ ପାନିଆ ଖଣ୍ଡେ, ପାଖରେ ସିନ୍ଦର ଫରୁଆଟି, ଆଗରେ ଦର୍ପଣ । କିଛି ଦୂରରେ ପାନ ବଟାଟା ମେଲି ଦେଇ ପାନ ଫଡ଼ାକରେ ଚୂନ ଲଗାଉଚି ରୁକୁଣୀ । ରୁକୁଣୀ ଏ ଘରର ଗୋଟିଏ ଦାସୀ, ଦୁଇବର୍ଷ ଅବଧି ଏ ଘରେ ଆସି ରହିଛି ।

 

ପାନ ଖିଲକ ପାଟିରେ ପୂରାଇ ଚୂନ ଆଙ୍ଗୁଠିଟାକୁ ରୁକୁଣୀ କାନ୍ଥରେ ପୋଛିଦେଲା । ଗୋଡ଼ ଦି’ଟା ଗୋଟେଇ ନେଇ, ଉଠି ବସି ହେମୀକୁ ଶୁଣାଇ ଅନୁଚ୍ଚ ସ୍ଵରରେ କହିଲା—“ମା, ଗୋଟାଏ କଥା ଶୁଣିଲଣି ?”

 

ହେମୀ ଆପଣାର କାମରେ ମନ ଦେଇ ପଚାରିଲା ‘‘କଉଁ କଥା ? “ଆଗକୁ ଟିକେ ଘୁଞ୍ଚି ଆସି ଧୀର ସ୍ଵରରେ ରୁକୁଣୀ କହିଲା “ଗୋଟାଏ କଥା ଆଜି ମୁଁ ଶୁଣି ଆସିଲି, କହିବି? “ହେମୀ ପୂର୍ବବତ୍ ଦର୍ପଣ ଆଡ଼କୁ ଅନାଇ ରହି କହିଲା— ‘କହୁନୁ?’

 

ରୁକୁଣୀ ଆହୁରି ପାଖକୁ ଲାଗି ଆସି କହିଲା—‘‘ମା ! ତମେ ଶୁଣିନ ? ସେଇ ଯେଉଁ ବିଧବା ଝିଅଟା ଆମ ଘରକୁ ଆସୁ ନ ଥିଲା ରେବୀ ନା କଅଣ ତା ନାଆଁ ଟା ?”

 

ହେମୀ ଟିକିଏ ଉତ୍ସୁକ ହୋଇ ଉଠି ପଚାରିଲା, “ହଁ, କଅଣ ହେଲା ସେଇଠୁ ?’’

 

ରୁକୁଣୀ କହିଲା—“ସେଇ ଝିଅଟାକୁ କୁଆଡ଼େ ଆମ ବାବୁ ବିଭା ହେବେ ବୋଲି କଥା ଦେଇଥିଲେ । ତାରି ପେଇଁ ବାବୁ ଆମର ସବୁବେଳେ ଭାବିତ ।’’

 

ହେମୀ ପାନବିଡ଼ାଟାକୁ ଫିଙ୍ଗିଦେଲା । ପିନ୍ଧା ପଣତଟାକୁ ରୁକୁଣୀ ମୁହଁରେ ମାଡ଼ିଦେଇ କହିଲା ‘ଚଣ୍ଡାଲୁଣି ! ସେ କଥା ମୁଁ କଅଣ ତୋତେ ପଚାରୁଚି ? ତୋତେ କିଏ କହିଲା ସେ କଥା ମୋ ଆଗରେ କହିବାକୁ ? ମୁଁ କଅଣ ସେ କଥା ଜାଣେ ନା ? ଜାଣେ, ସବୁ ଜାଣେ ।

 

ହେମୀର ଦୁଇ ଆଖିରୁ ଦୁଇଟି ବିନ୍ଦୁ, ଅଶ୍ରୁ ତଳେ ପଡ଼ିଲା ।

 

ରୁକୁଣୀ ହେମୀର ବ୍ୟବହାରରେ ରାଗିଗଲା । ଉଠିପଡ଼ି ସେ କହିଲା—“ସେଇ କଥା ତ କହୁଚି ମା, ସେଥିଲାଗି ଏତେ ରାଗ କଆଁ ? ଦାଣ୍ଡରେ ଚାଲିଗଲେ ବାର ଲୋକେ ବାର କଥା କହୁଚନ୍ତି ଦିହଟା ସହୁନାହିଁ ବୋଲି ତମ ଆଗରେ କହିଲେ । ହିତ କଥାଟା ଯଦି ମା, ତମକୁ ବିଷପରି ଲାଗିଲା, ତେବେ ଏଣିକି କିଛି ନ କହିବି ।

 

କଟମଟ କରି ହେମୀ ତାହା ଆଡ଼କୁ ଅନାଇଲା । କହିଲା—‘‘ରୁକୁଣୀ । ସ୍ଵାମୀ ସେ ମୋର, ତାଙ୍କ ଅପବାଦ ତୁ ମୋ ଆଗରେ କହିବୁ, ଆଉ ମୁଁ ତୋତେ ପ୍ରଶଂସା କରିବି, ନା ? କିଛି ନ କହିବାରୁ ଭାରିତ ତୋର ମୁହଁ ବଢ଼ି ଯାଉଚି ଲୋ । ଯା ଯା, ଏଇ ଛୁଣିକା ମୋ ଘରୁ ତୁ ବାହାରି ଯା-। ବାର ଲୋକେ କଅଣ କହିଲେ ନ କହିଲେ, ସେ କଥା ଶୁଣିବାକୁ ମୋର ବେଳ ନାହିଁ । କହି ବୁଲିବୁ ତ ଆଉ କୋଉଠିକିତୁ ଚାଲିଯା, ମୋ କତିରେ ସେ ସବୁ ଚଳିବ ନାହିଁ । ସ୍ଵାମୀ ସେ ମୋର, ଠାକୁର ସେ । ତାଙ୍କୁ ମୁଁ ଭଲ ଜାଣେ । ବାଜେ ଲୋକ ଗୁଡ଼ାକ ତମେ ସବୁ । ତାଙ୍କ କଥା ଚର୍ଚ୍ଚା କରିବାକୁ ଭାରି ସାହସ ତ ତମର ।”

 

ଚୋରପରି ରୁକୁଣୀ ହେମୀ ଆଗରୁ ପଳାଇ ଗଲା ।

 

ଆଜି ନୁହେଁ, ଆଜକୁ ଢେର ଦିନ ହେବ, ହେମୀ ସବୁ କଥା ଜାଣେ । ସେଦିନ ପିଲାମିରେ ସେ ପଚାରିଥିଲା ‘‘ମାଷ୍ଟର ବାବୁ ! ତେମେ ରେବୀକୁ ମୋଠୁଁ ବଳି ସୁଖପାଅ ?” କିନ୍ତୁ ଆଜି ଆଉ ତ ସେ ପିଲା ନୁହେଁ, ଆଜ ସେ ଠିକ୍‌ ବୁଝିଛି ବାସ୍ତବିକ ସେ ରେବତୀକୁ ବେଶୀ ସୁଖ ପାନ୍ତି । ହେମୀ ଆପଣାକୁ ଅପରାଧୀ ମଣେ ‘‘ସତେ ତ ! ମୋରି ପାଇଁ ସିନା ତାଙ୍କର ଏ ଦଶା ! ଆଉ ରେବତୀଟି ! ଆହା, କେଡ଼େ ସୁନ୍ଦର ତା ବ୍ୟବହାର ! ମୋରି ଲାଗି ସିନା ସେ ପ୍ରତାରିତ ହେଲା । ଚଣ୍ଡାଳୁଣୀ, କାହିଁକି ମୁଁ ବାପାଙ୍କର ଗୋଡ଼ ଧରି ସବୁ କଥା ଖୋଲି ନ କହିଲି ?”

 

କିଛି ଦିନ ଅନ୍ତର । ଚାରିଟା ବେଳେ ଡାକ୍ତରଖାନାରୁ ଲେଉଟି ଜଳଖିଆ କରି ପଢ଼ାଘରେ ବହି ଖଣ୍ଡିଏ ଆଗରେ ପକାଇ ବସି ପରମାନନ୍ଦ ଭାବୁଚି—ଏବେ କଅଣ ତାର କରଣୀୟ । ହେମୀ ଆସି ଦୁଆର ମୁହଁରେ ଠିଆହେଲା । କହିଲା “ପଢ଼ା ପଢ଼ି କିଛି ନାହିଁ, ମିଛଟାରେ ପାଞ୍ଚଟା ବେଳେ ବହି ଖଣ୍ଡିକ ମେଲେଇ ପକେଇ ଅନ୍ଧାର ଘରଟାରେ ବସି ରହିଲେ କଅଣ ଲୋକେ ମନ କଥା ଜାଣି ପାରିବେ ନାହିଁ ?”

 

ପରମାନନ୍ଦ ବଡ଼ ଅପ୍ରତିଭ ହୋଇ ଆଗକୁ ଚାହିଁ ଦେଖିଲା—ହେମୀ ମୁରୁକି ମୁରୁକି ହସୁଚି । ଅନିଚ୍ଛାସତ୍ତ୍ୱେ, ପରମାନନ୍ଦ ଟିକିଏ ହସିଦେଲା । ହେମୀ ଧୀରେ ଧୀରେ ଯାଇ ଚୌକି ପଛରେ ଠିଆ ହେଲା । ଧୀରେ ଧୀରେ ପରମାନନ୍ଦର ମୁଣ୍ଡ ବାଳ ମଧ୍ୟରେ ଆପଣାର ଅଙ୍ଗୁଳି ଗୁଡ଼ିକ ଚଳାଇ ପଚାରିଲା—‘‘ଆଚ୍ଛା ପିଲା ଦିନେ ମୁଁ ତମ ସାଙ୍ଗରେ ଏମିତି ଖେଳୁଥିଲି ନାଁ ?”

 

ଗୋଟିଏ ଦୀର୍ଘ ନିଶ୍ଵାସ ତ୍ୟାଗ କରି ପରମାନନ୍ଦ ପଛକୁ ଲେଉଟି ଅନାଇଲା । କିଛିକ୍ଷଣ ପରେ କହିଲା ‘‘ହେମୀ ବସ ।”

 

ହେମୀ କିନ୍ତୁ ବସିଲା ନାହିଁ, କହିଲେ,‘‘ଚାଲ ଟିକେ ବୁଲିଆସିବା ।”

 

ପରମାନନ୍ଦକୁ ହେମୀର କଥାଟା ବଡ଼ ଅଡ଼ୁଆ ଲାଗିଲା । ବହୁତ ବୁଲାବୁଲି ସେ ଏକ ରକମ ଛାଡ଼ି ଦେଇଚି । ବିଶେଷତଃ ବିବାହର ଜୀବନରେ ହେମୀକୁ ଘେନି ସେ କୁଆଡ଼େ ଯାଇ ନାହିଁ । ହେମୀର ଅନୁରୋଧ ରଖିବାକୁ ସେ ଆଜି ନାରାଜ । କହିଲା—“କୁଆଡ଼େ ଆଉ ଏତେବେଳେ ବୁଲି ଯିବା ?’’

 

କାହିଁକ କେଜାଣି, ହେମୀର ଆନନ୍ଦ ଖୁବ୍‌ ବେଶୀ । ପରମାନନ୍ଦର ହାତ ଧରି ସେ ଟାଣିଲା “ଉଠ ଯୁଆଡ଼େ ହେଉ ଟିକେ ବୁଲି ଆସିବା । ଘରଟାରେ ପଡ଼ି ପଡ଼ି ଭାରି ବିରକ୍ତ ଲାଗିଲାଣି ।’’

 

ପରମାନନ୍ଦ ଚୌକି ଛାଡ଼ି ଉଠିଲା ନାହିଁ, ବରଂ ହେମୀକୁ ଟାଣି ପାଖରେ ପଡ଼ିଥିବା ଟୁଲ ଖଣ୍ଡକ ଉପରେ ବସାଇ କହିଲା “ହେମୀ ବସ । ଗୋଟିଏ କଥା ଅନେକ ଦିନରୁ କହିବି କହିବି ହେଉଚି, କିନ୍ତୁ ଆଜିଯାକେ କହି ପାରିନାହିଁ । ଆଜି କହିବି, ତମ ଆଗରେ ନ କହିଲେ ଛାତି ଉପରର ବୋଝଟା କ୍ରମେ ବେଶୀ ଭାରି ହୋଇ ପଡ଼ୁଛି । ଆଉ ସମ୍ଭାଳି ପାରିବି ନାହିଁ ।” ପରମାନନ୍ଦ ହେମୀର ହାତ ଦୁଇଟିକୁ ଆପଣାର ଦୁଇ ହାତ ମଧ୍ୟରେ ଧରି ତାହାର ମୁହଁଟି ଆଡ଼କୁ ଅନାଇ ରହିଲା ।

 

ହେମୀ ହାତ ଦୁଇଟିକୁ ମୁକ୍ତ କରିବା ଲାଗି ପଛକୁ ଟାଣି ଟିକେ ହସିଲା, କହିଲା–‘‘ଛାଡ଼ିଦିଅ ମୋ ହାତ—ତମେ ଯାହା କହିବ ମୁଁ ଜାଣେ ।”

 

ପରମାନନ୍ଦର ମୁହଁ କଳାକାଠ ପଡ଼ିଗଲା । ସେ ମନେ ମନେ ଭାବିଲା—‘‘ତେବେ, ହେମୀ ସବୁ କଥା ଜାଣେ ?” ଜଳ ଜଳ କରି ସେ ହେମୀ ଆଡ଼କୁ ଅନାଇ ରହିଲା । ହାତ ଦୁଇଟାକୁ ଛଡ଼ାଇବା ପାଇଁ ହେମୀ ଟାଣିଲା । ଟିକେ ହସି ଦେଇ କହିଲେ—‘‘ତେମେ ଛାଡ଼, ମୁଁ ଶୁଣିବି ନାହିଁ ସେ ସବୁ କଥା । ସେଇ ଗୁଡ଼ାକ ସବୁବେଳେ ଭାବି ଭାବି ତେମେ ଏତେ ସରି ହେଲଣି ।’’

 

ପରମାନନ୍ଦର ହାତମୁଠା ଶିଥିଳ ହୋଇଗଲା, ଦେହ ଅବଶ ହୋଇ ଆସିଲା । ଆଖିରୁ ଠସ୍‌ ଠସ୍ ଲୁହ ଝଡ଼ି ପଡ଼ିଲା, କ୍ରନ୍ଦନର ଆବେଗରେ କଣ୍ଠ ଗମ୍ଭୀର ହୋଇ ଆସିଲା । ଧୀର ସ୍ଵରରେ ସେ ଡାକିଲା—‘ହେମୀ ! ହେମୀ !! ତମ ପାଖରେ ମୁ ବଡ଼ ଅପରଧୀ—’

 

କଥାରେ ବାଧା ଦେଇ ହେମୀ ମୁହଁ ବନ୍ଦ କରିଦେଲା । ପରମାନନ୍ଦର ଆଖି ଦୁଇଟା ପୋଛି ଦେଉଁ ଦେଉଁ ଅନୁଭବ କଲା, ଆପଣାର ଆଖିରେ ଲୁହ ଢୁଳୁଢୁଳୁ ହେଉଛି । ଆପଣାକୁ ସଂଯତ କରି ସେ କହିଲା—‘‘ତେମେ ଏଇ କଥାକୁ କାନ୍ଦୁଚ ଛି—ଛି !’’

 

ଆଜିଯାକେ ପରମାନନ୍ଦ ଆପଣାର ଉଚ୍ଛ୍ୱାସକୁ ସମ୍ଭାଳି ଆସିଥିଲା, ମାତ୍ର ଆଉ ପାରିଲା ନାହିଁ । ସାତ ସମୁଦ୍ର ଏକାଥରକେ ଉଛୁଳି ଉଠିଲା ଭଳି ସବୁ ଯାକ ଆବେଗ ତାର ଏକାବେଳକେ ଉଛୁଳି ଉଠିଲା । ଛୋଟ ଶିଶୁଭଳି ହେମୀର କୋଳରେ ମୁହଁ ଗୁଞ୍ଜି ସେ କାନ୍ଦି ଉଠିଲା, ‘ହେମୀ ! ହେମୀ !! ହେମୀ !!! ତମେ ଦେବୀ । ତମକୁ କୋଉ କଥା ମୁଁ ଲୁଚାଇବି ? ମୁଁ ବଡ଼ ଅପରାଧ କରିଛି । ମୋତେ କଅଣ ତମେ କ୍ଷମା ଦେଇ ପାରିବ ନାହିଁ ?”

 

ହେମୀ ମଧ୍ୟ ପିଲାଟି ପରି କାନ୍ଦି ପକାଇଲା । କହିଲା “ତମେ ଏମିତି ହୁଅନା ମୋତେ ଭାରି କାନ୍ଦ ମାଡ଼ୁଚି । ତେବେ ଏମିତି ମୋତେ କୁହନା, ଭାରି ଦୁଃଖ ଲାଗୁଛି । ଏସବୁ ମୋରି ଅପରାଧ । ମୁଇଁ ଚଣ୍ଡାଳୁଣୀ ଏତକ କରି ବସିଚି । ତମର କି ଦୋଷ ?”

 

ପରୁ କହିଲା, ‘‘ହେମୀ ! ସବୁ ତ ତମେ ଜାଣ । ମୁ ରେବତୀକି ଆଗରୁ କଥା ଦେଇ ସାରିଥିଲି ।”

 

ହେମୀ କହିଲା, ‘‘ତମର ଭୁଲ ନୁହେଁ । ମୁଁ ଜାଣି ଶୁଣି ବାପାଙ୍କୁ କହି ଦେଇ ନାହିଁ । ମୋରି ସବୁ ଅପରାଧ । ତମେ କଞ୍ଚା ସୁନାପରି ବିଶୁଦ୍ଧ ।”

 

ଦୁଇଟି ପ୍ରାଣୀ ପରସ୍ପର କୋଳରେ ପରସ୍ପର ଆଡ଼କୁ ଅନାଇ କାନ୍ଦିଲେ । ବୁଲିଯିବା ବନ୍ଦ ହେଲା ।

 

(ଷୋହଳ)

 

କିଛି ଦିନ ପରେ । ଲୀଳାବତୀ ବିରି ରଗଡ଼ୁଚନ୍ତି, ରେବତୀ ବାହାର ପହଁରୁଚି । ହସ ହସ ମୁଖରେ ହେମନ୍ତ କୁମାରୀ ଅଗଣା ଭିତରକୁ ପଶି ଆସି ଡାକିଲା—‘‘ଆଲୋ ରେବୀ, ପୋଡ଼ାମୁହିଁ, କଣ କରୁଚୁ କିଲୋ ?”

 

ପହଁରା ମୁଠାଧରି ରେବତୀ ଥକ୍‌କା ହୋଇ ତାହାର ଆଡ଼କୁ ଚାହିଁ ରହିଲା । ଲୀଳା କହିଲେ, “କି ଭାଗ୍ୟ ଆଜି ଆମର । ବହୁତ ଦିନ ପରେ ମାଆର ମୋର ଦେଖା । ଆଲୋ ରେବ, ବିଛଣା ଖଣ୍ଡେ ଆଣଲୋ ଆଗ ।”

 

ରେବତୀ ବିଛଣା ଆଣିବାକୁ ଗଲା ନାହିଁ—ସେହିଠାରେ ଠିଆ ହୋଇ ରହିଲା । ହେମୀ ଦେଖିଲା, ଏଇ ରେବତୀ କେଡ଼େ ସୁନ୍ଦର ଥିଲା, ଆଉ ଆଜି ହେଲାଣି କଅଣ ! ସେ ରୂପ ତାର ନାହିଁ, କି ସେ ଭେକ ତାର ନାହିଁ, ହାତ ଗୋଡ଼ରେ ଅଳଙ୍କାର କିଛି ନାହିଁ, ମୁଣ୍ଡରେ ସିନ୍ଦୂର ଟିପାଟି ନାହିଁ—ତା ଆଡ଼କୁ ଚାହିଁ ଦେଲେ କାନ୍ଦ ମାଡ଼ୁଛି ।

 

ହେମୀ ରେବତୀର ସେହି ବିକଳ ରୂପ ଆଡ଼କୁ ଚାହିଁ ରହିଲା ।

 

ଲୀଳା ଉଚ୍ଛନ୍ନ କଲେ, “ଆଲୋ ! ଠିଆଟା ହୋଇ ରହିଛୁ କେମିତି ? ରେବତୀ ଘରକୁ ଯାଇ ଖଣ୍ଡିଏ ବିଛଣା ଆଣି ପକାଇଲା । ହେମୀ ମାଉସୀଙ୍କ ଗୋଡ଼ତଳେ ମୁଣ୍ଡିଆଟିଏ ପକାଇ ରେବୀର ହାତ ଧରି ସଉପ ଖଣ୍ଡିକ ଉପରେ ବସାଇଲା ଏବଂ ଆପେ ବସିଲା । ଶୁଷ୍କ ମୁଖରେ ଜୋରକରି ହାସ୍ୟରେଖା ଟାଣି ରେବତୀ ପଚାରିଲା,“ଏମିତି ଝଡିଗଲୁଣି କାହିଁକି ମ ହେମୀ !”

 

ହେମୀ ତଳକୁ ଅନାଇ କହିଲା, “ହଁ, ମୁଁ ଝଡ଼ିଯାଉଚି, ଆଉ ତୁ ତ ଭାରି ମୋଟୀ ହୋଇ ଯାଉଚୁ ।”

 

ଶତ ସତର୍କତା ସତ୍ତ୍ୱେ ରେବତୀର କଲିଜା ଫଟାଇ ଗୋଟାଏ ପୂର୍ବ ନିଶ୍ଵାସ ବାହାରି ଆସିଲା । ହେମୀ ବୁଝିଲା, ରେବତୀ ହୃଦୟର କେତେ ବଡ଼ ହା—ହୁତାଶ ଏଇ ନିଶ୍ଵାସ ଭିତରେ ନିହିତ ଅଛି ।

 

ଦୁହିଁଙ୍କ ଭିତରେ କେତେ ଆଡ଼ୁ କେତେ କଥାଭାଷା ହେଲା ପରେ ହେମୀ ରେବତୀର ହାତଧରି କହିଲା, ରେବୀ ! ଚାଲ ଆମ ତେଣେ ବୁଲି ଆସିବୁ । ରେବୀର ମୁଖ ଶୁଖିଗଲା । ସେ ବାରଆଡ଼ୁ ବାର କାମ ପାଇଟିର ବାହାନା କାଢ଼ି କହିଲା “ନାଇଁ ହେମୀ ! ମୁଁ ଆଜି ଯାଇ ପାରବି ନାହିଁ ।” କିନ୍ତୁ ହେମୀର ଜିଗର ଶେଷ ବେଳକୁ ସାର ହେଲା । ରେବତୀର ହାତ ଧରି ହେମୀ ମଟରରେ ଆସି ବସିଲା । ଇଙ୍ଗିତ ମାତ୍ରେ ପିତାଙ୍କର ବୃଦ୍ଧ ମଟର ଚାଳକ ମଟର ଷ୍ଟାଟ୍ ଦେଲା । ଲୀଳାବତୀ ଗାଡ଼ି କଡ଼କୁ ଛିଡ଼ା ହୋଇ ବିଦାୟ ଦେଇ କହିଲେ, “ଝିଥ, କେବେ ପୁଣି ଆସିବୁ ? ରେବକୁ ଚଞ୍ଚଳ ଟିକେ ପଠାଇ ଦେବୁ ମା ! ମାତ୍ର ହେମୀ ଟିକିଏ କହିଲା, ‘‘ରେବକୁ ଆଉ ପଠାଇବି ନାଇଁ ମାଉସୀ ।’’

 

ଘରେ ପହଞ୍ଚି ହେମୀ ରେବତୀ ଉପରେ ଉପଦ୍ରବ ଆରମ୍ଭ କଲା—‘ଆଜି ଯାଇ ପାରିବୁ ନାହିଁ—କାଲି ଯିବୁ । ଏଇଟା କଣ ତୋ ଘର ନୁହେଁ କି ?’ ରେବୀ କଥା ତାର ଭାଙ୍ଗିପାରେ ନାହିଁ ।

 

ସେଦିନ ଗାଧୋଇ ସାରି ହେମୀ ଡାକିଲା, ‘‘ଆଲୋ ରେବୀ ଆଲୋ ରେବତୀ ନାନି ! ଅଇଲୁ, ତୋ ମୁହଁଟା ଦେଖେ । ଗାଧୁଆ ଘରୁ ରେବତୀ ଓଦା ଲୁଗାରେ ସେ ଘର ଭିତରକୁ ପଶି ଆସିଲା । ହେମୀ ରଙ୍ଗଧଡ଼ିଆ ଶାଢ଼ୀଟାଏ ବଢ଼ାଇ ଦେଇ କହିଲା ‘ପିନ୍ଧ୍‌ଏକୁ’ ।

 

ରେବତୀ କହିଲା—‘‘ଆଲୋ, ଏଇ ଟାକୁ କିମିତି ପିନ୍ଧିବି ?”

 

ହେମୀ—“ଯେମିତି ସମସ୍ତେ ପିନ୍ଧନ୍ତି ସେମିତି ପିନ୍ଧ ।’’

 

ରେବତୀ ବଲ ବଲ କରି ତା ମୁହଁକୁ ଚାହିଁ ରହିଲେ । ହେମୀ ଗର୍ଜି ଉଠିଲା ‘‘ଫେର, ପିନ୍ଧୁଚିନା, ଦେଖିବ ଅଇଚ୍ଛା ।” ରେବତୀ ହସି ହସି ହାତଟି ବଢ଼ାଇ ଦେଲା ।

 

“ଆଲୋ ଟୋକି! ମୁଣ୍ଡର ଏ ବାଳ କେରିକ କେବଠୁ ଫିଟିଛି କିଲୋ ?” କହି ହେମୀ ଜବରଦସ୍ତି ପାନିଆଟାରେ ମୁଣ୍ଡ କୁଣ୍ଡାଇ ପକାଇ ବାନ୍ଧିଦେଲା । ହାଁ ହାଁ । କରୁ କରୁ ଦୁଷ୍ଟ ହେମୀ ରେବତୀ କପାଳରେ ସିନ୍ଦୂର ଟିପାଟାଏ ଲଗାଇଦେଲ । ରେବତୀକି ହେମୀର ଏପରି ବ୍ୟବହାର ବଡ଼ ଅଦ୍ଭୁତ ଲାଗିଲା । ସେ କହିଲା “କିଲୋ ହେମୀ ! ତୋତେ କଣ ଆଜି ଭୂତ ଲାଗିଚି କି ?” ହେମୀ ଗୁଡ଼େ ହସି ପକାଇ କହିଲା, “ହଁ ଲୋ ହଁ, ମତେ ଆଜି ଭୂତ ଲାଗିଚି । ତୋତେ ପାଇ ମୁଁ ଆଜି ପାଗଳ ହୋଇ ଗଲିଣି ପରା ।” ଏତକ କହିସାରି ହେମୀ ଚାରିଆଡ଼ୁ କବାଟ କିଳିଦେଲା । ରେବତୀ ବଡ଼ ବିଚଳିତ ହୋଇ ପଡ଼ିଲା । ମାତ୍ର ତାହାର ମୁହଁକୁ ଅନାଇ ହେମୀ ଆଚ୍ଛାକରି ପଟାଏ ହସି ପକାଇଲା । ଆପଣର ଅଳଙ୍କାର ପେଡ଼ିଟା ଫିଟାଇ ପକାଇ ସୁନା ରୂପାର ସାରେ ଅଳଙ୍କାର କାଢ଼ି ପକାଇଲା । ରେବତୀକି ଜବର ଦସ୍ତ ଟାଣି ଓଟାରି ବସାଇ ଗୋଟି ଗୋଟି କରି ଗୋଡ଼ରୁ ମୁଣ୍ଡଯାକେ ସବୁ ଅଳଙ୍କାର ଖଞ୍ଜି ଗଲା । ସୁନା ଖଡ଼ୁ, ସୁନା ତାଇତ, ସୁନାର ହାର, ସୁନାର କାନ ଝୁମୁକା, ଅଣ୍ଟାରେ ଚନ୍ଦ୍ରହାର—ଯେଉଁଠି ଯେଉଁଟି ସୁନ୍ଦର ସାଜେ, ସେଇଟି ଠିକ୍ ସଜାଇ ଦେଲା । ଦି ହାତରେ ଦି’ ଦି ଗଛ ଚାରିଗଛ କାଚ ପିନ୍ଧାଇ ଦେଇ ତହିଁରେ ସିନ୍ଦୂର ଲଗାଇ ଦେଇ କହିଲା, ‘‘କାଚ ଭୋର ବଜର ହୋଇଥାଉ ।”

 

ରେବତୀ ଭକୁଆ ଭଳି ସବୁ ଦେଖି ଯାଉ ଥାଏ । ହେମୀ ଅଳତା ପିନ୍ଧାଇ ଦେଇ ଥିରକରି ସେ ପାଦ ଦୁଇଟିରେ ଆପଣାର ମୁଣ୍ଡଟି ଥୋଇଦେଲା ।

 

ରେବତୀ ଗର୍ଜି ଉଠିଲା, “ଆଲୋ ଟୋକି ! ତୁ ଆଜି କଅଣ ହୋଇଚୁକି ! ଛାଡ଼ ଛାଡ଼ ମୋ ଗୋଡ଼ ଦିଟା ଛାଡ଼ !” ମାତ୍ର ଦୁଇଟାକୁ ତାର ଯାବୁଡ଼ି ଧରି ହେମୀ କହିଲା ‘ଛାଡ଼ିବି ନାହିଁ କେଭେଁ । ଏ ଗୋଡ଼ ଦିଟାକୁ ଏମିତି ମୁଣ୍ଡରେ ଧରି ମରିବି । ତୁ ମନେ କରିଚୁ ମୋତେ ଫାଙ୍କି ଦେଇ ଯିବୁ, ନା ? ଭାରି ଚଲାକ ତୁ ଏକା । କହ ମୋ କଥା ମାନିବୁ ? ମୁଁ ଯାହା କହିବି ତା କରିବୁ ? ତେବେ ଯାଇ ଛାଡ଼ିବି ।”

 

ରେବତୀ ଦିକ୍‌ଦାର ହୋଇ କହିଲା ‘‘ଛାଡ଼ ତୁ ମୋତେ, ବେଶୀ ଆଉ ଜଳାନା । ଯାହା କହିବୁ ତା କରିବି ପଛକେ ।”

 

“କରିବୁ ନିଶ୍ଚେ? ତେବେ, ମୋ ରାଣ ପକା ।’’

 

“ହଉ, ତୋ ରାଣ ପକାଇଲି ।”

 

“କାହିଁକି ରାଣ ପକାଇଲୁ?”

 

“ଯାହା ତୁ କହିବୁ ତା କରିବି ।”

 

“ତେବେ ପ୍ରତିଜ୍ଞା କର, ତାଙ୍କୁ ବିଭା ହେବୁ ।”

 

ରେବତୀର ଗୋଡ଼ରୁ ମୁଣ୍ଡ ଯାକେ କୋଲ ମାରି ଆସିଲା । ପାଟିରୁ କଥା ବାହାରିଲା ନାହିଁ । ହେମୀ କିନ୍ତୁ ଗୋଡ଼ ଦିଟା ତାର ଛାଡ଼ିଲା ନାହିଁ । କହିଲା ‘କହ ଏ ଘରୁ ଆଉ ଦିନେ କୁଆଡ଼େ ଯିବୁ ନାହିଁ । ମାନିଯା—ଏ ଧନ ସମ୍ପତ୍ତି ସବୁ ତୋର, ସେ ମୋର ଯେମିତି ତୋର ସେମିତି । ତୋତେ ସେ ଆଗରୁ ବିଭା ହେବା ପାଇଁ ଜବାବ କରିଥିଲେ ସେ ତୋର ଆଗ, ମୋର ପଛ ।”

 

ରେବତୀ କିଛି କହି ପାରିଲା ନାହିଁ । ଧୀରେ ଧୀରେ ବସି ପଡ଼ି ହେମୀକୁ କୋଳକୁ ଟାଣିନେଇ କାନ୍ଦି ଉଠିଲା—‘‘ହେମୀ ଲୋ ! ତୋତେ ମୁଁ ଆଜି ଯାକେ ଚିହ୍ନି ପାରି ନ ଥିଲି ।”

 

ରେବତୀ କାନ୍ଦିଲା ହେମୀକି କୋଳରେ ଧରି । ହେମୀ କାନ୍ଦିଲା ରେବତୀର ଗଳା ଜାବୁଡ଼ି ଧରି । ଚାରିଟା ଆଖିରେ ଲୁହ ଗୋଟାଏ ଧାର ହୋଇ ବହିଲା । ହେମୀ କହିଲା—“କହ ତୁ ଯିଏ ମୁଁ ସିଏ, ତୋ ମୋ ଭିତରେ କିଛି ଫରକ ନାହିଁ, ତୁ ଯାହା ମୁଁ ତା, ଜଣକର ଦୁଇଟା ଦାସୀ ।”

 

ରେବତୀକୁ ଏଥର ଆଉ ଉତ୍ତର ନଦେଇ ରହି ପାରିଲାନାହିଁ । କହିଲା—‘‘ହଉ, ତୋରି କଥା ଏବେ ହେଲା ।”

 

ରେବକୁ ଛାଡ଼ି ଦେଇ ହେମୀ କିରି କିରି ହୋଇ ହସି ଉଠିଲା । ଛୋଟ ପିଲାଙ୍କ ଭଳି ଆନନ୍ଦରେ ତାଳି ମାରି ଘର ଯାକ ନାଚିଗଲା । ଦି ଆଖିରୁ ଲୁହ ଗଡ଼ାଇ ହସିଲା । କେତେବେଳକେ ଖିଡ଼ିକି ଖୋଲି ଦେଇ ହେମୀ କହିଲା—‘‘ଦେଖିଲୁ ଟିକେ ! ମୁହଁଟି କେଡ଼େ ସୁନ୍ଦର ଦିଶିଲା ଏଥର । ଆଉ, ଦିଶୁଥିଲା କିମିତି ?” ହାତଟାକୁ ତାର ଧରି ଦର୍ପଣ ଆଡ଼କୁ ହେମୀ ଟାଣିଲା; ମାତ୍ର ସେ ସେଠାରୁ ଘୁଞ୍ଚିଲା ନାହିଁ ।

 

ତାର ଦୁଇ ଦିନ ପରେ । ଲଣ୍ଠନ ଆଲୁଅ କମାଇ ଦେଇ ଖତ ଉପରେ ବସି ପରମାନନ୍ଦର ପାଦ ମଞ୍ଚାଳି ଦେଉଛି ହେମୀ । ଶୂନ୍ୟ କକ୍ଷ, ଚାରିଆଡ଼ ନୀରବ । ପରମାନନ୍ଦ ପ୍ରଥମେ କଥା କହିଲା, ‘‘ଆଚ୍ଛା, ଏସବୁ କି ନବରଙ୍ଗ ତୁମର ?”

 

ହେମୀ ହସି ଦେଇ ପ୍ରତିଧ୍ୱନି କଲା ‘‘କି ନବରଙ୍ଗ ?”

 

ପରମାନନ୍ଦ ପଚାରିଲା—ରେବତୀକି କାହିଁକି ତୁମେ ଡାକି ଆଣିଲ ?”

 

ହେମୀ ସହଜ ସ୍ଵରରେ କହିଲା—‘‘କାହିଁକି ଡାକି ଆଣିଲି, ତମେ କଅଣ ଜାଣନା ?”

 

ଦଣ୍ଡେ ତୁନି ରହି ପରମାନନ୍ଦ ପଚାରିଲା—‘‘ହେମୀ, ନିଜର କି ସର୍ବନାଶ କରିବାକୁ ବସିଛ ଜାଣଟିକି ?”

 

ଠିକ ପୂର୍ବପରି ହେମୀ କହିଲା—“ଜାଣେ, ସେଥିଲାଗି ତୁମର ମୁଣ୍ଡ ବଥାଉଚି କିଆଁ ?”

 

“ଜାଣୁ ଜାଣୁ ଆପଣା ଗଳାରେ ଛୁରୀ ଚଳାଉଚ କାହିଁକି ହେମୀ ?”

 

ଛୁରୀ ଚଳାଉ ନାହିଁ ଯେ ରତ୍ନହାର ଝୁଲାଉଚି ।”

 

‘‘ରତ୍ନ ହାର ନୁହେଁ ହେମୀ ! ବିଷଧର ସର୍ପ ।”

 

ହେମୀ ବିରକ୍ତ ହୋଇ କହିଲା—‘‘ଏମିତି ଗୁଡ଼ାଏ କାହିଁକି ତମେ ବକୁଛ, ଯାହା ମୁଁ କରୁଛି ଠିକ୍‌ କରୁଛି । ତୁମକୁ ମୁଁ ବୁଦ୍ଧି ମାଗୁନାହିଁ । ଯାହାମୁଁ କହିଯାଉଛି ମାନିଯାଅ । ବୃଥାରେ ବିରକ୍ତ କଲେ ଫେର ଦେଖିବ ।”

 

ପରମାନନ୍ଦ ଉଠି ବସି କହିଲା, “କ’ଣ ତୁମେ କହୁଚ ?”

 

ହେମୀ କହିଲା—“ମୁଁ କହୁଚି ରେବୀକୁ ତୁମେ ବିଭା ହୁଅ । ତୁମର ଜୀବନଟାକୁ ସୁଖୀ କର, ମୋତେ ସୁଖୀ କରାଅ, ରେବୀ ଆଖିରୁ ଲୁହ ନିଭାଅ ।”

 

ପରମାନନ୍ଦ ହେମୀର ହାତ ଦୁଇଟାକୁ ଜାବୁଡ଼ି ଧରି କହିଲା, ‘ହେମୀ, ସେକଥା ମୋତେ ତୁମେ କୁହନା, ମୁଁ ତା କରି ପାରିବି ନାହିଁ । ମୁଁ ତୁମର ସର୍ବନାଶ କରି ପାରିବି ନାହିଁ । ଅଗ୍ନିକୁ ସାକ୍ଷୀରଖି ମୁଁ ପ୍ରତିଜ୍ଞା କରିଛି ।’’

 

ହେମୀ ଉତ୍ତେଜିତ ହୋଇ କହିଲା “ତୁମେହିଁ ତ ଦିନେ ପୁଣି ରେବତୀ ଆଗରେ ପ୍ରତିଜ୍ଞା କରିଥିଲ । ନିରୀହା ବାଳିକା ବୋଲି ସିନା ତାର ତୁଣ୍ଡ ମୁଣ୍ଡ ନାହିଁ ।”

 

ପରମାନନ୍ଦ ଚମକି ପଡ଼ିଲା—‘‘ସତ କଥାତ ।’’

 

ପରମାନନ୍ଦର ଗୋଡ଼ ଦୁଇଟା ଉପରେ ମୁଣ୍ଡ ଥୋଇ ହେମୀ କହିଲା ‘‘ଦ୍ଵିଧା କରନାହିଁ । ରେବତୀକି ମୁଁ ଜବାବ ଦେଇ ସାରିଚି, ଆଉ ଅସତିଆ ହୋଇ ପାରିବି ନାହିଁ । ତୁମ ଲାଗି ମୁଁ ତାକୁ କହି ସାରିଛି । ବାପାଙ୍କୁ ମୁଁ ସବୁ କଥା ଖୋଲି ଲେଖି ଦେଇଛି । ସେ ନିଶ୍ଚେ କାଲି ଆସିବେ । ତୁମେ ନାହିଁ କର ନାହିଁ ।”

 

ପରମାନନ୍ଦ ହେମୀକୁ ଦୁଇ ହାତରେ ଆପଣା ବକ୍ଷ ଉପରକୁ ଟାଣି ଆଣି କହିଲା ‘‘ହେମୀ ! ଜାଣନା ତମେ, ତମର କେତେ ବଡ଼ ସ୍ଵାର୍ଥରେ ନିଆଁ ଲାଗିଯିବ ।” ସ୍ଵାମୀଙ୍କ ବକ୍ଷ ଉପରେ ହସିଦେଇ ହେମୀ କହିଲା ‘‘ସେ ଭୟ ମୋର ନାହିଁ । ରେବତୀକି ମୁଁ ଭଲ ଜାଣେ । ତାର ଓ ମୋ ଭିତରେ କିଛି ଫରକ ନାହିଁ । ତୁମେ ପୁରୁଷ ଲୋକ, ଜାଣି ପାରିବ ନାହିଁ ।”

 

ହେମୀର କୋମଳ ଗଣ୍ଡ ଉପରେ ଅଙ୍ଗୁଳି ବୁଲାଉ ବୁଲାଉ ପରମାନନ୍ଦ କହିଲେ “ହେମୀ-! ସବୁ ମୁଁ ଜାଣେ, ସବୁ ମୁଁ ବୁଝି ପାରିଛି, କିନ୍ତୁ...”

 

ବାଧା ଦେଇ ହେମୀ କହିଲା—“ନା, ନା, ସେ କିନ୍ତୁ ଫିନ୍ତୁରେ କିଛି ନାହିଁ ।’’

 

ପରମାନନ୍ଦର ଆଖିରୁ ଲୁହ ଗଡ଼ି ହେମୀର କପୋଳ ତିନ୍ତାଇଲା । ପରମାନନ୍ଦ କହିଲା ‘‘ହେମୀ ! ତୁଟା କଅଣ ! ତୁଟା...ତୁଟା କି ରତ୍ନ । କେଉଁ ସ୍ଵର୍ଗର ଦେବୀ ତୁ ।”

 

(ସତର)

 

ଗାଡ଼ିରୁ ଓହ୍ଲାଇଲାକ୍ଷଣି ଗୈରିକବେଶୀ ପୀତବାସ ବାବୁ ପଚାରିଲେ ‘‘ମୋ ରେବମା କାହିଁରେ ହେମୀ ?”

 

ପରମାନନ୍ଦ ଓ ହେମୀ ଦଣ୍ଡବତ କରି ଲଜ୍ଜିତ ଭାବରେ ଠିଆହେଲେ । ରେବତୀ ମଉସାଙ୍କ ପାଦତଳେ ଲଜ୍ଜିତ ଭାବରେ ମୁଣ୍ଡ ଲଗାଇଲା ।

 

ପ୍ଲାଟଫର୍ମ ବାହାରକୁ ଆସି ପୀତବାବୁ ଦେଖିଲେ ପୁରାତନ ମଟର ଚାଳକ ସଲାମ କରି ଛିଡ଼ା ହୋଇଛି, ପାଖରେ ମଟର ଖଣ୍ଡି । “ଆସି ଲୋ ମା’ ବୋଲି ପୀତବାବୁ ଇଙ୍ଗିତ କରିବା ମାତ୍ରେ ରେବତୀର ହାତ ଧରି ହେମୀ ମଟର ଉପରକୁ ଉଠିଗଲା । ପଛକୁ ପରମାନନ୍ଦର ହାତ ଧରି ପୀତବାବୁ ଉଠି ବସିଲେ । ମଟର ଗାଡ଼ି ଛାଡ଼ି ଦେଲା ।

 

ପୀତବାବୁ ଘରେ ପହଞ୍ଚି ଦେଖିଲେ, ବାର ଲୋକେ ବାର ପ୍ରକାର ମତ ପ୍ରକାଶ କରୁଛନ୍ତି, ସତର ପ୍ରକାର ନିନ୍ଦା କରୁଛନ୍ତି, ବାଇଶ ପ୍ରକାର ଯୁକ୍ତତର୍କ ଦେଖାଉଛନ୍ତି, ବତ୍ରିଶ ପ୍ରକାର ବାଧା ଦେଉଛନ୍ତି; ମାତ୍ର ପୀତବାବୁ କିଛି ଶୁଣିଲେ ନାହିଁ । ଆଡ଼ମ୍ବର ସହକାରେ ରେବତୀ—ପରମାନନ୍ଦର ବିବାହ କାର୍ଯ୍ୟ ବଢ଼ାଇ ଦେଲେ ।

 

ଦରିଦ୍ର ନନ୍ଦକିଶୋର ଓ ଲୀଳାବତୀଙ୍କର ଆନନ୍ଦର ସୀମା ରହିଲା ନାହିଁ । ଅଯାଚିତ ଭାବରେ ପୀତବାସ ବାବୁ ସେମାନଙ୍କର ଏକମାତ୍ର ନୟନର ମଣି ରେବତୀକୁ ଯେଉଁ ମହତ୍ ଦାନ ଦେଇଗଲେ, ତାହା ସ୍ଵର୍ଗରେ ମଧ୍ୟ ଦୁର୍ଲ୍ଲଭ ।

 

ହେମୀ ରେବତୀ ଓ ସ୍ଵାମୀଙ୍କୁ ସେ ଏକାସାଙ୍ଗରେ ପୀତବାସବାବୁ, ନନ୍ଦବାବୁ ଓ ଲୀଳାବତୀଙ୍କୁ ପ୍ରଣାମ କରିବାକୁ ଗଲା । ପୀତବାବୁ ଆର୍ଶୀବାଦ କଲେ “ଅହିସୁଲକ୍ଷଣୀ ହୋଇ ଥାଅ ମା, ଦୁଇଟିଯାକ ଭଉଣୀ ଏକଆତ୍ମା ହୋଇଯାଅ ।” ନନ୍ଦଙ୍କ ତୁଣ୍ଡରୁ କିଛି କଥା ବାହାରିଲା ନାହିଁ । ଖାଲି ଆଖିରୁ ଲୁହ ଝରିଲା—“ହେମୀ ଏତେ ଉଦାର । ଏଡ଼େ ମହତ୍‌ !” ଲୀଳା ଦୁଇ ଝିଅଙ୍କୁ କୋଳରେ ବସାଇ କପୋଳ ଚୁମ୍ବନ କଲେ ।

 

ପୀତବାସ ବାବୁ ପୁରସ୍ତମ ବାହାରିଲେ, ମାତ୍ର ଦି’ଝିଅଯାକ ଦି’ଗୋଡ଼କୁ ଯାବୁଡ଼ି ଧରି କାନ୍ଦିଲେ “ନାଇଁ ବାପା, ତମକୁ ଆମେ ଆଉ କୁଆଡ଼େ ଛାଡ଼ିବୁ ନାହିଁ । ତମର ତିନୋଟି ପିଲା ଥିଲେ, ତିନୋଟିତ ହେଲେ, ଆଉ ଯିବ କାହିଁକି ?” ପୀତବାବୁ ମଧ୍ୟ ଘରସଂସାରକୁ ଆଉ ଘୃଣା କଲେ ନାହିଁ-। ଯେଉଁ ଘରେ ହେମୀ ଭଳି ରତ୍ନ, ରବୀ ଭଳି ପାରିଜାତ, ସେ ଘର ଘର ନୁହେଁ—ସ୍ୱର୍ଗ ଗୋଲକ । କହିଲେ “ନାଇଁଲୋ ମା, ମୁଁ ଆଉ ଏଥର କୁଆଡ଼କୁ ଉଠୁନାହଁ । ତମର ପିଲାଝିଲା ହେଲେ ଗୋଟାଏ ଦିଟାଙ୍କୁ ଘେନି ରଥଯାତ୍ରା ଦେଖି ଯିବି । ’’

 

ଲକ୍ଷ୍ମୀ ସରସ୍ଵତୀ ଭଳି ଦୁଇଟି ମଣିମାଣିକ୍ୟ ସେ ବଡ଼ ଆନନ୍ଦରେ ପରମାନନ୍ଦର ଦିନ କଟିବାକୁ ଲାଗିଲା । ତେବେ ଆପଣାର ସୁଖମୟ ଜୀବନ ମଧ୍ୟରେ ବେଳେ ବେଳେ ବାପା ବୋଉଙ୍କର ସେଇ ଛୋଟ କୁଡ଼ିଆ ଖଣ୍ଡକର ଛବି ମନେପଡ଼ିବାକୁ ଲାଗିଲା । ଛୋଟ କୁଡ଼ିଆ ଖଣ୍ଡିଏ-। ଚାରିପାଖେ ଆମ୍ବ, ପଣସ, ନଡ଼ିଆ ଗଛ, ଛୋଟ ଚୌରାଟିଏ । ମନେପଡ଼ିଲେ କକେଇ ଖୁଡ଼ି, ରତନି, ଯତନୀ । ମନ ହେଲା....ଥରେ ତେଣେ ବୁଲି ଆସିବାକୁ । ଦିନେ ସେ ହେମୀ ପାଖରେ ସେହି ପ୍ରସ୍ତାବ କଲା । ହେମୀ ଓ ରେବତୀ ସେଇଦିନୁଁ ରୋଜ ଜିଗର ଧରିଲେ—‘‘ଚାଲ ଥରେ ବୁଲି ଆସିବା ।” ମାତ୍ର ଯିବା ହେଲା ନାହିଁ । ଦିନେ ପରମାନନ୍ଦ ଦେଖିଲା ହାସପାତାଳ ବରଣ୍ଡା ଉପରେ କକେଇ ଖୁଡ଼ୀ ଓ ଖୁଡ଼ୁତା ପୁଅ ଭାଇ ରତ୍ନାକର ଉପସ୍ଥିତ ।

 

ଅନେକ ଦିନର କଥା । ଅନ୍ୟାୟର ସାହାଯ୍ୟ ଘେନି ସାରା ଜୀବନ କେହି କଟାଇ ଦେଇ ପାରିନାହିଁ । ରସାନନ୍ଦ ମଧ୍ୟ ପାରିଲେ ନାହିଁ । ନିଃସହାୟ ଅବସ୍ଥାରେ ପରମାନନ୍ଦ ପଳାଇ ଆସିଲା । ମାତ୍ର କେହି ତାର ସନ୍ଧାନ ନେବା ଯୁକ୍ତିସଙ୍ଗତ ମନେକଲେ ନାହିଁ । ଲବଣୀ ବରଂ ଶାନ୍ତିରେ ନିଶ୍ଵାସ ମାରିଲେ । ରସାନନ୍ଦ ସମସ୍ତ ସମ୍ପତ୍ତି ସହିତ ବଡ଼ ଭାଇଙ୍କ ଅର୍ଜିତ ସମ୍ପତ୍ତି ଅବାଧରେ ଭୋଗ ଦଖଲ କରିବାକୁ ଲାଗିଲେ । ମାତ୍ର ଭଗବାନଙ୍କ ନ୍ୟାୟ ବିଚାର ନିକଟରେ ସେଭଳି ଅନ୍ୟାୟ ବେଶୀ ଦିନ ଚଳି ପାରେ ନାହିଁ । ଗୋଟି ଗୋଟି ହୋଇ ଦୁଇଟି ପିଲା ରସାନନ୍ଦଙ୍କ କୋଳ ଛାଡ଼ି ଚାଲିଗଲେ । ଗୋଟି ଗୋଟି ହୋଇ ଗ୍ରାମବାସୀଏ ତାଙ୍କ ବ୍ୟବହାରରେ ବଡ଼ ଅସନ୍ତୁଷ୍ଟ ହୋଇ ଉଠିଲେ । ଥର ଥର ହୋଇ ଗ୍ରାମବାସୀଙ୍କ ସହିତ ତାଙ୍କର ମାଲି—ମକଦ୍ଦମା ଲାଗିଲା । ଖଣ୍ଡି ଖଣ୍ଡି ହୋଇ ସମସ୍ତ ସମ୍ପତ୍ତି କୁଆଡ଼େ ଉଭେଇ ଗଲା । ଶେଷକୁ ସଦୁପଦେଷ୍ଟା ସ୍ତ୍ରୀ ଲବଣୀ ଓ ବାଳକ ପୁତ୍ର ରତ୍ନାକରର ହାତ ଧରି ଶୂନ୍ୟ ହସ୍ତରେ ରସାନନ୍ଦ ଗ୍ରାମ ମୁଣ୍ଡ ବରମୂଳେ ଆସି ଛିଡ଼ାହେଲେ । ସେଦିନ ଗ୍ରାମବାସୀଙ୍କ ମଧ୍ୟରୁ କେହି କେହି ତାଙ୍କ ଆଡ଼କୁ ସଳଖ ହୋଇ ଛିଡ଼ା ହୋଇ ଅପ୍ରିୟ ସତ୍ୟ କଥା କେତେ ପଦ ଶୁଣାଇ ଦେଇ ଚାଲିଗଲେ—

 

‘‘ବୋଇଲା—ଅଧର୍ମ ବିତ୍ତ ବଢ଼େ ବହୁତ

ଗଲାବେଳେ ଯାଏ ମୂଳ ସହିତ ।”

 

X X X X

 

‘‘ବୋଇଲା—ଯିଏ ପାଞ୍ଚଇ ପର ମନ୍ଦ

ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ।”

 

ରସାନନ୍ଦ ପିଲାବାଳକଙ୍କୁ ଘେନି ଆଶ୍ରା ଲାଗି ବନ୍ଧୁ ବାନ୍ଧବ, ପ୍ରିୟାପ୍ରୀତି ଘରେ ବୁଲିଲେ; ମାତ୍ର ବିପଦବେଳେ କେହି ସାହା ହୁଅନ୍ତି ନାହିଁ । ଶେଷକୁ ଗ୍ରାମେ ଗ୍ରାମେ ବୁଲିଲେ । ଏହି ବୁଲା ଜୀବନ ମଧ୍ୟରେ ଲବଣୀଙ୍କର ସମସ୍ତ ଅଳଙ୍କାର ସରିଗଲା । ରସାନନ୍ଦଙ୍କର ଆଣ୍ଠୁ ଗଣ୍ଠି ବାତ ଧରିଲା-। ବଡ଼ କାତର ହୋଇ ସେ କହିଲେ “ଶୁଣିଲ ! ମୁଁ ଆଉ ବଞ୍ଚିବି ନାହିଁ । ମୋତେ ଯେମିତି ପାର ହାସପାତାଳକୁ ଘେନି ଚାଲ ।” ଲବଣୀ ବହୁତ ଦୁଃଖରେ ତାଙ୍କୁ ହାସପାତାଳ ବରଣ୍ଡାରେ ଆଣି ବସାଇଲେ ।

 

ସେମାନଙ୍କୁ ଦେଖି ପରମାନନ୍ଦ ଚିହ୍ନି ପାରିଲା । ଖାଇବା ଅଭାବରେ ଶୁଖି ଯାଇଛନ୍ତି । କକେଇ କଳାକାଠ ପଡ଼ି ଯାଇଛନ୍ତି । ଖୁଡ଼ୀ ଝଡ଼ି ପଡ଼ିଛନ୍ତି । ରତ୍ନାକରଟି ଟିକିଏ ବଡ଼ ହୋଇଛି ସତ, ମାତ୍ର ଫୁଙ୍କିଦେଲେ ଉଡ଼ିଯିବ । ଇହାରି ଦେହରେ ଭଲ କନା ଖଣ୍ଡିଏ ନାହିଁ, ଶହେ ଥାନ ଛିଣ୍ଡା ଗଅଁଣ୍ଠା ।

 

ସହସ ଦୁର୍ବ୍ୟବହାର ସତ୍ତ୍ୱେ ପରମାନନ୍ଦର ଆଖି ଓଦା ହୋଇ ଆସିଲା । ଧୀରେ ଧୀରେ ପାଖକୁ ଆସି ସେ ସେମାନଙ୍କ ପରିଚୟ ପଚାରିଲା । ବୁଝିଲା, ଠିକ୍ ସେମାନେ ତାର କକେଇ ଖୁଡ଼ୀ-। ମାତ୍ର ଆପଣା ପରିଚୟ ସେମାନଙ୍କୁ ଦେଲା ନାହିଁ-। ସେମାନେ ମଧ୍ୟ ଚିହ୍ନି ପାରିଲେ ନାହିଁ । ପରମାନନ୍ଦ ଡାକ୍ତରଖାନା ଛାଡ଼ି ଘରକୁ ପଳାଇ ଆସି ତୁନି ହୋଇ ବସି ଭାବିଲା, କଅଣ କରିବ-! ସେମାନଙ୍କ ଅବସ୍ଥା ଭାବି ବିକଳ ଲାଗିଲା, ମାତ୍ର ସେମାନଙ୍କ ବ୍ୟବହାର ମନେପଡ଼ିଲା କ୍ଷଣି ରାଗରେ ଦେହ ଜଳ ଉଠିଲା ।

 

ରେବତୀ ଆସି ପାଖରେ ଛିଡ଼ା ହୋଇ ଚିନ୍ତିତ ଭାବରେ ପଚାରିଲା, ‘‘କଥା କଅଣ ?”

 

ପରମାନନ୍ଦ ସବୁ କଥା ତାକୁ ଖୋଲି କହିଲା । ରେବତୀ ଉତ୍ତର ଦେଲା—‘‘ଏଇଥିପାଇଁ ଏତେ ଭାବୁଚ ? ମୁଁ ଯାଉଚି ସେମାନଙ୍କୁ ଘେନି ଆସିବି । ଯେତେ ମନ୍ଦ ହୁଅନ୍ତୁ ପଛକେ ସେମାନେ କକେଇ ଖୁଡ଼ିତ’’ ?

 

ରେବତୀ ଚାଲିଗଲା । ପରମାନନ୍ଦ ମଟର ଗାଡ଼ିର ଗତି ଆଡ଼କୁ ଅନାଇ ଭାବିଲା, ‘‘ବାସ୍ତବିକ ଯେତେ ହିନସ୍ତା କରନ୍ତୁ ପଛକେ, ସେମାନେ କକେଇ ଖୁଡ଼ି ।”

 

ରସାନନ୍ଦ ବାର ଆପତ୍ତି କରୁଥିଲେ; ମାତ୍ର ରେବ କିଛି ଶୁଣିଲେ ନାହିଁ, ଗାଡ଼ିରେ ବସାଇ ଘରକୁ ଘେନି ଆସିଲା । ହେମୀର ସାହାଯ୍ୟରେ ପରମାନନ୍ଦ ସେମାନଙ୍କ ଲାଗି ଗୋଟିଏ ଘର ସଜାଇ ରଖିଥାଏ । ପୀତବାସ ବାବୁ ସମୁଦି ସମୁଦୁଣୀ ଓ ଛୋଟ ପିଲାଟିକୁ ମଟର ଗାଡ଼ି ଠାରୁ.ଓହ୍ଲାଇ ଆଣିଲେ । ଏଡ଼େ ସୁନ୍ଦର ବ୍ୟବହାରରେ ଦୀନହୀନ ରସାନନ୍ଦ ଓ ଲବଣୀଙ୍କ ଅନ୍ତର ଅନୁତାପରେ ଜଳି ଉଠିଲା ।

 

ପରମାନନ୍ଦ, ରେବତୀ ଏବଂ ହେମୀ ଆପଣା ଆପଣାର ପରିଚୟ ଦେଇ ତାଙ୍କ ପାଦତଳେ ମୁଣ୍ଡିଆ ପକାଇଲେ । ଲବଣୀ କାନ୍ଦି ଉଠିଲେ—‘‘ବାପରେ, ଏଇ ଖୁଡ଼ି ଦିନେ ଘରୁ ତଡ଼ି ଦେଇଥିଲା, ମନେଅଛି ?” ରସାନନ୍ଦ ପରମାନନ୍ଦର ହାର ଧରି କାନ୍ଦିପକାଇଲେ, ବାପା, ମୁଇଁ ତୋ ବାପ ମାଆଙ୍କୁ ତଡ଼ି ଦେଇଛି, ମୁଇଁ ତୋତେ ଘରୁ ବାହାର କରି ଦେଇଛି, ମୁଇଁ ତୋ ବାପର ଜମି ଅରିକ ଜବରଦସ୍ତ ଦଖଲ କରିଛି, ଏ ସବୁକୁ ତୁ କଅଣ କ୍ଷମା ଦେଇ ପାରିବୁ ?”

 

ପରମାନନ୍ଦ କାନ୍ଦି ପକାଇଲା, “କକେଇ, ଖୁଡ଼ି, ସେମିତି କଥା କୁହନା । ସେ ସବୁ ବିଧାତାଙ୍କ କୁଟ—କାହାରି ଦୋଷ ନାହିଁ ।”

 

ପୀତବାସ ବାବୁ କହିଲେ, ‘‘ସମୁଦି ! ସେ ସବୁ ଭୁଲିଯାଅ । ମୋର ଅନୁରୋଧ, ପଛ କଥା ଗୁଡ଼ାକ ପାସୋରି ପକାଅ ।”

 

ପୀତବାସ ଓ ପରମାନନ୍ଦ ରସାନନ୍ଦଙ୍କ ଚିକିତ୍ସାରେ ଲାଗି ପଡ଼ିଲେ ।

 

ପରମାନନ୍ଦକୁ ନିରୁଦ୍ଦେଶ୍ୟ ପ୍ରମାଣ କରି ରସାନନ୍ଦ ତାର ସମ୍ପତ୍ତି ଅରିକ ବିକ୍ରୟ କରି ଦେଇଥିଲେ । ମାତ୍ର ପରମାନନ୍ଦ କୌଣସି ପ୍ରକାରେ ଉକ୍ତ ସମ୍ପତ୍ତିର ପୁନରୁଦ୍ଧାର କରି ତାହାରି ଉପରେ ପୁଣି ଖଣ୍ଡିଏ ଘର ତୋଳାଇଲେ । କିଛିଦିନ ପରେ ରସାନନ୍ଦ ଭଲ ହୋଇ ଯାଆନ୍ତେ, ପରମାନନ୍ଦ କକେଇ ଖୁଡ଼ି ରେବୀ ହେମୀକୁ ଘେନି ଗ୍ରାମ ଆଡ଼ୁ ଥରେ ବୁଲି ଆସିବାକୁ ବାହାରିଲା । ପୈତୃକ ସମ୍ପତ୍ତି ତିନିମାଣ ଓ ଘର ବାଡ଼ି ସବୁ କକେଇଙ୍କ ନାମରେ ଲେଖି ଦେଇ ପରମାନନ୍ଦ କହିଲା, ‘‘କକେଇ ରତ୍ନାକର କଟକରେ ରହିଲା, ପଢ଼ାପଢ଼ି କରିବ, ତମେ ଏହିଠାରେ ରୁହ ।” ଖୁଡ଼ି କହିଲେ, “ବାପାରେ । ତୋ ପୁଅଝିଅଙ୍କ ଦୁଆରେ ଆମେ ଭିକାରୀ । ବଡ଼ ଅପରାଧ କରିଛୁ, ତାର ଦଣ୍ଡ ପାଇଛୁ । ଏଣିକି ତୋ ପୁଅଝିଅ ଯେମିତି ଆମକୁ ରଖିବେ ସେଇ ଆମର ସ୍ଵର୍ଗସୁଖ ।”

 

ରସାନନ୍ଦ କହିଲେ, “ବାପା, ପୁଅ ବୋହୂକୁ ତୋର କ୍ଷମା କରିଛୁଟି ?

 

ପରମାନନ୍ଦ କକେଇ ଖୁଡ଼ିଙ୍କ ପାଦଧୂଳି ଘେନି କଟକ ବାହାରିଲା । ହେମୀ ଆଉ ରେବୀ କକେଇ ଖୁଡ଼ିଙ୍କ ପାଦତଳେ ସାଷ୍ଟାଙ୍ଗ ପ୍ରଣାମ କରି ମଟରରେ ବସିଲେ ।

 

କିଛିଦିନ ବାଦେ । ଦିନେ ରେବୀ ଓ ପରମାନନ୍ଦ ବସିଥାଆନ୍ତି । ହେମୀ ପଛଆଡ଼ୁ ଆସି ପରମାନନ୍ଦ ମୁଣ୍ଡରେ ଅଙ୍ଗୁଳି ସୁଲୁ ସୁଲୁ କରି ପଚାରିଲା, “ଆଚ୍ଛା ମାଷ୍ଟର ବାବୁ ! ରେବତୀଟାକୁ କାହିଁକି ତେମେ ମୋଠୁ ବେଶୀ ସୁଖ ପାଅ ? ମୁଁ କଅଣ ତୁମକୁ ସୁଖ ପାଏନା ? ମୁଁ କଅଣ ତମ କଥା ମାନେନ ! ? ମୁଁ କଅଣ ତମକୁ ଚିଡ଼ାଏ ?”

 

ପୁର୍ବ କଥା ମନେ ପକାଇ ପରମାନନ୍ଦ ବଡ଼ ଆଦରରେ ହେମୀର ମୁଖଟିକୁ ଆପଣା କୋଳ ଉପରକୁ ଟାଣି ଆଣି କୋମଳ ଗଣ୍ଡଟିରେ ତାର ଗୋଟିଏ ଚୁମ୍ବନ ଦେଲା । ରେବତୀ ତା ପିଠିରେ ଗୋଟିଏ ଚାପୁଡ଼ା ମାରି ଉଠି ହସି କହିଲା ‘‘ପୋଡ଼ାମୁହିଁ, ସବୁ ନବରଙ୍ଗ ଜାଣୁ, ଯା ପଳା ଏଠୁ, ଆମେ କଥାବାର୍ତ୍ତା ହେଉଛୁ, ତୁ ଏଠି କିଏ ଲୋ ?”

 

‘‘ହଉ ତେବେ, ତେମେ ଦିଜଣ ଥାଅ, ମୁଁ ଯାଉଛି’’ ବୋଲି କହି ହେମୀ ଉଠିଯିବାକୁ କୃତ୍ରିମ କୋପ ଦେଖାଇଲା, ମାତ୍ର ରେବତୀ ତାକୁ ଆପଣା କୋଳକୁ ଭିଡ଼ିଆଣି ଆଉ ଗୋଟାଏ ଚାପୁଡ଼ା ବସାଇ ଦେଇ କହିଲା, ‘ଛତରଖାଇ, ଭାରି ତ ତୋର ବହପ ଲୋ ।”

 

ରେବୀ ଓ ହେମୀକୁ ଘେନି ପରମାନନ୍ଦ ଏଇ ମାଟିର ସଂସାର ଉପରେ ସ୍ୱର୍ଗର ନନ୍ଦନ କାନନ ଗଢ଼ିଲା । ପୀତବାବୁଙ୍କ ଆଖିର ଦୁଃଖ କ୍ରମେ ଘୁଞ୍ଚିଲା, ଗୋଟିକ ପଛକୁ ଆଉ ଗୋଟିଏ ହୋଇ ଦୁଇ ତିନୋଟି ପିଲା ବାଳକ କଳକଲ୍ଲୋଳରେ ତାଙ୍କ କୋଳରେ ଆସି ନାଚିଲେ ।

 

ଆଉ ଦୁଇଟି ପଦ—

 

ଆଗେ ଏକାଧିକ ପତ୍ନୀ ଗ୍ରହଣ କରିବା ଦୋଷାବହ ନ ଥିଲା; ମାତ୍ର ଏକାଳେ ସେ କଥାଟି ନିନ୍ଦନୀୟ । ପରମାନନ୍ଦ ଇଚ୍ଛାକରି ଏକାଧିକ ପତ୍ନୀ ଗ୍ରହଣ କରିନାହିଁ । ଘଟଣାଚକ୍ରରେ ପଡ଼ି ଏଭଳି କରିବାକୁ ସେ ବାଧ୍ୟ ହୋଇଛି । ଏହାକୁ ଇଚ୍ଛାମୟଙ୍କର ଗୋଟାଏ ଇଚ୍ଛା ବୋଲି ନ କହି ଅନ୍ୟ କିଛି କହି ହେବନାହିଁ । ପୁନଶ୍ଚ, ରେବତୀ ଓ ହେମନ୍ତ କୁମାରୀ ବାହାରେ ଦୁଇଟି ହେଲେ ସୁଦ୍ଧା ଭିତରେ ଗୋଟିଏ । ଗୋଟିଏ ଆତ୍ମାର ଦୁଇଟି ବିକାଶ, ଗୋଟିଏ କୁସୁମର ଦୁଇ ପାଖୁଡ଼ା—ଗୋଟିଏ ମଣି, ଅନ୍ୟଟି ମାଣିକ୍ୟ ।

 

ଏ ମିଳନକୁ ସୃଷ୍ଟିର ବ୍ୟତିକ୍ରମ ବୋଲାଯାଇ ନ ପାରେ, ବରଂ ବୈଚିତ୍ର୍ୟ ବୋଲିବା ଯୁକ୍ତିସଙ୍ଗତ ।

Image